ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
ଯଥା ଶୀଘ୍ର ଏମଏସପି ହାରରେ ଲଘୁ ଜଙ୍ଗଲଜାତ ଉତ୍ପାଦ ସଂଗ୍ରହ ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ର
Posted On:
08 APR 2020 4:51PM by PIB Bhubaneshwar
ଯଥା ଶୀଘ୍ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ହାରରେ ଲଘୁ ଜଙ୍ଗଲଜାତ ଉତ୍ପାଦ (ଏମଏଫପି) ସଂଗ୍ରହ ସକାଶେ 15ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ପତ୍ର ଲେଖିଛନ୍ତି । ଏଥିପାଇଁ ରାଜ୍ୟ ନୋଡ଼ାଲ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେବାଲାଗି ଶ୍ରୀ ମୁଣ୍ଡା ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖିଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ, ଆନ୍ଧ୍ର ପ୍ରଦେଶ, କେରଳ, ମଣିପୁର, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ସାମିଲ ଅଛନ୍ତି ।
ଏହି ପତ୍ରରେ ମନ୍ତ୍ରୀ ଶ୍ରୀ ମୁଣ୍ଡା ଦର୍ଶାଇଛନ୍ତି ଯେ, କୋଭିଡ଼-19 ମହାମାରୀ ଯୋଗୁ ଏବେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଯାହାକି ସମଗ୍ର ଦେଶକୁ ଆକ୍ରାନ୍ତ କରିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ମହାମାରୀ ଦ୍ୱାରା ଊଣା ଅଧିକେ ପ୍ରଭାବିତ ହୋଇଛନ୍ତି । ଏଭଳି ସ୍ଥିତିରେ ଦେଶର ଗରିବ ଏବଂ ଅବହେଳିତ ବର୍ଗର ଲୋକମାନେ ଏବଂ ବିଶେଷ କରି ଜନଜାତି ବର୍ଗର ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଯେହେତୁ ଏହା ଲଘୁ ବନଜାତ ଦ୍ରବ୍ୟ (ଏମଏଫପି)/ଅଣ କାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ (ଏନଟିଏଫପି) ସଂଗ୍ରହର ଶୀର୍ଷ ଋତୁ ସେହି ଦୃଷ୍ଟିରୁ ଅନେକ କ୍ଷେତ୍ରରେ ଏଭଳି ଆଦିବାସୀ ଲୋକମାନଙ୍କଠାରୁ ସେସବୁ ଦ୍ରବ୍ୟ ସଂଗ୍ରହ ସକାଶେ ସରକାର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏହାଦ୍ୱାରା ସେସବୁ ସଂଗ୍ରହକାରୀମାନଙ୍କ କଲ୍ୟାଣ ହେବା ସହିତ ଦେଶର ଅର୍ଥନୀତିକୁ ମଧ୍ୟ ଏହା ସହାୟକ ହେବ । ଜନଜାତି ବର୍ଗର ଏଭଳି ସଂଗ୍ରହକାରୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ/ଏନଟିଏଫପି ଆଧାରାରେ ସେସବୁ ଦ୍ରବ୍ୟ ସଂଗ୍ରହ ସହ ସେମାନଙ୍କ ନିରାପତ୍ତା ତଥା ଜୀବନଜୀବିକାକୁ ସୁରକ୍ଷିତ ରଖିବା ଦିଗରେ ରାଜ୍ୟର ନୋଡ଼ାଲ ଏଜେନ୍ସିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।
ମନ୍ତ୍ରୀ ଶ୍ରୀ ମୁଣ୍ଡା ଆହୁରି ଦର୍ଶାଇଛନ୍ତି ଯେ, ଏଭଳି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କ୍ଷେତ୍ରରେ ଦଲାଲମାନଙ୍କୁ ସଂପୂର୍ଣ୍ଣ ରୂପେ ହଟାଯିବା ଜରୁରି । ସହରାଞ୍ଚଳରୁ ଏହିସବୁ ଦଲାଲମାନେ ଆଦିବାସୀ ଅଞ୍ଚଳକୁ ଯାଇ ସେମାନଙ୍କ ଠାରୁ କମ୍ ଦରରେ ସେସବୁ ଦ୍ରବ୍ୟ କ୍ରୟ କରିଥାନ୍ତି । ସେମାନଙ୍କର ଆଦିବାସୀ ଅଞ୍ଚଳକୁ ଯାତାୟାତ ଆଦିବାସୀ ଲୋକମାନଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କାକୁ ବଢ଼ାଇବ । ଏଭଳି ସଂଗ୍ରହ ଯୋଜନା ପାଇଁ ରାଜ୍ୟମାନଙ୍କ ନିକଟରେ ପାଣ୍ଠି ମହଜୁଦ ରହିଛି ଏବଂ ଆବଶ୍ୟକ ହେଲେ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଏଥିପାଇଁ ଅତିରିକ୍ତ ପାଣ୍ଠି ଯୋଗାଇ ଦେବ । ସେହିସବୁ ରାଜ୍ୟମାନଙ୍କର ଜିଲ୍ଲା ସ୍ତରୀୟ ନୋଡ଼ାଲ ଅଧିକାରୀମାନେ ଯେଉଁମାନେ କି ଏଭଳି କାର୍ଯ୍ୟର ପରିଚାଳନା କରିଥାନ୍ତି ସେମାନଙ୍କ ସଂପର୍କରେ ସବିଶେଷ ବିବରଣୀ ମନ୍ତ୍ରଣାଳୟକୁ ଅବଗତ କରାଇବାକୁ ଏହି ପତ୍ରରେ କୁହାଯାଇଛି । ଅନ୍ୟ କୌଣସି ପ୍ରକାର ସହଯୋଗ ପାଇଁ ଭାରତୀୟ ଜନଜାତି ସମବାୟ ମାର୍କେଟିଂ ଫେଡ଼େରେସନ୍ (ଟ୍ରାଇଫେଡ଼)ର ପରିଚାଳନା ନିର୍ଦ୍ଦେଶକଙ୍କ ସହ ସେମାନେ ଯୋଗାଯୋଗ କରିପାରିବେ ।
ମନ୍ତ୍ରୀ ଶ୍ରୀ ମୁଣ୍ଡା ଦର୍ଶାଇଛନ୍ତି ଯେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଦିବାସୀ ବର୍ଗର ଲୋକମାନଙ୍କ ମଧ୍ୟରେ ବନ ଧନ ସ୍ୱୟଂ ସୟାହକ ଗୋଷ୍ଠୀଙ୍କ ମାଧ୍ୟମରେ ସାମାଜିକ ଦୂରତ୍ୱ ରକ୍ଷା ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ ।
ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା (ପିଏମଭିଡ଼ିୱାଇ) ପ୍ରବର୍ତ୍ତନ ଦ୍ୱାରା ଆଦିବାସୀ ବର୍ଗର ଲୋକମାନଙ୍କ ପାଇଁ ପୋଷଣୀୟ ଜୀବନଜୀବିକା ସୁନିଶ୍ଚିତ କରାଯିବା ସହ ଆଦିବାସୀ ଉଦ୍ୟୋଗୀମାନେ ଏଥିରୁ ବିଶେଷ ଭାବେ ଉପକୃତ ହୋଇପାରିଛନ୍ତି ଏବଂ ତାହା ରାଜ୍ୟମାନଙ୍କରେ ବିଶେଷ ଭାବେ ଆଦୃତ ହୋଇଛି । ଏବେସୁଦ୍ଧା ଦେଶର 27ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ କ୍ଷେତ୍ରରେ ମୋଟ 1205ଟି ବନ ଧନ ବିକାଶ କେନ୍ଦ୍ର (ଭିଡ଼ିଭିକେ) ସ୍ଥାପନ ପାଇଁ ମଂଜୁରି ମିଳିଛି ଏବଂ ଏଥିସହ 3.60 ଲକ୍ଷ ଲଘୁ ବନଜାତ ସାମଗ୍ରୀ ସଂଗ୍ରହକାରୀଙ୍କୁ ଯୋଡ଼ାଯାଇପାରିଛି ଯାହାକି ସେମାନଙ୍କୁ ଉଦ୍ୟୋଗୀ ହେବା ଦିଗରେ ସହାୟକ ହୋଇଛି ।
**********
(Release ID: 1612374)
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada