ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
'ସ୍ୱଚ୍ଛତା ହିଁ ସେବା ୨୦୨୬' ଅଭିଯାନ ଅଧୀନରେ ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
ପିଆଇବି, ଦିଲ୍ଲୀର ଅଧିକାରୀ, କର୍ମଚାରୀ ଓ ସଫାଇ ମିତ୍ରଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର
ପୋଷ୍ଟ କରାଯିବା ଦିନାଙ୍କ:
22 SEP 2026 3:54PM by PIB Bhubaneswar
'ସ୍ୱଚ୍ଛତା ହିଁ ସେବା' (ଏସ୍ଏଚ୍ଏସ୍) ୨୦୨୬ ଅନ୍ତର୍ଗତ, ଆଜି ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ମିଡିଆ ସେଣ୍ଟରଠାରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଦିଲ୍ଲୀର ଅଧିକାରୀ/କର୍ମଚାରୀ ଏବଂ ସଫେଇ ମିତ୍ର (ହାଉସ୍କିପିଂ କର୍ମଚାରୀ) ମାନଙ୍କ ପାଇଁ ଏକ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିରର ଆୟୋଜନ କରାଯାଇଥିଲା।


ଏହି ସ୍ୱାସ୍ଥ୍ୟ ଶିବିରଟି ନୂଆଦିଲ୍ଲୀସ୍ଥିତ ଡକ୍ଟର ରାମ ମନୋହର ଲୋହିଆ (ଆରଏମ୍ଏଲ୍) ହସ୍ପିଟାଲ୍ର ସହଯୋଗରେ ଆୟୋଜିତ ହୋଇଥିଲା। ଆରଏମ୍ଏଲ୍ ହସ୍ପିଟାଲ୍ର ଏକ ଡାକ୍ତରୀ ଦଳ ଶିବିରରେ ଯୋଗ ଦେଇଥିବା ଅଧିକାରୀ, କର୍ମଚାରୀ ଏବଂ ସଫେଇ ମିତ୍ରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିଥିଲେ।
ଏହି ପଦକ୍ଷେପର ଲକ୍ଷ୍ୟ ଥିଲା ପିଆଇବି କର୍ମଚାରୀମାନଙ୍କ ମଧ୍ୟରେ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟସେବା ଏବଂ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା। ଏଥିରେ 'ସଫେଇ ମିତ୍ର'ମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଂଶଗ୍ରହଣକାରୀମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ କରାଇବା ସହିତ ଚିକିତ୍ସା ଦଳଠାରୁ ଡାକ୍ତରୀ ପରାମର୍ଶ ନେବାର ସୁଯୋଗ ପ୍ରଦାନ କରାଯାଇଥିଲା।
ଏହି ସ୍ୱାସ୍ଥ୍ୟ ଶିବିର 'ସ୍ୱଚ୍ଛତା ହିଁ ସେବା ୨୦୨୬' ଅଧୀନରେ ଆୟୋଜିତ 'ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର' କାର୍ଯ୍ୟକ୍ରମର ଏକ ଅଂଶ ଅଟେ। ଏହି କାର୍ଯ୍ୟକ୍ରମ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଅନ୍ୟାନ୍ୟ ସହାୟତାମୂଳକ ପଦକ୍ଷେପ ମାଧ୍ୟମରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥାଏ।
'ସ୍ୱଚ୍ଛତା ହିଁ ସେବା ୨୦୨୬' କାର୍ଯ୍ୟକ୍ରମଟି ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ (DDWS) ଦ୍ୱାରା ମିଳିତ ଭାବେ ଆୟୋଜିତ ହେଉଛି। ଏହି ଅଭିଯାନ ସ୍ୱଚ୍ଛତା ଦିଗରେ ସାମୂହିକ ଅଂଶଗ୍ରହଣ ଓ ସ୍ୱେଚ୍ଛାସେବୀ ଭାବନାକୁ ସୁଦୃଢ଼ କରିବା ସହ 'ସ୍ୱଚ୍ଛ ଭାରତ'ର ଭାବନାକୁ ଆହୁରି ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି।
ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିରର ଆୟୋଜନ ଏକ ସ୍ୱଚ୍ଛ, ସୁସ୍ଥ ଏବଂ ସହାୟକ କର୍ମକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହ ‘ସଫେଇ ମିତ୍ର’ମାନଙ୍କ କଲ୍ୟାଣ ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କାର୍ଯ୍ୟସ୍ଥଳରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବାରେ ‘ସଫେଇ ମିତ୍ର’ମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛନ୍ତି।
*****
MT
(ରିଲିଜ ଆଡି: 2313677)
ପରିଦର୍ଶକ କାଉଣ୍ଟର : 9