ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଶକ୍ତି ସଂବର୍ଦ୍ଧନ କ୍ଷେତ୍ର ପାଇଁ ସୌର ଶକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଛି : ଶ୍ରୀ ନୀତିନ ଗଡ଼କରୀ

• ସବୁ କ୍ଷେତ୍ରକୁ ସହାୟକ ହେଲାଭଳି ଅଭିନବ ତଥା ବ୍ୟବସାୟିକ ଦୃଷ୍ଟିରୁ ଅର୍ଥକାରୀ ମଡ଼େଲ ବାହାର କରାଯିବା ଉଚିତ : ନୀତିନ ଗଡ଼କରୀ

Posted On: 23 MAY 2020 7:53PM by PIB Bhubaneshwar

କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମହା ସୌର ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ସୌର ଶକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ସେମାନ ଭଲ ଭାବେ ହୃଦୟଙ୍ଗମ କରି ସେଥିରେ ଥିବା ସୁଯୋଗର ଫାଇଦା ଉଠାଇବା ନିମନ୍ତେ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଏହି ଅବସରରେ ନିଜର ମତ ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଲେ ଯେ ଦିନକୁ ଦିନ ସୌରଶକ୍ତି ଉତ୍ପାଦନ କ୍ଷେତ୍ରର ଗୁରୁତ୍ୱ ବୃଦ୍ଧି ପାଉଛି ଏବଂ ଏହି କ୍ଷେତ୍ରର ପର୍ଯ୍ୟାପ୍ତ ସାମର୍ଥ୍ୟ ରହିଛି । ଏହା ଦ୍ୱାରା ବିଜୁଳି ଶକ୍ତି ଉତ୍ପାଦନ ମୂଲ୍ୟକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରାଯାଇପାରିବ । କୃଷି, ୱେରହାଉସିଂ ଆଦି କ୍ଷେତ୍ର ହେଉଛି ଶକ୍ତି ସଂବଦ୍ଧନ କ୍ଷେତ୍ର ଏବଂ ସୌରଶକ୍ତିକୁ ବ୍ୟବସାୟିକ ଭାବେ ଉପଯୁକ୍ତ ଭାବେ ଉପଯୋଗ କରାଗଲେ ଏହା ଦ୍ୱାରା ସୌରଶକ୍ତି ଚାଳିତ ପାଣି ପମ୍ପରେ ଜଳସେଚନର ସୁବିଧା କରାଯାଇପାରିବ । ସେହିଭଳି ସୌରଶକ୍ତିକୁ ବ୍ୟବହାର କରାଯାଇ ଶୀତଳ ଭଣ୍ଡାରମାନ ମଧ୍ୟ ଚଳାଇହେବ । ଏହା ଦ୍ୱାରା କୃଷକ ତଥା ଖାଦ୍ୟସାମଗ୍ରୀର ଭଣ୍ଡାରକରଣ ସକାଶେ ବିଜୁଳି ଶକ୍ତି ପାଇଁ ଯେତିକି ଅର୍ଥ ବ୍ୟୟ କରିବାକୁ ପଡ଼ୁଛି ସେଥିରେ ଯଥେଷ୍ଟ କାଟ କରିହେବ ବୋଲି ସେ କହିଥିଲେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଲେ ଯେ ଦେଶର ରପ୍ତାନୀ ବୃଦ୍ଧି ଉପରେ ଯେତିକି ଗୁରୁତ୍ୱ ଆରୋପ କରାଯାଉଛି ସେହି ମାତ୍ରାରେ ଆମଦାନିର ବିକଳ୍ପ କଥା ମଧ୍ୟ ଚିନ୍ତା କରାଯିବା ଆବଶ୍ୟକ । ସେହି ଆବଶ୍ୟକତାକୁ ଘରୋଇ ଉତ୍ପାଦନ ଦ୍ୱାରା ପ୍ରତିପୂରଣ କରାଯିବା ଉଚିତ । ଏବେସୁଦ୍ଧା ଭାରତ ବିଦେଶରୁ ସକ୍ରିୟ ସୌର ପାନେଲ ଆମଦାନି କରୁଛି । ମେକ୍‌ ଇନ୍‌ ଇଣ୍ଡିଆକାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି ଯନ୍ତ୍ରାଂଶ ଦେଶରେ ଉତ୍ପାଦନ କରିବାକୁ ସେ ଉତ୍ପାଦକମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ଶ୍ରୀ ଗଡ଼କରୀ କହିଲେ ଯେ ଏମଏସଏମଇ କ୍ଷେତ୍ରକୁ ଦୀର୍ଘ ଦିନରୁ ଆବଶ୍ୟକ ଥିବା ପ୍ରୋତ୍ସାହନ ଯୋଗାଇ ଦେବାକୁ ଏବଂ ବର୍ତ୍ତମାନ ବିଶ୍ୱରେ ଦେଖା ଦେଇଥିବା ଆର୍ଥିକ ଅସ୍ଥିରତାର ମୁକାବିଲା ସକାଶେ, ସରକାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଅଧୀନରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଆତ୍ମ ନିର୍ଭର ଭାରତ ଅଭିଯାନନାମରେ ପରିଚିତ । ସେଥିରେ ଅଟୋମେଟିକ୍‌ ଋଣ ହାସଲ ସକାଶେ କୋଲାଟେରାଲକୁ ମୁକ୍ତ କରାଯାଇଛି ଯାହାକି ଏମଏସଏମଇମାନଙ୍କ 20% ପର୍ଯ୍ୟନ୍ତ ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି ଯୋଗାଇ ପାରିବ ଏବଂ ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ କୋଲାଟେରାଲ ଦେବାକୁ ପଡ଼ିବନାହିଁ ।

ଶ୍ରୀ ଗଡ଼କରୀ କହିଲେ ଯେ ଶିଳ୍ପ ପ୍ରତିନିଧିମାନେ ସେମାନଙ୍କର ନୂତନ, ଅଭିନବ ଓ ଆର୍ଥିକ ଦୃଷ୍ଟିକୋଣରୁ କାର୍ଯ୍ୟକ୍ଷମ ବ୍ୟବସାୟିକ ମଡ଼େଲମାନ ପ୍ରସ୍ତୁତ କରନ୍ତୁ ଯାହାକି ବିଭିନ୍ନ ସେକ୍ଟରରେ ପ୍ରବର୍ତ୍ତନ କରାଯାଇପାରିବ । କୃଷି ଠାରୁ ୱେରହାଉସିଂ ଆଦି କ୍ଷେତ୍ରକୁ ସୁଲଭ ମୂଲ୍ୟରେ ପୋଷଣୀୟ ଶକ୍ତି ଯୋଗାଇ ପାରିବ । ଏହା ଦ୍ୱାରା ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକ ଶକ୍ତି ମୂଲ୍ୟ ହ୍ରାସ ପାଇବନାହିଁ ଅପରନ୍ତୁ ତାହା ମେକ୍‌ ଇନ୍‌ ଇଣ୍ଡିଆକାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇବ ।

ସେ କହିଲେ ଯେ ଶିଳ୍ପସଂସ୍ଥାମାନେ ଅଭିନବତ୍ୱ, ଉଦ୍ୟମିତା, ବିଜ୍ଞାନ ଓ ପ୍ରଯୁକ୍ତି , ଗବେଷଣା କୌଶଳ ଓ ଅନୁଭୂତି ଆଧାରାରେ ଜ୍ଞାନକୁ ସଂପଦରେ ପରିଣତ କରିବାର ଉପାୟମାନ ଚିନ୍ତା କରିବା ଆବଶ୍ୟକ ।

ଏହି ଅବସରରେ ସେ ଜାପାନ ସରକାରଙ୍କ ଉଦାହରଣ ଅବତାରଣା କରି କହିଥିଲେ ଯେ ସେ ଦେଶର ସରକାର ଏବେ ନିଜର ଶିଳ୍ପସଂସ୍ଥାମାନଙ୍କୁ ଚୀନରୁ ନିବେଶ ଓହରାଇ ଆଣିବା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରଦାନ କରୁଛନ୍ତି । ଚୀନରୁ ଯାଇ ଅନ୍ୟତ୍ର ପୁଞ୍ଜି ନିବେଶ ପାଇଁ ଜାପାନ ସରକାର ନିଜ ଦେଶର ଶିଳ୍ପସଂସ୍ଥାମାନଙ୍କୁ ପରାମର୍ଶ ଦେଇଛନ୍ତି । ଭାରତ ପାଇଁ ଏହା ଏକ ସୁଯୋଗ ଏବଂ ଆମେ ବିଦେଶୀ ପୁଞ୍ଜି ନିବେଶ ପାଇଁ ସେମାନଙ୍କୁ ଆମ ଦେଶକୁ ଆସିବା ଲାଗି ଆମନ୍ତ୍ରଣ କରିବା ଉଚିତ ।

ଏହି ଅବସରରେ ଶିଳ୍ପସଂସ୍ଥାର ପ୍ରତିନିଧିମାନଙ୍କ କେତେକ ପ୍ରଶ୍ନର ଉତ୍ତର ଦେବା ସହ ମନ୍ତ୍ରୀ ଶ୍ରୀ ଗଡ଼କରୀ ସେମାନଙ୍କ ପରାମର୍ଶକୁ ମଧ୍ୟ ଧ୍ୟାନ ପୂର୍ବକ ଶୁଣିଥିଲେ । ସେଥି ମଧ୍ୟରେ କ୍ଲାସ୍‌ଯୋଜନାରେ ସୋଲାର ପିଭିକୁ ପ୍ରଯୁକ୍ତି ତାଲିକାରେ ସାମିଲ କରିବା, ନୂତନ ଭାବେ ନିରୂପିତ ଏମଏସଏମଇ ସଂଜ୍ଞାରେ ଟର୍ଣ୍ଣ ଓଭର ସୀମାରେ ସଂଶୋଧନ କରିବା, ଏମଏସଏମଇ ପାଇଁ ରପ୍ତାନି ସବସିଡ଼ି ପ୍ରଦାନ କରାଯିବା ଆଦି ସାମିଲ । ଏହା ଦ୍ୱାରା ଦେଶରେ ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନିର ବିକଳ୍ପକୁ ମଧ୍ୟ ସୁଯୋଗ ମିଳିପାରିବ ।

ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସରକାର ସେମାନଙ୍କୁ ଯଥା ସମ୍ଭବ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

 

**********



(Release ID: 1626538) Visitor Counter : 145