୧୧ ବର୍ଷର ଛୋଟ ଝିଅଟିଏ । ବାଘ ନାଚ କଳାକାର ହେବା ପାଇଁ ଆଶା ପୋଷଣ କରୁଛି । କିନ୍ତୁ ପୁରୁଷ ପ୍ରଧାନ ବାଘ ନାଚ ପରମ୍ପରାରେ ତା’ର ସ୍ୱପ୍ନ ପୂରଣ ହୋଇପାରୁନାହିଁ । ହେଲେ ଦୃଢ଼ମନା ଝିଅଟି ହାର୍ ନମାନି ନିଜର ହକ୍ ଜାହିର୍ କରୁଛି । ସଂଘର୍ଷ କରୁଛି । ଏଭଳି ଏକ ଝିଅର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ ।
ଓଡ଼ିଶାର ଏକ ଉପାନ୍ତ ଗାଁରେ ରହୁଥିବା ୧୧ ବର୍ଷର ଛୋଟ ଝିଅ ମିନିର ସଂଘର୍ଷ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ବାଘୁଣୀ’ ଆଜି ଗୋଆରେ ଚାଲିଥିବା ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଇଫି)ରେ ପ୍ରଦର୍ଶିତ ହୋଇଛି । ମହୋତ୍ସବର ଗାଲା ପ୍ରିମିୟର ବିଭାଗରେ ‘ବାଘୁଣୀ’ର ଭବ୍ୟ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ଚଳଚ୍ଚିତ୍ରରେ ରହିଛି ଦୃଢ଼ମନା ଝିଅ ମିନିର କାହାଣୀ । ବାଘ ନାଚ ଦୀର୍ଘ ସମୟ ଧରି ପୁରୁଷ ପ୍ରଧାନ ପ୍ରଥା ଭାବେ ରହିଆସିଛି । ମିନି ଏହି ସାଂସ୍କୃତିକ ପରମ୍ପରାକୁ ନିଜ ସର୍ତ୍ତରେ ଆପଣାଇବାକୁ ଚାହୁଁଛି । କାରଣ ତା’ ପାଇଁ ଏହା କେବଳ ଗୋଟିଏ ନୃତ୍ୟ ନୁହେଁ, ବରଂ ସ୍ୱପ୍ନ ଦେଖିବା, ପୁରୁଣା ପ୍ରଥା ଓ ପରମ୍ପରା ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ନିଜର ରୁଚି ପୂରଣ କରିବାର ସ୍ୱାଧୀନତା ହାସଲ କରିବା ଉପରେ ଆଧାରିତ ।


ସତ୍ୟ ଘଟଣା ଉପରେ ଆଧାରିତ ‘ବାଘୁଣୀ’ (ଡାନ୍ସ ଲାଇକ୍ ଏ ଟାଇଗର୍)ର ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ବିଜୟୀ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର। ଚଳଚ୍ଚିତ୍ରରେ ଏମିତି ଜଣେ ଛୋଟ ଝିଅର କାହାଣୀ ବର୍ଣ୍ଣିତ ହୋଇଛି ଯିଏ ସମାଜରେ ଗଭୀର ଭାବେ ରହିଥିବା ଲିଙ୍ଗଗତ ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ କରିବା ଲାଗି ଦୃଢ଼ ସଂକଳ୍ପ ନେଇଛି । ଓଡ଼ିଶାର ଜୀବନ୍ତ ଲୋକ ପରମ୍ପରା ପୃଷ୍ଠଭୂମି ଉପରେ ନିର୍ମିତ ଏହି ଚଳଚ୍ଚିତ୍ର ଲିଙ୍ଗଗତ ବାଛବିଚାର, ସାମାଜିକ ହୀନମନ୍ୟତା, ସାଂସ୍କୃତିକ ପରିଚୟ ଏବଂ ଚିରାଚରିତ ନୀତିନିୟମ ଉପରେ ପ୍ରଶ୍ନ ଉଠାଇବାର ସାହସକୁ ଦର୍ଶାଇଥାଏ ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର 'ବାଘୁଣୀ'କୁ ଏକ ଗଭୀର ବ୍ୟକ୍ତିଗତ ଉପଲବ୍ଧି ଭାବରେ ବର୍ଣ୍ଣନା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି ଧରି ଚଳଚ୍ଚିତ୍ର ଶିଳ୍ପରେ ରହିବା ପରେ ଏହି ଚଳଚ୍ଚିତ୍ର ଜରିଆରେ ସେ ପ୍ରଥମ ଥର ନିର୍ଦ୍ଦେଶନା ଦୁନିଆରେ ପାଦ ଥାପିଛନ୍ତି । ଇଫି, ଏନଏଫଡିସି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି, ବାଘ ନାଚର ସାଂସ୍କୃତିକ ପୃଷ୍ଠଭୂମି ସହିତ କାହାଣୀରେ ଲିଙ୍ଗଗତ ସମାନତା, ସାହସ ଏବଂ ମାନବିକ ଭାବନା ପ୍ରଦର୍ଶିତ ହୋଇଛି । ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ, ସେମାନେ ଆଶାଠାରୁ ଅଧିକ ସଫଳତା ହାସଲ କରିପାରିବେ। ବ୍ରହ୍ମପୁରରେ ବ୍ୟାପକ ଗବେଷଣା ପରେ ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଅଡିସନ ନେବା ପରେ ସେ ଏହି ଚଳଚ୍ଚିତ୍ର ପାଇଁ ସ୍ଥାନୀୟ ଛୋଟ ପିଲାଙ୍କୁ କଳାକାର ଭାବେ ଚୟନ କରିଛନ୍ତି । ଏଥିରେ ସୁନାମଧନ୍ୟ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ସବ୍ୟସାଚୀ ମିଶ୍ର 'ବାଘୁଣୀ'କୁ ଏକ ଚିତ୍ତାକର୍ଷକ କାହାଣୀ ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ନୂତନ ଓ ସତେଜ ପ୍ରସ୍ତୁତି ରୂପେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ପାରମ୍ପରିକ 'ବାଘ ନାଚ' ଏବଂ 'ବାଘୁଣୀ' ମଧ୍ୟରେ ଥିବା ପାର୍ଥକ୍ୟ ଏହି ଚଳଚ୍ଚିତ୍ରର କାହାଣୀରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି, ଯାହା କାହାଣୀକୁ ଅଧିକ ଗଭୀର ଓ କୌତୁହଳପୂର୍ଣ୍ଣ କରିଛି ।
ଏଥିରେ ଜଣେ ପାରମ୍ପରିକ ବାଘ ନାଚ କଳାକାର ଭାବରେ ଅଭିନୟ କରିବାକୁ ନେଇ ନିଜର ଅଭିଜ୍ଞତା ସମ୍ପର୍କରେ ସବ୍ୟସାଚୀ କହିଛନ୍ତି, ଏହି ଚଳଚ୍ଚିତ୍ର ପାଇଁ ସେ ୩୦ କିଲୋଗ୍ରାମ ଓଜନ କମାଇଛନ୍ତି । ଭୂମିକାକୁ ଅଧିକ ଜୀବନ୍ତ କରିବା ଲାଗି ସେ କଠିନ ଶାରୀରିକ ପରିଶ୍ରମ ଏବଂ ଆଧ୍ୟାତ୍ମିକ ପ୍ରସ୍ତୁତି କରିଛନ୍ତି । ସବ୍ୟସାଚୀ ଏହି ଲୋକକଳା ସହ ଜଡିତ ରୀତିନୀତି ଏବଂ ଘଣ୍ଟା ଘଣ୍ଟା ଲାଗୁଥିବା ଜଟିଳ ଶରୀର ଚିତ୍ରକଳା ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ, କଳାକାରଙ୍କୁ ଦେବୀ ମା’ ଭଗବତୀ ବୁଢ଼ୀ ଠାକୁରାଣୀଙ୍କ ପ୍ରତିମୂର୍ତ୍ତି ଭାବରେ ପୂଜା କରାଯାଏ। ଚଳଚ୍ଚିତ୍ରଟି ବିଶ୍ୱସ୍ତରରେ ଦର୍ଶକଙ୍କୁ ଆକୃଷ୍ଟ କରିବା ସହିତ ଓଡ଼ିଆ ସିନେମା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ । ଏହାର ବାର୍ତ୍ତା ବିଶ୍ୱବ୍ୟାପୀ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଥିଲେ।
ଚଳଚ୍ଚିତ୍ରର ପ୍ରଯୋଜକ ପାର୍ଥ ପଣ୍ଡା 'ବାଘୁଣୀ'କୁ ଏକ ଭବ୍ୟ ପ୍ରିମିୟର ମାଧ୍ୟମରେ ସମ୍ମାନିତ କରିବା ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଅନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ଇଫି, ଏନଏଫଡିସି ଏବଂ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।
ମିନିର ଯାତ୍ରାରେ ମାଧ୍ୟମରେ ‘ବାଘୁଣୀ’ ଚଳଚ୍ଚିତ୍ର ଏକ ଗଭୀର ସ୍ଥାନୀୟ ପରମ୍ପରା ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ, ପରିଚୟ ଏବଂ ସ୍ୱାଧୀନତାର ବାର୍ତ୍ତା ଦେଇଛି । ଏହା ବିଶ୍ୱସ୍ତରରେ ଲିଙ୍ଗଗତ ଭେଦଭାବ ବିରୋଧରେ ବିତର୍କକୁ ଇନ୍ଧନ ଯୋଗାଇବାର କାମ କରିଛି । ଏହା ମଧ୍ୟ ଇଫି ୨୦୨୬ର ବାର୍ତ୍ତା ‘ଷ୍ଟୋରୀଜ୍ ୱିଦାଉଟ୍ ବର୍ଡର୍ସ’ ବା ‘ସୀମାହୀନ କାହାଣୀ’ର ଅନୁରୂପ । ଚଳଚ୍ଚିତ୍ର କିଭଳି ଭାବେ ସ୍ଥାନୀୟ ସ୍ୱରକୁ ବିଶ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରିବ ଏବଂ ଦୁନିଆର ଗୋଟିଏ କୋଣର କାହାଣୀକୁ ଅନ୍ୟ କୋଣରେ ପହଞ୍ଚାଇପାରିବ ତାହା ‘ଇଫି’ ମଞ୍ଚ ମାଧ୍ୟମରେ ‘ବାଘୁଣୀ’ର ପ୍ରିମିୟରରୁ ପ୍ରମାଣିତ ହୋଇଛି ।
*******
PS/Swadhin