ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବସବ ଜୟନ୍ତୀ ଅବସରରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭୁ ବସବେଶ୍ୱରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 26 APR 2020 8:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବସବ ଜୟନ୍ତୀ ଅବସରରେ ମହାପ୍ରଭୁ ବସବେଶ୍ୱରଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜି ଏକ ଭିଡ଼ିଓ ବାର୍ତ୍ତାରେ ଦେଶର ଜନସାଧାରଣଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଦ୍ୱାଦଶ ଶତାବ୍ଦୀର ମହାନ ଦାର୍ଶନିକ ତଥା ସମାଜ ସଂସ୍କାରକ ବିଶ୍ୱଗୁରୁ ବସବେଶ୍ୱରଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ବସବ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଥାଏ ।

ବିଶ୍ୱ ବସବ ଜୟନ୍ତୀ- 2020 ଆଜି ସମଗ୍ର ବିଶ୍ୱରେ ଡ଼ିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି । ଡ଼ିଜିଟାଲ ଗଣମାଧ୍ୟମ ଜରିଆରେ ଭାରତ ତଥା ବିଶ୍ୱର ବିଭିନ୍ନ ଭାଗରେ ଥିବା ବସବେଶ୍ୱରଙ୍କ ଶ୍ରଦ୍ଧାଳୁମାନେ ପରସ୍ପର ସହ ଯୋଡ଼ି ହୋଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ସେ ବିଶ୍ୱବାସୀଙ୍କ ପାଇଁ ମହାପ୍ରଭୁ ବସବେଶ୍ୱରଙ୍କ ଠାରେ ତାଙ୍କର ଆଶୀର୍ବାଦ କାମନା କରିଛନ୍ତି । ବୈଶ୍ୱିକ ମହାମାରୀ କରୋନା ଦ୍ୱାରା ସମଗ୍ର ବିଶ୍ୱ ଏବେ ଆକ୍ରାନ୍ତ ହୋଇଥିବାରୁ ସେଥିରୁ ଉଦ୍ଧାର ପାଇବା ନିମନ୍ତେ ବସବେଶ୍ୱର ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମସ୍ତଙ୍କୁ ସ୍ମରଣ କରାଇଦେଇଛନ୍ତି ଯେ ପୂର୍ବରୁ ଅନେକ ଘଟଣାରେ ସେ ମହାପ୍ରଭୁ ବସବେଶ୍ୱରଙ୍କ ବଚନ ଓ ଦିବ୍ୟବାଣୀରୁ ବହୁତ କଥା ଶିକ୍ଷା କରିବାର ସୁଯୋଗ ଲାଭ କରିଛନ୍ତି । ତାହା ତାଙ୍କ ବଚନକୁ 23ଟି ଭାଷାରେ ଅନୁବାଦ କାର୍ଯ୍ୟ ବେଳେ ହୋଇଥାଉ ଅଥବା ଲଣ୍ଡନରେ ବସବେଶ୍ୱରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ହୋଇଥାଉ ।

ମହାପ୍ରଭୁ ବସବେଶ୍ୱରଙ୍କୁ ଜଣେ ମହାନ ସମାଜ ସଂସ୍କାରକ ତଥା ପ୍ରଶାସକ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ବ୍ୟକ୍ତି କିମ୍ବା ସମାଜରେ ସେ ଦେଉଥିବା ଉପଦେଶ ପ୍ରତିଫଳିତ ହେଉ ବୋଲି ସେ ପରାମର୍ଶ ଦେଉନଥିଲେ । ବରଂ ନିଜ ଜୀବନର କର୍ମ ଓ ଆଦର୍ଶ ସହ ସେମାନଙ୍କୁ ସାମିଲ କରିବା ନିମନ୍ତେ ପ୍ରୟାସ କରୁଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ବସବେଶ୍ୱରଙ୍କ ଅମରବାଣୀ ଓ ଶିକ୍ଷା ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧିର ଏକ ଚିରନ୍ତର ଉତ୍ସ । ତାହା ଆମମାନଙ୍କ ବାସ୍ତବ ଜୀବନରେ ସମସ୍ତଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ ମତ ପୋଷଣ କରିଛନ୍ତି । ମଣିଷ କିଭଳି ନିଜର ଚିନ୍ତନ ଓ କାର୍ଯ୍ୟ ବଳରେ ଜଣେ ମହାମାନବରେ ପରିଣତ ହୋଇପାରିବ ଏବଂ ସମାଜକୁ ସରଳ, ସହନଶୀଳ, ଦୟା ଓ ମାନବୀୟ କରୁଣାରେ ପରିପୂର୍ଣ୍ଣ କରିପାରିବ ତାହା ତାଙ୍କ ବାଣୀରୁ ଶିକ୍ଷା ମିଳିଥାଏ । ତେଣୁ ଆମର ସମାଜର ବିଭିନ୍ନ ସାମାଜିକ ସମସ୍ୟା ତଥା ଲିଙ୍ଗଗତ ସମାନତା ରକ୍ଷା ଦିଗରେ ତାଙ୍କର ବାଣୀ ଶତାବ୍ଦୀ ଶତାବ୍ଦୀ ଧରି ଆମମାନଙ୍କୁ ପଥ ପ୍ରଦର୍ଶନ କରିଆସିଛି ।

ପ୍ରଧାନମନ୍ତ୍ରୀ କହିଲେଯେ ପ୍ରଭୁ ବସବେଶ୍ୱର ଗଣତନ୍ତ୍ରର ମୂଳଦୁଆ ସ୍ଥାପନ କରିଥିଲେ ଯେଉଁଥିରେ ବ୍ୟକ୍ତି ସ୍ୱାଧୀନତାକୁ ସର୍ବାଧିକ ଗୁରୁତ୍ୱ ଓ ଏହାର ସୁରକ୍ଷା ପାଇଁ ପ୍ରେରଣା ମିଳୁଥିଲା । ସେହିଭଳି ସମାଜର ଶେଷତମ ବ୍ୟକ୍ତି ଯେଭଳି ସମସ୍ତ ସୁବିଧାସୁଯୋଗ ପାଇପାରିବ ସେଥିପାଇଁ ସେ ପରାମର୍ଶ ଦେଉଥିଲେ । ମାନବ ଜୀବନର ପ୍ରତ୍ୟେକ ସ୍ତରକୁ ପ୍ରଭୁ ବସବାନ୍ନା ଛୁଇଁଥିଲେ ଏବଂ ତାହାର ଉନ୍ନତି ପାଇଁ  ସେ ନାନା ପ୍ରକାର ସମାଧାନ ପନ୍ଥା ପ୍ରଦର୍ଶନ କରିଥିଲେ ବୋଲି ପ୍ରଧାନମନତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ବସବାନ୍ନାଙ୍କ ବଚନର ବ୍ୟାବପ ଡିଜିଟାଇଜେସନ ହେବା ସୁଖର କଥା । 2017 ମସିହାରେ ଏଥିପାଇଁ ପ୍ରଧାନମନ୍ତ୍ରୀ ସ୍ୱୟଂ ପ୍ରସ୍ତାବ ଦେଇଥିଲେ ।

ବସବ ସମିତି ପକ୍ଷରୁ ଆଜିର ଏହି ଉତ୍ସବ ଆୟୋଜନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସାରା ବିଶ୍ୱରେ ଏହି ଡ଼ିଜିଟାଇଜେସନ ପହଞ୍ଚିପାରିଛି । ଏହା ଡ଼ିଜିଟାଇଜେସନ ମାଧ୍ୟମରେ ଉତ୍ସବ ଅନୁଷ୍ଠାନ ଆଦିର ଆୟୋଜନ କରିବାର ଏକ ପ୍ରକୃଷ୍ଟ ଉଦାହରଣ ଯାହାକି ଲକଡାଉନ ସମୟରେ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶିକା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଭାରତୀୟମାନେ ସେମାନଙ୍କ ଭିତରେ ଘଟିଥିବା ପରିବର୍ତ୍ତନକୁ ଅନୁଭବ କରି ପାରୁଛନ୍ତି । ସେମାନଙ୍କର ଏହି ବିଶ୍ୱାସ ହିଁ ଏଭଳି ବିପଦର ଘଡ଼ିରେ ଦେଶକୁ ସେଥିରୁ ମୁକୁଳିବା ସକାଶେ ପଥ ପ୍ରଦର୍ଶନ କରୁଛି ।ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇ କହିଛନ୍ତି ଯେ ଆଶା ଓ ଆସ୍ଥାର ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲାଗି ଏହାକୁ ଆହୁରି ଆଗକୁ ନେବା ଦରକାର । ତାହାଦ୍ୱାରା ଲୋକମାନଙ୍କ ମନୋବଳ ବୃଦ୍ଧି ପାଇବ । ଏହା ଆମମାନଙ୍କୁ ସମସ୍ତଙ୍କୁ ଅଧିକ କଠିନ କାର୍ଯ୍ୟ ସଂପାଦନ ଲାଗି ପ୍ରେରଣା ଯୋଗାଇବ ଏବଂ ଦେଶକୁ ଏକ ନୂଆ ଶୀର୍ଷରେ ପହଞ୍ଚାଇବ । ତେଣୁ ମହାପ୍ରଭୁ ବସବାନ୍ନାଙ୍କ କାର୍ଯ୍ୟ ଓ ଆଦର୍ଶକୁ ସାରା ବିଶ୍ୱରେ ସୁପରିଚିତ କରାଇବା ଲାଗି ସେ ଆହ୍ୱାନ ଜଣାଇଛନ୍ତି । ଏହାଦ୍ୱାରା ବିଶ୍ୱ ମାନବ ସମାଜ ସକାଶେ ଏକ ସୁନ୍ଦର ସ୍ଥାନ ହୋଇପାରିବ  ।

ବସବ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭକାବନା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇ ଗଜ ଦୂରତାରକ୍ଷା ନିୟମକୁ ସାମାଜିକ ଦୂରତା ରକ୍ଷାର ମହାମନ୍ତ୍ର ଭାବେ ସମସ୍ତ ଦେଶବାସୀ ପାଳନ କରିବା ଉଚିତ ।



(Release ID: 1618583) Visitor Counter : 98