ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-୭ ଶିଖର ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
16 JUN 2026 10:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ୧୬ ଜୁନ୍ ୨୦୨୬ରେ ଫ୍ରାନ୍ସର ଏଭିଆନ୍ରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ଭାରତ–କାନାଡା ସମ୍ପର୍କରେ ସକାରାତ୍ମକ ଗତିକୁ ସ୍ୱାଗତ କରିଥିଲେ ଏବଂ ୨୦୨୬ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସଫଳ ଭାରତ ଗସ୍ତ ପରଠାରୁ ହୋଇଥିବା ପ୍ରଗତିକୁ ସନ୍ତୋଷର ସହ ଉଲ୍ଲେଖ କରିଥିଲେ।
ଭବିଷ୍ୟତମୁଖୀ ରଣନୀତିକ ସହଭାଗିତା ଗଠନ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇ ଉଭୟ ନେତା ଭାରତ ଓ କାନାଡାର ଅର୍ଥନୀତି ମଧ୍ୟରେ ଥିବା ପରସ୍ପର ପରିପୂରକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଶ୍ୱିକ ଶକ୍ତି ଏବଂ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସ୍ଥିର ଓ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳର ଗୁରୁତ୍ୱ ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।
ଉଭୟ ନେତା ଦ୍ୱିପାକ୍ଷିକ ଆର୍ଥିକ ସହଯୋଗର ପ୍ରଗତିର ସମୀକ୍ଷା କରିଥିଲେ। ଏଥିରେ ଏଲ୍ଏନ୍ଜି, ଏଲ୍ପିଜି ଏବଂ ଧାତୁବିଜ୍ଞାନ ସମ୍ବନ୍ଧୀୟ କୋଇଲା ସହ ଜଡ଼ିତ ବାଣିଜ୍ୟିକ ବ୍ୟବସ୍ଥାର ଅଗ୍ରଗତି ସାମିଲ ଥିଲା।
ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଗସ୍ତର ନିରନ୍ତର ଧାରାକୁ ସ୍ୱାଗତ କରିଥିଲେ। ସେମାନେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କର ସମ୍ପ୍ରତି କାନାଡା ଗସ୍ତକୁ ଉଲ୍ଲେଖ କରିବା ସହ ୨୦୨୬ରେ କାନାଡାର ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ଭାରତକୁ ଆସିବାକୁ ଥିବା ବାଣିଜ୍ୟ ପ୍ରତିନିଧି ଦଳକୁ ସ୍ୱାଗତ କରିବା ପାଇଁ ଆଶା ପ୍ରକାଶ କରିଥିଲେ।
ଉଭୟ ପକ୍ଷ ବ୍ୟାପକ ଆର୍ଥିକ ସହଭାଗିତା ଚୁକ୍ତି ପାଇଁ ଚାଲିଥିବା ଆଲୋଚନାର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ୨୦୨୬ ମଧ୍ୟରେ ଏହି ଆଲୋଚନାକୁ ସମ୍ପୂର୍ଣ୍ଣ କରିବାର ସାଧାରଣ ଲକ୍ଷ୍ୟକୁ ପୁନଃ ସୁଦୃଢ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ଦୁଇ ସରକାରଙ୍କ ମଧ୍ୟରେ ଅନୁଷ୍ଠାନିକ ସହଯୋଗ ବୃଦ୍ଧିକୁ ସ୍ୱାଗତ କରିଥିଲେ। ଏଥିରେ ସମ୍ପ୍ରତି ଅନୁଷ୍ଠିତ ମିଳିତ ବିଜ୍ଞାନ ଓ ପ୍ରଯୁକ୍ତି କମିଟି ବୈଠକ ଏବଂ କନସୁଲାର ଆଲୋଚନା ସାମିଲ ଥିଲା। ପ୍ରତିରକ୍ଷା, ଅର୍ଥ ଏବଂ ପ୍ରବାସ କ୍ଷେତ୍ରରେ ଆଗାମୀ ଆଲୋଚନାକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ।
ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଜେନେରାଲ୍ ସିକ୍ୟୁରିଟି ଅଫ୍ ଇନଫର୍ମେସନ୍ ଏଗ୍ରିମେଣ୍ଟ (GSOIA) ଉପରେ ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଥିଲେ। ଭାରତର ନ୍ୟାସନାଲ୍ ଡିଫେନ୍ସ କଲେଜର କାନାଡା ଗସ୍ତ ସମେତ ଉଭୟ ଦେଶର ପ୍ରତିରକ୍ଷା ସଂସ୍ଥା ମଧ୍ୟରେ ସମ୍ପ୍ରତି ହୋଇଥିବା ଆଦାନପ୍ରଦାନକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ।
ଉଭୟ ନେତା କାନାଡା–ଭାରତ ଟ୍ୟାଲେଣ୍ଟ ଆଣ୍ଡ ଇନୋଭେସନ୍ ଷ୍ଟ୍ରାଟେଜି ଅଧୀନରେ ଚାଲିଥିବା ସହଯୋଗର ଉଲ୍ଲେଖ କରିଥିଲେ। ଏହା ଅଧୀନରେ ଦକ୍ଷତା ବିକାଶ, ନବସୃଜନ ସହଭାଗିତା ଏବଂ ଉଭୟ ଦେଶର ଶିକ୍ଷାନୁଷ୍ଠାନ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆନ୍ ଓସେନ୍ ରିମ୍ ଆସୋସିଏସନ୍ (IORA)’ର ଡାଏଲଗ୍ ପାର୍ଟନର ଭାବେ କାନାଡାର ସଦସ୍ୟତା ପାଇଁ ଭାରତର ସମର୍ଥନ ବ୍ୟକ୍ତ କରିଥିଲେ।
ଉଭୟ ନେତା ଆଲାଚନା, ଆଦାନପ୍ରଦାନ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ‘ରୈସିନା ଆମେରିକାସ୍’ ନାମକ ଏକ ନୂତନ ମଞ୍ଚ ପ୍ରତିଷ୍ଠାର ଘୋଷଣା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ୨୦୨୬ରେ କାନାଡା ଗସ୍ତ ପାଇଁ ଆମନ୍ତ୍ରଣ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଧନ୍ୟବାଦ ଜଣାଇଥିଲେ। ପାରସ୍ପରିକ ସୁବିଧାଜନକ ତାରିଖ ନିର୍ଦ୍ଧାରଣ କରିବା ପାଇଁ ଉଭୟ ପକ୍ଷ କୂଟନୈତିକ ମାଧ୍ୟମରେ ନିରନ୍ତର ସମ୍ପର୍କରେ ରହିବାକୁ ସହମତ ହୋଇଥିଲେ।
*****
MT
(रिलीज़ आईडी: 2283180)
आगंतुक पटल : 14
इस विज्ञप्ति को इन भाषाओं में पढ़ें:
Gujarati
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam