ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜୁରାଟର ଭଦୋଦରାରେ 'ନମୋ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
08 SEP 2026 4:23PM by PIB Bhubaneswar
ଭାରତ ମାତା କି ଜୟ।
ଭାରତ ମାତା କି ଜୟ।
ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଏହି କାର୍ଯ୍ୟକ୍ରମରେ ଆମ ସହିତ ଅନଲାଇନ ମାଧ୍ୟମରେ ଅନେକ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ଦେଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ଜୀ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଜୀ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ସୁନେତ୍ର ପାୱାର ଜୀ, ଅନ୍ୟାନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଏଠାରେ ଏକତ୍ରିତ ହୋଇଥିବା ଲକ୍ଷ-ଲକ୍ଷ ନାଗରିକ ଭାଇ ଓ ଭଉଣୀମାନେ । ମଞ୍ଚ ଉପରେ ଉପସ୍ଥିତ ଥିବା କେନ୍ଦ୍ର କ୍ୟାବିନେଟର ମୋର ସାଥି ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ ଯୁବ ନେତା ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ଅନ୍ୟାନ୍ୟ ଜନପ୍ରତିନିଧିଗଣ, ଗୁଜରାଟର ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ ।
ବିଶେଷକରି ମୋର ଭଦୋଦରା ମହାରାଜା ସୟାଜୀ ରାଓ ବିଶ୍ୱବିଦ୍ୟାଳୟର ଏହି ଭୂମି, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋର ସମସ୍ତ ସହକର୍ମୀଙ୍କ ସହିତ ଏବଂ ବିକାଶର ଏହି ଉତ୍ସବ, ଏଠାରେ ସବୁକିଛି ଏକାଠି ଅନୁଷ୍ଠିତ ହେଉଛି ।
ବନ୍ଧୁଗଣ,
ଆଜି ମୁଁ ବିକଶିତ ଭାରତର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆପଣଙ୍କ ମଧ୍ୟକୁ ଆସିଛି। କିଛି ସମୟ ପୂର୍ବରୁ, ଏଠାରେ ଦେଶର ବିକାଶ ସହିତ ଜଡିତ ହଜାର-ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ମୁଁ ଦେଶବାସୀଙ୍କୁ ମୋର ହୃଦୟରୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି । ବିକାଶର ଏହି ପର୍ବରେ ଆପଣମାନେ ସମସ୍ତେ ଯେଉଁ ସେବାର ଭାବନା ସହିତ ଯେଉଁ ସମଗ୍ର ଭଦୋଦରାରେ ସ୍ୱଚ୍ଛତାର ସହିତ ସ୍ବାଗତ ଅଭିଯାନ ଚଳାଇଛନ୍ତି, ସେଥିପାଇଁ ମୁଁ ଭଦୋଦରାର ପ୍ରତ୍ୟେକ ନାଗରିକଙ୍କୁ ହୃଦୟରୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କର ପ୍ରଶଂସା କରୁଛି । ଏବଂ ଏଠରେ ଆପଣମାନେ ଯେଉଁ ରଂଗ ଦେଖାଇଛନ୍ତି, ମୁଁ ଗତକାଲି ଏକ ଭିଡିଓ ଦେଖୁଥିଲି ଏବଂ ସେତେବେଳେ ମୋର ହୃଦୟ ଗର୍ବରେ ଫୁଲି ଉଠିଲା, ବାହ! ଏହା କ'ଣ ମୋର ଭଦୋଦରା? ଏବଂ ଏବେ, ଗଣେଶୋତ୍ସବ ପାଇଁ ପ୍ରସ୍ତୁତି, ତା'ପରେ ନବରାତ୍ରି। ଗଣେଶୋତ୍ସବ ଏବଂ ନବରାତ୍ରି ସମୟରେ ସମଗ୍ର ଗୁଜରାଟର ଧ୍ୟାନ ଭଦୋଦରା ଉପରେ ରହିଥାଏ । ଏବଂ ଆଜି, ମୁଁ ଆପଣମାନଙ୍କୁ ଦେଖୁଥିଲି ଯେ ଗତ ଏକ ସପ୍ତାହ ଧରି ପ୍ରତ୍ୟେକ ଘରେ ସ୍ୱଚ୍ଛତାର ବାତାବରଣ ଦେଖିବାକୁ ମିଳୁଛି । ମୋର ବିଶ୍ୱାସ ଯେ ଏଥର ଯେତେବେଳେ ଭଗବାନ ଗଣେଶ ଆସିବେ, ତାଙ୍କର ସମସ୍ତ ଆଶୀର୍ବାଦ ଭଦୋଦରା ଉପରେ ବର୍ଷିବ।
ବନ୍ଧୁଗଣ,
ଚଳିତ ବର୍ଷ, ଲାଲକିଲ୍ଲାରୁ ମୁଁ ବିକଶିତ ଭାରତ ପାଇଁ ସଂକଳ୍ପର ସପ୍ତଧାରର ଆହ୍ୱାନ କରିଥିଲି। ଏହି ସପ୍ତଧାରରୁ ମଧ୍ୟରୁ ଗୋଟିଏ ଧାରା ଗତି ଶକ୍ତି ଅଟେ। ଏକ ବିକଶିତ ଭାରତ ପାଇଁ ଆମକୁ ଏପରି ସଂଯୋଗ ଆବଶ୍ୟକ, ଯାହା ସୁଗମ ହୋଇଥିବ ଏବଂ ସମୟାନୁସାରେ ତାଳ ଦେଇ ଗତି ମଧ୍ୟ କରୁଥିବ। ଭଦୋଦରା ହେଉଛି ଗତିଶକ୍ତି ବିଶ୍ୱବିଦ୍ୟାଳୟର ସହର। ଆଜି, ସମର୍ପିତ ମାଲ ପରିବହନ କରିଡରର ଶେଷ ଲିଙ୍କ ଏଠାରେ ସଂଯୋଗ ହୋଇଛି। ଆଜି ୨୮୦୦ କିଲୋମିଟରରୁ ଅଧିକ ସମର୍ପିତ ମାଲ ପରିବହନ କରିଡର ପ୍ରକଳ୍ପ ସମାପ୍ତ ହୋଇଛି। ଏକବିଂଶ ଶତାବ୍ଦୀର ଭାରତ ପାଇଁ ଏହା ବହୁତ ବଡ଼ ଐତିହାସିକ କାର୍ଯ୍ୟ ଯାହା ସଂପନ୍ନ ହୋଇଛି ।
ବନ୍ଧୁଗଣ,
ଏହି ସମର୍ପିତ ମାଲ ପରିବହନ କରିଡର ହେଉଛି, ଗତ ୧୨ ବର୍ଷ ମଧ୍ୟରେ ଦେଶ କାର୍ଯ୍ୟ କରିବାର ସଂସ୍କୃତିରେ କିପରି ପରିବର୍ତ୍ତନ ହୋଇଛି ଏହା ତାହାର ପ୍ରମାଣ। ଏହି ସମର୍ପିତ ମାଲ ପରିବହନ କରିଡରର ବିଚାର ୨୦୦୪ରେ ଆରମ୍ଭ ହୋଇଥିଲା। ଅର୍ଥାତ୍, ମୁଁ ଏଠାରେ ସମସ୍ତ ଯୁବକଙ୍କୁ ଦେଖୁଛି, ଯେତେବେଳେ ଏହି ବିଚାର ପ୍ରଥମେ ଆରମ୍ଭ ହେଲା, ଆପଣମାନଙ୍କ ମଧ୍ୟରୁ ଅନେକ ହୁଏତ ସେ ସମୟରେ ଜନ୍ମ ହୋଇ ନ’ଥିବେ। ୨୦୦୬ ମସିହାରେ ଏହି କାର୍ଯ୍ୟ ପରିଚାଳନା କରିବା ପାଇଁ ଏକ ସ୍ୱତନ୍ତ୍ର କମ୍ପାନୀ ଗଠନ କରାଯାଇଥିଲା, ପୁଣିଥରେ ୨୦୧୪ ପର୍ଯ୍ୟନ୍ତ ଫାଇଲଗୁଡ଼ିକ କ୍ରମାଗତଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରି ବୁଲୁଥିଲା। ଫାଇଲଗୁଡ଼ିକ କେବଳ ଗୋଟିଏ ଟେବୁଲରୁ ଅନ୍ୟ ଟେବୁଲକୁ ଖାଲି ନେବା-ଆଣିବା ହେଲା,ଏବଂ ଦୁର୍ଭାଗ୍ୟବଶତଃ, ଏହି ଫାଇଲଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଏକ ସମର୍ପିତ କରିଡରର ସଫଳତା ପାଇଲା ନାହିଁ। ଫାଇଲଗୁଡ଼ିକ ଫସି ରହିଲା, ପଡ଼ି ରହିଲା ଏବଂ ବୁଲୁଥିଲା। ଏବଂ ୨୦୧୪ରେ, ଭଦୋଦରା, ଗୁଜରାଟ ଏବଂ ଦେଶର ଲୋକମାନେ ମୋତେ ଗୁଜରାଟରୁ ବାହାର କରି ଦିଲ୍ଲୀ ପଠାଇଲେ। ପୂର୍ବ ସରକାର ୨୦୦୦ ପର୍ଯ୍ୟନ୍ତ ରହିଥିଲା। ଆପଣମାନେ ମୋତେ ପଠାଇଲେ , ଏବଂ ସେମାନେ ବିଦା ହେଲେ। ସତ୍ୟ କଥା ଏହା ହେଉଛି ଯେ ସାତ-ଆଠ ବର୍ଷରେ, ମୋର ଯୁବକମାନେ ଟକେ ଶୁଣନ୍ତୁ, ଏହା ମନେରଖନ୍ତୁ, ସାତ-ଆଠ ବର୍ଷରେ ଗୋଟିଏ କିଲୋମିଟର ମାଲ ପରିବହନ କରିଡର ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଯଦି ଦେଶକୁ ସେମାନଙ୍କ ହିସାବରେ ଚଳାଇଥାନ୍ତୁ, ଜଣା ନାହିଁ ଯେ ଆପଣଙ୍କ ପରେ ତିନି-ଚାରି ପିଢ଼ି ଆସିଥାନ୍ତା ହେଲେ ମଧ୍ୟ ଏହା କରିପାରି ନଥାନ୍ତେ। ଭାରତର ଲଜିଷ୍ଟିକ୍ସ ଇକୋସିଷ୍ଟମକୁ ପରିବର୍ତ୍ତନ କରୁଥିବା ପ୍ରକଳ୍ପର ଅବସ୍ଥା ଏହିପରି କରି ରଖିଥିଲେ ।
ବନ୍ଧୁଗଣ,
୨୦୧୪ ପରେ, ଆପଣମାନେ ମୋତେ ଯେଉଁ ଶିକ୍ଷା-ସଂସ୍କାର ଦେଇଥିଲେ,ଏହି ମାଟି ଯାହାକିଛି ମେତେ ଶିଖାଇଥିଲା, ଆପଣମାନଙ୍କଠାରୁ ଯେଉଁ ଶିକ୍ଷା ନେଇ ମୁଁ ଦିଲ୍ଲୀକୁ ଯାଇଥିଲି, ମୁଁ ସେଠାରେ ପହଞ୍ଚିବା ମାତ୍ରେ ଏହାକୁ ତ୍ୱରାନ୍ୱିତ କରିବାର କାର୍ଯ୍ୟ ଆରମ୍ଭ କରିଦେଇଥିଲି। ଆଜି, ଆମେ ୨୮୦୦ କିଲୋମିଟର କରିଡରର କାର୍ଯ୍ୟ ପୁରା କରି ଦେଖାଇଛୁ । ଏବଂ ଆଜି, ପୂର୍ବ ଏବଂ ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର, ଦେଶର ବାଣିଜ୍ୟ – କାରବାରାର ମୁଖ୍ୟ ଆଧାର ପାଲଟିଛି।
ବନ୍ଧୁଗଣ,
ସମର୍ପିତ ମାଲ ପରିବହନ କରିଡର ହେଉଛି ଦ୍ରୁତ ଗତିରେ ବିକାଶଶୀଳ ଭାରତର ଜୀବନରେଖା। ଆମେ ଭାରତର ପରିବହନ କ୍ଷେତ୍ରକୁ ପରିବର୍ତ୍ତନ କରିଦେଇଛୁ । ପୂର୍ବେ ଯାତ୍ରୀବାହୀ ଟ୍ରେନଗୁଡ଼ିକ ଯେଉଁ ଟ୍ରାକରେ ଚାଲୁଥିଲା , ମାଲ ପରିବହନ ଟ୍ରେନଗୁଡ଼ିକ ମଧ୍ୟ ସେହିପରି ସମାନ ଟ୍ରାକରେ ଚାଲୁଥିଲା, ଏହାର ଅର୍ଥ ହେଉଛି ଯାତ୍ରା ଏବଂ ପରିବହନ, ଉଭୟ ମନ୍ଥର ଥିଲା। ତଥାପି, ସମର୍ପିତ ମାଲ ପରିବହନ କରିଡର ଏହି ପରିସ୍ଥିତିକୁ ବଦଳାଇ ଦେଇଛି। ଆଜି, ପୂର୍ବ ଏବଂ ପଶ୍ଚିମ ମାଲ ପରିବହନ କରିଡରରେ ପ୍ରତିଦିନ ୪୩୦ରୁ ଅଧିକ ମାଲ ପରିବହନ ଟ୍ରେନଗୁଡ଼ିକ ଚଳାଚଳ କରୁଛି, ପ୍ରତିଦିନ ୪୩୦ ମାଲଗାଡ଼ି। ଏବଂ ପୂର୍ବରୁ ଯେଉଁ ମାଲଗାଡ଼ି , ୧୦୦ କିଲୋମିଟର ଯାତ୍ରା କରିବାକୁ ସାଢେ ଛଅ ଘଣ୍ଟା ସମୟ ନେଉଥିଲା, ଏବେ ସେହି ମାଲଗାଡ଼ି ଅଧାରୁ କମ୍ ସମୟରେ ୧୦୦ କିଲୋମିଟର ଯାତ୍ରା କରିବ। ଯେଉଁଠାରେ ମାଲ ପରିବହନ ପାଇଁ ସାଧାରଣତଃ ଟ୍ରକ୍ ଦ୍ୱାରା ୩୦ ଘଣ୍ଟା ସମୟ ଲାଗେ, ସେହି ଦୂରତାକୁ ସମର୍ପିତ ମାଲ ପରିବହନ କରିଡରରେ ୧୦-୧୨ ଘଣ୍ଟାରେ ଅତିକ୍ରମ କରାଯାଇପାରିବ। ଏହାର ଅର୍ଥ ହେଉଛି ଏହି କରିଡରରେ ଚାଲୁଥିବା ମାଲ ପରିବହନ ଟ୍ରେନଗୁଡ଼ିକ ଇନ୍ଧନ ସଞ୍ଚୟ କରିବ, ମାଲ ପରିବହନ ଖର୍ଚ୍ଚ ହ୍ରାସ କରିବ, ସମୟ ସଞ୍ଚୟ କରିବ ଯାହା ପରିବେଶକୁ ଲାଭ ଦେବ। ଏହାର ଅର୍ଥ ହେଉଛି ଗୋଟିଏ ଟ୍ରାକରେ ନିବେଶ କରାଗଲା ଏବଂ ଲାଭ ଅନେକାଂଶରେ ହେଲା।
ବନ୍ଧୁଗଣ,
ଏହି ମାଲ ପରିବହନ କରିଡର ଦ୍ବାରା ପୂର୍ବ ଏବଂ ପଶ୍ଚିମ ଭାରତର ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବଡ଼ ବଜାରରେ ଶୀଘ୍ର ପହଞ୍ଚାଇବାରେ ସକ୍ଷମ ହୋଇପାରୁଛି । ବିଭିନ୍ନ ପ୍ରକାରର ଫୁଲ, ପନିପରିବା ଏବଂ ଫଳ, ଏପରିକି ଋତୁ ଅନୁସାରେ ଯେଉଁ ଜିନିଷ ଶୀଘ୍ର ନଷ୍ଟ ହୋଇଯାଉଥିଲା, ତାହା ବର୍ତ୍ତମାନ ବଜାର ଏବଂ ଜନସାଧାରଣଙ୍କ ପାଖରେ ସମୟାନୁସାରେ ପହଞ୍ଚିପାରୁଛି। ଏହା ଚାଷୀମାନଙ୍କୁ ବହୁତ ବଡ଼ ଲାଭ ଦେଉଛି।
ବନ୍ଧୁଗଣ,
ଏହି ମାଲ ପରିବହନ କରିଡର ଆଉ ଏକ କାରଣ ପାଇଁ ଉଲ୍ଲେଖନୀୟ। ସମ୍ପ୍ରତି, ମୁମ୍ବାଇର ଜେଏନ୍ ପିଟିରୁ ଭଦୋଦରା ପର୍ଯ୍ୟନ୍ତ ଏକ ଡବଲ୍-ଷ୍ଟକ୍ କଣ୍ଟେନର ମାଲ ପରିବହନ ଟ୍ରେନ ପରିଚାଳିତ କରାଯାଇଛି । ଏହାର ଅର୍ଥ ହେଉଛି କଣ୍ଟେନର ଉପରେ ଆଉ ଏକ କଣ୍ଟେନର ରଖାଯାଇ ମାଲ ପରିବହନ କରାଯାଇଥିଲା। ଏହି ମାଲ ପରିବହନ ଟ୍ରେନଟି ଚାଲିବା ଦ୍ବାରା ମୁମ୍ବାଇରୁ ଭଦୋଦରାକୁ ଏକା ଥରକେ ୨୫୦ରୁ ଅଧିକ ଟ୍ରକ୍ ଭଳି ସମାନ ସାମଗ୍ରୀ ପରିବହନ କରିଥିଲା। ଏବେ, ସେମାନେ କ୍ରୋଧିତ ହେବେ, ଚିତ୍କାର କରିବେ କି ଟ୍ରକ୍ ଚାଳକମାନଙ୍କର କ'ଣ ହେବ? ଟ୍ରକଗୁଡ଼ିକ କେଉଁଠାକୁ ଯିବ? ଯେଉଁମାନେ ଟ୍ରକ୍ କିଣିଥିଲେ, ସେମାନଙ୍କର କ'ଣ ହେବ? ଏବେ, କାକାଙ୍କୁ କାମ ମିଳିଗଲା। ଏହାର ଅର୍ଥ ହେଉଛି ଯେ ବହୁ ପରିମାଣର ସାମଗ୍ରୀ ଏବେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ଶୀଘ୍ର ଯାତ୍ରା କରିପାରିବ।
ବନ୍ଧୁଗଣ,
ମାଲ ପରିବହନ କରିଡର ସହିତ, ରେଳ ଏବେ ଭାରତର ସେହି ଅଞ୍ଚଳଗୁଡ଼ିକରେ ପହଞ୍ଚିପାରୁଛି ଯେଉଁଠାରେ ଦଶନ୍ଧି ଧରି ପହଞ୍ଚି ନଥିଲା। ଗୁଜୁରାଟ, ମଧ୍ୟପ୍ରଦେଶ, କିମ୍ବା ମହାରାଷ୍ଟ୍ର ହେଉ, ଏହି ପ୍ରକଳ୍ପ ମାଧ୍ୟମରେ ସେଠାରେ ଥିବା ଆଦିବାସୀ ଅଞ୍ଚଳଗୁଡ଼ିକୁ ମଧ୍ୟ ରେଳ ଦ୍ୱାରା ସଂଯୋଗ କରାଯାଉଛି। ପୂର୍ବ ସରକାରରେ ବଜେଟରେ ଗୋଟିଏ କିମ୍ବା ଦୁଇଟି ଟ୍ରେନ୍ ଘୋଷଣା କରାଯାଉଥିଲା, ଏବଂ ତାହା ପୁଣି ବର୍ଷସାରା କହିହେଉଥିଲେ । ଆଜି ଦେଶରେ ବର୍ଷସାରା ଗୋଟଏ ପରେ ଗୋଟିଏ ନୂତନ ଟ୍ରେନ୍ ପ୍ରଚଳନ କରାଯାଉଛି। ଆଜି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନେକ ନୂତନ ଟ୍ରେନ୍ର ଶୁଭାରମ୍ଭ କରାଯାଇଛି। ନୂତନ ଟ୍ରେନ୍ ଭଦୋଦରା, ଛୋଟ ଉଦୟପୁର ଏବଂ ଅଲିରାଜପୁରର ଲୋକମାନଙ୍କୁ ବହୁତ ସୂବିଧା ହେବ।
ବନ୍ଧୁଗଣ,
ରାସ୍ତା, ରେଳ, ମେଟ୍ରୋ, ବିମାନବନ୍ଦର, ଗ୍ୟାସ୍ ପାଇପଲାଇନ୍ ଏବଂ ଗରିବଙ୍କ ପାଇଁ ଘର, ଯେତେବେଳେ ଏହି ଜିନିଷଗୁଡ଼ିକ ଦେଶର ଲକ୍ଷ-ଲକ୍ଷ ଲୋକଙ୍କ ପାଇଁ ତିଆରି କରାଯାଇଥାଏ , ସେତେବେଳେ ଏହା ଲୋକମାନଙ୍କର ଜୀବନକୁ ଆହୁରି ସହଜ କରିଦେଇଥାଏ ଏବଂ ଛୋଟରୁ ବଡ଼ ଶ୍ରମିକଙ୍କ ପାଇଁ ଲକ୍ଷ-ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥାଏ। କେବଳ ରେଳବାଇକୁ ଦେଖନ୍ତୁ, ଚଳିତ ବର୍ଷର ରେଳ ବଜେଟ ଟ୨.୭୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହା ୧୨ ବର୍ଷ ପୂର୍ବ ଅପେକ୍ଷା ଅନେକ ଗୁଣ ଅଧିକ। ଏହାର ଅର୍ଥ ହେଉଛି ରେଳବାଇ ଆଧୁନିକୀକରଣ ପାଇଁ ଖର୍ଚ୍ଚ ଏବଂ ଏହା ହଜାର-ହଜାର ନୂତନ ନିଯୁକ୍ତି ସୃଷ୍ଟି କରୁଛି। ଏବଂ ଏହି ନିଯୁକ୍ତିଗୁଡ଼ିକ ନିର୍ମାଣ ସମୟରେ ସୃଷ୍ଟି ହୋଇଛି। ରାସ୍ତା, ରେଳ, ପାଇପଲାଇନ, ବନ୍ଦର ଏବଂ ବିମାନବନ୍ଦର ନିର୍ମାଣ ହେବା ପରେ, ସେମାନଙ୍କ ଚାରିପାଖରେ ନୂତନ ଶିଳ୍ପ ଗଢ଼ି ଉଠିବା ଆରମ୍ଭ ହେଇଥାଏ , ନୂତନ ବ୍ୟବସାୟ ଆସେ ଏବଂ ଏହିଗୁଡ଼ିକ ନୂତନ ନିଯୁକ୍ତି ସୃଷ୍ଟି କରେ। ସେଠାରେ କିଛି ଲୋକ, ସେହି ଝିଅଟି ବହୁତ ସମୟ ଧରି ଗୋଟିଏ ଚିତ୍ର ଧରି ଠିଆ ହୋଇଛି। ସେହି ଭଦ୍ରଲୋକ ମଧ୍ୟ କିଛି କଳାକୃତି ଟିଏ ନେଇ ଠିଆ ହୋଇଛନ୍ତି। ଆମର ବନ୍ଧୁମାନେ, ଦୟାକରି ସେଗୁଡ଼ିକୁ ସଂଗ୍ରହ କରନ୍ତୁ। ଦୟାକରି ଏହାକୁ ଆଗକୁ ଟକିଏ ପଠାଇ ଦିଅନ୍ତୁ । ହଁ, ଆଉ ଜଣେ ଅଛନ୍ତି , ଦୟାକରି ଏହାକୁ ନିଅନ୍ତୁ। ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ।
ବନ୍ଧୁମାନେ,
ମୁଁ ଦେଶ ସାମ୍ନାରେ ବିକଶିତ ଭାରତର ଯେଉଁ ସପ୍ତଧରା ଭିଜନ୍ ରଖିଛି , ସେଥି ମଧ୍ୟରୁ ଗୋଟିଏ ଧାରା ହେଉଛି ଉତ୍ପାଦନ। ଏବଂ ଭଦୋଦରା ସହର, ଏହାର ଶକ୍ତିକୁ ଭଲ ଭାବରେ ମଧ୍ୟ ଜାଣେ ଏବଂ ବୁଝେ। ଶିକ୍ଷା, ଦକ୍ଷତା ଏବଂ ଶିଳ୍ପ କିପରି ସହଯୋଗ କରନ୍ତି, ଏହି ଭଦୋଦରା ପ୍ରାୟ ୧୫୦ ବର୍ଷ ଧରି ଏହାର ପ୍ରତିବିମ୍ବ ଅଟେ । ଦଶନ୍ଧି ପୂର୍ବରୁ, ଏଠାରେ କପଡ଼ା ଏବଂ ଟାଇଲ୍ସ ଉତ୍ପାଦନ ସହିତ ଏକ ଯାତ୍ରା ଆରମ୍ଭ ହୋଇଥିଲା, ଯାହା ପରେ ତେଲ ଏବଂ ପେଟ୍ରୋକେମିକାଲ୍ସ ସହିତ ଆଗକୁ ବଢୁଛି। ଗତ ଦୁଇ-ଅଢ଼େଇ ଦଶନ୍ଧି ଧରି, ଭଦୋଦରା ଏମ୍ ଏସ୍ ଏମ୍ ଇ ପାଇଁ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏବଂ ମୁଁ ମନେ ରଖିଛି ଯେତେବେଳେ ମୁଁ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲି, ଭଦୋଦରା ସବୁବେଳେ ମୋ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥିଲା, ତେଣୁ ପ୍ରତି ସପ୍ତାହରେ କିଛି ପ୍ରତିନିଧିମଣ୍ଡଳ ଆସୁଥିଲେ, କେବଳ ଭଦୋଦରାରେ, କିଛି ଉତ୍ପାଦନ ହେଉ, ଉତ୍ପାଦନ ହେଉ କାରଣ, ଯେତେବେଳେ ମଧ୍ୟ ଗସ୍ତ କରୁଥିଲୁ, ଆମେ କେବଳ ଜ୍ୟୋତି, ଏଲ୍ ଏମ୍ ବି, କିମ୍ବା ଜି ଏସ୍ ଏଫ୍ ସି ଦେଖିଥିଲୁ, ଆଉ କିଛି ଶୁଣିବାକୁ ମିଳୁନ’ଥିଲା ,ଗୁଡ଼ିକ ଦେଖବାକୁ ମଳୁଥିଲା । ଆଜି, ପରିସ୍ଥିତି କେଉଁଠାରୁ-କେଉଁଠିକୁ ବଦଳି ଯାଇଛି। ଏବେ ଏହି ସହର ଏବେ ଦେଶର ପ୍ରଥମ ମେଡ଼୍ ଇନ୍ ଇଂଡ଼ିଆ ସାମରିକ ପରିବହନ ବିମାନ ପାଇଁ ମଧ୍ୟ ଜଣାଶୁଣା। ସି-୨୯୫ ବିମାନର ପ୍ରଥମ ଉଡ଼ାଣ ଏଠାରେ ଆକାଶକୁ ଉଡ଼ିଥିଲା। ଏହି ସମ୍ମାନ ହାସଲ କରିବା ପାଇଁ ମୁଁ ଭଦୋଦରାର ଲୋକମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି।
ବନ୍ଧୁଗଣ,
ଯେତେବେଳେ ଆମେ ଦେଶର ଉତ୍ପାଦନ ବିଷୟରେ କଥା ହେଉଛୁ, ମୁଁ ଆଉ ଏକ ପରିସଂଖ୍ୟାନ ବିଷୟରେ କହିବାକୁ ଚାହୁଁଛି।ଗତ ଦଶନ୍ଧି ମଧ୍ୟରେ, ଭାରତ ରେଳ କୋଚ୍- ମେଟ୍ରୋ କୋଚ୍ ତିଆରି କରିବାର , ରେଳ ଇଂଜିନ୍ ନିର୍ମାଣ କରିବାର ମଧ୍ୟ ଏକ ପ୍ରମୁଖ ନିର୍ମାତା ହୋଇସାରିଛି। ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ , ଭାରତ ପ୍ରାୟ ୫୦ହଜାର, ଏହି ପରିସଂଖ୍ୟାନ ଶୁଣନ୍ତୁ, ୨୦୧୪ ପରେ ଭାରତ ୫୦ ହଜାର ଆଧୁନିକ ରେଳ କୋଚ୍ ନିର୍ମାଣ କରିଛି । ପୂର୍ବ ସରକାର ୧୦ ବର୍ଷ ମଧ୍ୟରେ ୫୦ ହଜାର ଶୌଚାଳୟ ମଧ୍ୟ ନିର୍ମାଣ କରିପାରି ନ ଥିଲେ। ୫୦ ହଜାର ଆଧୁନିକ କୋଚ୍ କେବଳ ତିଆରି ହୋଇନାହିଁ, ପ୍ରାୟ ଅଢେଇ ଲକ୍ଷ ୱାଗନ୍, ଭାରତୀୟ ରେଳବାଇରେ ଯୋଡା ଯାଇଛି , ଅଢେଇ ଲକ୍ଷ।
ବନ୍ଧୁଗଣ,
ବର୍ତ୍ତମାନ, ଭାରତ ଚିପ୍ସ ଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ, ଉତ୍ପାଦନର ଏକ ନୂତନ କାହାଣୀ ଲେଖୁଛି। ଏହାର ଅର୍ଥ ହେଉଛି ଉପାଦାନଗୁଡ଼ିକ ଆମର ଏବଂ ଉତ୍ପାଦଗୁଡ଼ିକ ଆମର, ଆତ୍ମନିର୍ଭରଶୀଳତାର ଏକ ସମ୍ପୂର୍ଣ୍ଣ ଶୃଙ୍ଖଳ ଭାରତରେ ତିଆରି ହେବ। ଏବଂ ଏହା ଆମେ ସୌରଶକ୍ତି କ୍ଷେତ୍ରରେ ଏହା ଦେଖୁଛୁ। ଉଦାହରଣ ସ୍ୱରୂପ, କଡାନା ଡ୍ୟାମ୍ରେ ଭାସମାନ ସୌର ପ୍ଲାଣ୍ଟ ପ୍ରକଳ୍ପ, କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଦେଶରେ ସୌର ପ୍ରକଳ୍ପ ସ୍ଥାପନ କରିବା ବହୁତ ମହଙ୍ଗା ଥିଲା। କାରଣ ପିଭି ମଡ୍ୟୁଲ୍ ଠାରୁ ଆରମ୍ଭ କରି, ଅନ୍ୟାନ୍ୟ ସମସ୍ତ ପ୍ରକାରର ହାର୍ଡୱେର୍ ଆମଦାନୀ କରିବାକୁ ପଡୁଥିଲା। କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଆମେ ଭାରତରେ ପିଭି ମଡ୍ୟୁଲ୍ ନିର୍ମାଣ କରିବା ଆରମ୍ଭ କରିଛୁ। ଆଜି, ଆମେ ୨୦୦ ଗିଗାୱାଟ୍ ରୁ ଅଧିକ କ୍ଷମତା ବିକଶିତ କରିଛୁ। ଏବଂ ଏହି ଆତ୍ମନିର୍ଭରଶୀଳତା ଯୋଗୁଁ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ବିସ୍ତାର ହେଉଛି। ଏପର୍ଯ୍ୟନ୍ତ ଦେଶରେ ୫୫ ଲକ୍ଷ ପରିବାର ସେମାନଙ୍କ ଛାତ ଉପରେ, ଟେରିସରେ ସୌର ପ୍ଲାଣ୍ଟ ସ୍ଥାପନ କରିଛନ୍ତି। ଏବଂ ଏଥିମଧ୍ୟରୁ ୧୧ ଲକ୍ଷ ପରିବାର ଆମ ଗୁଜରାଟର। ଏଠାରେ ଅନେକ ପରିବାର, ବିଦ୍ୟୁତ୍ ଉତ୍ପାଦକ ହୋଇପାରିଛନ୍ତି ଏବଂ ଫଳସ୍ୱରୂପ, ଅନେକ ଯୁବକ ନିଯୁକ୍ତି ପାଇଛନ୍ତି ଏବଂ ଉତ୍ପାଦନ ଠାରୁ ସ୍ଥାପନ ଏବଂ ସେବା ପର୍ଯ୍ୟନ୍ତ, ଅନେକ ଯୁବକଙ୍କୁ ରୋଜଗାର ମିଳିଛି, ଅନେକ ନୂତନ ବିକ୍ରେତା ଉଭା ହୋଇଛନ୍ତି।
ବନ୍ଧୁଗଣ,
"ମିଥ୍ୟାର ପ୍ରତିଧ୍ୱନି" ସହିତ ପ୍ରତାରଣା କରୁଥିବା ଲୋକ ପ୍ରତ୍ୟେକ ଛକରେ ମିଳିବେ, କିନ୍ତୁ ଭାରତର ଯୁବପିଢ଼ି ସତ୍ୟର ହୁଂକାର ନେଇ ଚାଲିଥାନ୍ତି, ସତ୍ୟର ପଥରେ ଚାଲିଥାନ୍ତି। ଆମର ଯୁବପିଢ଼ି ଏହା ମଧ୍ୟ ଦେଖୁଛନ୍ତି ଯେ ଆଜି ଦେଶରେ ସୌର ହେଉ , ପବନ ହେଉ , ଜଳହେଉ , କିମ୍ବା ପରମାଣୁ ହେଉ ସମସ୍ତ କ୍ଷେତ୍ରରେ ସରକାର କେତେ ଧ୍ୟାନ ଦେଇ କାର୍ଯ୍ୟ କରୁଛନ୍ତି।
ବନ୍ଧୁଗଣ,
ଆଗାମୀ ସମୟରେ ପ୍ରତ୍ୟେକ ଆଧୁନିକ କ୍ଷେତ୍ର ବିଦ୍ୟୁତ୍ ଉପରେ ଚାଲିବ, ବୈଦ୍ୟୁତିକ ଇକୋସିଷ୍ଟମ ଉପରେ ନିର୍ଭର କରିବ। ଉଦାହରଣ ସ୍ୱରୂପ, ଚିପ୍ ଶିଳ୍ପ, ଡାଟା ସେଣ୍ଟର ଏବଂ ଏଆଇ ସମ୍ବନ୍ଧୀୟ ଶିଳ୍ପଗୁଡ଼ିକ ସମସ୍ତ ବିଦ୍ୟୁତ୍ ଉପରେ ନିର୍ଭର କରିବେ। ତେଣୁ, ଯଦି ଆମେ ଏଆଇରେ ଏକ ବିଶ୍ୱସ୍ତରୀୟ ସୁପରପାୱାର ହେବାକୁ ଚାହିଁବା, ତେବେ ଦେଶକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡିବ ଏବଂ ଏହାର ଇକୋସିଷ୍ଟମ ନିର୍ମାଣ କରିବାକୁ ପଡିବ। ଭାରତ ଏହି ତୃଣମୂଳସ୍ତରରେ ଯାଇ କାର୍ଯ୍ୟ କରୁଛି। ସେଥିପାଇଁ କିଛି ଦେଶରୁ ୟୁରାନିୟମ ପାଇଁ ଚୁକ୍ତି ସ୍ୱାକ୍ଷରିତ ହେଉଛି, ଅନ୍ୟ ଦେଶ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ବିରଳ ପୃଥିବୀ ଖଣିଜ ପାଇଁ ବୁଝାମଣା କରାଯାଉଛି। ଏହି ସମସ୍ତ କଠିନ ପରିଶ୍ରମ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଦିନ-ରାତି କାର୍ଯ୍ୟ କରାଯାଉଛି, ଆପଣଙ୍କ ଭବିଷ୍ୟତ ପାଇଁ କରାଯାଉଛି।
ବନ୍ଧୁଗଣ,
ବିଶ୍ୱ ଦ୍ରୁତ ଗତିରେ ବଦଳୁଛି, ବିଶ୍ୱର ଆବଶ୍ୟକତା ମଧ୍ୟ ବଦଳୁଛି ଏବଂ ଏହିଭଳି ଭାବରେ ଆମର ଶିକ୍ଷା ପଦ୍ଧତି ମଧ୍ୟ ବଦଳୁଛି। ପୂର୍ବରୁ, କେବଳ ଡିଗ୍ରୀ ଉପରେ ଧ୍ୟାନ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ, ଡିଗ୍ରୀ ସହିତ, ଦକ୍ଷତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଦକ୍ଷତାର ଗୁରୁତ୍ୱ ବୃଦ୍ଧି ପାଉଛି। ଯୁବପିଢ଼ିଙ୍କ ପାଖରେ ଦକ୍ଷତା ଥିବ ଏବଂ ସମୟ ସମୟରେ ସେମାନଙ୍କୁ ଅପଗ୍ରେଡ୍ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଯାଇଛି। ଏବଂ ସେଥିପାଇଁ, ଆଜି, ଆମେ ଆମର ଶିକ୍ଷା ନୀତି ଏବଂ ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନଗୁଡ଼ିକୁ ନୂତନ ରୁପ ଦେଉଛୁ। ଏବଂ ଏହି ମନୋଭାବ ସହିତ ମୁଁ ଲାଲକିଲ୍ଲାରୁ ମଧ୍ୟ ଯୁବପିଢ଼ିଙ୍କ ପାଇଁ ଦୁଇଟି ବଡ଼ ଘୋଷଣା କରିଛି। ପ୍ରଥମ ଘୋଷଣା, ଦେଶର ପାରମ୍ପରିକ ଆବଶ୍ୟକତା ସହିତ ଜଡିତ। ଆପଣମାନେ ସମସ୍ତେ ଜାଣନ୍ତି ଯେ ଆମର ଏଠାରେ ଲକ୍ଷ-ଲକ୍ଷ ଯୁବକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରତିବର୍ଷ, ଆମର ମଧ୍ୟବିତ୍ତ ପରିବାରର ଆୟର ଏକ ବଡ଼ ଅଂଶ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବାରେ ଖର୍ଚ୍ଚ ହୋଇଯାଇଥାଏ । ଆମର ପ୍ରୟାସ ହେଉଛି ଏହି ପିଲାମାନଙ୍କ ପାଇଁ, ଗରିବ ଏବଂ ମଧ୍ୟବିତ୍ତ ପରିବାର ଉଭୟଙ୍କ ପାଇଁ ଟଙ୍କା ସଞ୍ଚୟ କରିବା। ସେଥିପାଇଁ ସରକାର ଏବେ ଭାରତର ଶ୍ରେଷ୍ଠ ଶିକ୍ଷକମାନଙ୍କ ଦ୍ୱାରା ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଅନଲାଇନ୍ ତାଲିମ ପ୍ରଦାନ କରିବାକୁ ଆଗକୁ ବଢ଼ୁଛନ୍ତି। ସରକାର ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆମର ଯୁବପିଢ଼ିଙ୍କ ପ୍ରଶିକ୍ଷଣ ପାଇଁ ଯତ୍ନ ନେବେ।
ବନ୍ଧୁଗଣ,
ଭାରତର ଯୁବପିଢ଼ି ଏଆଇରେ ଦକ୍ଷ ହେବା ଗୁରୁତ୍ୱପୂର୍ଣ୍ଣ। ଆମେ ଚାହୁଁଛୁ ଯେ ଆମର ଯୁବପିଢ଼ି ଏଆଇ ପାଇଁ ପ୍ରସ୍ତୁତ ହୁଅନ୍ତୁ। ଏମିତି ନୁହେଁ ଯେ ଏଆଇ ଶିକ୍ଷାର୍ଥୀମାନଙ୍କୁ କେବଳ ଆଇଟି କ୍ଷେତ୍ରରେ ଆବଶ୍ୟକ, ଯଦି କେହି ଏହି ଦକ୍ଷତା ଜାଣନ୍ତି, ତେବେ ସେମାନେ କୃଷି ପାଇଁ ନୂତନ ଏଆଇ ସମାଧାନ ସୃଷ୍ଟି କରିପାରିବେ। ସେମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବିକଶିତ କରିପାରିବେ। ସେମାନେ ଉତ୍ପାଦନରେ ଉତ୍ପାଦକତା ବୃଦ୍ଧି କରିପାରିବେ। ସେମାନେ ରୋବୋଟିକ୍ସରେ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିପାରିବେ। ସେଥିପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ଆମ ପାଖରେ ଦେଶ ଏବଂ ବିଶ୍ୱରେ ଶିଳ୍ପ ପାଇଁ ଏଆଇକୁ ବୁଝୁଥିବା ଏବଂ ଏଆଇକୁ ବ୍ୟବହାର କରିପାରୁଥିବା ଯୁବଗୋଷ୍ଠି ରହିବା ଦରକାର । ସରକାର ଏଥିପାଇଁ ଏକ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି।
ବନ୍ଧୁଗଣ,
ଭାରତରେ ଏହି ସମୟ ଅଭୂତପୂର୍ବ। ଏହା ଭାରତର ଯୁବପିଢ଼ିର ଉତ୍କୃଷ୍ଟ ଦିନ, ଏହି ସମୟ ପୁଣିଥରେ ଭାରତର ଜୀବନରେ ଆଉ କେବେ ଫେରିବ ନାହିଁ। ଏବଂ ସେଥିପାଇଁ, ଆମକୁ ୨୦୪୭କୁ ଏକ ବିକଶିତ ଭାରତର ଲକ୍ଷ୍ୟକୁ ସର୍ବୋପରି ରଖିବାକୁ ପଡିବ। ଆମକୁ ଭାରତକୁ ବିକଶିତ କରି ରଖିବାକୁ ହେବ। ଏହି ଆହ୍ୱାନ ସହିତ, ପୁଣିଥରେ ଏହି ବିକାଶ କାର୍ଯ୍ୟ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା।
ଏବେ, ଭଦୋଦରାର ଲୋକମାନଙ୍କୁ ମୋ ପାଇଁ ଗୋଟିଏ କାମ କରିବାକୁ ପଡିବ। କରିବେ କି? ନିଶ୍ଚିତ ଭାବରେ? ଆପଣମାନେ ସମସ୍ତେ ଭଦୋଦରାକୁ ଏତେ ସଫା କରିଦେଇଛନ୍ତି, ଏଥିପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଛି। ମୁଁ ଦେଖୁଥିଲି ଆମର ଯୁବକମାନେ ଦିନରାତି ପରିଶ୍ରମ କରି ସଫା କରିବାରେ ଲାଗିପଡ଼ିଥିଲେ । କିନ୍ତୁ ଥରେ ଆମେ ନିଷ୍ପତ୍ତି ନେବା, ଆମେ ଭଦୋଦରାକୁ ଆଉ ମଇଳା ହେବାକୁ ଦେବୁ ନାହିଁ। ମୁଁ ନିଜେ ଅଳିଆ କରିବି ନାହିଁ, ଏହା ସଂକଳ୍ପ ନିଅନ୍ତୁ, ଭଦୋଦରା ମଇଳା ହେବ କି? ଭଦୋଦରା ମଇଳା ହେବ କି? ତେବେ ଦୀପାବଳିରେ ଏମିତି ଝଟକିବ ତ? ନବରାତ୍ରି ଭଲରେ ହେବ କି ନାହିଁ, ଗଣେଶୋତ୍ସବ ଧୁମ୍ ଧାମ୍ ରେ ପାଳିବେ କି ନାହିଁ, ଅତି କମରେ ଏତିକି କାମ ହୋଇଯିବ ।
ବହୁତ ଭଲ।
ଧନ୍ୟବାଦ।
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
NS
*****
(ରିଲିଜ ଆଡି: 2315743)
ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam