ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ୍‌ ବିବୃତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 OCT 2026 2:38PM by PIB Bhubaneswar

ମାନ୍ୟବର ମହାମହିମ ପ୍ରଧାନମନ୍ତ୍ରୀ,

ଉଭୟ ଦେଶର ପ୍ରତିନିଧିବୃନ୍ଦ,

ଗଣମାଧ୍ୟମର ବନ୍ଧୁଗଣ,

 

ନମସ୍କାର!

 

ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ।

 

୨୦୨୪ରେ ମୋର ପୋଲାଣ୍ଡ ଗସ୍ତ ସମୟରେ ସେ ମୋତେ ଏବଂ ମୋର ପ୍ରତିନିଧିମଣ୍ଡଳୀକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେହି ଗସ୍ତ ସମୟରେ ଆମେ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଭାଗିତାର ସ୍ତରକୁ ଉନ୍ନୀତ କରିଥିଲୁ।

 

ଏହି ଦୃଢ଼ ଭିତ୍ତିଭୂମି ଉପରେ ଆଧାର କରି ଗତ ଦୁଇ ବର୍ଷ ମଧ୍ୟରେ ଆମର ସହଭାଗିତାରେ ନୂତନ ଗତି ଆସିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଆମର ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।

 

ବନ୍ଧୁଗଣ,

ଭାରତ ଓ ପୋଲାଣ୍ଡ ମଧ୍ୟରେ ବନ୍ଧୁତା କେବଳ କୂଟନୈତିକ ସମ୍ପର୍କରେ ସୀମିତ ନୁହେଁ, ବରଂ ମାନବିକତା ଓ କରୁଣାର ଆମର ସମାନ ଐତିହ୍ୟ ଉପରେ ଆଧାରିତ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାମନଗର ଓ କୋହ୍ଲାପୁରର ରାଜପରିବାର ହଜାର ହଜାର ପୋଲାଣ୍ଡ ଶିଶୁ ଓ ପରିବାରକୁ ଭାରତରେ ଆଶ୍ରୟ ଦେଇଥିଲେ। ଆଜି ମଧ୍ୟ ପୋଲାଣ୍ଡର ଲୋକମାନେ ଜାମ ସାହେବଙ୍କୁ ‘ଡୋବ୍ରି ମହାରାଜା’ ଅର୍ଥାତ୍ ‘ଉତ୍ତମ ମହାରାଜା’ ଭାବେ ଗଭୀର ସମ୍ମାନର ସହ ସ୍ମରଣ କରନ୍ତି।

 

୨୦୨୨ରେ ୟୁକ୍ରେନରୁ ଆମ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାରେ ସହଯୋଗ କରି ପୋଲାଣ୍ଡ ମାନବିକତାର ଏହି ମହାନ ପରମ୍ପରାକୁ ଆଗକୁ ବଢ଼ାଇଥିଲା। ମୁଁ ଖୁସି ଯେ, ଜାମ ସାହେବ ଯୁବ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ପୋଲାଣ୍ଡର ଯୁବପିଢ଼ି ଭାରତ ଗସ୍ତ କରୁଛନ୍ତି ଏବଂ ଆମର ଐତିହାସିକ ବନ୍ଧୁତାକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ଆଗେଇ ନେଉଛନ୍ତି।

 

ବନ୍ଧୁଗଣ,

ବର୍ତ୍ତମାନ ବିଶ୍ୱ ଅନିଶ୍ଚିତତା ଓ ପରିବର୍ତ୍ତନର ଏକ ସମୟ ଦେଇ ଗତି କରୁଛି। ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ମଧ୍ୟ ଭାରତ ଓ ପୋଲାଣ୍ଡ ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛନ୍ତି।

 

ଗତ ବର୍ଷ ପୋଲାଣ୍ଡର ମୋଟ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ଭାବେ ଏକ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏହି ସଫଳତା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଅନ୍ୟପକ୍ଷରେ, ଗତ ତ୍ରୈମାସିକରେ ଭାରତ ମଧ୍ୟ ୭.୮ ପ୍ରତିଶତର ଉଲ୍ଲେଖନୀୟ ଅଭିବୃଦ୍ଧି ହାର ହାସଲ କରିଛି।

 

ଆମର ବଢ଼ୁଥିବା ଆର୍ଥିକ ଶକ୍ତି ଭାରତ-ପୋଲାଣ୍ଡ ସହଭାଗିତା ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ଏହି ସୁଯୋଗକୁ ଆହୁରି ବିସ୍ତାର କରିଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେବା ପରେ ଭାରତ ପୋଲାଣ୍ଡକୁ ଯନ୍ତ୍ରପାତି, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି କରିବାର ନୂତନ ସୁଯୋଗ ପାଇବ।

 

ସେହିପରି ରେଳବାଇ ଓ ପରିବହନ, ଉନ୍ନତ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପୋଲାଣ୍ଡରୁ ନୂତନ ନିବେଶ ଆଣିବାକୁ ଆମେ ପ୍ରୟାସ କରିବୁ।

 

ମୁଁ ଖୁସି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ବୃହତ୍ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସହ ଭାରତ ଆସିଛନ୍ତି। ଆମର ବିଶ୍ୱାସ ଯେ, ଉଭୟ ଦେଶର କମ୍ପାନୀଗୁଡ଼ିକ ମିଳିତ ଭାବେ ବିଶ୍ୱ ପାଇଁ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳ ବିକଶିତ କରିବେ ଏବଂ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦୁଇଗୁଣ କରିବାର ଆମର ସାମୂହିକ ଲକ୍ଷ୍ୟ ହାସଲ କରିବେ।

 

ବନ୍ଧୁଗଣ,

ଆଜି ଆମେ ପ୍ରତିରକ୍ଷା, ମହାକାଶ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବାକୁ ସହମତ ହୋଇଛୁ। ଏହି ସମସ୍ତ ରଣନୈତିକ କ୍ଷେତ୍ରରେ ମିଳିତ ବିକାଶ ଓ ଉତ୍ପାଦନ ପାଇଁ ଆମେ ପୋଲାଣ୍ଡର କମ୍ପାନୀଗୁଡ଼ିକୁ ଭାରତ ସହ ସହଭାଗୀ ହେବାକୁ ଆମନ୍ତ୍ରଣ କରୁଛୁ।

 

ପୋଲାଣ୍ଡର ବିଶେଷଜ୍ଞତାକୁ ଉପଯୋଗ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ କୋଇଲା ଗ୍ୟାସୀକରଣ କ୍ଷେତ୍ରରେ ମଧ୍ୟ ଆମେ ନୂତନ ସହଭାଗିତା ବିକଶିତ କରିବୁ।

 

ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଆମର ସମ୍ପର୍କ ପୂର୍ବରୁ ହିଁ ସୁଦୃଢ଼ ରହିଛି। ଭାରତର ଅନେକ ଆଇଟି କମ୍ପାନୀ ପୋଲାଣ୍ଡରେ କାର୍ଯ୍ୟ କରୁଛନ୍ତି। ଏହି ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଆମେ ଭାରତ-ପୋଲାଣ୍ଡ ଷ୍ଟାର୍ଟଅପ୍ ବ୍ରିଜ୍ ପ୍ରତିଷ୍ଠା କରିବାକୁ ସହମତ ହୋଇଛୁ।

 

ଏହି ପଦକ୍ଷେପଗୁଡ଼ିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସାଇବର ସୁରକ୍ଷା, ଫିନ୍‌ଟେକ୍ ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସହଯୋଗକୁ ନୂତନ ଗତି ପ୍ରଦାନ କରିବା ସହ ଉଭୟ ଦେଶର ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

 

ବନ୍ଧୁଗଣ,

ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆମ ଦ୍ୱିପାକ୍ଷିକ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି। ପୋଲାଣ୍ଡରେ ସଂସ୍କୃତ ଅଧ୍ୟୟନ ଏବଂ ଭାରତୀୟ ବିଦ୍ୟା (ଇଣ୍ଡୋଲୋଜି)ର ଏକ ସମୃଦ୍ଧ ପରମ୍ପରା ରହିଥିବାରୁ ଆମେ ଆନନ୍ଦିତ।

 

କ୍ରାକୋ ସହରରେ ଆମେ ଏକ ଭାରତୀୟ ଅଧ୍ୟୟନ ପୀଠ ପ୍ରତିଷ୍ଠା କରିଛୁ। ଆଜି ଆମେ ସଂସ୍କୃତି ଓ ଶିକ୍ଷା ସହିତ କ୍ରୀଡ଼ା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛୁ।

 

ବନ୍ଧୁଗଣ,

ଆଜି ଆମେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଛୁ। ଭାରତ ଓ ପୋଲାଣ୍ଡ ଉଭୟ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଆଇନର ଶାସନରେ ବିଶ୍ୱାସ କରନ୍ତି। ବିଶ୍ୱସ୍ତରୀୟ ଶାସନ ବ୍ୟବସ୍ଥାର ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ସଂସ୍କାର ଆବଶ୍ୟକ ବୋଲି ଆମେ ବିଶ୍ୱାସ କରୁ।

 

ୟୁକ୍ରେନ ହେଉ କିମ୍ବା ପଶ୍ଚିମ ଏସିଆ, ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରତ୍ୟେକ ଅର୍ଥପୂର୍ଣ୍ଣ ପ୍ରୟାସକୁ ଭାରତ ନିରନ୍ତର ସମର୍ଥନ ଜଣାଇବ।

 

ମହାମହିମ,

ଆମର ସମାନ ଇତିହାସ ମାନବିକତା ଓ କରୁଣାର ଭାବନାରେ ଗଭୀର ଭାବେ ମୂଳଦୁଆ ପକାଇଛି। ଅନ୍ୟପକ୍ଷରେ, ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଆମର ସାମୂହିକ ଭବିଷ୍ୟତରେ ଅସୀମ ସମ୍ଭାବନା ରହିଛି।

 

ମୋର ଦୃଢ଼ ବିଶ୍ୱାସ ଯେ, ଆପଣଙ୍କ ଏହି ଗସ୍ତ ଭାରତ-ପୋଲାଣ୍ଡ ରଣନୈତିକ ସହଭାଗିତାକୁ ନୂତନ ଗତି ପ୍ରଦାନ କରିବା ସହ ଏହାକୁ ନୂତନ ଉଚ୍ଚତାକୁ ନେଇଯିବ। ପୁନର୍ବାର, ଆପଣ ଏବଂ ଆପଣଙ୍କ ପ୍ରତିନିଧିମଣ୍ଡଳୀକୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି।

 

ବହୁତ ବହୁତ ଧନ୍ୟବାଦ।

 

ସ୍ୱୀକାରୋକ୍ତି: ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଏକ ଆନୁମାନିକ ଅନୁବାଦ। ମୂଳ ଅଭିଭାଷଣ ହିନ୍ଦୀ ଭାଷାରେ ପ୍ରଦାନ କରାଯାଇଥିଲା।

*****

MT

 


(ରିଲିଜ ଆଡି: 2333006) ପରିଦର୍ଶକ କାଉଣ୍ଟର : 2