ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

'ସେମିକନ୍ ଇଣ୍ଡିଆ ୨୦୨୬'ର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2026 2:19PM by PIB Bhubaneswar

 

ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ।

 

କେନ୍ଦ୍ର କ୍ୟାବିନେଟ୍‌ରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଜିତିନ୍ ପ୍ରସାଦ ଜୀ, ଏଠାରେ ଉପସ୍ଥିତ ଶିଳ୍ପ ଜଗତର ସମସ୍ତ ନେତୃବୃନ୍ଦ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀମାନେ (ସିଇଓ’ଏସ୍ ), ପ୍ରତିନିଧିଗଣ ଏବଂ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ିହୋଇଥିବା ଶହ-ଶହ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ, ଯେଉଁମାନେ ଭାରତର ଭବିଷ୍ୟତ ଏବଂ ମୋର ଯୁବ ସାଥୀମାନେ। ଏଠାରେ ଉପସ୍ଥିତ, ବହୁ ସଂଖ୍ୟାରେ ଆସିଥିବା ଉତ୍ସାହୀ ଯୁବବନ୍ଧୁ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ!

ଏହା ହେଉଛି 'ସେମିକନ୍ ଇଣ୍ଡିଆ'ର ପଞ୍ଚମ ସଂସ୍କରଣ। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବିଦେଶରୁ ଆସିଥିବା ଅତିଥିମାନଙ୍କୁ ମୁଁ ବିଶେଷ ଭାବରେ ସ୍ୱାଗତ ଜଣାଉଛି।

ବନ୍ଧୁଗଣ,

ଆଜି ବିଶ୍ୱକର୍ମା ଜୟନ୍ତୀ ମଧ୍ୟ ଅଟେ। ବିଶ୍ୱକର୍ମା ଜୟନ୍ତୀ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆମ ପରମ୍ପରାରେ ଭଗବାନ ବିଶ୍ୱକର୍ମାଙ୍କୁ ନିର୍ମାଣ ଓ ସୃଜନ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏବଂ ଦେଖନ୍ତୁ କିପରି ଏକ ସଂଯୋଗ, ଆଜି ହିଁ 'ସେମିକନ୍ ଇଣ୍ଡିଆ'ର ଶୁଭାରମ୍ଭ ହେଉଛି। ଗୋଟିଏ ପଟେ ଆମର ଶତାବ୍ଦୀ ପୁରୁଣା ସୃଜନ ପରମ୍ପରା ଏବଂ ଅନ୍ୟ ପଟେ ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ଓ ଦୂରଦୃଷ୍ଟି, ଏହା ହିଁ ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ପାଇଁ ଆମର ପ୍ରେରଣା ।

ବନ୍ଧୁଗଣ,

ପ୍ରତ୍ୟେକ ନାଗରିକ ଏକ ବିକଶିତ ଭାରତ ଗଠନ ପାଇଁ ପ୍ରତିଶୃତିବଦ୍ଧ। ଯଦି ଆମେ କେବଳ ଗତ ୧୫ ଦିନ ଉପରେ ନଜର ପକାଇବା, ମୁଁ କେବଳ ୧୫ ଦିନ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛି,  ତେବେ ଆମେ ଦେଖିପାରିବା ଯେ ଭାରତ ଏବେ କେଉଁ ଦିଗରେ ଏବଂ କେଉଁ ଗତିରେ ଆଗକୁ ବଢୁଛି। ଏହି ସେପ୍ଟେମ୍ବର ମାସରେ, ମାତ୍ର ୧୦ ଦିନ ପୂର୍ବେ ମୁମ୍ବାଇରେ 'ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ' ଅନୁଷ୍ଠିତ ହୋଇଥିଲା। ସେଠାରେ ଏଜେଣ୍ଟିକ ଏଆଇ , ଟୋକେନାଇଜେସନ୍ ଏବଂ କ୍ୱାଣ୍ଟମ୍ ଟେକ୍ନୋଲୋଜି ମାଧ୍ୟମରେ ଅନ୍ତର୍ଭୁକ୍ତୀକରଣ ଆର୍ଥିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ସେହି ସମୟ ମଧ୍ୟରେ, ଭାରତରେ ପ୍ରାୟ ତିନି ହଜାର କିଲୋମିଟର ଦୀର୍ଘ 'ଡେଡିକେଟେଡ୍ ଫ୍ରେଟ୍ କରିଡର୍' ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇଥିଲା। ଏହା ମୁଁ ସେପ୍ଟେମ୍ବର ମାସର ସେହି ୧୦ ଦିନ ବିଷୟରେ କହୁଛି ସାଥିମାନେ, ବହୁତ ପୁରୁଣା ଦିନର କଥା କହୁନାହିଁ । ଏହାଦ୍ବରା ଦେଶରେ ମାଲ୍ ପରିବହନ ତ୍ୱରାନ୍ୱିତ ହେବ, ଲଜିଷ୍ଟିକ୍ସ ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ଉତ୍ପାଦନ କ୍ଷେତ୍ରକୁ ମଧ୍ୟ ନୂତନ ଶକ୍ତି ମିଳିବ।

ବନ୍ଧୁଗଣ,

ଏହି ସମୟ ମଧ୍ୟରେ, ଅର୍ଥାତ୍ ଏହି ସେପ୍ଟେମ୍ବର ମାସରେ ହିଁ, ଭାରତର ତ୍ରୈମାସିକ ଜିଡିପି ରିପୋର୍ଟ ପ୍ରକାଶ ପାଇଥିଲା। ଏବଂ ଏହି ଆହ୍ୱାନପୂର୍ଣ୍ଣ ସମୟରେ ମଧ୍ୟ ଭାରତ ୭.୮ ପ୍ରତିଶତ ଅଭିବୃଦ୍ଧି ହାସଲ କରି ଦେଖାଇଛି। ସେହି ସମୟରେ, ଜାପାନର ଏକ କ୍ରେଡିଟ୍ ରେଟିଂ ଏଜେନ୍ସି ଭାରତର ସାର୍ବଭୌମ ମୂଲ୍ୟାଙ୍କନକୁ ଉନ୍ନତ କରିଛି । ଏବଂ ଏହା ତିନି ଦଶନ୍ଧିପରେ, ଅର୍ଥାତ୍ ପ୍ରାୟ ୩୫ ବର୍ଷ ପରେ ହୋଇଛି। ଏହାର ଅର୍ଥ ହେଉଛି, ଗୋଟିଏ ପଟେ ଭାରତର ଅର୍ଥନୀତି ଅଭିବୃଦ୍ଧି କରୁଛି ଏବଂ ଅନ୍ୟ ପଟେ ଭାରତ ପ୍ରତି ବିଶ୍ୱର ବିଶ୍ୱାସ ମଧ୍ୟ ବୃଦ୍ଧି ପାଉଛି।

ବନ୍ଧୁଗଣ,

ମାତ୍ର ତିନି ଦିନ ପୂର୍ବେ ବ୍ରିକ୍ସ ସମ୍ମିଳନୀରେ ଏହି ବିଶ୍ୱାସର ଆଉ ଏକ ବଡ଼ ଚିତ୍ର ଦେଖିବାକୁ ମିଳିଥିଲା। ଭାରତ ସଫଳତାର ସହ ଏହି ସମ୍ମିଳନୀ ଆୟୋଜନ କରିଥିଲା। ସର୍ବସମ୍ମତି କ୍ରମେ 'ନୂଆଦିଲ୍ଲୀ ଘୋଷଣାନାମା' ଗ୍ରହଣହେବା, ଭାରତ ପ୍ରତି ବିଶ୍ୱର ବିଶ୍ୱାସର ଆଉ ଏକ ବଡ଼ ପ୍ରମାଣ ଅଟେ।

ବନ୍ଧୁଗଣ,

ଭାରତର ଏହି ସଫଳତା ମଧ୍ୟରେ, 'ସେମିକନ୍ ଇଣ୍ଡିଆ'ର ଏହି କାର୍ଯ୍ୟକ୍ରମଟି ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ଏହାର ପ୍ରଥମ ସଂସ୍କରଣ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଆମେ ପ୍ରତିବର୍ଷ ଏକାଠି ହେଉଛୁ, କିନ୍ତୁ ପ୍ରତିବର୍ଷ ଆମ ଆଲୋଚନାର ବିଷୟବସ୍ତୁ ଭିନ୍ନ ରହିଥାଏ। ପ୍ରଥମ ସଂସ୍କରଣରେ ଆମେ ନୀତି ସମ୍ପର୍କରେ ଆଲୋଚନା କରିଥିଲୁ। ପରବର୍ତ୍ତୀ ସଂସ୍କରଣଗୁଡ଼ିକରେ ଆଲୋଚନା ଆଗକୁ ବଢ଼ିଥିଲା। ଆମେ ପ୍ରକଳ୍ପଗୁଡ଼ିକ ବିଷୟରେ, ଫାଇଲ୍ ସ୍ୱାକ୍ଷର କରିବା ଠାରୁ ଆରମ୍ଭ କରି ଭିତ୍ତିପ୍ରସ୍ତର ସ୍ଥାପନ କରିବା ପର୍ଯ୍ୟନ୍ତ କଥା ହେବା ଆରମ୍ଭ କଲୁ । ଗତ ବର୍ଷ ଆମେ ପାଇଲଟ୍ ଲାଇନ୍ସ୍ ଏବଂ ଟେଷ୍ଟ ଚିପ୍ସ ବିଷୟରେ ଆଲୋଚନା ଆରମ୍ଭ କରିଥିଲୁ। ଭାରତର ୟୁନିଟ୍‌ଗୁଡ଼ିକରୁ କିପରି ପ୍ରଥମ ନମୁନା ବାହାରିଲା, ଏହା ଉପରେ ଆଲୋଚନା ଆରମ୍ଭ ହେଲା । ଚଳିତ ବର୍ଷ, ଆମେ ବ୍ୟବସାୟିକ ଉତ୍ପାଦନ ବିଷୟରେ କଥା ହେଉଛୁ। ବର୍ତ୍ତମାନ ଭାରତର ପ୍ଲାଣ୍ଟଗୁଡ଼ିକରୁ ଚିପ୍ ବାହାରୁଛି ଏବଂ ଭାରତ ତଥା ବିଶ୍ୱର ଗ୍ରାହକଙ୍କ ନିକଟରେ ପହଞ୍ଚୁଛି। ଏବଂ ବର୍ତ୍ତମାନ ହିଁ, ମୋହାଲି ଓ ସୁରଟରେ ଆଉ ଦୁଇଟି ପ୍ଲାଣ୍ଟରେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହୋଇଛି। ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଯେକୌଣସି ଦେଶ ପାଇଁ ଏତେ କମ୍ ସମୟ ମଧ୍ୟରେ ଏହି ସ୍ତରରେ ପହଞ୍ଚିବା ସହଜ ନୁହେଁ। ଏହା ଏପରି ଏକ କ୍ଷେତ୍ର ନୁହେଁ ଯେଉଁଠାରେ କେବଳ ଏକ କାରଖାନା ସ୍ଥାପନ କଲେ କାମ ଶେଷ ହୋଇଯିବ। ବୈଷୟିକ କ୍ଷମତା ବିକାଶ କରିବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗିଥାଏ। ବିଶ୍ୱର ଯେଉଁ ସ୍ଥାନରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଠିତ ହୋଇଛି, ତାହା ଦୀର୍ଘ ଦଶନ୍ଧିର ପ୍ରୟାସ ପରେ ହିଁ ସମ୍ଭବ ହୋଇପାରିଛି। କିନ୍ତୁ ଭାରତ, ଆପଣମାନଙ୍କ ସହଯୋଗରେ ଚିପ୍ ଡିଜାଇନ୍, ଉତ୍ପାଦନ, ଉପକରଣ ନିର୍ମାଣ, ସାମଗ୍ରୀ ଇକୋସିଷ୍ଟମ୍ ଏବଂ ପରୀକ୍ଷଣ କ୍ଷମତା ଭଳି ବିଭିନ୍ନ କ୍ଷେତ୍ରରେ ଏକାସାଙ୍ଗରେ କାର୍ଯ୍ୟ କରିଛି ଏବଂ ସଫଳତା ହାସଲ କରିଛି। ଏହି ଯାତ୍ରାରେ ଆପଣ ଶିଳ୍ପ ଜଗତର ନେତୃବୃନ୍ଦ ହିଁ ମୁଖ୍ୟ ଅଂଶୀଦାର ରହିଆସିଛନ୍ତି। ଆପଣମାନେ ହିଁ ଭାରତର ସଫଳତାର ମୂଳସ୍ତମ୍ଭ ଏବଂ ଆମ ଯାତ୍ରାର ସହଯୋଗୀ ଅଟନ୍ତି।

ବନ୍ଧୁଗଣ,

ସେମିକଣ୍ଡକ୍ଟର ଶିଳ୍ପରେ 'ଟେପ୍-ଆଉଟ୍' ନାମକ ଏକ ଶବ୍ଦ ରହିଛି। ଏହା ହେଉଛି ସେହି ଦିନ ଯେତେବେଳେ ଏକ ଚିପ୍ର ଡିଜାଇନ୍ ସମ୍ପୂର୍ଣ୍ଣ ହେବା ପରେ ଉତ୍ପାଦନ ପର୍ଯ୍ୟାୟକୁ ଯାଇଥାଏ। କିନ୍ତୁ 'ଟେପ୍-ଆଉଟ୍' ପରେ କାମ ବନ୍ଦ ହୋଇଯାଏ ନାହିଁ। ସେହି ଦିନ ହିଁ ପରବର୍ତ୍ତୀ ସଂସ୍କରଣ ଉପରେ କାମ ଆରମ୍ଭ ହୋଇଯାଇଥାଏ। ଏବଂ ଭାରତ ମଧ୍ୟ ସେହିପରି କରୁଛି। ଭାରତ 'ସେମିକଣ୍ଡକ୍ଟର ମିଶନ୍'ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଆମର ପ୍ରଥମ ପର୍ଯ୍ୟାୟର ଆକାର ପ୍ରାୟ ୮ ବିଲିୟନ ଡଲାର ଥିଲା, ଯେତେବେଳେ କି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆମେ ୧୩.୫ ବିଲିୟନ ଡଲାର ନିର୍ଦ୍ଧାରଣ କରିଛୁ। 'ସଂସ୍କାର ଏକ୍ସପ୍ରେସ୍'ରେ ଆଗକୁ ବଢ଼ି ଆମେ ଏହି କ୍ଷେତ୍ରରେ ଆହୁରି ଅନେକ ସଂସ୍କାର ଆଣିଛୁ। ବର୍ତ୍ତମାନ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ମଧ୍ୟ ଆମର ଷ୍ଟାର୍ଟଅପ୍, ଭାରତୀୟ ଡିଜାଇନ୍ କମ୍ପାନୀ ଏବଂ ଓସିଆଇ -ମାଲିକାନାଧୀନ କମ୍ପାନୀଗୁଡ଼ିକ ସହିତ ସହଯୋଗ କରିପାରିବେ। ଏହାର ଅର୍ଥ ହେଉଛି - ନୀତି ହେଉ, ପାଣ୍ଠି ହେଉ କିମ୍ବା ନିୟାମକ ବ୍ୟବସ୍ଥା, ଆପଣଙ୍କ ପ୍ରକଳ୍ପର ସଫଳତା ପାଇଁ ଯାହା କିଛି ଆବଶ୍ୟକ, ଭାରତ ସରକାର ସେଥିପାଇଁ ପ୍ରତ୍ୟେକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ବନ୍ଧୁଗଣ,

ଆମର ପ୍ରୟାସ ହେଉଛି ଯେ ଭାରତରେ ଫ୍ୟାବଲେସ୍ କମ୍ପାନୀଗୁଡିକର ଅଭିବୃଦ୍ଧି ହେଉ ଏବଂ ବୌଦ୍ଧିକ ସମ୍ପତ୍ତି ସୃଷ୍ଟି କରିବା ଭାରତରେ ହେଉ | ଏହା ବିଭିନ୍ନ ପ୍ରକାରର ଯୌଗିକ ସେମିକଣ୍ଡକ୍ଟର ତିଆରି କରୁଛି, ସିଲିକନ୍ ଫୋଟୋନିକ୍ସକୁ ଇକୋସିଷ୍ଟମର ଏକ ଅଂଶ ହେବା ହେଉ,  ଏଆଇ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା, ଏହା ସବୁ ଆବଶ୍ୟକ | ଏବଂ ଏହି ଦିଗରେ, ଆମେ ଏକତ୍ରିତ ହୋଇ ଆଗକୁ ବଢିବାକୁ ହେବ | ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି | ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାକୁ ମଧ୍ୟ ଭାରତ ଅଧିକ ଧ୍ୟାନ ଦେଉଛି। ଏଥିପାଇଁ ଅନେକ ସଂସ୍କାର କରାଯାଇଛି। ଏଠାରେ ଥିବା ଯନ୍ତ୍ରପାତି କମ୍ପାନୀଗୁଡିକର ମୂଖ୍ୟମାନଙ୍କୁ ମୁଁ କହୁଛି, ମୁଁ ଆପଣମାନଙ୍କୁ କହୁଛି ଆପଣମାନେ ଏହାର ଲାଭ ଉଠାନ୍ତୁ ପଛରେ ରୁହନ୍ତୁ ନାହିଁ | ରାସାୟନିକ ପଦାର୍ଥ, ଗ୍ୟାସ୍ ଏବଂ ସାମଗ୍ରୀ ପାଇଁ , ତାହାର ମୂଖ୍ୟମାନଙ୍କ ପାଇଁ ମଧ୍ୟ ଭାରତରେ ସୁବର୍ଣ୍ଣ ସୁଯୋଗ ଅପେକ୍ଷା କରିଛି | ଆମେ ଚାହୁଁ ଯେ ସମଗ୍ର ଇକୋସିଷ୍ଟମ୍ ଏକାଠି ବୃଦ୍ଧି ହେଉ | ଏଥିପାଇଁ ଡିମାଣ୍ଡ ପାଇପଲାଇନ ମଧ୍ୟ ପ୍ରସ୍ତୁତ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିସାରିଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପରିସର ଆହୁରି ବୃଦ୍ଧିପାଇବ  |

ବନ୍ଧୁଗଣ,

ଭାରତରେ ଆପଣଙ୍କ ସମସ୍ତଙ୍କ ପାଇଁ ଆଉ ଏକ ସୁବିଧା ହେଉଛି ଯୁବକ, ଦକ୍ଷ, ଦକ୍ଷ ମାନବ ଶକ୍ତି | ଆଜି ଆମର ଇଞ୍ଜିନିୟରିଂ ପ୍ରତିଭାର ଏକ ବହୁତ ବଡ ପୁଲ୍ ଅଛି | ଭାରତରେ ହଜାର-ହଜାର ଇଞ୍ଜିନିୟରିଂ କଲେଜ ଅଛି ଏବଂ ପ୍ରତିବର୍ଷ ଭାରତ ଲକ୍ଷ-ଲକ୍ଷ ଇଞ୍ଜିନିୟର ବାହାରିଥାନ୍ତି | ଥରେ, ଏକ ଆମେରିକୀୟ କମ୍ପାନୀର ଜଣେ ଭଦ୍ରଲୋକ ମୋତେ ଭେଟିବାକୁ ଆସିଥିଲେ | ସେ କହିଲେ, ଯଦି ଆମେ ଆମ ଦେଶରେ ଇଞ୍ଜିନିୟର ନିଯୁକ୍ତି କରିବାକୁ ଚାହିଁବୁ,  ତେବେ ତାଙ୍କୁ ଡ଼ାକିବୁ, କିନ୍ତୁ ସେମାନେ ସମସ୍ତେ ଗୋଟିଏ କୋଠରୀ ମଧ୍ୟରେ ରହିଯିବେ। କିନ୍ତୁ ଯଦି ଆମେ ଭାରତରେ ଇଞ୍ଜିନିୟରମାନଙ୍କୁ ଡାକିବୁ, ସେମାନଙ୍କ ପାଇଁ ଏକ ଫୁଟବଲ୍ ପଡ଼ିଆ ମଧ୍ୟ ବହୁତ ଛୋଟହେବ । ଏହା ହେଉଛି ଭାରତର ଶକ୍ତି |

ଏବଂ ବନ୍ଧୁଗଣ,

 

ଚିପ୍ ଡିଜାଇନ୍ ପାଇଁ, ବହୁତ ବଡ଼ ଆକାରରେ ସ୍କିଲିଂ କାର୍ଯ୍ୟ ଚାଲିଛି | ଏବେ ଏଠାକୁ ଆସିବା ପୂର୍ବରୁ ,  ଏହି କ୍ୟାମ୍ପସରେ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ କିଛି ଯୁବକ ସାଥୀଙ୍କୁ ମଧ୍ୟ ମୁଁ ଭେଟିଥିଲି , ସେମାନେ ସମେସ୍ତ ଛାତ୍ରଥିଲେ | ଏହି ଛାତ୍ରମାନେ ମୋତେ ନିଜେ ଡିଜାଇନ୍ କରିଥିବା ଚିପ୍ସ ଉପହାର ଦେଇଛନ୍ତି | ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଲକ୍ଷ ଇଞ୍ଜିନିୟରିଂ ଛାତ୍ରଙ୍କୁ ତାଲିମ ଦେବାକୁ ଆମ ସରକାର ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏବଂ ଯେମିତି ଆପଣ ସମସ୍ତଙ୍କୁ ଯେପରି କୁହାଯାଇଛି, ଆମେ ୭୦ ହଜାରରୁ ଅଧିକ ଯୁବକଙ୍କୁ ତାଲିମ ଦେଇସାରିଛୁ। ଏତେ ବଡ଼ ପ୍ରତିଭା ପୁଲ ଆପଣଙ୍କ ସମସ୍ତଙ୍କ ପାଇଁ ଏହା ଏକ ସୁନା ଖଣିଠାରୁ କମ୍ ନୁହେଁ |

ବନ୍ଧୁଗଣ,

ସରକାରଙ୍କ ଏହି ଉଦ୍ୟମ ମଧ୍ୟରେ ଆଜି ମୁଁ ଯୁବକମାନଙ୍କୁ ମଧ୍ୟ ଆହ୍ବାନ କରିବି,ଭାରତରେ ଯେଉଁ ଯୁବ ପ୍ରତିଭାମାନେ ଗବେଷଣା କରୁଛନ୍ତି ,ସେମାନେ ଆଗକୁ ଆସିବା ଉଚିତ୍। ସେହି ଯୁବକମାନେ, ଯେଉଁମାନେ ବିଦେଶରେ ଗବେଷଣା କରୁଛନ୍ତି , ସେମାନେ ମଧ୍ୟ ଭାରତରେ ଉନ୍ନତ ଜ୍ଞାନକୌଶଳର ବିକାଶ ସହିତ ଯୋଡ଼ି ହେବା ଉଚିତ୍ | ମୁଁ ଶିଳ୍ପପତିମାନଙ୍କୁ ଅନୁରୋଧ କରୁଛି ଯେ ଦେଶରେ ଆର୍ ଏବଂଡ଼ିକୁ ଆଗେଇ ନିଅନ୍ତୁ | ଏହା ଶିଳ୍ପକୁ ଲାଭ ଦେବ ଏବଂ ଭାରତର ଯୁବ ଶକ୍ତିଙ୍କୁ  ମଧ୍ୟ ଶକ୍ତି ମିଳିବ।

ବନ୍ଧୁଗଣ,

ଅଗ୍ରଗତି କରୁଥିବା ସେମିକଣ୍ଡକ୍ଟର ଶିଳ୍ପ ଆଗରେ ମଧ୍ୟ କିଛି ଆହ୍ୱାନ ରହିଛି, ଆପଣମାନେ ସମସ୍ତେ ଅବଗତ ଅଛନ୍ତି। ବର୍ଷ ବର୍ଷ ଧରି, ଆପଣଙ୍କ ଶିଳ୍ପର ଲୋକମାନେ ଟ୍ରାନ୍ଜିଷ୍ଟରର ଆକାର ବିଷୟରେ ଆଲୋଚନା କରୁଥିଲେ। ଯେମିତି ଟ୍ରାନ୍ଜିଷ୍ଟରଗୁଡ଼ିକର ଆକାର ଛୋଟ ହେଲା, କମ୍ପ୍ୟୁଟିଂ ପ୍ରକ୍ରିୟା ଅଧିକ ଦ୍ରୁତ ଏବଂ ଦକ୍ଷ ହୋଇପାରିଲା। ଆଜି ମଧ୍ୟ ଏହି ପ୍ରଶ୍ନଟି ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ବର୍ତ୍ତମାନ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଆଗମନ ହେବାଦ୍ବାରା ଏହି ଶିଳ୍ପ ସାମ୍ନାରେ କିଛି ନୂତନ ପ୍ରଶ୍ନ ଉପୁଜିଛି। ଗତ ଦୁଇ ବର୍ଷ ମଧ୍ୟରେ, ବିଶ୍ୱ ସେମିକଣ୍ଡକ୍ଟର ବଜାର ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏବଂ ଏହି ଅଭିବୃଦ୍ଧିର ଏକ ବଡ଼ ଅଂଶ ଏଆଇ ଦ୍ୱାରା ସୃଷ୍ଟ ଚାହିଦା ଯୋଗୁଁ ସମ୍ଭବ ହୋଇଛି। ଏହାର ଅର୍ଥ ହେଉଛି, ଯଦି ଆଜି ଆପଣ ଏଆଇ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ତେବେ ଆହ୍ୱାନଗୁଡ଼ିକ କେବଳ ଚିପ୍ ଭିତରେ ଥିବା ବିଷୟବସ୍ତୁ ସହିତ ଜଡ଼ିତ ନୁହେଁ, ବରଂ ଏହାର ଆଖପାଖରେ ଘଟୁଥିବା ଘଟଣାବଳୀ ସହିତ ମଧ୍ୟ ଜଡ଼ିତ। ପ୍ରୋସେସର ନିକଟକୁ ମେମୋରୀକୁ ଆଣିବା, ଅନେକ ଚିପ୍‌କୁ ଏପରି ଭାବରେ ସଂଯୋଗ କରିବା ଯେପରି ସେଗୁଡ଼ିକ ଏକ ସିଷ୍ଟମ୍ ଭାବରେ ମିଳିତ ଭାବେ କାର୍ଯ୍ୟ କରିବେ, ବିଳମ୍ବ ବିନା ବିପୁଳ ପରିମାଣର ତଥ୍ୟ ସ୍ଥାନାନ୍ତର କରିବା, ତଥା ଉତ୍ତାପ ଓ ଶକ୍ତି ପରିଚାଳନା କରିବା, ଏଭଳି ଅନେକ ଆହ୍ୱାନ ସେମିକଣ୍ଡକ୍ଟର ଶିଳ୍ପ ସାମ୍ନାରେ ରହିଛି। ଏହି ଆହ୍ୱାନଗୁଡ଼ିକ ମଧ୍ୟରେ, ବିଶ୍ୱକୁ ନୂତନ ଏବଂ ନିର୍ଭରଯୋଗ୍ୟ ଉତ୍ପାଦନ କେନ୍ଦ୍ରର ସବୁଠାରୁ ଅଧିକ ଆବଶ୍ୟକତା ରହିଛି। ଏବଂ ଭାରତରେ, ମୁଁ ଆପଣଙ୍କୁ ବିଶ୍ବାସର ସହିତ କହୁଛି, ଭାରତ ଏଥିପାଇଁ ନିରନ୍ତର ନିଜକୁ ପ୍ରସ୍ତୁତ କରୁଛି।

ବନ୍ଧୁଗଣ,

ଆଜି ସେମିକଣ୍ଡକ୍ଟର ଶିଳ୍ପ ସମ୍ମୁଖରେ ଅନ୍ୟ ଏକ ପ୍ରମୁଖ ବିଷୟ ଶକ୍ତି ସୁରକ୍ଷାର ମଧ୍ୟ ରହିଛି । କୃତ୍ରିମ ବୁଦ୍ଧିମତ୍ତା ପାଇଁ ପ୍ରସ୍ତୁତ ଚିପ୍‌ଗୁଡ଼ିକ ଏଆଇ ଡାଟା ସେଣ୍ଟରରେ ବ୍ୟବହୃତ ହୁଏ। ଏହି ଡାଟା ସେଣ୍ଟରଗୁଡ଼ିକରେ ହଜାର ହଜାର ଉଚ୍ଚ-କ୍ଷମତା ସମ୍ପନ୍ନ ପ୍ରୋସେସର ଏକାଠି କାମ କରନ୍ତି ଏବଂ ବିପୁଳ ପରିମାଣର ତଥ୍ୟ ବା ଡାଟା ପ୍ରକ୍ରିୟାକରଣ ହୋଇଥାଏ । ଯେହେତୁ ଏଆଇର ପ୍ରସାର ଘଟୁଛି, ସେହି ଅନୁପାତରେ କମ୍ପ୍ୟୁଟିଂ କ୍ଷମତାର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବ। ଆଉ ଯେତେବେଳେ କମ୍ପ୍ୟୁଟିଂ କ୍ଷମତା ବୃଦ୍ଧି ପାଇବ, ସେତେବେଳେ ବିଦ୍ୟୁତ୍‌ର ଆବଶ୍ୟକତା ମଧ୍ୟ ବହୁଳ ଭାବରେ ବୃଦ୍ଧି ପାଇବ। ତେଣୁ, ଶକ୍ତି କ୍ଷେତ୍ରରେ ନିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମର କାରଖାନାଗୁଡ଼ିକ ଯେଉଁଠାରେ ଅବସ୍ଥିତ, ସେଠାରେ ଆବଶ୍ୟକ ସମୟରେ ଓ ଆବଶ୍ୟକ ପରିମାଣରେ ବିଦ୍ୟୁତ୍ ଉପଲବ୍ଧ ହେବା ଅତ୍ୟନ୍ତ ଜରୁରୀ। ସେଥିପାଇଁ ଭାରତ ଆଜି ଶକ୍ତି କ୍ଷେତ୍ରରେ ବହୁତ ବଡ଼ ନିବେଶ କରୁଛି। ଗତ ଦଶନ୍ଧି ମଧ୍ୟରେ, ଆମର ସ୍ଥାପିତ ସୌର ଶକ୍ତି କ୍ଷମତା ପ୍ରାୟ ୨ ଗିଗାୱାଟ୍‌ରୁ ବୃଦ୍ଧି ପାଇ ୧୬୦ ଗିଗାୱାଟ୍‌ରୁ ଅଧିକ ହୋଇଛି  ଅର୍ଥାତ୍ ୨ରୁ ୧୬୦କୁ। ପରମାଣୁ ଶକ୍ତି କ୍ଷେତ୍ରରେ ମଧ୍ୟ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ। ଏହି କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀଙ୍କ ପାଇଁ ଖୋଲା ଯାଇଛି। ଆମେ କ୍ଷୁଦ୍ର ମଡ୍ୟୁଲାର୍ ରିଆକ୍ଟର ଉପରେ ମଧ୍ୟ କାର୍ଯ୍ୟ କରୁଛୁ। ଗତ ଦଶନ୍ଧି ମଧ୍ୟରେ ଭାରତ ନିଜର ବିଦ୍ୟୁତ୍ ସଞ୍ଚାରଣ ନେଟୱାର୍କର ମଧ୍ୟ ସମ୍ପ୍ରସାରଣ କରିଛି।

ବନ୍ଧୁଗଣ,

ଭାରତରେ ବିଦ୍ୟୁତ୍ ଭିତ୍ତିଭୂମିର ଏହି ସମ୍ପ୍ରସାରଣ ଆମର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ପାଇଁ ମଧ୍ୟ ଏକ ପ୍ରମୁଖ ଶକ୍ତି । ଭାରତ ଆମକୁ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳ କରିବା ପାଇଁ ପ୍ରତ୍ୟେକ ପଦକ୍ଷେପ ନେଉଛି।

ବନ୍ଧୁଗଣ,

ଭାରତ ହେଉଛି ଗଣତନ୍ତ୍ରର ଜନନୀ। କିଛି ବର୍ଷ ପୂର୍ବେ ଆମ ସମ୍ବିଧାନ ୭୫ ବର୍ଷ ପୂରଣ କରିଛି। ଯେତେବେଳେ ଏଭଳି ଏକ ଦେଶ କୌଣସି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ କ୍ଷେତ୍ରରେ ସଫଳ ହୁଏ, ସେତେବେଳେ ଏହା ସମଗ୍ର ବିଶ୍ୱର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ ​​କରିଥାଏ। ଆଉ ଆଜି, ଯେତେବେଳେ ଯୋଗାଣ ଶୃଙ୍ଖଳାକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଭାରତରେ ଘଟୁଥିବା ବିକାଶକୁ ଆମକୁ ଏହି ବ୍ୟାପକ ଦୃଷ୍ଟିକୋଣରୁ ଦେଖିବାକୁ ହେବ। ଭାରତର ଆକାଂକ୍ଷା ଆପଣମାନଙ୍କ ସାମ୍ନାରେ ରହିଛି ଏବଂ ଭାରତରେ ସୃଷ୍ଟି ହେଉଥିବା ନୂତନ ସୁଯୋଗଗୁଡ଼ିକ ଆପଣମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛି। ପୁଣିଥରେ, ଏହି କାର୍ଯ୍ୟକ୍ରମ ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନେକ-ଅନେକ ଅଭିନନ୍ଦନ ଜଣାଉଛି।

 

ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ।

 

 

 

******

NS

 

 


(ରିଲିଜ ଆଡି: 2319194) ପରିଦର୍ଶକ କାଉଣ୍ଟର : 13