ପୋଷ୍ଟ କରାଯିବା ଦିନାଙ୍କ:
17 NOV 2026 9:25PM by PIB Bhubaneswar
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ନୀତି ଆୟୋଗ ଦ୍ୱାରା ଆୟୋଜିତ ‘‘ଏକ ଲକ୍ଷ୍ୟ ରୂପେ ନେତୃତ୍ୱ’’ ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍ଯାପନୀ ଅଧିବେଶନରେ, କ୍ୟାବିନେଟ୍ ସଚିବ ଡ. ଟି.ଭି. ସୋମନାଥନ ‘ଆଇଜିଓଟି କର୍ମଯୋଗୀ’ ପ୍ଲାଟଫର୍ମରେ ‘କର୍ମଯୋଗୀ ସଂକଳ୍ପ’ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ମୁଖ୍ୟ ଭାବରେ କାର୍ଯ୍ୟ କରିବାର ୨୫ ବର୍ଷ ପୂର୍ତ୍ତି ଅବସରରେ ନୀତି ଆୟୋଗ ଦ୍ୱାରା ଆୟୋଜିତ ହେବାକୁ ଥିବା ପାଞ୍ଚଟି ଜାତୀୟ କର୍ମଶାଳା ମଧ୍ୟରୁ ଏହା ହେଉଛି ପ୍ରଥମ ।

‘କର୍ମଯୋଗୀ ସଂକଳ୍ପ’ ଅଧୀନରେ, ପ୍ରତ୍ୟେକ ସରକାରୀ ଅଧିକାରୀ ନିଜର ନେତୃତ୍ୱ ଶୈଳୀରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଆଣିବା ପାଇଁ ଏକ ସଂକଳ୍ପ ବା ପ୍ରତିଶ୍ରୁତି ପଞ୍ଜୀକରଣ କରିବେ। ଅଧିକାରୀମାନେ କେଉଁ କ୍ଷେତ୍ରରେ କାର୍ଯ୍ୟ କରିବେ, କେଉଁ ନେତୃତ୍ୱଗତ ଗୁଣାବଳୀ ବିକାଶ କରିବେ, ନାଗରିକମାନେ କ’ଣ ପରିବର୍ତ୍ତନ ଦେଖିବାକୁ ପାଇବେ ଏବଂ ଅଧିକାରୀ କେଉଁ ପଦକ୍ଷେପ ଗ୍ରହଣ କରିବେ, ସେ ସମ୍ପର୍କରେ ଏହି ସଂକଳ୍ପରେ ଉଲ୍ଲେଖ ରହିବ। ଭାରତ ମଣ୍ଡପମ୍ରେ ଉପସ୍ଥିତ ଥିବା ଅଂଶଗ୍ରହଣକାରୀ ଏବଂ ‘ଆଇଜିଓଟି କର୍ମଯୋଗୀ’ ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇଥିବା ଅଧିକାରୀମାନେ ଏହି ଶୁଭାରମ୍ଭ ସମୟରେ ନିଜର ସଂକଳ୍ପ ପଞ୍ଜୀକରଣ କରିଥିଲେ। ସରକାରୀ ଅଧିକାରୀମାନଙ୍କ ଦ୍ୱାରା ନିଆଯାଇଥିବା ଏହି ସଂକଳ୍ପଗୁଡ଼ିକର ଅନୁଧ୍ୟାନ ‘କର୍ମଯୋଗୀ ଭାରତ’ ଦ୍ୱାରା କରାଯିବ। ସଂକଳ୍ପକୁ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଆଗକୁ ନିଆଯିବ । ସୁଶାସନ ଦିବସ ବା ୨୫ ଡିସେମ୍ବର ୨୦୨୬ ସୁଦ୍ଧା ୨୫,୦୦୦ ପ୍ରତିଶ୍ରୁତି ଏହି ପ୍ଲାଟଫର୍ମରେ ରେକର୍ଡ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଉଦଘାଟନୀ ଅଭିଭାଷଣ ରଖିଥିଲେ । ଏହାପରେ "ବିକଶିତ ଭାରତ ପାଇଁ ନେତୃତ୍ୱ" ବିଷୟ ଉପରେ ଆୟୋଜିତ ଏକ ଆଲୋଚନା ଚକ୍ରକୁ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍. ସୁବ୍ରମଣ୍ୟମ୍ ପରିଚାଳନା କରିଥିଲେ। ଏହି ଆଲୋଚନାରେ ଉତ୍ତର ପ୍ରଦେଶ ସରକାରଙ୍କ ସହର ବିକାଶ ଓ ଶକ୍ତି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ କୁମାର ଶର୍ମା, ଆଇଆଇଏମ ଅହମଦାବାଦର ପ୍ରଫେସର ବିଶାଳ ଗୁପ୍ତା, ନାସକମର ପୂର୍ବତନ ସଭାପତି ତଥା ନୀତି ଆୟୋଗର ବିଶିଷ୍ଟ ଫେଲୋ ସୁଶ୍ରୀ ଦେବଜାନୀ ଘୋଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ୟାନେଲ୍ ସଦସ୍ୟମାନେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ନୀତି ଏବଂ 'ବିକସିତ ଭାରତ ୨୦୪୭'ର ଲକ୍ଷ୍ୟ ହାସଲ କରିବାରେ ସେଗୁଡ଼ିକର ପ୍ରାସଙ୍ଗିକତା ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ପ୍ରୟୋଗଶାଳା ବା ଆପ୍ଲିକେସନ୍ କ୍ଲିନିକ୍ରେ, ସରକାରୀ ଅଧିକାରୀମାନେ ବିଭିନ୍ନ ମାମଲା ଉପସ୍ଥାପନ କରିବା ସହିତ ଏହାର ଶିକ୍ଷାକୁ ଅଂଶଗ୍ରହଣକାରୀ ଅଧିକାରୀମାନଙ୍କ ଆଗରେ ଉପସ୍ଥାପନ କରିଥିଲେ । ଶେଷ ଅଧିବେଶନରେ, ନୀତି ଆୟୋଗର ସଦସ୍ୟ ଡକ୍ଟର ଆର. ବାଲାସୁବ୍ରମଣ୍ୟମ୍ ଦିନର କାର୍ଯ୍ୟର ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ। ବିଭିନ୍ନ ଗୋଷ୍ଠୀ ନିରାପଦ ପ୍ରସବ ପୂର୍ବ ସହାୟତା ସହିତ ଜଡିତ ଚ୍ୟାଲେଞ୍ଜ ପାଇଁ ସେମାନଙ୍କର ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଦୂରଦୂରାନ୍ତ ଆଦିବାସୀ ବସତିଗୁଡ଼ିକରେ ମାତୃ ଯତ୍ନକୁ ଟ୍ରାକ୍ କରିବା ଏବଂ ବଜାୟ ରଖିବା । ସେହିପରି ସାର୍ବଜନୀନ ସ୍ୱାସ୍ଥ୍ୟସେବାର ବିସ୍ତାର, ସରସ ମେଳା ମାଧ୍ୟମରେ ଏସଏଚଜିଗୁଡ଼ିକ ପାଇଁ କ୍ରେତା ଉପଲବ୍ଧ କରାଇବା, ବର୍ଜ୍ୟ ଜଳ ପରିଚାଳନା ଆଦି ବିଷୟ ଉପରେ ବିଭିନ୍ନ ଗୋଷ୍ଠୀ ନିଜର ପ୍ରସ୍ତାବ ଉପସ୍ଥାପନ କରିଥିଲେ ।
ଶେଷରେ କ୍ୟାବିନେଟ ସଚିବ ଡକ୍ଟର ଟି.ଭି. ସୋମନାଥନ କହିଥିଲେ ଯେ "ନେତୃତ୍ୱର ପାଠ୍ୟକ୍ରମକୁ ଶୈକ୍ଷିକ ପାଠ୍ୟକ୍ରମ ଏବଂ ଗବେଷଣା ମାଧ୍ୟମରେ ଅଧ୍ୟୟନ କରାଯାଇପାରିବ, କିନ୍ତୁ ସବୁଠାରୁ ସଫଳ ନେତାମାନଙ୍କୁ ପର୍ଯ୍ୟବେକ୍ଷଣ ଏବଂ ସେମାନଙ୍କ ସହିତ କାମ କରିବା ଦ୍ୱାରା ମୂଲ୍ୟବାନ ଶିକ୍ଷା ମିଳିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ନେତାମାନଙ୍କ ସହିତ କାମ କରିବାର ତାଙ୍କର ଅଭିଜ୍ଞତାକୁ ଆଧାର କରି, ସେ ପ୍ରମୁଖ ପ୍ରଶାସନିକ ନେତୃତ୍ୱ ଅଭ୍ୟାସଗୁଡ଼ିକୁ ଆଲୋକପାତ କରିଥିଲେ ଯାହାକୁ ସରକାରୀ କର୍ମଚାରୀମାନେ ଗ୍ରହଣ କରିପାରିବେ ବୋଲି ସେ କହିଥିଲେ । ଶେଷରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅନୁରାଗ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।
*****
PS