ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଗୁଜରାଟର ଏକତା ନଗରରେ ଆୟୋଜିତ ହେବ ରାଷ୍ଟ୍ରୀୟ ଏକତା ଦିବସ ୨୦୨୬ ଏବଂ ଭାରତ ପର୍ବ ୨୦୨୬

ପୋଷ୍ଟ କରାଯିବା ଦିନାଙ୍କ: 21 OCT 2026 8:17PM by PIB Bhubaneswar

 

  • ସମାରୋହର ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଲେ କେନ୍ଦ୍ର ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ
  • ୩୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ କାର୍ଯ୍ୟକ୍ରମର ହେବ ଶୁଭାରମ୍ଭ
  • ଚଳିତ ବର୍ଷର ଏକତା ପରେଡରେ କରାଯାଇଛି ପରିବର୍ତ୍ତନ; ଏହା ଅଧିକ ଭବ୍ୟ, ବିବିଧ ଏବଂ ଆକର୍ଷଣୀୟ ହେବ
  • ଏକତା ଦିବସ ପରେଡରେ ରାଜ୍ୟ ପୁଲିସ ବାହିନୀ, ସିଏପିଏଫ ଏବଂ ସିପିଓ ଦ୍ୱାରା କରାଯାଉଥିବା ଅସାଧାରଣ କାର୍ଯ୍ୟ ହେବ ପ୍ରଦର୍ଶିତ
  • 'ଏକତା ପରେଡ' ମାର୍ଚ୍ଚ ପାଷ୍ଟରେ ଦେଶରେ ସଶସ୍ତ୍ର ନକ୍ସଲବାଦ ସମାପ୍ତ କରିବାର ସଫଳତାକୁ ପ୍ରଦର୍ଶନ କରାଯିବ
  • ଏକତା ପରେଡର ଲକ୍ଷ୍ୟ ହେଉଛି ଏକତା ନଗରରେ ଜାତୀୟ ଏକତା ଦିବସ ପାଳନରେ ସାମିଲ ହେବା ଏବଂ ଅଭିଜ୍ଞତା ହାସଲ କରିବା ପାଇଁ ସାରା ଦେଶରୁ ଲୋକଙ୍କୁ ଆକର୍ଷିତ କରିବା
  • ଦେଶରେ ସଶସ୍ତ୍ର ନକ୍ସଲବାଦ ବିରୋଧୀ ଲଢ଼େଇରେ ସର୍ବାଗ୍ରେ ରହିଥିବା ରାଜ୍ୟ ପୁଲିସ ବାହିନୀ ଏବଂ ସିଏପିଏଫ ପରେଡ ଦଳରେ ସାମିଲ ହେବେ
  • ଏନଏସଡି ଦେଶର ନକ୍ସଲ ପ୍ରଭାବିତ ଥିବା ୧୨୬ ଜିଲ୍ଲାରୁ ଚୟନ କରାଯାଇଥିବା ପ୍ରାୟ ୨ ହଜାର କଳାକାରଙ୍କୁ ନେଇ 'ନକ୍ସଲ-ମୁକ୍ତ ଭାରତ' ଉପରେ ଏକ ନାଟକ ପରିବେଷଣ କରିବ
  • ନକ୍ସଲବାଦର ପ୍ରଭାବ ପଡ଼ିଥିବା ଏହି ୧୨୬ ଜିଲ୍ଲାରୁ ପ୍ରାୟ ୫,୦୦୦ ଲୋକଙ୍କୁ ଦର୍ଶକ ଭାବରେ ନିମନ୍ତ୍ରଣ କରାଯାଇଛି
  • ଏକତା ନଗର ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍‌’ ବିଷୟବସ୍ତୁକୁ ନେଇ ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହେବ
  • ପ୍ରଥମ ଥର ପାଇଁ, ଲୋକଙ୍କ ଆକାଂକ୍ଷାକୁ ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ଚିତ୍ରଣ କରାଯାଇ ଏକତା ନଗରରେ ପ୍ରଦର୍ଶନ କରାଯିବ
  • ୫ ହଜାର କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ "ଏକ ଭାରତ ଶ୍ରେଷ୍ଠ ଭାରତ" ର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିବ
  • ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶିତ ହେବାକୁ ଥିବା ନାଟକର ବିଷୟବସ୍ତୁ ଶ୍ରୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଯୁଗାନ୍ତକାରୀ ଉପନ୍ୟାସ "ଆନନ୍ଦମଠ" ଉପରେ ଆଧାରିତ ହେବ
  • ନାଟକଟି "ଆନନ୍ଦମଠ"ର ଚିରନ୍ତନ ଦର୍ଶନ ଉପରେ ଆଧାରିତ ହେବ, ଯାହା ଦର୍ଶାଏ ଯେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପ୍ରତ୍ୟେକ ଭାରତୀୟଙ୍କର ଦାୟିତ୍ୱ

ନୂଆଦିଲ୍ଲୀ, ୨୧ ଅକ୍ଟୋବର

 

ଗୁଜରାଟର ଏକତା ନଗରରେ ରାଷ୍ଟ୍ରୀୟ ଏକତା ଦିବସ ୨୦୨୬ ଏବଂ ଭାରତ ପର୍ବ ୨୦୨୬ ଆୟୋଜିତ ହେବ । କେନ୍ଦ୍ର ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ ଏହି ସମାରୋହର ପ୍ରସ୍ତୁତିକୁ ନେଇ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଗୃହ ସଚିବ କହିଛନ୍ତି, ଚଳିତ ବର୍ଷର ଏକତା ପରେଡ ଅଧିକ ଭବ୍ୟ, ବିବିଧ ଏବଂ ଆକର୍ଷଣୀୟ ହେବ । ଆସନ୍ତା ୩୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏକତା ପରେଡ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏହି ପରେଡରେ ୨୦୨୬ ସୁଦ୍ଧା ଭାରତକୁ ନକ୍ସଲବାଦ ମୁକ୍ତ କରିବାର ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ବିଶେଷ ଭାବେ ପ୍ରଦର୍ଶିତ କରାଯିବ। ଅକ୍ଟୋବର ୩୦ ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ ‘ଆନନ୍ଦମଠ’ ବିଷୟବସ୍ତୁ ଉପରେ ଆଧାରିତ ଏକ ନାଟ୍ୟ ପରିବେଷଣ ସମୟରେ ମଧ୍ୟ ଉପସ୍ଥିତ ରହିବେ ।

ଶ୍ରୀ ଗୋବିନ୍ଦ ମୋହନ କହିଛନ୍ତି, ଏକତା ନଗରରେ ଜାତୀୟ ଏକତା ଦିବସ ପାଳନ ଦୁଇଟି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଯୋଜନା କରାଯାଇଛି । ପ୍ରଥମ ଉଦ୍ଦେଶ୍ୟ ହେଉଛି ଦେଶର ପୁଲିସ ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓ) ଦ୍ୱାରା କରାଯାଉଥିବା ଅସାଧାରଣ କାର୍ଯ୍ୟକୁ ଦେଶ ଆଗରେ ପ୍ରଦର୍ଶନ କରିବା। ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଏକତା ନଗର ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ନିମନ୍ତ୍ରଣ କରିବା। ସେ କହିଛନ୍ତି, ଏକତା ନଗର ଆଖପାଖରେ ଆହୁରି ଅନେକ ଆକର୍ଷଣ ମଧ୍ୟ ବିକଶିତ ହୋଇଛି ଏବଂ ଏହା ଏବେ ଦେଶର ସବୁଠାରୁ ପ୍ରମୁଖ ଏବଂ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି ।

କେନ୍ଦ୍ର ଗୃହ ସଚିବ କହିଥିଲେ, ଏକତା ଦିବସ ପରେଡରେ ଆମେ ଦେଶରେ ସଶସ୍ତ୍ର ନକ୍ସଲବାଦ ସମାପ୍ତ କରିବା ସଫଳତାର ଉତ୍ସବ ପାଳନ କରିବୁ । ସେ କହିଥିଲେ ଯେ ଏହି ଅବସରରେ ବିବିଧ ଏବଂ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ:

  1. ଦେଶରେ ସଶସ୍ତ୍ର ନକ୍ସଲବାଦ ବିରୋଧୀରେ ଲଢ଼େଇରେ ସର୍ବାଗ୍ରେ ରହିଥିବା ରାଜ୍ୟ ପୁଲିସ ବାହିନୀ ଏବଂ ସିଏପିଏଫ ପରେଡ ଦଳରେ ସାମିଲ ହେବେ । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନା ଦେଇ ଏହି ପ୍ରତ୍ୟେକ ଦଳ ଗତି କରିବା ସମୟରେ ଏକାଧିକ ଏଲ୍‌ଇଡି ସ୍କ୍ରିନରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ଯେଉଁଥିରେ ସେମାନଙ୍କ ଅନନ୍ୟ ସଫଳତାର ମୁଖ୍ୟ ବିଶେଷତ୍ୱଗୁଡ଼ିକ ସଂକ୍ଷେପରେ ଉପସ୍ଥାପିତ ହେବ ।
  2. ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି) ଦ୍ୱାରା ପ୍ରାୟ ୨,୦୦୦ କଳାକାରଙ୍କୁ ନେଇ ଏକ ଦଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରିବ । ଏକଦା ସଶସ୍ତ୍ର ନକ୍ସଲବାଦ କବଳରେ ଥିବା ଦେଶର ୧୨୬ଟି ଜିଲ୍ଲାରୁ ଏହି କଳାକାରମାନଙ୍କୁ ଚୟନ କରାଯାଇଛି । ଏହି କଳାକାରମାନେ ସେମାନଙ୍କର ପ୍ରଦର୍ଶନ ମାଧ୍ୟମରେ ସଶସ୍ତ୍ର ନକ୍ସଲବାଦ ଶୀର୍ଷରେ ଥିବା ସମୟରେ ସେମାନେ ଯେଉଁ କଷ୍ଟ ଏବଂ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ତାହା ପ୍ରଦର୍ଶନ କରିବେ । ଏହି ହିଂସା ସେମାନଙ୍କ ଧନଜୀବନ ପାଇଁ ବିପଦ ସୃଷ୍ଟି କରିଥିଲା।
  3. ଏହି ୧୨୬ ଜିଲ୍ଲାରୁ ପ୍ରାୟ ୫,୦୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନେ କାର୍ଯ୍ୟକ୍ରମର ଦର୍ଶକ ହେବେ ଏବଂ ଆଲୋଚନା ମାଧ୍ୟମରେ ସଶସ୍ତ୍ର ନକ୍ସଲ ସମୟର ଅଭିଜ୍ଞତା ବାଣ୍ଟିବେ।

କେନ୍ଦ୍ର ଗୃହ ସଚିବ କହିଛନ୍ତି ଯେ ଏହି ତିନୋଟି ଦିଗ ମାଧ୍ୟମରେ, ଆମେ ସଶସ୍ତ୍ର ନକ୍ସଲବାଦ ବିରୁଦ୍ଧରେ ଭାରତର ସଂଘର୍ଷ ଏବଂ ନକ୍ସଲବାଦର ପରିସମାପ୍ତିକୁ ଦେଖିବୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଦ୍ରୋହ ଏବଂ ହିଂସା ପରିବର୍ତ୍ତେ ବର୍ତ୍ତମାନ ଏହି ଜିଲ୍ଲାଗୁଡ଼ିକରେ ବିକାଶଧାରା ପ୍ରବାହିତ ହେଉଛି ।

ଶ୍ରୀ ଗୋବିନ୍ଦ ମୋହନ କହିଛନ୍ତି ଯେ 'ରାଷ୍ଟ୍ରୀୟ ଏକତା ଦିବସ' ପାଳନ ଅବସରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ବିଷୟବସ୍ତୁ ହେଉଛି 'ବନ୍ଦେ ମାତରମ୍'। ସେ କହିଛନ୍ତି, ଚଳିତ ବର୍ଷ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଏବଂ ପରେଡ଼ର ଅନେକ ବିଷୟବସ୍ତୁ ବନ୍ଦେ ମାତରମରୁ ଅନୁପ୍ରାଣିତ ହୋଇ ସାମିଲ କରାଯାଇଛି ।

ଗୃହ ସଚିବ କହିଛନ୍ତି, ଏହି ବର୍ଷର ଉତ୍ସବର ଆଉ ଏକ ନୂତନ ବୈଶିଷ୍ଟ୍ୟ ହେଉଛି ପରେଡ୍ ଏବଂ ସମସ୍ତ ପ୍ରଦର୍ଶନ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଦିନର ଉଚ୍ଚ ତାପମାତ୍ରା ଯୋଗୁଁ ସନ୍ଧ୍ୟାରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ସେଗୁଡ଼ିକୁ ଅଧିକ ରୋମାଞ୍ଚକର ଏବଂ ଆକର୍ଷଣୀୟ କରିବ ।

ସେ ଆହୁରି କହିଛନ୍ତି, ସାଧାରଣତଃ ପ୍ରଜ୍ଞାପନ ମେଢ଼ଗୁଡ଼ିକ ସରକାରୀ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର କିମ୍ବା ଅନ୍ୟାନ୍ୟ ସରକାରୀ ସଂସ୍ଥା ଦ୍ୱାରା ଡିଜାଇନ୍ ଏବଂ ପ୍ରସ୍ତୁତ କରାଯାଇଥାଏ। ଏଥର ଜାତୀୟ ସ୍ତରରେ ଏବଂ ଗୁଜରାଟର ପ୍ରତ୍ୟେକ ଜିଲ୍ଲାରେ ମାଇ ଗଭ୍‌ ଜରିଆରେ ଆୟୋଜିତ ପ୍ରତିଯୋଗିତା ମାଧ୍ୟମରେ ପ୍ରଜ୍ଞାପନ ମେଢ଼ଗୁଡ଼ିକର ଡିଜାଇନ ଏବଂ ବୈଶିଷ୍ଟ୍ୟ ଚୟନ କରାଯାଇଛି।

ଶ୍ରୀ ଗୋବିନ୍ଦ ମୋହନ କହିଛନ୍ତି ଯେ ଜାତୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରୁ ପ୍ରାପ୍ତ ସମସ୍ତ ବିଷୟବସ୍ତୁ ଏବଂ ଡିଜାଇନକୁ ଆଧାର କରି ମୋଟ ୧୫ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯିବ। ଏହି ଡିଜାଇନଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଜନସାଧାରଣଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ, ଏଥିରେ କୌଣସି ସରକାରୀ ମନ୍ତ୍ରଣାଳୟ କିମ୍ବା ବିଭାଗ ସାମିଲ ହେବ ନାହିଁ। ଶ୍ରୀ ମୋହନ କହିଛନ୍ତି, ଆମେ ଏପରି ଏକ ଦିଗରେ ଅଗ୍ରସର ହେଉଛୁ ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ସରକାରୀ ପ୍ରତିଷ୍ଠାନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ବିଷୟବସ୍ତୁ ଅପେକ୍ଷା ଭାରତର ସାଧାରଣ ନାଗରିକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିବ। ପ୍ରଥମ ଥର ପାଇଁ, ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ଲୋକଙ୍କ ଆକାଂକ୍ଷା ପ୍ରତିଫଳିତ ହେବାକୁ ଯାଉଛି ଯାହା ଏକତା ନଗରରେ ଦୃଶ୍ୟମାନ ହେବ।

କେନ୍ଦ୍ର ଗୃହ ସଚିବ କହିଛନ୍ତି, ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା, କିନ୍ତୁ ଏଥର, ଆମେ ଗୁଜରାଟର ଲୋକମାନଙ୍କୁ ସାମିଲ କରିଛୁ। ଗୁଜରାଟରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ପିଢ଼ି ପରେ ପିଢ଼ି ସେଠାରେ ରହି ଆସୁଛନ୍ତି ଏବଂ ଗୁଜରାଟକୁ ନିଜର ଘର ବୋଲି ମାନି ନେଇଛନ୍ତି। ଆମେ ଏହି ସମ୍ପ୍ରଦାୟ ସହିତ ଯୋଗାଯୋଗ କରି ସେମାନଙ୍କୁ ସେମାନଙ୍କ ମୂଳ ରାଜ୍ୟର ସାଂସ୍କୃତିକ ପ୍ରସ୍ତୁତିକୁ ଆଧାର କରି ନିଜସ୍ୱ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ କହିଛୁ। ପ୍ରାୟ ୫୦ଟି ଏପରି ଉପାଦାନକୁ ମିଶ୍ରଣ କରି, ଆମେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିକଳ୍ପନା କରିଛୁ ଯେଉଁଥିରେ ପ୍ରାୟ ୫ ହଜାର କଳାକାର ଅଂଶଗ୍ରହଣ କରିବେ। ଏହା "ଏକ ଭାରତ ଶ୍ରେଷ୍ଠ ଭାରତ"ର ଏକ ମହାନ ଉଦାହରଣ ହେବ ।

ଶ୍ରୀ ଗୋବିନ୍ଦ ମୋହନ କହିଛନ୍ତି, ଗତ ବର୍ଷଠାରୁ, ଆମେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି) ଦ୍ୱାରା ନିର୍ମିତ ଏକ ପ୍ରମୁଖ ନାଟକ ମଞ୍ଚସ୍ଥ କରିଆସୁଛୁ । ଗତ ବର୍ଷର ବିଷୟବସ୍ତୁ ସର୍ଦ୍ଦାର ପଟେଲଙ୍କ ଉପରେ ଆଧାରିତ ଥିଲା। ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ ହେବାକୁ ଥିବା ନାଟକର ବିଷୟବସ୍ତୁ ଶ୍ରୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଯୁଗାନ୍ତକାରୀ ଉପନ୍ୟାସ "ଆନନ୍ଦମଠ" ଉପରେ ଆଧାରିତ ହେବ। ଏହି ନାଟକ "ଆନନ୍ଦମଠ"ର ଚିରନ୍ତନ ଦର୍ଶନ ଉପରେ ଆଧାରିତ ହେବ, ଯେଉଁଥିରେ କୁହାଯାଇଛି ଯେ ପ୍ରତ୍ୟେକ ଭାରତୀୟଙ୍କର ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଦାୟିତ୍ୱ ଅଛି । ଭାରତୀୟମାନେ ସେମାନଙ୍କର ସାଂସ୍କୃତିକ ଐତିହ୍ୟ ପ୍ରତି ସଚେତନ ରହିବା ଉଚିତ ଏବଂ ଦେଶର ଆକାଂକ୍ଷା ପୂରଣ କରିବାରେ ସକ୍ରିୟ ଅଂଶଗ୍ରହଣକାରୀ ହେବା ଉଚିତ ।

*******

PS/Swadhin/Manoj


(ରିଲିଜ ଆଡି: 2326298) ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Gujarati