ପୋଷ୍ଟ କରାଯିବା ଦିନାଙ୍କ:
29 OCT 2026 12:53PM by PIB Bhubaneswar
୨୦୨୬ ଅକ୍ଟୋବର ୨୭ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଗଙ୍ଗା ବନ୍ୟା ନିୟନ୍ତ୍ରଣ ବୋର୍ଡ (ଜିଏଫ୍ସିବି)ର ୧୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀ ସୁଭେନ୍ଦୁ ଅଧିକାରୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମନାଥ ଠାକୁର, ନୀତି ଆୟୋଗର ସଦସ୍ୟ ପ୍ରଫେସର କେ.ଭି. ରାଜୁ, ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ଶ୍ରୀ ବିଜୟ କୁମାର ଚୌଧୁରୀ ଏବଂ ଉତ୍ତରପ୍ରଦେଶର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସ୍ୱତନ୍ତ୍ର ଦେବ ସିଂହ ଯୋଗ ଦେଇଥିଲେ। ଏଥିସହ ଗଙ୍ଗା ଅବବାହିକାର ବିଭିନ୍ନ ରାଜ୍ୟର ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଗଙ୍ଗା ଅବବାହିକାରେ ବନ୍ୟା ନିୟନ୍ତ୍ରଣ, ନଦୀକୂଳ କ୍ଷୟ ରୋକିବା ଏବଂ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତି ଓ ତାହାର କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୧୮ ଏପ୍ରିଲ ୧୯୭୨ରେ ଗଙ୍ଗା ବନ୍ୟା ନିୟନ୍ତ୍ରଣ ବୋର୍ଡ ଗଠନ କରିଥିଲେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏହି ବୋର୍ଡର ଅଧ୍ୟକ୍ଷ ଥିବାବେଳେ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକର ପ୍ରତିନିଧି ଏବଂ ଗଙ୍ଗା ଅବବାହିକାର ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ ଏହାର ସଦସ୍ୟ ଅଛନ୍ତି। ଗଙ୍ଗା ବନ୍ୟା ନିୟନ୍ତ୍ରଣ ଆୟୋଗର ଅଧ୍ୟକ୍ଷ ବୋର୍ଡର ସଦସ୍ୟ-ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଗଙ୍ଗା ଅବବାହିକାରେ ବନ୍ୟା ପରିଚାଳନାକୁ ଅଧିକ ପ୍ରଭାବଶାଳୀ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ସୁଦୃଢ଼ କରିବାରେ ଏହି ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରୁଛି। ଏହାର ୧୯ତମ ବୈଠକରେ ଚାଲୁ ରହିଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିବା ସହ ଆନ୍ତଃରାଜ୍ୟ ସମନ୍ୱୟକୁ ଅଧିକ ମଜବୁତ କରିବା ଏବଂ ବନ୍ୟା ପରିଚାଳନା ପାଇଁ ନୂତନ ଓ ପ୍ରଭାବଶାଳୀ ରଣନୀତି ଉପରେ ବିଚାରବିମର୍ଶ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକ ଅବସରରେ ଶ୍ରୀ ପାଟିଲ ଜାତୀୟ ଜଳ ମିଶନ ସହଯୋଗରେ ଭାସ୍କରାଚାର୍ଯ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ସ ଆଣ୍ଡ ଜିଓ-ଇନଫର୍ମେଟିକ୍ସ ଦ୍ୱାରା ବିକଶିତ ‘ପୁନଃ ଭରନ୍ ମୋବାଇଲ୍ ଆପ୍’ର ଶୁଭାରମ୍ଭ କରିଥିଲେ। ଭୂତଳ ଜଳର କୃତ୍ରିମ ପୁନର୍ଭରଣ ପାଇଁ ଉପଯୁକ୍ତ ସ୍ଥାନଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରିବାରେ ଏହି ଆପ୍ ସହାୟତା କରିବ।
ବୈଠକରେ ଗଙ୍ଗା ବନ୍ୟା ନିୟନ୍ତ୍ରଣ ଆୟୋଗର ସଂଶୋଧିତ କାର୍ଯ୍ୟପରିସର ଓ ପୁନର୍ଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଅବବାହିକା-ସ୍ତରୀୟ ବନ୍ୟା ପରିଚାଳନା ଯୋଜନାକୁ ସୁଦୃଢ଼ କରିବା, ବନ୍ୟା ପରିଚାଳନା ଯୋଜନାଗୁଡ଼ିକର ବୈଷୟିକ ମୂଲ୍ୟାୟନ, ନଦୀର ଗତିପଥ ଓ ଭୂ-ଆକୃତିର ପରିବର୍ତ୍ତନ ଏବଂ ପଟୁମାଟି ଜମା ଉପରେ ଅଧ୍ୟୟନ କରିବା ସହ ବନ୍ୟା ପରିଚାଳନା ସୂଚନା ବ୍ୟବସ୍ଥା (ଏଫ୍ଏମ୍ଆଇଏସ୍) ବିକଶିତ କରିବା ଅନ୍ତର୍ଭୁକ୍ତ। ଏହି ସଂଶୋଧିତ ଅନୁଷ୍ଠାନିକ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ, ବୈଷୟିକ ମୂଲ୍ୟାୟନ ଏବଂ ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଅଧିକ ଦକ୍ଷ ହେବ ବୋଲି ଆଶା କରାଯାଉଛି।
ବୈଠକରେ ବିପଦ ଆକଳନ ଆଧାରରେ ଅବବାହିକା-ସ୍ତରୀୟ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି, ସେତୁ ତଳେ ଥିବା ଜଳପ୍ରବାହ ପଥ ଓ ଜଳନିଷ୍କାସନ ପଥର ପର୍ଯ୍ୟାପ୍ତତା ଆକଳନ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)ର ଗୁଣବତ୍ତାରେ ଉନ୍ନତି, ବନ୍ୟା ପରିଚାଳନା ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ଏବଂ ବନ୍ୟା ମୁକାବିଲାରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ଉପରେ ଆଲୋଚନା କରାଯାଇଥିଲା।
କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ନଦୀର ଗତିପଥ ଓ ଭୂ-ଆକୃତିରେ ପରିବର୍ତ୍ତନ, ଜଳନିଷ୍କାସନରେ ବାଧା, ଭିତ୍ତିଭୂମିର ବିକାଶ ଏବଂ ବନ୍ୟାର ମୁକାବିଲା କରିବାର କ୍ଷମତା ବୃଦ୍ଧି ସମ୍ପର୍କିତ ସମସ୍ୟାଗୁଡ଼ିକର ସମାଧାନ ଉପରେ ଆଲୋକପାତ କରାଯାଇଥିଲା। ଏଥିସହ ଆଧୁନିକ ସର୍ବେକ୍ଷଣ ପଦ୍ଧତିର ପ୍ରୟୋଗ, ଉପଯୁକ୍ତ ବୈଷୟିକ ଅନୁସନ୍ଧାନ, ଆବଶ୍ୟକ ବିଧିସମ୍ମତ ଅନୁମୋଦନ ହାସଲ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଦେଖାଦେଉଥିବା ବାଧାବିଘ୍ନର ସମୟୋଚିତ ସମାଧାନର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
ଗଙ୍ଗା ଅବବାହିକାରେ ବନ୍ୟା ପରିଚାଳନା ପାଇଁ ସମନ୍ୱିତ, ବିପଦଭିତ୍ତିକ ଓ ଆଧୁନିକ ପ୍ରଯୁକ୍ତି ସମର୍ଥିତ ଆଭିମୁଖ୍ୟ ଅବଲମ୍ବନ କରିବାର ଗୁରୁତ୍ୱକୁ ବୈଠକରେ ପୁନର୍ବାର ଆଲୋଚନା କରାଯାଇଥିଲା। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଭାବଶାଳୀ ସହଯୋଗ, ଉନ୍ନତ ବୈଷୟିକ ମାନଦଣ୍ଡ ଏବଂ ସମଗ୍ର ଗଙ୍ଗା ଅବବାହିକାରେ ବନ୍ୟା ପରିଚାଳନା ସମ୍ପର୍କିତ ପଦକ୍ଷେପଗୁଡ଼ିକର ସମନ୍ୱିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
****
SPD