ପୋଷ୍ଟ କରାଯିବା ଦିନାଙ୍କ:
29 NOV 2026 12:10PM by PIB Bhubaneswar
• ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଦୃଷ୍ଟିକୋଣ ଏବେ ସାକାର ରୂପ ନେଇଛି: କ୍ରୀଡ଼ା ମନ୍ତ୍ରୀ
• ଭାରତର ଅଲିମ୍ପିକ୍ସ ସ୍ୱପ୍ନକୁ ସାକାର କରିବା ଲାଗି ପୁଣେରେ ସାଇକେଲ୍ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ
• ଦେଶର ପ୍ରତ୍ୟେକ ଜିଲ୍ଲାରେ ମାଇ ଭାରତ ସହଯୋଗରେ ସଣ୍ଡେଜ୍ ଅନ୍ ସାଇକେଲ ଆୟୋଜନ
• ଭାରତରେ ଅଲିମ୍ପିକ୍ସର ବାର୍ତ୍ତା ପ୍ରସାର କରିବା ଲାଗି ୧୦୦ଟି ପ୍ରତିଷ୍ଠିତ ସ୍ଥାନରେ ସାଇକେଲ୍ ଚଳାଇଲେ ୧୦୦ ଅଲିମ୍ପିୟାନ୍
କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ରବିବାର ପୁଣେରେ ଐତିହାସିକ ୧୦୦ତମ "ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍" କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଭାରତର ପ୍ରଥମ ଅଲିମ୍ପିକ୍ ଚଳଚ୍ଚିତ୍ରର ଉନ୍ମୋଚନ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ କିମ୍ବଦନ୍ତୀ କ୍ରୀଡାବିତ ମୀରାବାଇ ଚାନୁ, ଶୀତଲ ଦେବୀ ଏବଂ ସ୍ମୃତି ମନ୍ଧାନା ଅଭିନୟ କରିଛନ୍ତି ।

ଏହି ଚଳଚ୍ଚିତ୍ରଟି ଇଣ୍ଡିଆ ରେଡି ଫର୍ ଅଲିମ୍ପିକ୍ସ (#IndiaReady4Olympics) ବାର୍ତ୍ତା ଅନ୍ତର୍ଗତ ଭାରତର ଅଲିମ୍ପିକ୍ ଅଭିଯାନର ଶୁଭାରମ୍ଭକୁ ଦର୍ଶାଇଥାଏ । ଏହା ଦେଶର କ୍ରୀଡା କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଏବଂ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବା ପାଇଁ ଭାରତର ମହତ୍ତ୍ୱାକାଂକ୍ଷାକୁ ପ୍ରଦର୍ଶିତ କରେ ।
ଏହି ଅବସରରେ ଡକ୍ଟର ମାଣ୍ଡଭୀୟ କହିଥିଲେ, "ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲର ୧୦୦ତମ ସଂସ୍କରଣରେ ୫୦ ହଜାରରୁ ଅଧିକ ସାଇକେଲ ଚାଳକ ପୁଣେର ରାସ୍ତା ଦେଇ ସାଇକେଲ ଚଲାଇଥିଲେ। ଏହି କାର୍ଯ୍ୟକ୍ରମ ଦେଶର ୪୦ ହଜାର ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ ଏକ ସୁସ୍ଥ ଏବଂ ଫିଟ୍ ରାଷ୍ଟ୍ର ଅତ୍ୟାବଶ୍ୟକ ହୋଇଥିବାରୁ ଭାରତୀୟ ଯୁବପିଢ଼ି ଫିଟନେସକୁ ଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ରେକର୍ଡ ୫୬ ହଜାର ପଞ୍ଜୀକରଣ ହୋଇଥିଲା, ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ଦୃଷ୍ଟିକୋଣକୁ ସାକାର କରିଛି ।

ଡକ୍ଟର ମାଣ୍ଡଭିଆ କହିଛନ୍ତି, "୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିବା ପାଇଁ ଭାରତର ଦାବି ପ୍ରତି ୧୦୦ତମ ରବିବାର ସାଇକେଲ ଚାଳନାକୁ ଉତ୍ସର୍ଗ କରାଯାଇଛି। ଆଜି, ଆମେ କେବଳ ସାଇକେଲ ଚଲାଉ ନାହୁଁ, ବରଂ ଛତ୍ରପତି ଶିବାଜୀ ମହାରାଜଙ୍କ ପବିତ୍ର ଭୂମିରୁ ସମଗ୍ର ଦେଶକୁ ଫିଟନେସର ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରସାର କରୁଛୁ। ସାଇକେଲର ପ୍ରତ୍ୟେକ ପେଡାଲ୍ ଆମକୁ ଏକ ବିକଶିତ ଭାରତର ଲକ୍ଷ୍ୟ ନିକଟକୁ ନେଇଯାଏ।
ଏହି ଅବସରରେ, 'ରିଭର୍ ସାଇକ୍ଲୋଥନ୍ ୨୦୨୬: ଜଳ ସଂରକ୍ଷଣ ଏବଂ ନଦୀ ସ୍ୱଚ୍ଛତା' ବିଷୟବସ୍ତୁ ଉପରେ ପୁଣେରେ ୨୫ କିଲୋମିଟର ଏବଂ ୫ କିଲୋମିଟର ସାଇକେଲ ରାଲି ଆୟୋଜନ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଜଳ ସଂରକ୍ଷଣ, ନଦୀକୁ ସଫା କରିବା ଏବଂ ନିଶାମୁକ୍ତ ଭାରତ ଗଠନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକ ଦେଶର ୧୦୦ଟି ପ୍ରତିଷ୍ଠିତ ସ୍ଥାନରେ ଏବଂ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା। ୬୦୦ରୁ ଅଧିକ ଜିଲ୍ଲାରେ ଅନୁଷ୍ଠିତ ସାଇକେଲ ଶୋଭାଯାତ୍ରାରେ ଦେଢ଼ ଲକ୍ଷରୁ ଅଧିକ ମାଇ ଭାରତ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡଭୀୟ ଏହି କାର୍ଯ୍ୟକ୍ରମରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ। ଫିଟନେସକୁ ପ୍ରୋତ୍ସାହିତ କରିବା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
‘ପ୍ରଦୂଷଣର ନିରାକରଣ’ ବାର୍ତ୍ତା ସହିତ ୧୭ ଡିସେମ୍ବର ୨୦୨୪ରେ ଆରମ୍ଭ ହୋଇଥିବା "ସଣ୍ଡେଜ୍ ଅନ୍ ସାଇକେଲ୍ ଶୋଭାଯାତ୍ରା ଏବେ ଏକ ଦେଶବ୍ୟାପୀ ଫିଟନେସ୍ ଆନ୍ଦୋଳନରେ ପରିଣତ ହୋଇଛି। ଏହାର ୧୦୦ଟି କାର୍ଯ୍ୟକ୍ରମରେ ୪୦ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରୟାସ ଏବେ ୭,୫୦୦ ରୁ ଅଧିକ "ଫିଟ୍ ଇଣ୍ଡିଆ ନମୋ ସାଇକେଲିଂ କ୍ଲବ୍" ପ୍ରତିଷ୍ଠା କରିଛି । ପ୍ରତି ସପ୍ତାହରେ ପ୍ରାୟ ୧୦,୦୦୦ ସ୍ଥାନରେ ବିଭିନ୍ନ କାର୍ଯ୍ୟକଳାପ ଆୟୋଜନ କରାଯାଉଛି।
*******
PS