କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ଆଜି ପାଳିତ ହେଲା ମହିଳା କୃଷକ ଦିବସ - ୨୦୨୬
କୃଷି ବିକାଶ ଓ ବିକଶିତ ଭାରତ ଗଠନରେ ମହିଳା କୃଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ପ୍ରଶଂସା କଲେ କୃଷି ସଚିବ, ମହିଳା ସଶକ୍ତୀକରଣ ପାଇଁ ସରକାର ପ୍ରତିବଦ୍ଧ
ପୋଷ୍ଟ କରାଯିବା ଦିନାଙ୍କ:
15 OCT 2026 5:32PM by PIB Bhubaneswar
ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଆଜି (୧୫ ଅକ୍ଟୋବର ୨୦୨୬) ନୂଆଦିଲ୍ଲୀସ୍ଥିତ ଡକ୍ଟର ବି.ଆର୍. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ‘ମହିଳା କୃଷକ ଦିବସ-୨୦୨୬’ ପାଳନ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତୀୟ କୃଷି କ୍ଷେତ୍ରରେ ମହିଳା କୃଷକମାନଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବା ଏବଂ କୃଷି ବିକାଶକୁ ଆଗକୁ ବଢାଇବା ସହ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଦର୍ଶିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।


କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏ ଆଣ୍ଡ ଏଫଡବ୍ଲୁ)ର ସଚିବ ଶ୍ରୀ ଅତୀଶ ଚନ୍ଦ୍ର ତାଙ୍କ ଅଭିଭାଷଣରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ଅମୂଲ୍ୟ ଅବଦାନ ଉପରେ ଆଲୋକପାତ କରିଥିଲେ। ବିଶେଷକରି ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା, ପ୍ରାକୃତିକ ସମ୍ପଦର ପରିଚାଳନା ଏବଂ କୃଷିର ବିକାଶକୁ ଆଗେଇ ନେବାରେ ମହିଳାଙ୍କ ଭୂମିକାକୁ ସେ ଉଲ୍ଲେଖ କରିଥିଲେ। କୃଷି କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସିଧାସଳଖ ଆୟ ସହାୟତା, ସୁଲଭ ଅନୁଷ୍ଠାନିକ ଋଣ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଦକ୍ଷତା ବିକାଶ, କୃଷି ଯାନ୍ତ୍ରିକୀକରଣ ଏବଂ କୃଷି କାରବାର ଭିତ୍ତିଭୂମିରେ ଉନ୍ନତ ସୁବିଧା ଉପଲବ୍ଧ କରାଇବା ଭଳି ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଗ୍ରଗାମୀ ମହିଳା କୃଷକ, ମହିଳା କୃଷି ସମ୍ପ୍ରସାରଣ କର୍ମୀ ଏବଂ ବିଭିନ୍ନ ବିଭାଗର କର୍ମକର୍ତ୍ତାଙ୍କ ସହ କୃଷି ଓ କୃଷକ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ‘ମହିଳା କୃଷକ ଦିବସ-୨୦୨୬’ର ବିଷୟବସ୍ତୁ ଥିଲା “ବିକଶିତ କୃଷି ଓ ବିକଶିତ ଭାରତ ଗଠନରେ ମହିଳା କୃଷକଙ୍କ ଭୂମିକା”। ଏହି ବିଷୟବସ୍ତୁ କୃଷି ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା, ନିରନ୍ତର କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା, ପ୍ରାକୃତିକ ସମ୍ପଦର ସଂରକ୍ଷଣ କରିବା ଏବଂ ଗ୍ରାମୀଣ ସମୃଦ୍ଧିରେ ଯୋଗଦାନ ଦେବା କ୍ଷେତ୍ରରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇଥାଏ।
ଏହି କାର୍ଯ୍ୟକ୍ରମର ଏକ ଅଂଶସ୍ୱରୂପ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ସଫଳତା ଓ ଅବଦାନ ପାଇଁ ଉତ୍କୃଷ୍ଟ ମହିଳା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି କାର୍ଯ୍ୟକଳାପ ଓ ଗ୍ରାମୀଣ ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ନିଷ୍ଠା, ଦୃଢ଼ ମନୋବଳ, ନବସୃଜନ ଏବଂ ନେତୃତ୍ୱକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ “ଭାରତର ମହିଳା କୃଷକ: ଆହ୍ୱାନରୁ ସଫଳତାର ଯାତ୍ରା” ଶୀର୍ଷକ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ପୁସ୍ତକରେ ମହିଳା କୃଷକମାନଙ୍କ ପ୍ରେରଣାଦାୟକ ସଫଳତାର କାହାଣୀଗୁଡ଼ିକ ସଂକଳିତ ହୋଇଛି। ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ, ସଫଳତା, ନବସୃଜନ ଏବଂ ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତର ଯାତ୍ରାକୁ ଉପସ୍ଥାପନ କରାଯାଇଛି। ଏହି ପୁସ୍ତକ କୃଷି କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗର୍ବର ସହ ଉପସ୍ଥାପନ କରିବା ସହ ସେମାନଙ୍କ ଦକ୍ଷତା, ନେତୃତ୍ୱ ଗୁଣ ଏବଂ ଉଦ୍ୟୋଗୀ ମନୋଭାବକୁ ସ୍ୱୀକୃତି ପ୍ରଦାନ କରିଛି।
ଏହି କାର୍ଯ୍ୟକ୍ରମରେ ମହିଳା କୃଷକ ଓ କୃଷି ସମ୍ପ୍ରସାରଣ କର୍ମଚାରୀମାନଙ୍କୁ ସେମାନଙ୍କର ଅନୁଭୂତି ଏବଂ ସଫଳତାର ଯାତ୍ରା ବାଣ୍ଟିବା ପାଇଁ ଏକ ମଞ୍ଚ ମଧ୍ୟ ପ୍ରଦାନ କରାଯାଇଥିଲା। କେତେକ ଅଂଶଗ୍ରହଣକାରୀ ସଭାରେ ନିଜର ବ୍ୟକ୍ତିଗତ ଅନୁଭୂତି, ସମ୍ମୁଖୀନ ହୋଇଥିବା ଆହ୍ୱାନ, ସଫଳତା ଏବଂ କୃଷି କ୍ଷେତ୍ର ପ୍ରତି ନିଜର ଅବଦାନ ସମ୍ପର୍କରେ ମତ ରଖିଥିଲେ। ସେମାନଙ୍କର ବକ୍ତବ୍ୟଗୁଡ଼ିକ ଉନ୍ନତ କୃଷି ପଦ୍ଧତି ଗ୍ରହଣ କରିବାରେ, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବାରେ ଏବଂ କୃଷି ବିକାଶରେ ଅଂଶଗ୍ରହଣ କରିବାକୁ ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବାରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲା।
ମହିଳା କୃଷକମାନେ କୃଷିର ବିଭିନ୍ନ ପର୍ଯ୍ୟାୟରେ ଉଲ୍ଲେଖନୀୟ ଅବଦାନ ଦେଇଥାନ୍ତି। ଏଥିରେ ଫସଲ ଚାଷ, ପଶୁପାଳନ, ବିହନ ସଂରକ୍ଷଣ, ପ୍ରାକୃତିକ ସମ୍ପଦ ପରିଚାଳନା, ଅମଳ ପରବର୍ତ୍ତୀ କାର୍ଯ୍ୟକଳାପ ଏବଂ କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଆଦି ଅନ୍ତର୍ଭୁକ୍ତ। ସେମାନଙ୍କ ପାରମ୍ପରିକ ଜ୍ଞାନ, ଉଦ୍ୟୋଗୀ ପଦକ୍ଷେପ ଏବଂ ଅଭିନବ ତଥା ଜଳବାୟୁ ସହନଶୀଳ କୃଷି ପଦ୍ଧତି ଗ୍ରହଣ କରିବା ଭାରତୀୟ କୃଷିକୁ ଅଧିକ ଉତ୍ପାଦନଶୀଳ, ସ୍ଥାୟୀ ଓ ସମାବେଶୀ କରିବା ପାଇଁ ଅତ୍ୟନ୍ତ ଜରୁରୀ।
ମହିଳା କୃଷି ଅଧିକାରୀ ଓ କୃଷି ସମ୍ପ୍ରସାରଣ କର୍ମଚାରୀମାନେ ମଧ୍ୟ କୃଷି ଗବେଷଣା ଏବଂ କୃଷକ ସମୁଦାୟ ମଧ୍ୟରେ ରହିଥିବା ଦୂରତା ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ତାଲିମ, ପ୍ରଯୁକ୍ତିବିଦ୍ୟାର ପ୍ରସାର, ସଚେତନତା ସୃଷ୍ଟି ଏବଂ ସରକାରୀ ଯୋଜନା ସମ୍ପର୍କରେ ମାର୍ଗଦର୍ଶନ ମାଧ୍ୟମରେ ସେମାନେ ବୈଜ୍ଞାନିକ କୃଷି ପଦ୍ଧତି ଆପଣାଇବାକୁ ପ୍ରୋତ୍ସାହିତ କରିବା ସହ ମହିଳା କୃଷକମାନଙ୍କୁ ଜ୍ଞାନ ଓ ଅନୁଷ୍ଠାନଗତ ସହାୟତା ପ୍ରଦାନ କରନ୍ତି।
‘ମହିଳା କୃଷକ ଦିବସ - ୨୦୨୬’ କାର୍ଯ୍ୟକ୍ରମ ମହିଳାମାନଙ୍କୁ କୃଷି ପରିବର୍ତ୍ତନରେ ପ୍ରମୁଖ ଅଂଶୀଦାର ଭାବରେ ମାନ୍ୟତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ମହିଳାମାନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା, ସମ୍ବଳ, ଦକ୍ଷତା ବିକାଶର ସୁଯୋଗ ଏବଂ ଅନୁଷ୍ଠାନଗତ ସହାୟତାର ସୁଲଭତା ବୃଦ୍ଧି କରିବା ସହ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ ଏବଂ ନେତୃତ୍ୱ କ୍ଷେତ୍ରରେ ସେମାନଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରିଛି।
‘ମହିଳା କୃଷକ ଦିବସ - ୨୦୨୬’ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, କୃଷି ସମ୍ପ୍ରସାରଣ ଶିକ୍ଷା ପ୍ରତିଷ୍ଠାନ (ଇଇଆଇ), ରାଜ୍ୟ କୃଷି ପରିଚାଳନା ଓ ସମ୍ପ୍ରସାରଣ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସଏଏମଇଟିଆଇ) ଏବଂ ଏମଏଏନଏଜିଇ ପକ୍ଷରୁ ମଧ୍ୟ ପାଳନ କରାଯାଉଛି। ଏଥିରେ ମହିଳା କୃଷକ ଓ ଅନ୍ୟ କୃଷି ଅଂଶୀଦାରମାନେ ଯୋଗ ଦେଉଛନ୍ତି। ବିଶେଷକରି ଆଦିବାସୀ ଅଞ୍ଚଳର ମହିଳା କୃଷକମାନଙ୍କ ଅଂଶଗ୍ରହଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି।
ଏହି ଦିବସ ପାଳନ ଏହି ବାର୍ତ୍ତାକୁ ଦୃଢ଼ କରିଛି ଯେ, ମହିଳା କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ବିକଶିତ କୃଷି ଗଠନ, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ଅପରିହାର୍ଯ୍ୟ।
*****
MT
(ରିଲିଜ ଆଡି: 2324166)
ପରିଦର୍ଶକ କାଉଣ୍ଟର : 5