ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୫ ବ୍ୟାଚ୍‌ର ଆଇଏଫ୍‌ଏସ୍ ଶିକ୍ଷାନବିଶ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ

ପୋଷ୍ଟ କରାଯିବା ଦିନାଙ୍କ: 24 AUG 2026 7:13PM by PIB Bhubaneswar

ଯୁବ କୁଟନୀତିଜ୍ଞମାନଙ୍କୁ ସେମାନଙ୍କ ପୋଷ୍ଟିଂ ଦେଶରେ ତୃଣମୂଳ ସ୍ତରୀୟ ଦୃଢ଼ ସମ୍ପର୍କ ଗଠନ କରିବାକୁ ଏବଂ ସ୍ଥାନୀୟ ସମ୍ପ୍ରଦାୟ ସହିତ ଭାରତର ସମ୍ପର୍କ ଅଧିକ ଗଭୀର କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱ ସହିତ ଭାରତର ଅର୍ଥନୈତିକ ସମ୍ପର୍କ ପାଇଁ ଉତ୍ପେରକ ଏଜେଣ୍ଟ ଭାବରେ କାର୍ଯ୍ୟ କରିବାକୁ ଶିକ୍ଷାନବିଶ ଅଧିକାରୀମାନଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ମିଶନଗୁଡିକର ଡିଜିଟାଲ ଉପସ୍ଥିତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ

ଶିକ୍ଷାନବିଶ ଅଧିକାରୀମାନଙ୍କୁ ସଭ୍ୟତା, ସାଂସ୍କୃତିକ ଏବଂ ଭୌଗଳିକ ଶକ୍ତି ପ୍ରଦର୍ଶନ କରି ଭାରତକୁ ଅଧିକ ଆକର୍ଷଣୀୟ ବିଶ୍ୱ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

 

୨୪ ଅଗଷ୍ଟ ୨୦୨୬: ପିଆଇବି ଦିଲ୍ଲୀ

 

ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ର ୨୦୨୫ ବ୍ୟାଚ୍‌ର ଶିକ୍ଷାନବିଶ ଅଧିକାରୀମାନେ ଆଜି ସେବା ତୀର୍ଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହି ଦଳରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ୫୦ ଜଣ ଆଇଏଫ୍‌ଏସ୍ ଶିକ୍ଷାନବିଶ ଅଧିକାରୀ ସାମିଲ ଥିଲେ ।

ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ଯୁବ କୂଟନୀତିଜ୍ଞମାନଙ୍କୁ ସେମାନଙ୍କ ନିଯୁକ୍ତି ସ୍ଥାନ ଥିବା ଦେଶଗୁଡିକରେ ତୃଣମୂଳ ସ୍ତରରେ ଦୃଢ଼ ସମ୍ପର୍କ ଗଢ଼ିବାକୁ ଏବଂ ସ୍ଥାନୀୟ ସମ୍ପ୍ରଦାୟ ସହିତ ଭାରତର ସମ୍ପର୍କ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତୀୟ ମିଶନଗୁଡିକ କେବଳ ସରକାର ଓ ଅନୁଷ୍ଠାନ ନୁହେଁ, ବରଂ ସାଧାରଣ ଲୋକଙ୍କ ସହିତ ମଧ୍ୟ ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ଉଚିତ । ସେ ଶିକ୍ଷାନବିଶ ଅଧିକାରୀମାନଙ୍କୁ ପାରମ୍ପରିକ କୂଟନୈତିକ ବଳୟ ବାହାରକୁ ଯାଇ ନିଜର ନେଟୱାର୍କ ବୃଦ୍ଧି କରିବାକୁ ଏବଂ ଲୋକଙ୍କ ଓ ସହିତ ସମ୍ପର୍କ ଗଭୀର କରିବାକୁ ଉତ୍ସାହିତ କରିଥିଲେ । ବିଶ୍ୱସ୍ତରରେ ଭାରତର ସମ୍ପୃକ୍ତିକୁ ଆହୁରି ମଜବୁତ କରିବା ପାଇଁ ଭାରତର ସଭ୍ୟତାଗତ ଶକ୍ତିକୁ ପ୍ରଯୁକ୍ତିବିଦ୍ୟା, ନବାଚାର ଏବଂ ପ୍ରଭାବଶାଳୀ ଯୋଗାଯୋଗ ସହିତ ମିଶ୍ରଣ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶିକ୍ଷାନବିଶ ଅଧିକାରୀମାନଙ୍କୁ ବିଶ୍ୱ ସହିତ ଭାରତର ଅର୍ଥନୈତିକ ସମ୍ପୃକ୍ତି କ୍ଷେତ୍ରରେ ଏକ ଶକ୍ତି ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେ ଭାରତୀୟ ମିଶନଗୁଡିକର ଡିଜିଟାଲ ଉପସ୍ଥିତିକୁ ସୁଦୃଢ଼ କରିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାୟତଃ ଏକ ୱେବସାଇଟ୍ ପ୍ରଥମ ମାଧ୍ୟମ ହୋଇଥାଏ ଯାହା ଜରିଆରେ ଲୋକମାନେ କୌଣସି ଅନୁଷ୍ଠାନ ସହିତ ଯୋଗାଯୋଗ କରିଥାନ୍ତି । ତେଣୁ କନସୁଲାର (ରାଷ୍ଟ୍ରଦୂତାବାସ ସମ୍ବନ୍ଧୀୟ) ଓ ଅନ୍ୟାନ୍ୟ ସେବା ପ୍ରଦାନକୁ ଅଧିକ ସୁଗମ, ତ୍ୱରିତ ଏବଂ ନାଗରିକ-କୈନ୍ଦ୍ରିକ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଶିକ୍ଷାନବିଶ ଅଧିକାରୀମାନଙ୍କୁ ଭାରତର ସଭ୍ୟତାଗତ, ସାଂସ୍କୃତିକ ଏବଂ ଭୌଗଳିକ ବିଶେଷତ୍ୱକୁ ଉପସ୍ଥାପନ କରି ଦେଶକୁ ଏକ ଅଧିକ ଆକର୍ଷଣୀୟ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ସେ ସମଗ୍ର ବିଶ୍ୱର ଯୁବବର୍ଗଙ୍କ ମଧ୍ୟରେ ଭାରତ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ “ଭାରତ କୋ ଜାନିଏ” (ଭାରତକୁ ଜାଣନ୍ତୁ) କୁଇଜ୍‌ର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏଭଳି ପଦକ୍ଷେପଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଗେମିଂର ବ୍ୟବହାରକୁ ପ୍ରୋତ୍ସାହିତ କରିଥିଲେ ।

ଶିକ୍ଷାନବିଶ ଅଧିକାରୀମାନେ ସେମାନଙ୍କର ପ୍ରଶିକ୍ଷଣ ଏବଂ ଭାରତ ଦର୍ଶନର ଅନୁଭୂତି ବାଣ୍ଟିଥିଲେ । ସେମାନେ ବିଶ୍ୱ ସହିତ ଭାରତର ସଭ୍ୟତାଗତ ଓ ସାଂସ୍କୃତିକ ସମ୍ପର୍କକୁ ବୁଝିବାର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

 

SR


(ରିଲିଜ ଆଡି: 2320008) ପରିଦର୍ଶକ କାଉଣ୍ଟର : 3