ପୋଷ୍ଟ କରାଯିବା ଦିନାଙ୍କ:
30 OCT 2026 4:11PM by PIB Bhubaneswar
ଉଦ୍ଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
କୃଷି ଓ ଦୁଗ୍ଧ ଉତ୍ପାଦନଠାରୁ ଆରମ୍ଭ କରି ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପର୍ଯ୍ୟନ୍ତ, ବନାସକାଣ୍ଠା ବିକାଶର ନୂଆ ଦିଗରେ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଆମ କୃଷକ ତଥା ଅନ୍ନଦାତାମାନେ ବିକଶିତ ଭାରତର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ; ଆମ ସରକାର ସର୍ବଦା କୃଷକଙ୍କ କଲ୍ୟାଣ ଓ ସେମାନଙ୍କୁ ସଶକ୍ତ କରିବାକୁ ପ୍ରାଥମିକତା ଦେଇଆସିଛି: ପ୍ରଧାନମନ୍ତ୍ରୀ
ପଶୁପାଳନ ଆମ ଗ୍ରାମୀଣ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ; ଗତ ଏକ ଦଶନ୍ଧି ମଧ୍ୟରେ ଏହି କ୍ଷେତ୍ର ଓ ଦୁଗ୍ଧ ଉତ୍ପାଦନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଇଛୁ: ପ୍ରଧାନମନ୍ତ୍ରୀ
ପଶୁପାଳନକୁ କେବଳ ଏକ ପରମ୍ପରା ଭାବେ ନୁହେଁ, ବରଂ କୃଷକଙ୍କ ଆୟ ବୃଦ୍ଧି ଓ ଗାଁଗୁଡ଼ିକରେ ସମୃଦ୍ଧି ଆଣିବାର ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଗଢ଼ିତୋଳିବାକୁ ଆମେ ପ୍ରୟାସ କରୁଛୁ: ପ୍ରଧାନମନ୍ତ୍ରୀ
ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ କେବଳ ଆପଣମାନଙ୍କ ସେବାରେ ସମର୍ପିତ ରହିବି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବନାସକାଣ୍ଠାରେ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ନବରାତ୍ରି ପରେ ମା’ ଅମ୍ବାଙ୍କ ପବିତ୍ର ଭୂମିରେ ଉଦ୍ବୋଧନ ଦେଇ ସେ ମହିଳା, ଶିଶୁ, କୃଷକ ଏବଂ ପଶୁପାଳକଙ୍କ କଲ୍ୟାଣ ପାଇଁ ଅନେକ ନୂତନ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଏଥିସହ ଦେଶର କୋଟି କୋଟି କ୍ଷୁଦ୍ର ଚାଷୀଙ୍କୁ ପିଏମ୍-କିଷାନ ସମ୍ମାନ ନିଧି ଯୋଜନାର ନୂତନ କିସ୍ତି ମଧ୍ୟ ପ୍ରଦାନ କରିଥିଲେ।
କୃଷକ ଓ ଅନ୍ନଦାତାମାନେ ବିକଶିତ ଭାରତର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ସର୍ବଦା କୃଷକଙ୍କ କଲ୍ୟାଣ ଓ ସଶକ୍ତୀକରଣକୁ ପ୍ରାଥମିକତା ଦେଇଆସିଛନ୍ତି। ୨୦୧୩-୧୪ ତୁଳନାରେ ଦେଶର କୃଷି ବଜେଟକୁ ପାଞ୍ଚଗୁଣରୁ ଅଧିକ ବୃଦ୍ଧି କରାଯାଇଛି। ପିଏମ୍ କିଷାନ ସମ୍ମାନ ନିଧି କ୍ଷୁଦ୍ର ଚାଷୀଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ସେ କହିଥିଲେ। ଗୁଜରାଟର ୫୦ ଲକ୍ଷରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଏହି ଯୋଜନାରେ ୧,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଯାଇଛି। ସେହିପରି ବନାସକାଣ୍ଠାର ଲକ୍ଷାଧିକ କୃଷକ ପରିବାର ପ୍ରାୟ ୫୦ କୋଟି ଟଙ୍କାର ସହାୟତା ପାଇଛନ୍ତି। “ଆଜି ଦେଶର ପ୍ରାୟ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଯାଇଛି ’’ ଶ୍ରୀ ମୋଦୀ କହିଥିଲେ।
ଗତ କିଛି ବର୍ଷ ମଧ୍ୟରେ ସରକାରଙ୍କ ନୀତି ଓ ପଦକ୍ଷେପ ଯୋଗୁଁ କୃଷକମାନେ ୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇଛନ୍ତି କିମ୍ବା ସଞ୍ଚୟ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହାର ପାଞ୍ଚଟି ପ୍ରମୁଖ ଉଦାହରଣ ମଧ୍ୟରୁ ପ୍ରଥମଟି ଦର୍ଶାଇ ସେ କହିଥିଲେ ଯେ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କ୍ଷୁଦ୍ର କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା ସିଧାସଳଖ ପ୍ରେରଣ କରାଯାଇଛି। “ଦେଶର ମୋଟ କୃଷକଙ୍କ ମଧ୍ୟରୁ ୮୫ ପ୍ରତିଶତରୁ ଅଧିକ କ୍ଷୁଦ୍ର ଚାଷୀ ହୋଇଥିବାରୁ ସରକାର ସେମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଇଛନ୍ତି’’ ଶ୍ରୀ ମୋଦୀ କହିଥିଲେ।
ଗତ କିଛି ବର୍ଷ ଧରି ଅନ୍ତର୍ଜାତୀୟ ଅନିଶ୍ଚିତତା ଯୋଗୁଁ ବିଶ୍ୱ ବଜାରରେ ସାର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୃଷକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା ତାଙ୍କ ସରକାର ସାର ଦରବୃଦ୍ଧିର ପ୍ରଭାବରୁ ଚାଷୀଙ୍କୁ ସୁରକ୍ଷା ଦେଇଛି। ଏଥିପାଇଁ ସରକାର ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।
ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଗତ ୧୨ ବର୍ଷ ମଧ୍ୟରେ ଗହମ ଓ ଧାନ ଚାଷୀଙ୍କୁ ଏମ୍ଏସପି ବାବଦରେ ୨୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ। ପିଏମ୍ ଫସଲ ବୀମା ଯୋଜନା ମାଧ୍ୟମରେ କୃଷକମାନଙ୍କୁ ମିଳୁଥିବା ସୁରକ୍ଷା କବଚ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଗତ ୧୦ରୁ ୧୨ ବର୍ଷ ମଧ୍ୟରେ ଫସଲ ବୀମା କ୍ଷତିପୂରଣ ବାବଦରେ କୃଷକମାନେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଇଛନ୍ତି। ଏଥିସହ ପିଏମ୍-କୁସୁମ୍ ଯୋଜନାର ସମ୍ପ୍ରସାରଣ ମାଧ୍ୟମରେ ଜଳସେଚନ ଖର୍ଚ୍ଚ କମାଇବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି।
ଏହି ଯୋଜନାରେ ପ୍ରାୟ ୧୨ ଲକ୍ଷ ସୌରଚାଳିତ ପମ୍ପ ବଣ୍ଟନ ଦ୍ୱାରା ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ ସମ୍ଭବ ହୋଇଛି। ଏଥିସହ ଲକ୍ଷାଧିକ କୃଷକ ୮୦ କୋଟି ଲିଟରରୁ ଅଧିକ ଡିଜେଲ କିଣିବା ଖର୍ଚ୍ଚରୁ ମୁକ୍ତି ପାଇଛନ୍ତି। ଏହି ପାଞ୍ଚଟି ପ୍ରମୁଖ ଯୋଜନା ଓ ନିଷ୍ପତ୍ତି ଯୋଗୁଁ କୃଷକମାନଙ୍କୁ ମିଳିଥିବା ଆର୍ଥିକ ଲାଭ ଓ ସଞ୍ଚୟର ପରିମାଣ ୫୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। “ଏହି ୫୦ଲକ୍ଷ କୋଟି ଟଙ୍କା ଦେଶର କୃଷକଙ୍କ ଆୟ ବୃଦ୍ଧି କରିବା ସହ ଭାରତୀୟ କୃଷିର କ୍ଷମତାକୁ ଆହୁରି ବଢ଼ାଇଛି’’ ପ୍ରଧାନମନ୍ତ୍ରୀ କହିଥିଲେ।
କୃଷି କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୨ ବର୍ଷ ମଧ୍ୟରେ ସରକାର କୃଷି ଓ ପଶୁପାଳନ କ୍ଷେତ୍ରରେ ବ୍ୟାପକ ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ କରିଛନ୍ତି। ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ। ପୂର୍ବରୁ ନିଜ ଜମି ପାଇଁ କେଉଁ ପ୍ରକାର ଓ କେତେ ପରିମାଣର ସାର ଆବଶ୍ୟକ, ତାହା ଜାଣିବାରେ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି କାର୍ଡ ସେହି ସମସ୍ୟାର ସମାଧାନ କରିବା ସହ ଦେଶର କୃଷି ପଦ୍ଧତିକୁ ଆଧୁନିକ କରିଛି। “ବର୍ତ୍ତମାନ ଦେଶର କୃଷକଙ୍କ ପାଖରେ ୨୬ କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ରହିଛି’’ ଶ୍ରୀ ମୋଦୀ କହିଥିଲେ।
ପାଣିପାଗରେ ପରିବର୍ତ୍ତନ କୃଷକଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥିବା କଥା ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନର ମୁକାବିଲା କରିପାରୁଥିବା ନୂଆ କିସମର ବିହନ ଚାଷୀଙ୍କୁ ଯୋଗାଇଦେବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ କୃଷକଙ୍କୁ ପ୍ରାୟ ୩ ହଜାର ନୂଆ କିସମର ବିହନ ଉପଲବ୍ଧ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।
ଗ୍ରାମୀଣ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପଶୁପାଳନ ଏବଂ ଏଥିରେ ଗ୍ରାମାଞ୍ଚଳର ମହିଳାମାନଙ୍କର ବ୍ୟାପକ ଅଂଶଗ୍ରହଣ ରହିଛି। ଏହା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ଏକ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଉନ୍ନତ ପ୍ରଜାତିର ପଶୁ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରୁଥିବା ବେଳେ ଠିକ୍ ସମୟରେ ଟିକାକରଣ ଓ ଚିକିତ୍ସା ଦ୍ୱାରା ରୋଗଜନିତ କ୍ଷତିକୁ ରୋକାଯାଇପାରୁଛି। “ଅର୍ଥାତ୍ ପଶୁ ସୁସ୍ଥ ରହିଲେ ପଶୁପାଳନ କରୁଥିବା ଭାଇଭଉଣୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ’’ ଶ୍ରୀ ମୋଦୀ କହିଥିଲେ।
ଦେଶୀ ଗୋ-ସମ୍ପଦର ସଂରକ୍ଷଣ ଓ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନକୁ ପ୍ରୋତ୍ସାହନ ଦେବାରେ ରାଷ୍ଟ୍ରୀୟ ଗୋକୁଳ ମିଶନର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବନାସକାଣ୍ଠାରେ ନବନିର୍ମିତ ଗବେଷଣା କେନ୍ଦ୍ର ଏହି ମିଶନକୁ ଆହୁରି ସୁଦୃଢ଼ କରିବ। ଏହି କେନ୍ଦ୍ର ଗିର୍, ସାହିୱାଲ୍ ଓ କାଙ୍କରେଜ୍ ଭଳି ଦେଶୀ ଗାଈ ପ୍ରଜାତି ସହିତ ମେହସାଣା, ମୁର୍ରା ଓ ଜାଫରାବାଦୀ ଭଳି ମଇଁଷି ପ୍ରଜାତିର ସଂରକ୍ଷଣ ଓ ଗୁଣବତ୍ତାରେ ଉନ୍ନତି ଆଣିବ। କାଙ୍କରେଜ୍ ପ୍ରଜାତି ପାଇଁ ଏହା ଦେଶର ପ୍ରଥମ ଗବେଷଣା କେନ୍ଦ୍ର ହେବ। ଜଣେ କୃଷକ ଯଦି ଅଧିକ ଦୁଗ୍ଧ ଦେଉଥିବା, କମ୍ ଯତ୍ନ ଆବଶ୍ୟକ କରୁଥିବା ଏବଂ ସୁସ୍ଥ ଗାଈର ଉତ୍ତମ ଗୁଣଗୁଡ଼ିକୁ ପରବର୍ତ୍ତୀ ପିଢ଼ିର ପଶୁଙ୍କଠାରେ ରଖିବାକୁ ଚାହାନ୍ତି, ତେବେ ଆଇଭିଏଫ୍ ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସେହି ଉନ୍ନତ ଗୁଣଗୁଡ଼ିକ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର ହେବାର ସମ୍ଭାବନା ବଢ଼ିଥାଏ। “ଏହାର ସିଧାସଳଖ ଲାଭ ପଶୁପାଳକମାନେ ପାଇପାରିବେ’’ ପ୍ରଧାନମନ୍ତ୍ରୀ କହିଥିଲେ।
ଖୁରା ଓ ମୁହଁ ରୋଗ ଭଳି ବିଭିନ୍ନ ରୋଗରୁ ପଶୁସମ୍ପଦକୁ ସୁରକ୍ଷା ଦେବା ସରକାରଙ୍କ ଏକ ପ୍ରମୁଖ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଭଳି ରୋଗ ପଶୁଙ୍କ ସ୍ୱାସ୍ଥ୍ୟ ସହ ଦୁଗ୍ଧ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ସମସ୍ୟାର ମୁକାବିଲା ପାଇଁ ଦେଶବ୍ୟାପୀ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୧୫୦ କୋଟି ଟିକା ଡୋଜ୍ ଦିଆଯାଇଛି। ଏହାଦ୍ୱାରା ୮ କୋଟିରୁ ଅଧିକ କୃଷକଙ୍କ ପଶୁସମ୍ପଦର ମାଗଣା ଟିକାକରଣ କରାଯାଇଛି। ଏହା ପଶୁପାଳକଙ୍କ ଆର୍ଥିକ ବୋଝ ମଧ୍ୟ ହ୍ରାସ କରିଛି ବୋଲି ଶ୍ରୀ ମୋଦୀ କହିଥିଲେ।
ଏହି ପଦକ୍ଷେପଗୁଡ଼ିକର ପ୍ରଭାବ ଦୁଗ୍ଧ ଉତ୍ପାଦନରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୨୦୧୩-୧୪ରେ ଗୋଟିଏ ଗାଈ କିମ୍ବା ମଇଁଷିର ଦୈନିକ ହାରାହାରି ଦୁଗ୍ଧ ଉତ୍ପାଦନ ୫ ଲିଟରରୁ କମ୍ ଥିବାବେଳେ ବର୍ତ୍ତମାନ ଏହା ପ୍ରାୟ ୮ ଲିଟରରେ ପହଞ୍ଚିଛି। ଏହାଦ୍ୱାରା ଭାରତ ବିଶ୍ୱରେ ସର୍ବାଧିକ ଦ୍ରୁତଗତିରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି କରୁଥିବା ଦେଶ ପାଲଟିଛି ଏବଂ ଗ୍ରାମୀଣ କୃଷକ ପରିବାର ଏଥିରୁ ଲାଭବାନ ହେଉଛନ୍ତି। “ଦୁଗ୍ଧ ଉତ୍ପାଦନରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି’’ ଶ୍ରୀ ମୋଦୀ କହିଥିଲେ।
ଗୋବର ଓ କୃଷି ବର୍ଜ୍ୟବସ୍ତୁରୁ ମଧ୍ୟ ପଶୁପାଳକମାନେ ଯେପରି ଆୟ କରିପାରିବେ, ସେଥିପାଇଁ ସରକାର ପଦକ୍ଷେପ ନେଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ। ବନାସ ଡାଏରୀ ଭଳି ଅନୁଷ୍ଠାନର ସହଯୋଗରେ ଗୋବର ଓ କୃଷି ବର୍ଜ୍ୟରୁ ବାୟୋଗ୍ୟାସ୍, ବାୟୋ-ସିଏନ୍ଜି ଏବଂ ଜୈବିକ ସାର ଉତ୍ପାଦନ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଏହି କ୍ରମରେ ଆଜି ଦୁଇଟି ବାୟୋ-ସିଏନଜି କାରଖାନାର ଶିଳାନ୍ୟାସ କରାଯାଇଛି। ପଶୁଙ୍କୁ ସୁସ୍ଥ ରଖିବା, ଦୁଗ୍ଧ ଉତ୍ପାଦନ ବଢ଼ାଇବା ଏବଂ ଗୋବରର ସମ୍ପୂର୍ଣ୍ଣ ଉପଯୋଗ ସୁନିଶ୍ଚିତ କରିବା ଏହି ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ପଶୁପାଳନକୁ କେବଳ ଏକ ପରମ୍ପରା ଭାବେ ସୀମିତ ନରଖି କୃଷକଙ୍କ ଆୟ ବୃଦ୍ଧି ଓ ଗ୍ରାମାଞ୍ଚଳର ସମୃଦ୍ଧି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଗଢାଯାଉଛୁ ବୋଲି ଶ୍ରୀ ମୋଦୀ କହିଥିଲେ।
ଗ୍ରାମୀଣ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ସରକାର ଗତ କିଛି ବର୍ଷ ଧରି ସାମଗ୍ରିକ ଦୃଷ୍ଟିକୋଣ ନେଇ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମତ୍ସ୍ୟଚାଷ କ୍ଷେତ୍ରର ବ୍ୟାପକ ସମ୍ପ୍ରସାରଣ ଏବଂ ଏହି କ୍ଷେତ୍ରରେ ସମବାୟ ସମିତିଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଥିବା କଥା ସେ ଉଲ୍ଲେଖ କରିଥିଲେ। ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ପରିମାଣ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି ବୋଲି ସେ କହିଥିଲେ।
କୃଷକଙ୍କ ପାଇଁ ଅତିରିକ୍ତ ଆୟର ଅନ୍ୟ ଏକ ପ୍ରମୁଖ ମାଧ୍ୟମ ଭାବେ ମହୁଚାଷର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୨ ବର୍ଷ ମଧ୍ୟରେ ଦେଶରେ ମହୁ ଉତ୍ପାଦନ ଦୁଇଗୁଣ ହୋଇଛି। ଏହି ମଧୁ ବିପ୍ଳବରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଅବଦାନ ବଢ଼ିବାରେ ଲାଗିଛି। “ ଆପଣମାନେ ଜାଣି ଗର୍ବିତ ହେବେ ଯେ ଆମ ଦେଶ ପ୍ରାକୃତିକ ମହୁ ରପ୍ତାନିରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ହୋଇପାରିଛି’’ ଶ୍ରୀ ମୋଦୀ କହିଥିଲେ।
୨୦୦୧ ଅକ୍ଟୋବର ୭ ତାରିଖରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚଳିତ ଅକ୍ଟୋବର ୭ ତାରିଖରେ ସରକାରର ମୁଖ୍ୟ ଭାବେ ତାଙ୍କର ୨୫ ବର୍ଷର ସେବା ପୂରଣ ହୋଇଥିବା କଥା ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ସରକାରୀ କାର୍ଯ୍ୟାଳୟ କିମ୍ବା ସରକାରୀ ଫାଇଲ୍ ସମ୍ପର୍କରେ ତାଙ୍କର କୌଣସି ଅଭିଜ୍ଞତା ନଥିଲା। ତଥାପି ପ୍ରତ୍ୟେକ ଗୁଜରାଟୀଙ୍କଠାରୁ ସେ ଅପାର ସ୍ନେହ, ସହଯୋଗ ଓ ମାର୍ଗଦର୍ଶନ ପାଇଥିଲେ ବୋଲି କହିଥିଲେ। ଏକ ଗରିବ ପରିବାରରୁ ଆସିଥିବା ଏବଂ ଯାହାଙ୍କ ପୂର୍ବପୁରୁଷମାନେ କେବେ ଗାଁର ସରପଞ୍ଚ ହେବାର ସ୍ୱପ୍ନ ମଧ୍ୟ ଦେଖିନଥିଲେ, ସେଭଳି ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗୁଜରାଟ ଏବଂ ପରେ ସମଗ୍ର ଦେଶର ସେବା କରିବାର ଦାୟିତ୍ୱ ଦେଇଥିବାରୁ ସେ ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। କେବଳ ସ୍ନେହ ନୁହେଁ, ପ୍ରତ୍ୟେକ ଗୁଜରାଟୀ ତାଙ୍କୁ ଅନେକ କିଛି ଶିଖାଇବା ସହ ଉଚିତ୍ ମାର୍ଗ ଦେଖାଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।
ଜନସେବା ମାଧ୍ୟମରେ ଦେଶର ସେବା କରିବା ଏବଂ ଗୁଜରାଟର ବିକାଶ ମାଧ୍ୟମରେ ଦେଶର ବିକାଶ କରିବା ହେଉଛି ତାଙ୍କର ଦୁଇଟି ମାର୍ଗଦର୍ଶକ ସିଦ୍ଧାନ୍ତ। ଅନ୍ୟ ସମସ୍ତ କଥା ସେ ଜନସାଧାରଣଙ୍କଠାରୁ ଶିଖିଛନ୍ତି ବୋଲି କହିବା ସହ ଦେଶ ପାଇଁ ଯାହା କିଛି କରିପାରିଛନ୍ତି, ସେଥିପାଇଁ ନାଗରିକମାନଙ୍କୁ ଶ୍ରେୟ ଦେଇଥିଲେ । ଏଥିପାଇଁ ସେ ଜୀବନସାରା ଜନସାଧାରଣଙ୍କ ନିକଟରେ ଋଣୀ ରହିବେ ଏବଂ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେମାନଙ୍କ ସେବାରେ ନିୟୋଜିତ ରହିବେ ବୋଲି ଶ୍ରୀ ମୋଦୀ କହିଥିଲେ।
୨୫ ବର୍ଷ ପୂର୍ବେ ଏହି ଅଞ୍ଚଳରେ ଜଳ ଓ ବିଦ୍ୟୁତ୍ର ଘୋର ଅଭାବ ରହିଥିବା କଥା ବରିଷ୍ଠ ନାଗରିକମାନଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେତେବେଳେ ଜଳ ଓ ବିଦ୍ୟୁତ୍ ସଂରକ୍ଷଣ ପାଇଁ ସେ ଦେଇଥିବା ଆହ୍ୱାନକୁ ଲୋକମାନେ ଗ୍ରହଣ କରିଥିଲେ। ଏହାଦ୍ୱାରା ସେମାନେ ନିଜ ଅଞ୍ଚଳର ପରିସ୍ଥିତିକୁ ଏପରି ବଦଳାଇ ଦେଇଛନ୍ତି ଯେ, ପୂର୍ବର ସେହି ଦୁଃଖକଷ୍ଟ ଏବେ କେବଳ ସ୍ମୃତି ହୋଇ ରହିଯାଇଛି। “ଆଜି ମଧ୍ୟ ମୁଁ ଆପଣମାନଙ୍କୁ ସେହି ଆହ୍ୱାନ ଦେବି ଯେ, ଆମକୁ ଜଳ ଓ ବିଦ୍ୟୁତ୍ ସଞ୍ଚୟ କରିବାକୁ ହେବ’’ ଶ୍ରୀ ମୋଦୀ କହିଥିଲେ।
ନର୍ମଦା ନଦୀର ଜଳ ଏବଂ ବୁନ୍ଦା ଜଳସେଚନ ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟା ବନାସକାଣ୍ଠାର ଚିତ୍ର ବଦଳାଇ ଦେଇଛି। ଏହାଦ୍ୱାରା ଏଠାକାର ଆଳୁ ବିଶ୍ୱବଜାରରେ ପରିଚିତି ହାସଲ କରିଛି। ଅନ୍ୟପକ୍ଷରେ ବନାସ ଡାଏରୀ ସମବାୟ ଆନ୍ଦୋଳନକୁ କାଶୀ ସମେତ ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ କରିଛି। ଫ୍ରେଞ୍ଚ ଫ୍ରାଇଜ୍ ପ୍ରସ୍ତୁତ କରୁଥିବା ଆଳୁ କାରଖାନାର କ୍ଷମତା ମଧ୍ୟ ବଢ଼ାଯାଇଛି, ଯାହାଦ୍ୱାରା ଅଧିକ ପରିମାଣର ଆଳୁ କିଣାଯାଇପାରିବ। ଏହା ଆଳୁ ଚାଷୀଙ୍କ ପାଇଁ ଏକ ବଡ଼ ସୁବିଧା ବୋଲି ଶ୍ରୀ ମୋଦୀ କହିଥିଲେ।
ଫଳ ଓ ପନିପରିବା ଚାଷୀଙ୍କ ପାଇଁ ଚାଲିଥିବା କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟମାଟୋ, ଆଳୁ, ଲଙ୍କା, ଅଙ୍ଗୁର, କଦଳୀ, ପିଆଜ, କମଳା, ଡାଳିମ୍ବ ଓ କୋକୋ ଚାଷ ପାଇଁ ଆଜି ୧୨ଟି କ୍ଲଷ୍ଟରକୁ ଅନୁମୋଦନ ଦିଆଯାଇଛି। ନୂଆ ଫଳବଗିଚା ସ୍ଥାପନ ଏବଂ ପୁରୁଣା ବଗିଚାର ପୁନରୁଦ୍ଧାର ପାଇଁ କୃଷକମାନଙ୍କୁ ସବ୍ସିଡି ଯୋଗାଇ ଦିଆଯାଉଛି। ଉତ୍ତର ଗୁଜରାଟରେ ଅନୁମୋଦିତ ଦୁଇଟି କ୍ଲଷ୍ଟର ବନାସକାଣ୍ଠା ଓ ସାବରକାଣ୍ଠାର ଆଳୁ ଚାଷୀଙ୍କୁ ବିଶେଷ ଭାବେ ଲାଭାନ୍ୱିତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ।
ଗୁଜରାଟର ବିକାଶ ପାଇଁ ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ଅନେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ଅବସରରେ ଅହମଦାବାଦ-ବାରାଣସୀ ସାବରମତୀ ଏକ୍ସପ୍ରେସ୍ ଏବଂ ମେହସାଣା-ବେଚରାଜୀ-ସାବରମତୀ ମେମୁ ଟ୍ରେନ୍ ସମେତ ଦୁଇଟି ନୂଆ ରେଳ ସେବାର ଶୁଭାରମ୍ଭ କରାଯାଇଛି। ଏଥିସହ ଅହମଦାବାଦ ମେଟ୍ରୋର ସମ୍ପ୍ରସାରଣ ପାଇଁ ଗିଫ୍ଟ ସିଟି ଓ ବିମାନବନ୍ଦରକୁ ସଂଯୋଗ କରୁଥିବା ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଅହମଦାବାଦ-ମେହସାଣା ଜାତୀୟ ରାଜପଥକୁ ବର୍ତ୍ତମାନର ଚାରି ଲେନରୁ ଆଠ ଲେନକୁ ସମ୍ପ୍ରସାରଣ କରାଯିବ ବୋଲି ଶ୍ରୀ ମୋଦୀ କହିଥିଲେ।
ଆଜି ରାଜ୍ୟର ଶିଶୁମାନଙ୍କ ପାଇଁ ଆରମ୍ଭ ହୋଇଥିବା ନୂତନ ସାମାଜିକ କଲ୍ୟାଣ ଭିତ୍ତିଭୂମି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜରାଟରେ ୪ ହଜାରରୁ ଅଧିକ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍ଘାଟନ କରାଯାଇଛି। “ଏହାଦ୍ୱାରା ପ୍ରାୟ ୪ ଲକ୍ଷ ଶିଶୁ ଓ ଗର୍ଭବତୀ ମହିଳା ଉପକୃତ ହେବେ’’ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ପ୍ରତ୍ୟେକ କୃଷକ, ଯୁବକ, ଭଉଣୀ ଓ ଝିଅ ବିକଶିତ ଭାରତର ସଂକଳ୍ପ ନେଇ ଆଗକୁ ବଢ଼ିବା ସହ ଦେଶକୁ ବିକଶିତ କରିବା ଲକ୍ଷ୍ୟରେ ସରକାରଙ୍କ ପ୍ରତ୍ୟେକ ବିକାଶମୂଳକ ପ୍ରୟାସ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଦୁର୍ଭାଗ୍ୟବଶତଃ କିଛି ଗୋଷ୍ଠୀ ଏହି ପ୍ରଗତିକୁ ପସନ୍ଦ କରୁନାହାନ୍ତି ଏବଂ ଦେଶକୁ ସଙ୍କଟରେ ଦେଖିବାକୁ ଚାହୁଁଛନ୍ତି। “ଦେଶ ଯେତେବେଳେ ସଙ୍କଟର ସମ୍ମୁଖୀନ ହୁଏ, ସେମାନେ ଖୁସି ହୁଅନ୍ତି’’ ଶ୍ରୀ ମୋଦୀ କହିଥିଲେ।
ଇରାନ ଓ ଉପସାଗରୀୟ ଦେଶଗୁଡ଼ିକ ଆଖପାଖରେ ଚାଲିଥିବା ଯୁଦ୍ଧକୁ ଏହାର ସଦ୍ୟ ଉଦାହରଣ ଭାବେ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ପରିସ୍ଥିତିର ମୁକାବିଲା ପାଇଁ ଭାରତ ଏକଜୁଟ ହୋଇଥିବା ବେଳେ କିଛି ଗୋଷ୍ଠୀ ସାର ଅଭାବ ହେବ ବୋଲି କୃଷକଙ୍କ ମଧ୍ୟରେ ଏବଂ ରନ୍ଧନ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯିବ ବୋଲି ମହିଳାଙ୍କ ମଧ୍ୟରେ ଗୁଜବ ପ୍ରଚାର କରିଥିଲେ। ଦେଶରେ ଅରାଜକତା ସୃଷ୍ଟି କରି ତାଙ୍କୁ ବଦନାମ କରିବା ଏହି ଗୋଷ୍ଠୀଙ୍କ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଥିଲେ। “ଭାରତ ଏକଜୁଟ ହୋଇ ଏହି ପରିସ୍ଥିତିର ସାମ୍ନା କରୁଥିବା ବେଳେ ସେମାନେ ଗୁଜବ ପ୍ରଚାର ଜାରି ରଖିଥିଲେ’’ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
କୃଷକଙ୍କ ପାଖରେ ଦୃଢ଼ ଭାବେ ଛିଡ଼ା ହେବାକୁ ଦେଇଥିବା ନିଜର ପ୍ରତିଶ୍ରୁତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯୁଦ୍ଧ ଚାଲିଥିବା ସତ୍ତ୍ୱେ ସରକାର କୃଷି ଉପକରଣର କୌଣସି ଅଭାବ ହେବାକୁ ଦେଇନାହାନ୍ତି।
ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ସାର ଓ ରାସାୟନିକ କଞ୍ଚାମାଲର ଦର ଆକାଶଛୁଆଁ ହୋଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ଭାରତୀୟ କୃଷକଙ୍କୁ ଏହାର ଆର୍ଥିକ ବୋଝରୁ ସୁରକ୍ଷା ଦେଇଛନ୍ତି। ବିଶ୍ୱ ବଜାରରେ ୩ ହଜାର ଟଙ୍କା ମୂଲ୍ୟର ଏକ ବସ୍ତା ୟୁରିଆ ଭାରତରେ ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ଯୋଗାଇ ଦିଆଯାଉଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଏକ ବସ୍ତା ଡିଏପି ସାର ଭାରତରେ ମାତ୍ର ୧,୩୫୦ ଟଙ୍କାରେ ମିଳୁଛି। “କୃଷକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଦେଶ ଏହି ସହାୟତା ଯୋଗାଇ ଦେଉଛି’’ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ଭାରତର ଦ୍ରୁତ ବିକାଶ ଅନିଶ୍ଚିତତା ଭିତରେ ଗତି କରୁଥିବା ବିଶ୍ୱକୁ ନୂଆ ଆଶା ଦେଉଛି। ଏଥିପାଇଁ ଏକ ଭାରତ, ଶ୍ରେଷ୍ଠ ଭାରତର ପଥରେ ନିରନ୍ତର ଆଗକୁ ବଢ଼ିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅକ୍ଟୋବର ୩୧ ତାରିଖରେ ଜାତୀୟ ଏକତା ଦିବସ ପାଳନ କରାଯାଏ। ଏହି ଅବସରରେ ଏକତାର ପ୍ରେରଣା ନେଇ ସାରା ଦେଶ ଏକଜୁଟ ହୋଇଥାଏ ଏବଂ ‘ରନ୍ ଫର୍ ୟୁନିଟି’ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥାଏ। “ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡ଼ରେ ବିଶେଷକରି ଯୁବବନ୍ଧୁମାନଙ୍କ ସମେତ ସମସ୍ତ ଦେଶବାସୀ ଉତ୍ସାହର ସହ ଭାଗ ନେବାକୁ ମୁଁ ଆହ୍ୱାନ ଜଣାଉଛି’’ ସେ କହିଥିଲେ।
ଅକ୍ଟୋବର ୩୧ ତାରିଖରେ ଏକତା ନଗରରେ ଆୟୋଜିତ ହେଉଥିବା ବାର୍ଷିକ ଏକତା ମହୋତ୍ସବର କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଚଳିତ ବର୍ଷ ଏହି ଉତ୍ସବ ଶନିବାର ସନ୍ଧ୍ୟା ୫ଟା ୩୦ରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ। ଏଥିରେ ପୁଲିସ ଓ ସୁରକ୍ଷା ବାହିନୀର ପରେଡ୍ ସହ ବିଭିନ୍ନ ପ୍ରଜ୍ଞାପନ ମେଢ଼ ସାମିଲ ହେବ। କଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କାମାକ୍ଷା ପର୍ଯ୍ୟନ୍ତ ସମସ୍ତ ଦେଶବାସୀ ଏହି ଉତ୍ସବରେ ଯୋଗଦେଇ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ଭାରତ, ଶ୍ରେଷ୍ଠ ଭାରତର ସଂକଳ୍ପକୁ ଦୋହରାଇବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅନୁରୋଧ ସହ ବିକାଶମୂଳକ କାର୍ଯ୍ୟ ପାଇଁ ପୁଣିଥରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନିଜର ଉଦବୋଧନ ଶେଷ କରିଥିଲେ।
***
TKM