ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 17 NOV 2026 4:10PM by PIB Bhubaneswar

ମହାମହିମ, ରାଷ୍ଟ୍ରପତି ମାର୍କୋସ୍,

ମହୋଦୟ,

ଅନ୍ୟାନ୍ୟ ଅତିଥିବୃନ୍ଦ,

ନମସ୍କାର!

ପୂର୍ବ ଏସିଆ ଶିଖର ସମ୍ମିଳନୀର ଉତ୍କୃଷ୍ଟ ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ମାର୍କୋସ୍‌ଙ୍କୁ ହୃଦୟରୁ  ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

କୋଭିଡ୍ ମହାମାରୀ ପରଠାରୁ, ବିଶ୍ୱ କ୍ରମାଗତଭାବେ ଗୋଟିଏ ପରେ ଗୋଟିଏ ସଙ୍କଟର ସମ୍ମୁଖୀନ ହେଉଛି।  ବିଭିନ୍ନ ସଂଘର୍ଷ କାରଣରୁ ଖାଦ୍ୟ, ଇନ୍ଧନ ଏବଂ ସାର ଯୋଗାଣ ଉପରେ ଚାପ ବଢ଼ିବାରେ ଲାଗିଛି।

ଆନ୍ତର୍ଜାତୀୟ  ଜଳପଥରେ ଜାହାଜ ଏବଂ ନାବିକମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି।  ଆତଙ୍କବାଦର ଗମ୍ଭୀର ବିପଦ ସହିତ, ସାଇବର ଠକେଇ ଏବଂ ଅନଲାଇନ୍ ଜାଲିଆତି ଭଳି ନୂତନ ସୀମାପାର ଅପରାଧ ମଧ୍ୟ ବୃଦ୍ଧି ପାଉଛି।

ବନ୍ଧୁଗଣ,

ଆଜି ବିଶ୍ୱକୁ ସବୁଠାରୁ ଅଧିକ ଶାନ୍ତି, ସ୍ଥିରତା ଏବଂ ନିଶ୍ଚିତତାର ଆବଶ୍ୟକତା  ରହିଛି ।

ଦୀର୍ଘ କିଛି ବର୍ଷ ଧରି  ପୂର୍ବ ଏସିଆ ଶିଖର ସମ୍ମିଳନୀ ସାଧାରଣ ଆହ୍ୱାନ ଗୁଡ଼ିକର ସମାଧାନ ଖୋଜିବା ଏବଂ ପାରସ୍ପରିକ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଆସୁଛି।  ଆଲୋଚନା, ପାରସ୍ପରିକ ସମ୍ମାନ ଏବଂ ସହଯୋଗର ଏହି ଭାବନା ହିଁ ଭାରତର ବୈଦେଶିକ ନୀତିର ମୂଳଦୁଆ ଅଟେ।

ଆସିଆନ୍ ଏକତା ଏବଂ କେନ୍ଦ୍ରୀୟ ଭୂମିକା ଆମର 'ଆକ୍ଟ ଇଷ୍ଟ ପଲିସି'ର କେନ୍ଦ୍ରରେ ରହଛି।  ଆମେ ଏକ ମୁକ୍ତ, ଖୋଲା, ଅନ୍ତର୍ଭୁକ୍ତ ଏବଂ ନିୟମ-ଆଧାରିତ ଇଣ୍ଡୋ-ପାସିଫିକ୍ ପାଇଁ ପ୍ରତିବଦ୍ଧ।  ୟୁକ୍ରେନ୍ ହେଉ କିମ୍ବା ପଶ୍ଚିମ ଏସିଆ, ଆମେ ଶାନ୍ତି ଦିଗରେ କରାଯାଉଥିବା ପ୍ରତ୍ୟେକ ପ୍ରୟାସକୁ ସମର୍ଥନ ଜାରି ରଖିବୁ।

ବନ୍ଧୁଗଣ,

ଆମର ସମୁଦ୍ର ହେଉଛି ଆମର ସହଭାଗୀ ସମୃଦ୍ଧିର ଜୀବନରେଖା। ସେମାନଙ୍କର ସୁରକ୍ଷା ଏବଂ ନୌଚାଳନା ସ୍ୱାଧୀନତା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ।

ଏହି ଦିଗରେ, ଆମେ ଏକ ନାବିକ ସୁରକ୍ଷା ପଦକ୍ଷେପ ଆରମ୍ଭ କରୁଛୁ, ଯାହା ଅଧୀନରେ ଆମେ ମିଳିତ ତାଲିମ ଏବଂ ଜରୁରୀକାଳୀନ ପ୍ରତିକ୍ରିୟାରେ ସହଯୋଗ ବୃଦ୍ଧି କରିବୁ।

ବନ୍ଧୁଗଣ,

ଡିଜିଟାଲ ଦୁନିଆରେ ମଧ୍ୟ ବିଶ୍ୱାସ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ସମାନ ଭାବରେ ଜରୁରୀ।  ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ଏଆଇ  ପ୍ରଭାବ ସମ୍ମିଳନୀରେ, ଆମେ ମାନବ-କୈନ୍ଦ୍ରିକ, ଅନ୍ତର୍ଭୁକ୍ତ ଏବଂ ସୁରକ୍ଷିତ ଏଆଇ ବିକାଶ ଉପରେ ଗୁରୁତ୍ୱାରୋପ କରିଛୁ। ଆମେ ଡିପ୍ ଫେକ୍ ଏବଂ ଭୁଲ ସୂଚନାର ମୁକାବିଲା ପାଇଁ ଡିଜିଟାଲ ୱାଟରମାର୍କିଂ ଭଳି ପ୍ରଯୁକ୍ତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛୁ।

ଅନଲାଇନ୍ ଠକେଇର ମୁକାବିଲା ପାଇଁ ଆଜି ଜାରି ହୋଇଥିବା ମିଳିତ ବିବୃତ୍ତିକୁ ଆମେ ସ୍ୱାଗତ କରୁଛୁ।

ଏହି ବଢ଼ୁଥିବା ବିପଦକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ପାଇଁ, ଆମେ ଭାରତର ଜାତୀୟ ଫୋରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ସାଇବର ଅପରାଧ ସମ୍ମିଳନୀ ଆୟୋଜନ କରିବାର ପ୍ରସ୍ତାବ ଦେଉଛୁ।

ବନ୍ଧୁଗଣ,

ଆମ  ସମ୍ପର୍କର  ମୂଳଦୁଆ  ହେଉଛି ଏକ ସାଧାରଣ ଐତିହ୍ୟ, ଯାହା ହଜାର ହଜାର ବର୍ଷ ପୁରୁଣା।  ଭାରତର ଲୋଥାଲ୍‌ରେ ବିକଶିତ ହେଉଥିବା 'ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର'  ଖୁବ୍ ଶୀଘ୍ର ଏହି ସାଧାରଣ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ।  ଆମର ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ ​​କରିବା ପାଇଁ, ଆମେ ଲୋଥାଲ୍‌ରେ 'ପୂର୍ବ ଏସିଆ ଶିଖର ସମ୍ମିଳନୀ ସାମୁଦ୍ରିକ ଐତିହ୍ୟ ମହୋତ୍ସବ' ଆୟୋଜନ କରିବୁ।

ଆସନ୍ତା ବର୍ଷ, ଆମେ ନାଳନ୍ଦାରେ 'ପୂର୍ବ ଏସିଆ ଶିଖର ସମ୍ମିଳନୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ସମ୍ମିଳନୀ' ଆୟୋଜନ କରିବୁ, ଯାହାଦ୍ବାରା ଶିକ୍ଷା ଏବଂ ଗବେଷଣା  କ୍ଷେତ୍ରରେ ଆମର  ସହଯୋଗକୁ ଏକ ନୂତନ ଶକ୍ତି ମିଳିବ।

ବନ୍ଧୁଗଣ,

ଚଳିତ ବର୍ଷ, ଆମେ ଦକ୍ଷିଣ-ପୂର୍ବ ଏସିଆରେ 'ବନ୍ଧୁତ୍ୱ ଓ ସହଯୋଗ ଚୁକ୍ତି' ର ୫୦ ତମ ବାର୍ଷିକୀ ପାଳନ କରୁଛୁ।

ପଚାଶ ବର୍ଷ ପୂର୍ବେ, ଏହି ଅଞ୍ଚଳ ବିଶ୍ୱକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥିଲା – ଶାନ୍ତି, ସାର୍ବଭୌମତ୍ୱ ପ୍ରତି ସମ୍ମାନ ଏବଂ ଆଲୋଚନାର ବାର୍ତ୍ତା।  ଆଜି, ସେହି ବାର୍ତ୍ତା ଅଧିକ ପ୍ରାସଙ୍ଗିକ ହୋଇପାରିଛି।  ଆମର ସାଧାରଣ ଭବିଷ୍ୟତ ସଂଘର୍ଷ ଦ୍ୱାରା ନୁହେଁ, ବରଂ ପାରସ୍ପରିକ ସମ୍ମାନ ଏବଂ ସହଯୋଗ ଦ୍ୱାରା ଗଢ଼ି ଉଠିବ।

ଏହି ଦୃଷ୍ଟିକୋଣ ନେଇ, ଭାରତ ଆସିଆନ୍ ସହିତ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହେବ ଏବଂ ଆଞ୍ଚଳିକ ଶାନ୍ତି, ସ୍ଥିରତା ତଥା ସାଧାରଣ ସମୃଦ୍ଧି ପାଇଁ ପ୍ରତିବଦ୍ଧ ରହିବ।

ଆପଣମାନଙ୍କୁ ବହୁତ-ବହୁତ  ଧନ୍ୟବାଦ।

 

**********

 

NS


(ରିଲିଜ ଆଡି: 2339705) ପରିଦର୍ଶକ କାଉଣ୍ଟର : 7