ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚଣ୍ଡିଗଡ଼ରେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ
ପୋଷ୍ଟ କରାଯିବା ଦିନାଙ୍କ:
17 JUL 2026 4:51PM by PIB Bhubaneswar
ଶ୍ରୀଯୁକ୍ତ ଗୁଲାବ ଚନ୍ଦ କଟାରିଆ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜେ.ପି. ନଡ୍ଡା ଜୀ, ଅଶ୍ବିନୀ ବୈଷ୍ଣବ ଜୀ, ସାଂସଦ ମନୀଷ ତିୱାରୀ ଜୀ ଏବଂ ଏହି ଅଡିଟୋରିଅମରେ ଉପସ୍ଥିତ ଥିବା ବିଧାୟକ, ମନ୍ତ୍ରୀ ଓ ସାଂସଦଗଣ। ବହୁ ଦିନରୁ ପରିଚିତ ଥିବା ଅନେକ ଚେହେରା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଁ ଏଠାରେ ଦେଖିପାରୁଛି।
ଭାଇ ଓ ଭଉଣୀମାନେ,
ଆଜି ଆପଣମାନଙ୍କ ଗହଣକୁ ଆସି ମୁଁ ବହୁତ ଆନନ୍ଦିତ
ବନ୍ଧୁଗଣ,
ଚଣ୍ଡିଗଡ଼ କେବଳ ଏକ ସାଧାରଣ ସହର ନୁହେଁ – ଏହା ହେଉଛି ଭାରତର ବିକାଶର ଏକ ମଡେଲ। ଯୋଜନାବଦ୍ଧ ଅଭିବୃଦ୍ଧି, ଉତ୍ତମ ଜୀବନଶୈଳୀ ଓ ସହଜ ଜୀବନଯାପନ ପାଇଁ ଚଣ୍ଡିଗଡ଼ ପରିଚିତ। ଅତ୍ୟାଧୁନିକ ଚିକିତ୍ସା ସେବା ସହିତ ସର୍ବୋପରି ମାଆ ଚଣ୍ଡିଙ୍କ ଆଶୀର୍ବାଦ ପାଇଁ ଏହା ବେଶ ପରିଚିତ। ସେଥିପାଇଁ ଚଣ୍ଡିଗଡ଼ର ବିକାଶ ସବୁବେଳେ ଏନ୍ଡିଏ ସରକାରଙ୍କ ପ୍ରାଥମିକତା ରହି ଆସିଛି। ଆପଣମାନଙ୍କ ମନେଥିବ ଦେଢ଼ ବର୍ଷ ଆଗରୁ ଦେଶର ବିଚାର ବ୍ଯବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ହୋଇଥିଲା। ପେନାଲ କୋଡ୍ ବଦଳରେ ଦେଶରେ ଲାଗୁ ହୋଇଥିଲା ଭାରତୀୟ ନ୍ୟାୟ ସଂହିତା । ଭାରତୀୟ ନ୍ୟାୟ ସଂହିତା ହେଉଛି ଏପରି ଏକ ଆଇନଗତ ବ୍ୟବସ୍ଥା ଯାହା ଦଣ୍ଡ ପ୍ରଦାନ ଅପେକ୍ଷା ନ୍ଯାୟ ପ୍ରଦାନକୁ ଅଧିକ ଗୁରୁତ୍ବ ଦେଇଥାଏ। ଏବଂ ସେହି ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟକାରୀତା ଏହି ଚଣ୍ଡିଗଡ଼ରୁ ଆରମ୍ଭ ହୋଇଥିଲା।
ବନ୍ଧୁଗଣ,
ଚଣ୍ଡିଗଡ଼କୁ ହାଇଟେକ୍ ସହର କରିବା ପାଇଁ ଏଇ କିଛି ବର୍ଷରେ ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ସ୍ମାର୍ଟ ଟ୍ରାଫିକ ପରିଚାଳନା, ସ୍ମାର୍ଟ ପାର୍କିଂ ଓ ଡିଜିଟାଲ ଶାସନ ପରି ପ୍ରକଳ୍ପ ଏଠାରେ କାର୍ଯ୍ୟକାରୀ କରାଯାଇଛି। ଏହି ମିଶନରେ ଖର୍ଚ୍ଚ କରାଯାଇଛି ୨୫୦୦ କୋଟିରୁ ଅଧିକ ଟଙ୍କା। ଆଜି ବି ସ୍ବାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମିର ଅନେକ ନୂଆ ପ୍ରକଳ୍ପ ଏଠାରେ ଶୁଭାରମ୍ଭ କରାଯାଇଛି। ଏହି ସବୁ ଯୋଜନା ପାଇଁ ମୁଁ ଚଣ୍ଡିଗଡ଼ର ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଏଠାକୁ ଆସିବା ଆଗରୁ ମୁଁ ହରିୟାଣାର ଝିନ୍ଦକୁ ଯାଇଥିଲି ଏବଂ ପଂଜାବର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଏଠାରୁ ମୁଁ ଜଳନ୍ଧର ଯିବି। ଏହି ଦୁଇଟି କାର୍ଯ୍ୟକ୍ରମ ମଧ୍ୟରେ ଆଜି ଚଣ୍ଡିଗଡ଼ର ଏହି କାର୍ଯ୍ୟକ୍ରମ ହେଉଛି। କାରଣ ହରିୟାଣା, ପଂଜାବ, ହିମାଚଳ ପ୍ରଦେଶ ଓ ଏହି ପୂରା ଅଞ୍ଚଳକୁ ସଂଯୋଗ କରିଥାଏ ଚଣ୍ଡିଗଡ଼। ଚଣ୍ଡିଗଡ଼ର ବିକାଶ କେବଳ ଏହାର ବାସିନ୍ଦାଙ୍କ ଜୀବନକୁ ବଦଳାଇନଥାଏ, ବରଂ ଏଥିରେ ହରିୟାଣା, ହିମାଚଳ, ପଂଜାବ ଏବଂ ଜାମ୍ମୁ କାଶ୍ମୀରର ଲୋକେ ବି ଉପକୃତ ହୋଇଥାନ୍ତି। ସ୍ବାସ୍ଥ୍ୟସେବାକୁ ଦେଖିଲେ ଏହି ପୂରା ଅଞ୍ଚଳର କେନ୍ଦ୍ରସ୍ଥଳ ହେଉଛି ଚଣ୍ଡିଗଡ଼।
ବନ୍ଧୁଗଣ,
ଯେତେବେଳେ ମୁଁ ଚଣ୍ଡିଗଡ଼ରେ ରହୁଥିଲି, ମୁଁ ବାରମ୍ବାର ପିଜିଆଇକୁ ଯାଉଥିଲି। କାହିଁକି ? କାରଣ ଜାମ୍ମୁ କାଶ୍ମୀର, ପଂଜାବ, ହିମାଚଳ ପ୍ରଦେଶ କି ହରିୟାଣାର ଆମର କୌଣସି ନା କୌଣସି ସହକର୍ମୀ ହୁଅନ୍ତୁ ବା ସେମାନଙ୍କ ପରିବାରର ସଦସ୍ୟ ଚିକିତ୍ସା ପାଇଁ ଏଠାକୁ ଆସୁଥିଲେ ଓ ସ୍ବାଭାବିକ ଭାବେ ସେମାନଙ୍କୁ ଭେଟିବାକୁ ମୁଁ ଯାଉଥିଲି। ସେଥିପାଇଁ ମୁଁ ଜାଣିଛି, ଏହି ସମଗ୍ର ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ପିଜିଆଇ କେତେ ଗୁରୁତ୍ବପୂର୍ଣ୍ଣ।
ବନ୍ଧୁଗଣ,
ଆଜି ଚଣ୍ଡିଗଡ଼ ପିଜିଆଇରେ ଅତ୍ଯାଧୁନିକ ସ୍ବାସ୍ଥ୍ୟସେବାକୁ ସଂପ୍ରସାରିତ କରାଯାଇଛି। ଅତ୍ୟାଧୁନିକ ନ୍ୟୁରୋସାଇନ୍ସ କେନ୍ଦ୍ର, ଅତ୍ୟାଧୁନିକ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଓ କ୍ରିଟିକାଲ କେୟାର ହସପିଟାଲ ବ୍ଲକ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବ। ୨୦୧୫ରେ ପିଜିଆଇର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ମୋର ମନେ ଅଛି। ମୁଁ ଖୁସି ଯେ, ପୁଣି ଥରେ ଅନେକ ପୁରୁଣା ସହକର୍ମୀଙ୍କୁ ମୁଁ ଭର୍ଚୁଆଲି ଭେଟୁଛି। ଏଇ ଦଶନ୍ଧିରେ ପିଜିଆଇର କ୍ଷମତା ବହୁତ ବଢ଼ିଛି। ମୁଁ ପିଜିଆଇ ଚଣ୍ଡିଗଡ଼ର ପରିଚାଳନା କର୍ତ୍ତୃପକ୍ଷ, ପ୍ରଫେସର ଓ ଯୁବ ଡାକ୍ତରଙ୍କୁ ପ୍ରଶଂସା କରୁଛି ଏବଂ ସେମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆମେ ଯେତେବେଳେ ସ୍ବାସ୍ଥ୍ୟ କଥା ହେଉ, ଆମେ ସମସ୍ତେ ଏହା ଜାଣୁ ଯେ, ସ୍ବଚ୍ଛତା କେତେ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ଯେତେବେଳେ ଆମର ସରକାର ଗଠନ ହେଲା, ଆମେ ସ୍ବଚ୍ଛ ଭାରତ ମିଶନ ଆରମ୍ଭ କରିଥିଲୁ। ଲକ୍ଷ ଲକ୍ଷ ପାଇଖାନା ତିଆରି ହେଲା, ବାହ୍ୟ ମଳମୁକ୍ତ ହେଲା ଭାରତ, ସର୍ବସାଧାରଣ ସ୍ଥାନକୁ ସ୍ବଚ୍ଛ ରଖିବା ପାଇଁ ଅନେକ ଅଭିଯାନ ହେଲା ଏବଂ ସ୍ବଚ୍ଛତାକୁ ଆମ ଜୀବନର ଏକ ଅଙ୍ଗ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଗଲା। ଆମ ଦେଶର ସବୁ ସହରକୁ ନେଇ ସ୍ବଚ୍ଛତା ରାଙ୍କିଂ କରିବା ଏହି ପ୍ରଚେଷ୍ଟାର ଏକ ଅଂଶ ଏବଂ ଚଣ୍ଡିଗଡ଼ ଲଗାତର ଭାବେ ଏଥିରେ ଭଲ ପ୍ରଦର୍ଶନ କରି ଆସୁଛି।
ବନ୍ଧୁଗଣ,
ଚଣ୍ଡିଗଡ଼ର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଇନ୍ଦରଜିତ୍ ସିଂହ ସିଦ୍ଧୁ ଜୀଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି। ସେ “ଝାଡୁ ଯୋଦ୍ଧା” ଭାବେ ପରିଚିତ। ଚଣ୍ଡିଗଡ଼ରେ ସ୍ବଚ୍ଛତା ଉପରେ ସେ ଏକ ନୂଆ ଜନଜାଗରଣ ସୃଷ୍ଟି କରିଛନ୍ତି ଏବଂ ଚଣ୍ଡିଗଡ଼ବାସୀଙ୍କୁ ପ୍ରେରଣା ଦେଇଛନ୍ତି। ଏଥିପାଇଁ ଏହି ବର୍ଷ ଆମ ସରକାର ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ବନ୍ଧୁଗଣ,
ସ୍ବଚ୍ଛତା ଗୋଟିଏ ଦିନର କାମ ନୁହେଁ- ଏହା ହେଉଛି ଏକ ଜୀବନ ଧାରା। ମୁଁ ଖୁସି ଯେ, ଆଜିର କାର୍ଯ୍ୟକ୍ରମକୁ ମଧ୍ୟ ସ୍ବଚ୍ଛତା ସହିତ ଯୋଡ଼ା ଯାଇଛି। ସ୍ବଚ୍ଛତା ସେ ସ୍ବାଗତ କାର୍ଯ୍ୟକ୍ରମ ଜରିଆରେ ଏକ ସ୍ବତନ୍ତ୍ର ସଫେଇ ଅଭିଯାନ କରାଯାଇଥିଲା। ସୋସିଆଲ ମିଡିଆରେ ମୁଁ ଦେଖିଲି ଯେ, ନେତା ଜନତା ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଏହା ସାରା ଦେଶରେ ଏକ ଆନନ୍ଦର ପରିବେଶ ସୃଷ୍ଟି କରିଥାଏ। ଏହି କାର୍ଯ୍ୟକ୍ରମ ପାଇଁ ମୁଁ ଗର୍ବର ସହିତ ସମସ୍ତ ଚଣ୍ଡିଗଡ଼ ବାସିନ୍ଦାଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି।
ବନ୍ଧୁଗଣ,
ଦେଶରେ ଅନେକ ରୋଗକୁ ପ୍ରତିରୋଧ କରିବାରେ ଏହିପରି ସଫେଇ ଅଭିଯାନ ବହୁତ ସାହାଯ୍ଯ କରିଛି।
ବନ୍ଧୁଗଣ,
ଗୋଟିଏ ସମୟ ଥିଲା ଭାରତର ସ୍ବାସ୍ଥ୍ୟ ସେବା କ୍ଷେତ୍ର ପ୍ରତି ବିଶ୍ବରେ ଚିନ୍ତା ପ୍ରକାଶ ପାଉଥିଲା। ଯେତେବେଳେ କୌଣସି ସଂକଟ ହେଉଥିଲା, ସେତେବେଳେ ଲୋକେ ପଚାରୁଥିଲେ ଭାରତର କଣ ହେବ। କରୋନା ମହାମାରୀ ସମୟରେ ସାରା ବିଶ୍ବ ଭାରତକୁ ନେଇ ବହୁତ ଚିନ୍ତିତ ଥିଲା। କିନ୍ତୁ ଆମର ସରକାର ଭାରତର ଶକ୍ତିକୁ ବଦଳାଇ ଦେଇଥିଲା ଓ ଭାରତ ପ୍ରତି ବିଶ୍ବର ଦୃଷ୍ଟିକୋଣକୁ ବି ପରିବର୍ତ୍ତନ କରିଥିଲା। ଯେତେବେଳେ ମହାମାରୀ ଆସିଲା, ଭାରତ କୌଣସି ଦେଶକୁ ସାହାଯ୍ୟ ମାଗିନଥିଲା, ବରଂ ବିଶ୍ବକୁ ଭାରତ ସାହାଯ୍ୟ କରିଥିଲା। ବର୍ତ୍ତମାନ ଅନେକ ଦୂରାରୋଗ୍ୟର ଚିକିତ୍ସା ପାଇଁ ବିଦେଶରୁ ବହୁ ଲୋକ ଭାରତକୁ ଆସୁଛନ୍ତି। ଚିକିତ୍ସା ପର୍ଯ୍ୟଟନରେ ଭାରତ ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି।
ବନ୍ଧୁଗଣ,
ଏହି ପରିବର୍ତ୍ତନ ହେଉଛି ୧୨ ବର୍ଷର ସଚ୍ଚୋଟ ପ୍ରଚେଷ୍ଟା ଓ ନୀତିର ପରିଣାମ। ୧୨ ବର୍ଷ ପୂର୍ବରୁ ଆମେ ସଂକଳ୍ପ ନେଇଥିଲୁ ଯେ, କେହି ବି ଉତ୍ତମ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ, କମ୍ ଖର୍ଚ୍ଚରେ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବେ। ସେହି ସଂକଳ୍ପର ଫଳ ହେଉଛି ବିଗତ ୧୨ ବର୍ଷର ସଫଳତା। ନିକଟ ଅତୀତରେ ଭାରତ ନିଜର ସ୍ବାସ୍ଥ୍ୟସେବାର ଭିତ୍ତିଭୂମିକୁ ଆହୁରି ମଜଭୁତ କରିଛି। ୨୦୧୪ ପରଠୁ ୧୫ଟି ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି। ଆଜି ଦେଶର ବିଭିନ୍ନ ଅଞ୍ଚଳରେ ଏମ୍ସ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି। ସାରା ଦେଶରେ ପ୍ରତିଷ୍ଠା କରାଯାଇଛି ଶତାଧିକ ମେଡିକାଲ କଲେଜ। କ୍ୟାନସର ପରି ଜଟିଳ ରୋଗର ଚିକିତ୍ସା ପାଇଁ ମଧ୍ୟ ଅନେକ ସ୍ବତନ୍ତ୍ର ହସପିଟାଲ ପ୍ରତିଷ୍ଠା କରାଯାଇଛି। ଏଠାରେ ଚଣ୍ଡିଗଡ଼ରେ ମଧ୍ୟ ପ୍ରତିଷ୍ଠା କରାଯାଇଛି ହୋମି ଭାବା କ୍ୟାନସର ହସପିଟାଲ। ୨୦୨୨ରେ ଏହାକୁ ଉଦଘାଟନ କରିବାର ସୌଭାଗ୍ୟ ମତେ ମିଳିଥିଲା। ଆଜି ଏହି ହସପିଟାଲ ହଜାର ହଜାର ରୋଗୀଙ୍କୁ ସେବା ପ୍ରଦାନ କରୁଛି।
ବନ୍ଧୁଗଣ,
ସାରା ଦେଶରେ ଗାଁ ଗହଳିରେ ପ୍ରାଥମିକ ଚିକିତ୍ସା ସେବାକୁ ଆହୁରି ମଜଭୁତ କରାଯାଉଛି। ପ୍ରତ୍ୟେକ ସ୍ତରରେ ଯେମିତି ସ୍ବାସ୍ଥ୍ୟ ସେବା ମଜଭୁତ ରହିବ, ସେଥିପାଇଁ ଆରମ୍ଭ କରାଯାଇଛି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ। ଏହି ଯୋଜନାରେ ସାରା ଦେଶରେ ଗୁରୁତର ସ୍ବାସ୍ଥ୍ୟ ସେବା ବ୍ଲକ, ସମନ୍ବିତ ଜନ ସ୍ବାସ୍ଥ୍ୟ ଲାବ ଓ ସାର୍ବଜନୀନ ସ୍ବାସ୍ଥ୍ୟ ୟୁନିଟ ପ୍ରତିଷ୍ଠା କରାଯାଇଛି। ଆଜି ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ପ୍ରାୟ ୧.୭୫ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାମ କରୁଛି। ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ସହିତ ୧୨ଟି ବିଭିନ୍ନ ସ୍ବାସ୍ଥ୍ୟ ପ୍ୟାକେଜ ସେବା ପ୍ରଦାନ କରୁଛି। ଏଠାରେ ଲକ୍ଷ ଲକ୍ଷ ଲୋକ ରକ୍ତଚାପ, ମଧୁମେହ ପରି ରୋଗର ପରୀକ୍ଷା କରାଉଛନ୍ତି।
ବନ୍ଧୁଗଣ,
ଟେକ୍ନୋଲଜି ଜରିଆରେ ଚିକିତ୍ସାକୁ ଆହୁରି ସହଜ କରୁଛି ଆମ ସରକାର। ଇ-ସଂଜିବନୀ ମିଶନ ଜରିଆରେ ଟେଲି ମେଡିସିନ ସେବା ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ୪୮ କୋଟି ଟେଲିମେଡିସିନ ପରାମର୍ଶ ଦିଆଗଲାଣି। ଏପରିକି ଦୁର୍ଗମ ଅଞ୍ଚଳର ଲୋକେ ବି ପ୍ରତିଷ୍ଠିତ ବଡ଼ ବଡ଼ ଅତ୍ୟାଧୁନିକ ହସପିଟାଲର ଡାକ୍ତରଙ୍କ ପରାମର୍ଶ ନେଇପାରୁଛନ୍ତି।
ବନ୍ଧୁଗଣ,
ସ୍ବାସ୍ଥ୍ୟ ସେବାର ଏହି ସଂପ୍ରସାରଣ ପାଇଁ ଏବେ ଭାରତର ୯୦ ପ୍ରତିଶତ ପିଲା ହସପିଟାଲରେ ଜନ୍ମ ହେଉଛନ୍ତି। ମାତୃ ମୃତ୍ୟୁହାର ୮୬ ପ୍ରତିଶତ କମିଛି ଓ ଶିଶୁ ମୃତ୍ୟୁହାର ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।
ବନ୍ଧୁଗଣ,
ଚିକିତ୍ସା ସହିତ ପ୍ରତିଷେଧକ ସ୍ବାସ୍ଥ୍ୟସେବାକୁ ମଧ୍ୟ ସମାନ ଭାବେ ଗୁରୁତ୍ବ ଦିଆଯାଉଛି। ପୋଷଣ ଅଭିଯାନ, ମିଶନ ଇନ୍ଦ୍ରଧନୁଷ, ଯୋଗ, ଏଚ୍ପିଭି ଟିକାକରଣ ଓ U-WIN ପ୍ଲାଟଫର୍ମ ଲକ୍ଷ ଲକ୍ଷ ଜୀବନ ରକ୍ଷା କରୁଛି।
ବନ୍ଧୁଗଣ,
ଭାରତକୁ ଯକ୍ଷ୍ମାମୁକ୍ତ କରିବାକୁ ମଧ୍ୟ ଆମେ ସଂକଳ୍ପ ନେଇଛୁ। ଏଥିପାଇଁ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଚାଲିଛି। ଲୋକଙ୍କ ଅଂଶଗ୍ରହଣ ସଚେତନତା ବୃଦ୍ଧି କରିଛି, ଠିକ୍ ସମୟରେ ପରୀକ୍ଷା କରାଯାଉଛି ଓ ରୋଗୀଙ୍କୁ ପ୍ରଦାନ କରାଯାଉଛି ଚିକିତ୍ସା। ଫଳରେ ୯୦ ପ୍ରତିଶତ ରୋଗୀଙ୍କ ନିକଟରେ ଟିବି ଚିକିତ୍ସା ପହଞ୍ଚି ପାରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗତ ବର୍ଷର ରିପୋର୍ଟ ଅନୁସାରେ ମାତ୍ର ଗୋଟିଏ ଦଶନ୍ଧିରେ ଯକ୍ଷ୍ମା ସଂକ୍ରମଣ ୨୧ ପ୍ରତିଶତ କମିଛି। ଏହାର ସବୁଠୁ ଅଧିକ ଲାଭ ଗରିବ, ମଧ୍ୟବିତ୍ତ ଓ ବିଶେଷ କରି ଆମର ମାଆ ଭଉଣୀମାନଙ୍କୁ ମିଳୁଛି। ସାଧାରଣତଃ ମହିଳାମାନେ ଘରର କାମକୁ ବେଶି ଗୁରୁତ୍ବ ଦିଅନ୍ତି ଓ ଦେହ ଖରାପ ହେଲେ ଚିକିତ୍ସା ନ କରାଇ ନୀରବରେ ସହି ନିଅନ୍ତି। କିନ୍ତୁ ଏବେ ସକ୍ରିୟ ପ୍ରଚେଷ୍ଟା ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ଓ ଚିକିତ୍ସା ସୁବିଧା ବି ଯୋଗାଇ ଦିଆଯାଉଛି। ଏହା ଫଳରେ ବହୁ ମହିଳା ଯକ୍ଷ୍ମା ପରି ଗୁରୁତର ରୋଗରୁ ମୁକ୍ତ ହେଉଛନ୍ତି। ଭାରତରେ ଏବେ ସ୍ବାସ୍ଥ୍ୟ ସେବା ଏକ ବହୁତ ବଡ଼ ବିଶେଷ ସୁବିଧା ହୋଇ ରହିନାହିଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ଏକ ଅଧିକାରରେ ପରିଣତ ହୋଇଛି।
ବନ୍ଧୁଗଣ,
ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ଗୁରୁତ୍ବ ଦେଉଥିବାରୁ ଭାରତର ଯୁବବର୍ଗ ମଧ୍ୟ ଏଥିରୁ ବହୁତ ଉପକୃତ ହେଉଛନ୍ତି। ଯୁବ ଡାକ୍ତରମାନେ ହୃଦୟଙ୍ଗମ କରିପାରୁଥିବେ ଆଗରୁ ନିଜର ଏହି ସ୍ବପ୍ନ ପୂରଣ କରିବା କେତେ କଷ୍ଟକର ଥିଲା। ଡାକ୍ତରୀ ସିଟ୍ ଓ ମେଡିକାଲ କଲେଜ ବହୁତ କମ୍ ଥିବାରୁ ଡାକ୍ତର ହେବାର ସୁଯୋଗ ବି କମ୍ ଥିଲା। ଆମେ ଏହି ପରିସ୍ଥିତିକୁ ବଦଳାଇ ଦେଇଛୁ। ଆଜିର ଦିନରେ ମେଡିକାଲ କଲେଜ ସଂଖ୍ୟା ପ୍ରାୟ ଦୁଇ ଗୁଣା ହୋଇଛି। ଏମ୍ବିବିଏସ୍ ଓ ସ୍ନାତକୋତ୍ତୋର ସିଟ୍ ରେକର୍ଡ ସଂଖ୍ୟାରେ ବୃଦ୍ଧି ଘଟିଛି। ଏବେ ଚଣ୍ଡିଗଡ଼ ପିଜିଆଇକୁ ମଧ୍ୟ ମିଳିଛି ଏମ୍ବିବିଏସ୍ କଲେଜର ଅନୁମୋଦନ। କିଛି ଦିନ ଭିତରେ ଏଠାରେ ମଧ୍ୟ ଡାକ୍ତରୀ ନାଁ ଲେଖା ହେବ, ଏପରି ଏକ ପ୍ରତିଷ୍ଠିତ ସଂସ୍ଥାନରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଇବେ ପ୍ରତିଭାବାନ୍ ଯୁବବର୍ଗ। ଦେଶ ପାଇବ ଅନେକ ଉତ୍ତମ ଡାକ୍ତର।
ବନ୍ଧୁଗଣ,
ଚଣ୍ଡିଗଡ଼ ହେଉଛି ଏପରି ଏକ ସହର ଯେଉଁଠି ଏକା ସାଙ୍ଗରେ ଅଛି ଶିକ୍ଷା, ଇଂଜିନିୟରିଂ, ଭେଷଜ ବିଜ୍ଞାନ ଓ ଗବେଷଣାର ପ୍ରମୁଖ ଅନୁଷ୍ଠାନ। ବହୁତ କମ୍ ସହରରେ ଏପରି ସୁବିଧା ଅଛି। ଆଗାମୀ ଦିନରେ ଏହି ସବୁ ଅନୁଷ୍ଠାନ ନୂଆ ଟେକ୍ନୋଲଜି, ସ୍ବାସ୍ଥ୍ୟ ସେବା, ଷ୍ଟାର୍ଟଅପ୍ ଓ ନବସୃଜନର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବେ। ଆଜି ଶିକ୍ଷା ସଂପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଏହି ଯାତ୍ରାକୁ ନୂଆ ଗତି ଦେଇଛି। ପଂଜାବ ଇଂଜିନିୟରିଂ କଲେଜରେ କୁରୁକ୍ଷେତ୍ର ପୁରୁଷ ଛାତ୍ରାବାସ ଓ ମେସ୍ ର ଉଦଘାଟନ କରାଯାଇଛି। ସେକ୍ଟର ୪୬ରେ ସରକାରୀ କଲେଜ ପାଇଁ ଏକ ନୂଆ ହଷ୍ଟେଲ ତିଆରି କରାଯାଉଛି। ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆମର ପ୍ରଚେଷ୍ଟା ହେଉଛି ଗବେଷଣା ପାଇଁ ଭଲ ଲାବରୋଟୋରି ଓ ପ୍ରାଧ୍ୟାପକ ପ୍ରଦାନ କରିବା। ଯେତେବେଳେ ଗବେଷଣାର ଉପଯୁକ୍ତ ପରିବେଶ ସୃଷ୍ଟି ହୁଏ, ସେତେବେଳେ ନବସୃଜନର ଗତି ବଢ଼େ। କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର, ଅତ୍ୟାଧୁନିକ ମ୍ୟାନୁଫ୍ୟାକଚରିଂ, ଡିପ୍ – ଟେକ୍ ପରି କ୍ଷେତ୍ରରେ ଭାରତ ନିଶ୍ଚିତ ଭାବେ ଆଗକୁ ବଢ଼ିବା ଉଚିତ। ମୋର ଦୃଢ଼ ଆତ୍ମବିଶ୍ବାସ ଯେ, ଚଣ୍ଡିଗଡ଼ର ଏହି ସବୁ ପ୍ରମୁଖ ଅନୁଷ୍ଠାନ, ଶିକ୍ଷକ ଓ ଯୁବବର୍ଗ ଏ ଦିଗରେ ନିଶ୍ଚିତ ଭାବେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ବନ୍ଧୁଗଣ,
କୌଣସି ଦେଶର ଆର୍ଥିକ ଉନ୍ନତିକୁ ଆଗକୁ ନେଇଥାଏ ଏହାର ଭିତ୍ତିଭୂମିର ବିକାଶ। ପ୍ରଥମ ଥର ପାଇଁ ଭାରତରେ ସାମଗ୍ରିକ ଆଭିମୁଖ୍ୟ ନେଇ ଭିତ୍ତିଭୂମିର ବିକାଶ କରାଯାଉଛି। ଆଜି ଚଣ୍ଡିଗଡ଼ରେ ଯୋଗାଯୋଗର ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଆଇଟି ସିଟିରୁ କୁରାଳି ଯାଏ ୬ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ରାଜପଥକୁ ଉଦଘାଟନ କରାଯାଇଛି। ଏହା ଦ୍ବାରା ଏୟାରପୋର୍ଟ ରୋଡରେ ଭିଡ଼ କମିବ। ମୋହାଲି ଓ ଖରାର୍ ବାସିନ୍ଦା ବି ସୁବିଧାରେ ଯିବାଆସିବା କରିପାରିବେ। ଅମ୍ବାଲା-ଚଣ୍ଡିଗଡ଼ ଗ୍ରୀନଫିଲ୍ଡ ହାଇୱେ ର ପିଆର୍ – ୭ ର ଭିତ୍ତିପ୍ରସ୍ତର ବି ସ୍ଥାପନ ହୋଇଛି। ଏସବୁ ପ୍ରକଳ୍ପ ଶିଳ୍ପ, ବାଣିଜ୍ୟକୁ ସମୃଦ୍ଧ କରିବ ଓ ଚଣ୍ଡିଗଡ଼ରେ ଜୀବନଯାପନକୁ ଆହୁରି ଉନ୍ନତ କରିବ।
ବନ୍ଧୁଗଣ,
ଆଞ୍ଚଳିକ ଯୋଗାଯୋଗକୁ ଗୁରୁତ୍ବ ଦେଇ ଜଳନ୍ଧରରେ ଆଜି ବିଭିନ୍ନ ରେଳ ପ୍ରକଳ୍ପ ଉଦଘାଟନ କରାଯାଇଛି। ଏହି ସବୁ ପ୍ରକଳ୍ପ ଯୋଗୁଁ ପଂଜାବ ସହିତ ଏହି ପୂରା ଅଞ୍ଚଳ ଉପକୃତ ହେବେ। ସେହିପରି ଝିନ୍ଦରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ଉଦଜାନ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ସ୍ବଚ୍ଛ ଇନ୍ଧନର ଏହି ଟ୍ରେନ ଏକ ବହୁତ ବଡ଼ ଶୁଭାରମ୍ଭ। ଏହି ସଫଳତା ପାଇଁ ମୁଁ ଆପଣମାନଙ୍କୁ ଓ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ବିକଶିତ ଭାରତ ଲକ୍ଷ୍ୟର ଯାତ୍ରାରେ ଆଧୁନିକ ଚିନ୍ତାଧାରା ନେଇ ଆମକୁ ଆଗକୁ ବଢ଼ିବାକୁ ହେବ – ଭବିଷ୍ୟତର ଟେକ୍ନୋଲଜି, ପରିବହନ ଓ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବ ଦେବାକୁ ହେବ। କେବଳ ଏହି ପିଢ଼ି ନୁହନ୍ତି ଆଗାମୀ ପିଢ଼ି ମଧ୍ୟ ଯେମିତି ଉପକୃତ ହେବେ, ଆମକୁ ସେମିତି ନିଷ୍ପତ୍ତି ନେବାକୁ ହେବ। ଆମକୁ ଏମିତି ସଂସ୍ଥାନ ପ୍ରତିଷ୍ଠା କରିବାକୁ ହେବ, ଯାହା ସମୟ ସହିତ ଆହୁରି ମଜଭୁତ ହେବ। ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଏ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ସବୁ ନୂଆ ପ୍ରକଳ୍ପ ପାଇଁ ମୁଁ ପୁଣି ଥରେ ଚଣ୍ଡିଗଡ଼, ପଂଜାବ, ହରିୟାଣା, ହିମାଚଳ ଓ ଏହି ସମଗ୍ର ଅଞ୍ଚଳର ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ମୋ ସହିତ କୁହନ୍ତୁ –
ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କି ଜୟ
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ
BSP
(ରିଲିଜ ଆଡି: 2292087)
ପରିଦର୍ଶକ କାଉଣ୍ଟର : 18
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam