ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ



ପଶ୍ଚିମ ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଦେଶର ସର୍ବବୃହତ ଅର୍ଥନୈତିକ, ଶିଳ୍ପ ଏବଂ ଆର୍ଥିକ କେନ୍ଦ୍ର

୨୦୧୪ରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶାସନିକ ସୁଧାର ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିଛି

ଦେଶର ଆର୍ଥିକ ବିକାଶର ‘ଇଞ୍ଜିନ୍’ ଭାବେ ପରିଚିତ ପଶ୍ଚିମାଞ୍ଚଳ

ପୋଷ୍ଟ କରାଯିବା ଦିନାଙ୍କ: 07 SEP 2026 4:42PM by PIB Bhubaneswar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୋଆର ପାଣାଜୀଠାରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଗୋଆ ମୁଖ୍ୟମନ୍ତ୍ରୀ ଡଃ ପ୍ରମୋଦ ସାୱନ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଦାଦ୍ରା ଓ ନଗର ହବେଳୀ ଏବଂ ଦାମନ ଓ ଡିଉର ପ୍ରଶାସକ ଶ୍ରୀ ପ୍ରଫୁଲ୍ଲ କେ. ପଟେଲ ଯୋଗ ଦେଇଥିଲେ। ଏହାସହ ଭାରତ ସରକାର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଆଧିକାରୀମାନେ ମଧ୍ୟ ପରିଷଦର ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଉନ୍ନତ ପର୍ଯ୍ୟଟନ, ଉଚ୍ଚ ମୁଣ୍ଡ ପିଛା ଆୟ ଏବଂ ଖଣି କାରଣରୁ ଏହାର ଭୌଗୋଳିକ ଆକାର ତୁଳନାରେ ଆର୍ଥିକ ବିକାଶରେ ଗୋଆର ଅଧିକ ଯୋଗଦାନ ରହିଛି। ସେ କହିଥିଲେ ଯେ ନିକଟରେ, ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ୨୦୨୬-୨୭ ରେ ଦେଶ ୭.୮ ପ୍ରତିଶତ ଅଭିବୃଦ୍ଧି ହାର ରେକର୍ଡ କରିଛି। ସେ କହିଥିଲେ ଯେ ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଏଭଳି ଅଭିବୃଦ୍ଧି ହାର ହାସଲ କରିଥିବା ଭାରତୀୟ ଅର୍ଥବ୍ୟବସ୍ଥା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଶ୍ରୀ ଶାହ କହିଥିଲେ ଯେ ପଶ୍ଚିମ ଅଞ୍ଚଳ ବିଭିନ୍ନ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଅଞ୍ଚଳ ହେଉଛି ଦେଶର ସର୍ବବୃହତ ଅର୍ଥନୈତିକ, ଶିଳ୍ପ ଏବଂ ଆର୍ଥିକ କେନ୍ଦ୍ର।

ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଗତିରେ ଗତିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଅନେକ ପ୍ରଶାସନିକ ସଂସ୍କାର ସହିତ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସେ କହିଥିଲେ ଯେ ଡାମନ ଏବଂ ଡିଉ, ଦାଦ୍ରା ଏବଂ ନଗର ହାଭେଲି ଏବଂ ପଶ୍ଚିମ ଜୋନାଲ ପରିଷଦର ତିନୋଟି ରାଜ୍ୟ ମଧ୍ୟ ୭.୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ସେ କହିଥିଲେ ଯେ ପଶ୍ଚିମ କ୍ଷେତ୍ର ଦେଶର ଆର୍ଥିକ ଅଭିବୃଦ୍ଧିର ପଶ୍ଚିମ ଇଞ୍ଜିନ ଭାବେ ପରିଚିତ। ଡବ୍ଲୁର ଅର୍ଥ ହେଉଛି ସମ୍ପଦ ଏବଂ ଅର୍ଥ, ଯାହା ଏହି ଅଞ୍ଚଳରେ ଉତ୍ପନ୍ନ ହୋଇଥାଏ; ଇ ର ଅର୍ଥ ହେଉଛି ରପ୍ତାନୀ ଏବଂ ବନ୍ଦର; ଏସ୍‍ ର ଅର୍ଥ ହେଉଛି ଷ୍ଟାର୍ଟ-ଅପ୍ ଏବଂ ସେମିକଣ୍ଡକ୍ଟର; ଏବଂ ଟି ର ଅର୍ଥ ହେଉଛି ପର୍ଯ୍ୟଟନ ଏବଂ ନୀଳ ଅର୍ଥନୀତି, ଯେଉଁଥିରେ ଦେଶରେ ପଶ୍ଚିମ କ୍ଷେତ୍ରର ସର୍ବାଧିକ ଅଂଶ ରହିଛି। ୧ କୋଟିରୁ ଅଧିକ ପର୍ଯ୍ୟଟକ ଗୋଆ ପରିଦର୍ଶନ କରନ୍ତି, ଯେଉଁମାନଙ୍କ ମଧ୍ୟରୁ ୫ ଲକ୍ଷ ବିଦେଶୀ ପର୍ଯ୍ୟଟକ । ଗୋଆର ଜି. ଏସ୍. ଡି. ପି. ରେ ପର୍ଯ୍ୟଟନର ଯୋଗଦାନ ୧୬% । ୩୩,୮୭୨ ଷ୍ଟାର୍ଟଅପ୍ ସହିତ ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି। ଧୋଲେରା ବର୍ତ୍ତମାନ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ହବ୍ ରେ ପରିଣତ ହୋଇଛି । ଗୁଜରାଟର ମୁନ୍ଦ୍ରା ବନ୍ଦର ସର୍ବାଧିକ ପରିମାଣର କାର୍ଗୋ ପରିଚାଳନା କରିଥାଏ ଏବଂ କାର୍ଗୋ ପରିମାଣ ଦୃଷ୍ଟିରୁ ଦୀନଦୟାଲ ବନ୍ଦର ହେଉଛି ସର୍ବବୃହତ ବନ୍ଦର । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମଧ୍ୟ ବିଶ୍ୱ ପୁଞ୍ଜିର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମ୍ବିଧାନରେ ନିହିତ ସମବାୟ ସଂଘୀୟ ବ୍ୟବସ୍ଥାର ଢାଞ୍ଚାକୁ ସାକାର କରିବା ପାଇଁ କାର୍ଯ୍ୟ କରିଛନ୍ତି। ସେ କହିଥିଲେ ଯେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ କ୍ଷେତ୍ରୀୟ ପରିଷଦଗୁଡ଼ିକର ବୈଠକ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଶ୍ରୀ ଶାହ କହିଥିଲେ ଯେ ୨୦୦୪ରୁ ୨୦୧୪ ମଧ୍ୟରେ ଆଞ୍ଚଳିକ ପରିଷଦ ଏବଂ ସେମାନଙ୍କ ସ୍ଥାୟୀ କମିଟିର ମୋଟ ବୈଠକ ସଂଖ୍ୟା ମାତ୍ର ୨୫ ଥିଲା, ଯେତେବେଳେ କି ୨୦୧୪ ପରଠାରୁ ଆଞ୍ଚଳିକ ପରିଷଦ ଏବଂ ସେମାନଙ୍କ ସ୍ଥାୟୀ କମିଟିର ମୋଟ ୭୧ଟି ବୈଠକ ଅନୁଷ୍ଠିତ ହୋଇଛି, ଯାହା ପାଖାପାଖି ତିନି ଗୁଣ ବୃଦ୍ଧି ପାଇଛି। ସେ କହିଥିଲେ ଯେ ବୈଠକ ସଂଖ୍ୟାରେ ପାଖାପାଖି ତିନିଗୁଣ ବୃଦ୍ଧି ପ୍ରଧାନମନ୍ତ୍ରୀଙ୍କ 'ଟିମ୍ ଇଣ୍ଡିଆ ’ ଧାରଣାର ଏକ ଉତ୍କୃଷ୍ଟ ଉଦାହରଣ। ଏହି ବୈଠକରେ ମୋଟ ୧୮୯୩ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରୁ ୧୪୪୫ ପ୍ରସଙ୍ଗଗୁଡ଼ିକର ସମାଧାନ କରାଯାଇଛି। ଏହି ଫଳାଫଳ ଏହି ବୈଠକଗୁଡ଼ିକର କାର୍ଯ୍ୟକାରିତା ଏବଂ ପ୍ରଭାବଶୀଳତାକୁ ସୂଚାଇଥାଏ। ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ସକ୍ରିୟ ଭୂମିକା ସହିତ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ସହଯୋଗରେ ଏହା ସମ୍ଭବ ହୋଇପାରିଛି।

ଶ୍ରୀ ଅମିତ ଶାହ କହିଥିଲେ ଯେ ଆଞ୍ଚଳିକ ପରିଷଦଗୁଡ଼ିକ ଏବେ ବିବାଦ ସମାଧାନ ପରିବର୍ତ୍ତେ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ଏକ ଉପକରଣରେ ପରିଣତ ହୋଇଛି। ସେ କହିଥିଲେ, ପଶ୍ଚିମ କ୍ଷେତ୍ରର ରାଜ୍ୟଗୁଡ଼ିକ ମଧ୍ୟରେ ଆଉ କୌଣସି ବିବାଦ ନାହିଁ; ଏହା ଏକ ପ୍ରମୁଖ ସଫଳତା। ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ଆଜିର ବୈଠକରେ ଅନ୍ତର୍ଭୁକ୍ତ ସମସ୍ତ ପ୍ରସଙ୍ଗ ତଦାରଖ ସହ ଜଡ଼ିତ। ନଦୀକୁ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଅନେକ ବିବାଦ ମଧ୍ୟ ଆଞ୍ଚଳିକ ପରିଷଦରେ ସମାଧାନ କରାଯାଇଛି। ଶିଶୁ ଅପପୁଷ୍ଟି, କମ୍ ଓଜନ ଏବଂ କମ୍‍ ଉଚ୍ଚତା ଉପରେ ଜୋନାଲ କାଉନସିଲ୍ ମାଧ୍ୟମରେ ମଧ୍ୟ କାର୍ଯ୍ୟ କରାଯାଉଛି। ଆଧାରର ପ୍ରସ୍ତୁତି ଉପରେ ମଧ୍ୟ ନଜର ରଖାଯାଇଛି ଏବଂ ଆୟୁଷ୍ମାନ ଭାରତ କାର୍ଡର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଏଠାରେ ତଦାରଖ ମଧ୍ୟ କରାଯାଉଛି।

ନୂତନ ନ୍ୟାୟ ସଂହିତାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ନିଶାଦ୍ରବ୍ୟ ବିରୁଦ୍ଧରେ ଭାରତର ଲଢ଼େଇକୁ ସଫଳ କରିବାରେ ପଶ୍ଚିମ ଅଞ୍ଚଳ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ। ପ୍ରାଥମିକ କୃଷି ଋଣ ସମିତି (ପାକସ୍‍) ଗୁଡ଼ିକର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ମଧ୍ୟ ଭଲ କାର୍ଯ୍ୟ କରାଯାଇଛି, ଯେଉଁଥିରେ ମହାରାଷ୍ଟ୍ର ୯୮ ପ୍ରତିଶତ ଏବଂ ଗୁଜରାଟ ୯୨ ପ୍ରତିଶତ ହାର ହାସଲ କରିଛି। ସେ କହିଥିଲେ ଯେ ବନାସ ଡାଏରୀ ଦ୍ୱାରା ସ୍ଥାପିତ ଗୋବର୍ଦ୍ଧନ ମଡେଲକୁ ମଧ୍ୟ ରାଜ୍ୟଗୁଡ଼ିକ ଗ୍ରହଣ କରିବା ଉଚିତ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ 'ପ୍ରଗତି' ମାଧ୍ୟମରେ ସାଇବର ଅପରାଧ ବିରୋଧୀ ରଣନୀତିର କ୍ରମାଗତ ସମୀକ୍ଷା କରୁଛନ୍ତି। ରାଜ୍ୟଗୁଡ଼ିକର ସମସ୍ତ ସହରୀ ସମବାୟ ବ୍ୟାଙ୍କ ଏଫସିଏଫଆରଏସ୍ ସହିତ ସଂଯୁକ୍ତ ହେବା ଉଚିତ। ସମବାୟ ବ୍ୟାଙ୍କଗୁଡ଼ିକୁ ମ୍ୟୁଲେହଣ୍ଟର୍ ଏଆଇ ସହିତ ଯୋଡ଼ିବା ପାଇଁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଏହାସହ ସମସ୍ତ ସମବାୟ ବ୍ୟାଙ୍କ ଯେପରି ଆଇ୪ସି ସହିତ ଯୋଡ଼ିହେବେ, ତାହା ସୁନିଶ୍ଚିତ କରିବାକୁ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଗୃହ ମନ୍ତ୍ରଣାଳୟ ଉପକୂଳ ସୁରକ୍ଷା ଉପରେ ଅତ୍ୟନ୍ତ ଗମ୍ଭୀରତାର ସହ କାର୍ଯ୍ୟ କରିବ।

ଶ୍ରୀ ଶାହ କହିଥିଲେ ଯେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ସମସ୍ତ ୪ ଜଣ ସଦସ୍ୟ ମଧ୍ୟ ସବୁଜ ଶକ୍ତି କ୍ଷେତ୍ରରେ ଦେଶର ନେତୃତ୍ୱ ନେଉଛନ୍ତି। ଭାରତ ସରକାର ଡାଟା ସେଣ୍ଟର ପାଇଁ ଏକ ଅତ୍ୟନ୍ତ ଲାଭଜନକ ନୀତି ପ୍ରସ୍ତୁତ କରିଛନ୍ତି ଏବଂ ଏହାର ସର୍ବାଧିକ ଲାଭ ଉଠାଇବା ଉଚିତ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କ୍ଷେତ୍ରୀୟ ପରିଷଦଗୁଡ଼ିକ ବିକାଶ ଏବଂ ଲୋକ କଲ୍ୟାଣ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି।

ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକ ସହିତ ଦେଶ ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ମହିଳା ଏବଂ ପିଲାମାନଙ୍କ ବିରୋଧରେ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ଏବଂ ଶୀଘ୍ର ସମାଧାନ ପାଇଁ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ନ୍ୟାୟାଳୟର କାର୍ଯ୍ୟକାରିତା, ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସ୍ଏସ୍-୧୧୨) ସମ୍ବନ୍ଧୀୟ ପ୍ରସଙ୍ଗ, ଖାଦ୍ୟ ସୁରକ୍ଷା ମାନକ ସମ୍ବନ୍ଧୀୟ ପ୍ରସଙ୍ଗ, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରତ୍ୟେକ ଗାଁର ନିର୍ଦ୍ଧାରିତ ପରିସର ମଧ୍ୟରେ ବ୍ୟାଙ୍କ୍‍ ଶାଖା ସୁବିଧାର ବ୍ୟବସ୍ଥା, ରେଳ ବିକାଶ ପ୍ରକଳ୍ପ ସମ୍ବନ୍ଧୀୟ ପ୍ରସଙ୍ଗ, ପରିବେଶ ମଞ୍ଜୁରୀ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ।

ଏହାବ୍ୟତୀତ, ସହରାଞ୍ଚଳ ମାଷ୍ଟର ପ୍ଲାନିଂ, ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ ପ୍ରସଙ୍ଗ, ପ୍ରାଥମିକ କୃଷି ଋଣ ସମିତି (ପାକସ୍‍) ଗୁଡ଼ିକୁ ସୁଦୃଢ଼ କରିବା, ପୋଷଣ ଅଭିଯାନ ଜରିଆରେ ପିଲାମାନଙ୍କ ମଧ୍ୟରେ ଅପପୁଷ୍ଟି ଦୂର କରିବା, ସ୍କୁଲ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ କରିବା, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସରକାରୀ ଡାକ୍ତରଖାନାଗୁଡ଼ିକର ଅଂଶଗ୍ରହଣ, ସାଇବର ଅପରାଧ ଏବଂ ଡିଜିଟାଲ ଭିତ୍ତିଭୂମି ସହ ଜଡ଼ିତ ପ୍ରସଙ୍ଗ ଆଦି ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

HS

 

 


(ରିଲିଜ ଆଡି: 2307685) ପରିଦର୍ଶକ କାଉଣ୍ଟର : 3