ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ବଙ୍ଗୋପ ସାଗରରେ ସୃଷ୍ଟ ହେବାକୁଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ କ୍ୟାବିନେଟ ସେକ୍ରେଟାରୀଙ୍କ ଅଧ୍ୟକ୍ଷତାରେ ଏନସିଏମସି ବୈଠକ

Posted On: 16 MAY 2020 5:26PM by PIB Bhubaneshwar

କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ନେଇ ଜାତୀୟ ବିପର୍ଯୟ ପରିଚାଳନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାରରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡର ରୂପ ନେଉଛି ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଆସନ୍ତା 20 ତାରିଖ ସୁଦ୍ଧା ଅତିକ୍ରମ କରିବ । ସେ ଦୃଷ୍ଟିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଖୁବ ଜୋରରେ ପବନ ବହିବା ସହ ସାମୁଦ୍ରିକ ଜୁହାର ଆସିବାର ସମ୍ଭାବନା ରହିଛି ।

ପ୍ରଭାବିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧୀମାନେ ଏଭଳି ସମ୍ଭାବ୍ୟ ସାମୁଦ୍ରିକ ଝଡର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ । ଏହାବ୍ୟତୀତ ରାଜ୍ୟ ସରକାରମାନେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଇଦେଇଛନ୍ତି । ଚିହ୍ନଟ ବ୍ୟକ୍ତିମାନଙ୍କୁ ଆବଶ୍ୟକସ୍ଥଳେ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଏନଡିଆରଏଫ, ସଶସ୍ତ୍ର ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ରହିବା ସହ ଏଦିଗରେ ରାଜ୍ୟ କର୍ତ୍ତୃପକ୍ଷକଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ନିଜକୁ ଠିକଣା ସ୍ଥାନରେ ଅବସ୍ଥାପିତ କରୁଛନ୍ତି । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏଦିଗରେ ରାଜ୍ୟ ସରକାର ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ନିରବଚ୍ଛିନ୍ନ ଯୋଗସୂତ୍ର ରକ୍ଷା କରୁଛନ୍ତି ।

କ୍ୟାବିନେଟ ସଚିବ ବର୍ତ୍ତମାନର ପରିସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଓ ଆବଶ୍ୟକସ୍ଥଳେ ଜରୁରିକାଳୀନ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ସ୍ଵରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ, ପାଣିପାଗ ବିଭାଗ, ଏନଡିଏମଏ ଏବଂ ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । କେତେକ ରାଜ୍ୟ ସରକାରଙ୍କ ମୁଖ୍ୟାଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ ବୈଠକରେ ଭାଗନେଇଥିଲେ

 

**********



(Release ID: 1624517) Visitor Counter : 138