ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 17 NOV 2026 12:16PM by PIB Bhubaneswar

ମାନ୍ୟବର ରାଷ୍ଟ୍ରପତି ମାର୍କୋସ୍,

ମହାମହିମ,

ମାନ୍ୟବର ଅତିଥିବୃନ୍ଦ,

ନମସ୍କାର!

ଆସିଆନ୍ ପରିବାର ସହ ପୁଣିଥରେ ଯୋଡ଼ି ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଆସିଆନର ସଫଳ ଅଧ୍ୟକ୍ଷତା ଏବଂ ଭାରତର ଦେଶ ସଂଯୋଜକ ଭାବେ ବହୁମୂଲ୍ୟ ଅବଦାନ ପାଇଁ ମୁଁ ରାଷ୍ଟ୍ରପତି ମାର୍କୋସଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଦେଉଛି।

ଏହି ମଞ୍ଚରେ ଆସିଆନ୍ ନେତାମାନଙ୍କ ସହ ଏହା ମୋର ୧୩ତମ ଆଲୋଚନା। ଗତ କିଛି ବର୍ଷ ମଧ୍ୟରେ ଆମର ‘ଆକ୍ଟ ଇଷ୍ଟ’ ନୀତି ଭାରତ-ଆସିଆନ୍ ସମ୍ପର୍କକୁ ନୂଆ ଗତି ଓ ଗଭୀରତା ଦେଇଛି। ଆମର ଭାଗିଦାରୀ ଏବେ ଆମର ସାଧାରଣ ସଂସ୍କୃତି ଓ ଐତିହ୍ୟର ସୀମା ଅତିକ୍ରମ କରି ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ମହାକାଶ ଭଳି କ୍ଷେତ୍ରରେ ନୂଆ ଦିଗ ହାସଲ କରିଛି।

୨୦୧୪ ପରଠାରୁ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ପାଇଁ ଆମେ ୧୦୦ରୁ ଅଧିକ ପଦକ୍ଷେପ ନେଇଛୁ। ପ୍ରାୟ ୨୫୦ଟି ତ୍ୱରିତ ପ୍ରଭାବଶାଳୀ ପ୍ରକଳ୍ପ ଆରମ୍ଭ କରିବା ସହ ଦକ୍ଷତା ବିକାଶ ପାଇଁ ୧୦ ହଜାରରୁ ଅଧିକ ବୃତ୍ତି ପ୍ରଦାନ କରିଛୁ।

ଆଜି ଭାରତ ଏବଂ ଆସିଆନର ୯ଟି ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଏବଂ ବଢ଼ୁଥିବା ପର୍ଯ୍ୟଟନ ଆମର ଘନିଷ୍ଠ ସମ୍ପର୍କର ଆଉ ଏକ ପ୍ରମାଣ।

ବନ୍ଧୁଗଣ,

ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ଗୋଟିଏ ପରେ ଗୋଟିଏ ସଙ୍କଟର ସମ୍ମୁଖୀନ ହୋଇଛି। ଆଜି ବିଶ୍ୱକୁ ସବୁଠାରୁ ଅଧିକ ଆବଶ୍ୟକ ଶାନ୍ତି, ସ୍ଥିରତା ଓ ନିଶ୍ଚିତତା। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ‘“Navigating Our Future, Together,” (ଆମ ଭବିଷ୍ୟତକୁ ମିଳିମିଶି ଆଗକୁ ବଢ଼ାଇବା) ବିଶେଷ ଗୁରୁତ୍ୱ ବହନ କରୁଛି।

ଭାରତ ଓ ଆସିଆନ୍ ମିଳିତ ଭାବେ ବିଶ୍ୱର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ଆମର ଭବିଷ୍ୟତ ପ୍ରତିଯୋଗିତା ନୁହେଁ, ବରଂ ସହଯୋଗ ଉପରେ ଆଧାରିତ ହେବା ଜରୁରୀ। ଏହା ହାସଲ କରିବା ପାଇଁ ଆମ ପାଖରେ ଉଭୟ ଦକ୍ଷତା ଓ ସମାନ ସଂକଳ୍ପ ରହିଛି। ମିଳିତ ଭାବେ ଆମେ ଏହି ଅଞ୍ଚଳକୁ ଶାନ୍ତି ଓ ସ୍ଥିରତାର ପ୍ରତୀକ କରିପାରିବା।

ବନ୍ଧୁଗଣ,

ଚଳିତ ବର୍ଷ ଏହା ମୋର ତୃତୀୟ ଆସିଆନ୍ ଦେଶ ଗସ୍ତ। ଏହା ଭାରତ ପାଇଁ ଆସିଆନର ବିଶେଷ ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଆମେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ ଭାରତର ବିକାଶ ଓ ଆସିଆନର ସମୃଦ୍ଧି ପରସ୍ପର ସହ ଗଭୀର ଭାବେ ଜଡ଼ିତ।

ଆଗାମୀ ବର୍ଷଗୁଡ଼ିକରେ ଆସିଆନ୍ ସମୁଦାୟର ‘ଭିଜନ ୨୦୪୫’ ଏବଂ ‘ବିକଶିତ ଭାରତ ୨୦୪୭’ ଆମର ମିଳିତ ଆକାଂକ୍ଷାକୁ ବାସ୍ତବ ରୂପ ଦେବାରେ ସହାୟକ ହେବ।

ଗତ ୧୨ ବର୍ଷ ମଧ୍ୟରେ ଆମେ ଆମର ଭାଗିଦାରୀକୁ ନୂଆ ଗତି ଦେଇଛୁ। ଏବେ ମିଳିତ ଭାବେ ଆମ ଅଞ୍ଚଳର ଭବିଷ୍ୟତକୁ ଏକ ନୂଆ ଦିଗ ଦେବାକୁ ହେବ। ଏହି ଭାଗିଦାରୀରେ ଆସିଆନର ଏକତା ଓ କେନ୍ଦ୍ରୀୟ ଭୂମିକା ପ୍ରତି ଭାରତର ପ୍ରତିବଦ୍ଧତା ପୂର୍ବରୁ ଦୃଢ଼ ଥିଲା ଏବଂ ଆଗକୁ ମଧ୍ୟ ଅତୁଟ ରହିବ।

ଆଜିର ଏହି ବୈଠକ ଆମର ବ୍ୟାପକ ରଣନୈତିକ ଭାଗିଦାରୀକୁ ନୂଆ ଉଚ୍ଚତାକୁ ନେବା ସହ ଏକ ସୁରକ୍ଷିତ, ସମାବେଶୀ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନରେ ସହାୟକ ହେବ ବୋଲି ମୋର ବିଶ୍ୱାସ।

ଆପଣମାନଙ୍କ ମତାମତ ଓ ପରାମର୍ଶ ଶୁଣିବାକୁ ମୁଁ ଆଗ୍ରହୀ।

ଆପଣମାନଙ୍କୁ ଅନେକ ଧନ୍ୟବାଦ।

***

TKM


(ରିଲିଜ ଆଡି: 2337586) ପରିଦର୍ଶକ କାଉଣ୍ଟର : 10