ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଉ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା
ଭାରତ ଓ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଶ୍ରୀ ଅମିତ ଶାହ
ଏସବୁ ବ୍ୟକ୍ତି ଆତଙ୍କବାଦ, ଭାରତ ବିରୋଧୀ କାର୍ଯ୍ୟ, ଅସ୍ତ୍ରଶସ୍ତ୍ର ଚାଲାଣ ଆଦି କାର୍ଯ୍ୟରେ ଲିପ୍ତ ଥିଲେ
ଏହି ୨୩ ଆତଙ୍କବାଦୀଙ୍କ ମଧ୍ୟରୁ ୧୭ ଜଣ ପାକିସ୍ତାନୀ ଓ ୬ ଜଣ ଭାରତୀୟ
ଆତଙ୍କୀ ଇକୋସିଷ୍ଟମକୁ ଭାଙ୍ଗିବା ଦିଗରେ ବଡ଼ ପଦକ୍ଷେପ; ପାଣ୍ଠି ଓ କାର୍ଯ୍ୟକଳାପ ଉପରେ ପଡ଼ିବ କଡ଼ା ପ୍ରଭାବ
प्रविष्टि तिथि:
04 JUL 2026 12:38PM by PIB Bhubaneswar
ଆତଙ୍କବାଦ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅଧୀନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଉ ୨୩ ଜଣ ବ୍ୟକ୍ତିଙ୍କୁ 'ଆତଙ୍କବାଦୀ' ଘୋଷଣା କରିଛି। ଏ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଭାରତ ଏବଂ ଏହାର ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୋଦୀ ସରକାର ପ୍ରତ୍ୟେକ ଆତଙ୍କବାଦୀ ସଂଗଠନକୁ ଲୋପ କରିବାକୁ ପ୍ରତିବଦ୍ଧ।
‘ଏକ୍ସ’ରେ ଏକ ପୋଷ୍ଟ କରି ଶ୍ରୀ ଅମିତ ଶାହ କହିଛନ୍ତି, "ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ଶୂନ୍ୟ ସହନଶୀ ନଂଳତା'ର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଜି ବେଆଇନ କାର୍ଯ୍ୟକଳାପ (ନିରୋଧ) ଅଧିନିୟମ(ୟୁଏପିଏ)ର ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ନିଷିଦ୍ଧ ଘୋଷିତ ସଂଗଠନଗୁଡ଼ିକ ସହ ସଂପୃକ୍ତ ୨୩ କୁଖ୍ୟାତ ଆତଙ୍କୀ କର୍ମୀଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ଏହି ଚିହ୍ନଟ ହୋଇଥିବା ଆତଙ୍କବାଦୀମାନେ ଭାରତ-ବିରୋଧୀ କାର୍ଯ୍ୟକଳାପ, ଆତଙ୍କବାଦୀ ଆକ୍ରମଣ କରିବା, ଆତଙ୍କବାଦକୁ ଉସୁକାଇବା, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ସୀମାନ୍ତ ଦେଇ ଅନୁପ୍ରବେଶ କରିବା, ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇବା, ପାଣ୍ଠି ସଂଗ୍ରହ କରିବା ଏବଂ ଆତଙ୍କବାଦୀ ନିଯୁକ୍ତି କରିବା ଭଳି କାର୍ଯ୍ୟରେ ଜଡ଼ିତ ଅଛନ୍ତି। ଆଜି ଘୋଷଣା କରାଯାଇଥିବା ୨୩ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୧୭ ଜଣ ପାକିସ୍ତାନୀ ନାଗରିକ ଏବଂ ୬ ଜଣ ଭାରତୀୟ ନାଗରିକ ଅଟନ୍ତି। ତେବେ ବର୍ତ୍ତମାନ ସେମାନେ ସମସ୍ତେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି।
ଏହି ବ୍ୟକ୍ତିମାନଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ ଭାବରେ ଘୋଷଣା କରିବା ଦ୍ୱାରା ସେମାନଙ୍କର ଆର୍ଥିକ ନେଟୱାର୍କ, ଗତିବିଧି, ନିଯୁକ୍ତି କ୍ଷମତା ଏବଂ ଆତଙ୍କବାଦ ସହିତ ଜଡିତ କାର୍ଯ୍ୟକଳାପକୁ ନିରୋଧ କରାଯାଇପାରିବ। ଏହା କେବଳ ଆତଙ୍କବାଦ ଇକୋସିଷ୍ଟମକୁ ଭାଙ୍ଗିବାରେ ସାହାଯ୍ୟ କରିବ ନାହିଁ, ବରଂ ଦେଶ ବିରୋଧୀ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ଦୃଢ଼ ସନ୍ଦେଶ ମଧ୍ୟ ପଠାଇବ। ଏହା ସହିତ, ଏହା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସମନ୍ୱିତ ଆଇନଗତ, ତଦନ୍ତକାରୀ ଏବଂ ପ୍ରତିରୋଧକ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୁରକ୍ଷା ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକର କ୍ଷମତା ବୃଦ୍ଧି କରିବ।
୨୦୧୯ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବେଆଇନ କାର୍ଯ୍ୟକଳାପ (ନିରୋଧ) ଅଧିନିୟମ, ୧୯୬୭ (ୟୁଏପିଏ) ର ସଂଶୋଧନ ପରେ, ଉକ୍ତ ଅଧିନିୟମର ଧାରା ୩୫ ଅଧୀନରେ ଏବଂ ଏହାର ଚତୁର୍ଥ ଅନୁସୂଚୀରେ ଏପର୍ଯ୍ୟନ୍ତ ସର୍ବମୋଟ ୫୭ ଜଣ ବ୍ୟକ୍ତିଙ୍କୁ 'ଆତଙ୍କବାଦୀ' ଭାବେ ଚିହ୍ନଟ କରାଯାଇଛି।
କେନ୍ଦ୍ର ସରକାର ନିମ୍ନଲିଖିତ ୨୩ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି..
୧. ମସୁଦ ଇଲିୟାସ କାଶ୍ମିରୀ ଓରଫ ମୁଫତି ମସୁଦ ଇଲିୟାସ ଓରଫ ମସୁଦ ଇଲିୟାସ ଓରଫ ଅବୁ ମହମ୍ମଦ ଓରଫ ଏମ୍. ମସୁଦ ଇଲିୟାସ
୨. ମହମ୍ମଦ ମୁସାଦିକ ଓରଫ ଡକ୍ଟର ଓରଫ ଅବ୍ଦୁଲ ମାନ୍ନାନ ଓରଫ ସଜ୍ଜାଦ ଓରଫ ହମଜା ଓରଫ ୱାହିଦ ଖାନ
୩. ମୁଫତି ମହମ୍ମଦ ଅସଗର ଖାଁ ଓରଫ ଅବୁ ସାଦ ଓରଫ ସାଦ ଜିମି
୪. ହାଫିଜ ଅବ୍ଦୁଲ ଶକୁର ଓରଫ କାରି ଜରାର
୫. ଅବ୍ଦୁଲ୍ଲା ଜିହାଦି ଓରଫ ଶାହନୱାଜ ଓରଫ ଅଲ୍-ହିଜାମା
୬. ଫିରଦୌସ ଆହମଦ ଭଟ୍
୭. ଗୁଲାମ ଫରିଦ ଓରଫ ଗୁଲଶନ କୁମାର ଓରଫ ଫରିଦ
୮. ହାରୁନ ରଶିଦ ଗାନାଇ ଓରଫ ଶୁନୁ
୯. ବିଲାଲ ଅହମଦ ମିର ଓରଫ ଅହମଦ ଭାଇ
୧୦. ଅବିଦ କୟୁମ ଲୋନ
୧୧. ନଜିର ଆହମଦ ଗୁଜ୍ଜର ଓରଫ ଅବୁ ମନାଜିଲ
୧୨. ଅବ୍ଦୁଲ ରୌଫ ଓରଫ ହାଫିଜ ଅବ୍ଦୁଲ ରୌଫ
୧୩. ଅଶଫାକ ଆହମଦ ଓରଫ ଇଶଫାକ ଅହମଦ
୧୪. ହାଫିଜ ଖାଲିଦ ୱାଲିଦ ଓରଫ ହାଫିଜ ଖାଲିଦ ନାଇକ ଓରଫ ଖାଲିଦ ୱାଲିଦ
୧୫. ମୌଲାନା ଇମଦାଦ ଉଲ୍ଲାହ ମକ୍କି ଓରଫ ମୌଲାନା ଇମଦାଦ ଓରଫ ଇମଦାଦ ଭାଇ ଓରଫ ମୌଲାନା ଇମଦାଦୁଲ୍ଲାହ
୧୬. ମୌଲାନା ସୈଫୁଲ୍ଲାହ ଖାଲିଦ ଓରଫ ୱାଲିଉଲ ଓରଫ ମହମ୍ମଦ ସଲିମ ଓରଫ ୱାଜିଦ
୧୭. ମହମ୍ମଦ ୟାକୁବ ଓରଫ ଅବୁ ସୁମାମା ଓରଫ ସମାମା ଇଲିୟାସ ଓରଫ ୱାରିସ ଅଲି
୧୮. ମୌଲାନା ୟୁସୁଫ ତାଇବି ଓରଫ ମହମ୍ମଦ ୟୁସୁଫ
୧୯. ଓୱୈସ ଫାରୁଜ ଓରଫ ଓୱୈସ ଅହମଦ ମିର ଓରଫ ଓୱୈସ ଫାରୁଜ ମିର
୨୦. କାରି ୟାକୁବ ଶେଖ ଓରଫ କାରି ମହମ୍ମଦ ୟାକୁବ ଶେଖ ଓରଫ ୟାକୁବ ଶେଖ ଓରଫ କାରି ଶେଖ ମହମ୍ମଦ ୟାକୁବ ଓରଫ ମହମ୍ମଦ ୟାକୁବ
୨୧. ରାଣା ଇଫତିଖାର ଓରଫ ରାଣା ୱାଲିଦ ଆତିଫ ଓରଫ ରାଣା ଇଫତିଖାର ହାଇଦର ଓରଫ ରାଣା ଇଫ୍ତିଖାର ଆହମଦ ଓରଫ ହାଇଦର ଖାନ
୨୨. ୱାସିମ ନୂର ଜାଟ ଓରଫ କାରି ୱାସିମ
୨୩. ମହମ୍ମଦ ଶାହିଦ ଫୈସଲ ଓରଫ ଉସ୍ତାଦ ଓରଫ ମୁହାନ୍ଦିସ ଓରଫ ଜାକିର
୧.ମାସୁଦ୍ ଇଲିୟାସ କାଶ୍ମିରୀ ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ ଜଣେ ପାକିସ୍ତାନୀ ନାଗରିକ। ସେ ମୌଲାନା ମାସୁଦ୍ ଅଜହରର ଜଣେ ଅନ୍ତରଙ୍ଗ ସହଯୋଗୀ ଏବଂ କାଶ୍ମୀରରେ ଆତଙ୍କୀ ଅନୁପ୍ରବେଶ କାର୍ଯ୍ୟକଳାପରେ ଜଡ଼ିତ । ସେ ସୋସିଆଲ ମିଡିଆ ମାଧ୍ୟମରେ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି କରିବା ଏବଂ ଆତଙ୍କବାଦ ପାଇଁ ପାଣ୍ଠି ସଂଗ୍ରହ କରିବାରେ ସକ୍ରିୟ ଭାବରେ ସଂପୃକ୍ତ ରହିଆସିଛି। ସେ ଏପ୍ରିଲ ୨୦୨୨ରେ ଜାମ୍ମୁର ସୁଞ୍ଜୱାନ ସ୍ଥିତ ପିଡିପି କାର୍ଯ୍ୟାଳୟ ନିକଟରେ ଏକ ପୋଲିସ ଚେକପୋଷ୍ଟ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା।
୨. ମହମ୍ମଦ ମୁସାଦ୍ଦିକ (ଛଦ୍ମନାମ ଡାକ୍ତର, ଅବ୍ଦୁଲ ମନ୍ନାନ, ସଜ୍ଜାଦ, ହାମଜା, ୱାହିଦ ଖାନ) ମଧ୍ୟ ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ ଜଣେ ପାକିସ୍ତାନୀ ନାଗରିକ। ସେ ଲାସିୟାକୋଟ ସେକ୍ଟରର ଲଞ୍ଚିଂ କମାଣ୍ଡର ଭାବରେ କାର୍ଯ୍ୟ କରେ, ଯିଏ କି ସୁଡ଼ଙ୍ଗ ମାଧ୍ୟମରେ ସୀମା ପାର୍ ଅନୁପ୍ରବେଶକୁ ସହଜ କରିଥାଏ। ସେ ଡ୍ରୋନ୍ ବ୍ୟବହାର କରି ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ପଠାଇବାରେ ବି ସଂପୃକ୍ତ ରହିଛି। ଏହା ବ୍ୟତୀତ, ସେ ଅଯୋଧ୍ୟାର ଆରଜେବି କମ୍ପ୍ଲେକ୍ସ, ନାଗପୁରର ଆରଏସଏସ ମୁଖ୍ୟାଳୟ ଏବଂ ପାନିପଥର ଆଇଓସିଏଲ ରିଫାଇନାରୀ ଭଳି ରଣନୀତିକ ସ୍ଥାନଗୁଡ଼ିକର ରେକି କରିବାରେ ଜଡ଼ିତ ଥିଲା।
୩. ମୁଫତି ମହମ୍ମଦ ଅସଗର ଖାଁ (ଛଦ୍ମନାମ ଆବୁ ସାଦ୍ କିମ୍ବା ସାଦ୍ ଜିମିକି) ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ ଜଣେ ପାକିସ୍ତାନୀ ନାଗରିକ। ସେ ପାକ ଅଧିକୃତ କଶ୍ମୀରରେ ଜୈଶ-ଇ-ମହମ୍ମଦର 'ଅମୀର' (ମୁଖ୍ୟ) ଏବଂ ଏହାର ସାମରିକ ଶାଖାର ପ୍ରମୁଖ ଭାବରେ କାର୍ଯ୍ୟ କରୁଛି। ଜାମ୍ମୁର ନଗ୍ରୋଟାସ୍ଥିତ ଭାରତୀୟ ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛର ସେ ଜଣେ ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ।
୪. ହାଫିଜ୍ ଅବ୍ଦୁଲ ଶକୁର (ଓରଫ କାରୀ ଜରାର୍) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଜୈଶ-ଇ-ମହମ୍ମଦ ଓ ହରକତ-ଉଲ୍-ମୁଜାହିଦ୍ଦିନ ସହିତ ଜଡ଼ିତ । ନଗ୍ରୋଟା ସେନା ଶିବିର ଉପରେ ଆକ୍ରମଣ ପାଇଁ ସେ ସାମ୍ବା-କଥୁଆ ସେକ୍ଟର ଦେଇ ତିନିଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାରେ ସହଯୋଗ କରିଥିଲା। ସେ ଜୈଶ-ଇ-ମହମ୍ମଦର ପରିଚାଳନା ପରିଷଦ (ଶୁରା) ର ଜଣେ ସଦସ୍ୟ ଅଛି।
୫. ଅବଦୁଲ୍ଲା ଜିହାଦୀ (ଛଦ୍ମନାମ ଶାହନୱାଜ, ଛଦ୍ମନାମ ଅଲ୍-ହିଜାମା) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ। ସେ ମୁଫତି ଅସଗର ଖା୍ଁର ଜଣେ ସହ-ଷଡ଼ଯନ୍ତ୍ରକାରୀ ଏବଂ ଉତ୍ତର କାଶ୍ମୀର ଅଞ୍ଚଳକୁ ଆତଙ୍କବାଦୀଙ୍କ ଅନୁପ୍ରବେଶରେ ସହଯୋଗ କରେ। ସେ କୁପୱାଡା ଏବଂ ବାରାମୁଲା ଜିଲ୍ଲାରେ ଅବସ୍ଥିତ ଅନେକ ଲଞ୍ଚିଂ କ୍ୟାମ୍ପ (ଶିବିର) ପରିଚାଳନା କରୁଥିଲା।
୬. ଫିରଦୌସ ଅହମ୍ମଦ ଭଟ୍ଟ ଜଣେ ଏବେ ପାକିସ୍ତାନରେ ରହିଥିବା ଜଣେ ଭାରତୀୟ ନାଗରିକ ଓ ସେ ଲସ୍କର-ଇ-ତୋଏବା ସହିତ ଜଡ଼ିତ । ସେ ଏହି ସଂଗଠନ ପାଇଁ ଜଣେ 'ଲଞ୍ଚିଂ କମାଣ୍ଡର' ଭାବରେ କାର୍ଯ୍ୟ କରିଥାଏ, ଯିଏ କି ୨୦୧୮ ମସିହାରେ ବୈଧ ଯାତ୍ରା ଦସ୍ତାବିଜ୍ (ଭିସା/ପାସପୋର୍ଟ) ବ୍ୟବହାର କରି ୱାଘା ସୀମା ଦେଇ ପାକିସ୍ତାନକୁ ଯାଇଥିଲା। ସେ ନିୟନ୍ତ୍ରଣ ରେଖା ପାର୍ ହୋଇ ବିଦେଶୀ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଭାବେ ଭାରତ ମଧ୍ୟକୁ ପ୍ରବେଶ କରାଇବାରେ ସହଯୋଗ କରେ।
୭. ଗୁଲାମ ଫରିଦ (ଛଦ୍ମନାମ ଗୁଲସନ କୁମାର) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ ଅଛି। ସେ ୨୦୦୧ ରୁ ୨୦୦୫ ମସିହା ପର୍ଯ୍ୟନ୍ତ ପାକିସ୍ତାନ ସେନାରେ କାର୍ଯ୍ୟ କରିଥିଲା। ପରବର୍ତ୍ତୀ ସମୟରେ, ସେ ସେପ୍ଟେମ୍ବର ୨୦୦୮ରେ ବାଂଲାଦେଶ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ଡିସେମ୍ବର ୨୦୦୮ରେ ତାକୁ ଜାମ୍ମୁରୁ ଗିରଫ କରାଯାଇଥିଲା ଏବଂ ପରେ ଜୁଲାଇ ୨୦୧୯ରେ ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା।
୮. ହାରୁନ ରସିଦ ଗନାଇ (ଛଦ୍ମନାମ ଶୁନୁ) ମଧ୍ୟ ପାକିସ୍ତାନରେ ରହୁଥିବା ଜଣେ ଭାରତୀୟ ନାଗରିକ ଏବଂ ସେ ଲସ୍କର-ଇ-ତୋଏବା ସହିତ ଜଡ଼ିତ ଅଛି। ସେ ମାର୍ଚ୍ଚ ୨୦୧୮ରେ ବୈଧ ଦସ୍ତାବିଜ୍ ସହ ପାକିସ୍ତାନ ଯାତ୍ରା କରିଥିଲା ଏବଂ ସେଠାରେ ଲସ୍କର-ଇ-ତୋଏବାରେ ସାମିଲ ହୋଇଥିଲା।
୯. ବିଲାଲ ଅହମ୍ମଦ ମୀର (ଛଦ୍ମନାମ 'ଅହମ୍ମଦ ଭାଇ') ଜଣେ ଭାରତୀୟ ନାଗରିକ ଓ ସେ ଏବେ ପିଓକେର ମୁଜାଫରାବାଦରେ ବସବାସ କରୁଛି। ସେ ଲସ୍କର-ଇ-ତୋଏବା ଓ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ସହିତ ଜଡ଼ିତ ଅଛି। ସୀମା ସେପଟୁ କାର୍ଯ୍ୟ କରି, ସେ ସ୍ଥାନୀୟ କାଶ୍ମୀରୀ ଯୁବକମାନଙ୍କୁ ଜିହାଦରେ ସାମିଲ ହେବା ପାଇଁ ଉସକାଇବା ଏବଂ ପ୍ରେରିତ କରିବାକୁ ଷଡ଼ଯନ୍ତ୍ର କରିଥାଏ। ଏହାବ୍ୟତୀତ, ସେ କାଶ୍ମୀର ଉପତ୍ୟକାକୁ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଲଜିଷ୍ଟିକ୍ସ (ସାମଗ୍ରୀ) ଯୋଗାଣ ବ୍ୟବସ୍ଥାର ପରିଚାଳନାରେ ସିଧାସଳଖ ସଂପୃକ୍ତ ଅଛି।
୧୦. ଆବିଦ୍ କାୟୁମ୍ ଲୋନ୍ ପିଓକେରେ ରହୁଥିବା ଜଣେ ଭାରତୀୟ ନାଗରିକ ଅଟେ । ସେ ଲସ୍କର-ଇ-ତୋଏବା ସହିତ ଜଡ଼ିତ ଅଛି। ସେ ଫେବୃଆରୀ ୨୦୨୦ରେ ଅଟ୍ଟାରୀ ଚେକ୍ ପୋଷ୍ଟ ଦେଇ ପାକିସ୍ତାନ ଯାତ୍ରା କରିଥିଲା ଏବଂ ଆଉ ଫେରିନଥିଲା। ସେ ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣର ଷଡ଼ଯନ୍ତ୍ର କରିବା ଏବଂ ଲସ୍କର-ଇ-ତୋଏବା ପାଇଁ ପାଣ୍ଠି ସଂଗ୍ରହ କରିବାରେ ସଂପୃକ୍ତ ଅଛି।
୧୧. ନଜିର ଅହମ୍ମଦ ଗୁଜ୍ଜର (ଛଦ୍ମନାମ ଆବୁ ମନାଜିଲ) ପାକିସ୍ତାନର ଇସ୍ଲାମାବାଦରେ ରହୁଥିବା ଜଣେ ଭାରତୀୟ ନାଗରିକ ଅଟେ ଏବଂ ସେ ଲସ୍କର-ଇ-ତୋଏବା ସହିତ ଜଡ଼ିତ। ସେ ୨୦୦୬ ମସିହାରେ ନିୟନ୍ତ୍ରଣ ରେଖା ପାର୍ ହୋଇ ପିଓକେକୁ ଚାଲିଯାଇଥିଲା। ଡୋଡା ଏବଂ କିସତୱାଡ଼ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୁନର୍ଜୀବିତ କରିବା ପାଇଁ ସେ ସ୍ଥାନୀୟ ଯୁବକମାନଙ୍କୁ ସଂଗଠନରେ ସାମିଲ କରୁଥିଲା। ସାମ୍ବା ଏବଂ ଆର.ଏସ. ପୁରା ସେକ୍ଟର ଦେଇ ଡ୍ରୋନ୍ ସାହାଯ୍ୟରେ ଭାରତୀୟ ସୀମା ମଧ୍ୟକୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପଠାଇବାରେ ସେ ସାମିଲ ଅଛି।
୧୨. ଅବ୍ଦୁଲ ରଉଫ୍ (ହାଫିଜ୍ ଅବ୍ଦୁଲ ରଉଫ୍ କିମ୍ବା ହାଫିଜ୍ ଅବ୍ଦୁର ରଉଫ୍ ନାମରେ ମଧ୍ୟ ଜଣାଶୁଣା) ଜଣେ ପାକିସ୍ତାନୀ ନାଗରିକ ଓ ସେ ଲସ୍କର-ଇ-ତୋଏବା, ଜମାତ-ଉଦ-ଦାୱା ଏବଂ ଫଲାହ-ଇ-ଇନସାନିୟତ ଫାଉଣ୍ଡେସନ ସହିତ ଜଡ଼ିତ । ସେ ୧୯୯୯ ମସିହାରୁ ଲସ୍କରର ଜଣେ ବରିଷ୍ଠ ନେତା ଭାବରେ କାର୍ଯ୍ୟ କରୁଛି ଏବଂ ଆତଙ୍କବାଦୀ ହାଫିଜ୍ ସୟିଦଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ କାର୍ଯ୍ୟ କରେ।
୧୩. ଆଶଫାକ ଅହମ୍ମଦ (ଛଦ୍ମନାମ ଇଶଫାକ ଅହମ୍ମଦ) ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ ଜଣେ ପାକିସ୍ତାନୀ ନାଗରିକ। ସେ ୨୦୦୦ ମସିହାରେ ଜୈଶ-ଇ-ମହମ୍ମଦରେ ସାମିଲ ହୋଇଥିଲା ଏବଂ ବାହାୱାଲପୁରଠାରେ 'ଶୁଆବା ହଦିସ' ଓ ଅଲ-ରେହମତ ଟ୍ରଷ୍ଟ (ଜୈଶର ସ୍ୱେଚ୍ଛାସେବୀ ଶାଖା)ର ଦାୟିତ୍ୱରେ ଅଛି।
୧୪. ହାଫିଜ୍ ଖାଲିଦ୍ ୱାଲିଦ୍ (ଛଦ୍ମନାମ ହାଫିଜ୍ ଖାଲିଦ୍ ନାଏକ/ଖାଲିଦ୍ ୱାଲିଦ୍) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଲସ୍କର-ଇ-ତୋଏବା ଓ ଜମାତ-ଉଦ-ଦାୱା ସହିତ ଜଡ଼ିତ ଅଛି। ସେ ଲସ୍କର ମୁଖ୍ୟ ହାଫିଜ୍ ମହମ୍ମଦ ସୟିଦଙ୍କ ଜାମାତା ଅଟେ ଏବଂ ୨୦୦୩ ମସିହାରୁ ଏହି ସଂଗଠନର କେନ୍ଦ୍ରୀୟ ପରାମର୍ଶଦାତା ସମିତିର ଜଣେ ସଦସ୍ୟ ରହିଛି। ଜୁନ୍ ୨୦୧୬ରେ ହୋଇଥିବା ପାମ୍ପୋର ଆକ୍ରମଣ ପଛର ସେ ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲେ, ଯେଉଁଥିରେ ସିଆରପିଏଫର ଆଠ ଜଣ ଯବାନ ସହିଦ ହୋଇଥିଲେ। ଅଗଷ୍ଟ ୨୦୧୨ରେ ଆମେରିକାର ଟ୍ରେଜେରୀ ବିଭାଗ ଦ୍ୱାରା ତାଙ୍କୁ ଜଣେ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା।
୧୫. ମୌଲାନା ଇମଦାଦ୍ ଉଲ୍ଲା ମକ୍କି (ମୌଲାନା ଇମଦାଦ୍, ଇମଦାଦ୍ ଭାଇ, କିମ୍ବା ମୌଲାନା ଇମଦାଦୁଲ୍ଲା ନାମରେ ମଧ୍ୟ ଜଣାଶୁଣା) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ ଅଛି। ସେ ଜୈଶର କାରାଗାର ଶାଖା (ଶୋବା-ଇ-ଅସୀରାନ) ର 'ଅମୀର' (ମୁଖ୍ୟ) ଭାବରେ କାର୍ଯ୍ୟ କରେ ଏବଂ ସଂଗଠନର ଆଇନଗତ ବ୍ୟାପାରର ମୁଖ୍ୟ ଅଛି। ସେ ମୌଲାନା ମାସୁଦ୍ ଅଜହର ଏବଂ ତା’ ଉପ-ମୁଖ୍ୟ ମୁଫତି ଅବ୍ଦୁଲ ରଉଫ୍ ଅସଗରର ଜଣେ ଅତି ନିକଟତମ ସହଯୋଗୀ। ଜାନୁଆରୀ ୨୦୧୬ରେ ପଠାନକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କ ସହ ସେ ସେହି ସମୟରେ ସିଧାସଳଖ ସମନ୍ୱୟ ରକ୍ଷା କରିବାରେ ସଂପୃକ୍ତ ଥିଲା।
୧୬. ମୌଲାନା ସଇଫୁଲ୍ଲା ଖାଲିଦ୍ (ଛଦ୍ମନାମ ୱାଲିଉଲ୍, ମହମ୍ମଦ ସଲିମ, ୱାଜିଦ୍) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଲସ୍କର-ଇ-ତୋଏବା ଓ ପାକିସ୍ତାନ ମର୍କଜି ମୁସଲିମ୍ ଲିଗ୍ ସହିତ ଜଡ଼ିତ ଅଛି। ସେ ଲସ୍କର ଏବଂ ଜମାତ-ଉଦ-ଦାୱାର ଅନେକ ଶାଖା, ଯେପରିକି ଅପପ୍ରଚାର ବିଭାଗ ଏବଂ ନିୟନ୍ତ୍ରଣ ଓ ସଂସ୍କାର ଶାଖାର ନେତୃତ୍ୱ ନେଇଥିଲା। ଏପ୍ରିଲ ୨୦୧୮ରେ ଆମେରିକା ତାଙ୍କୁ ଜଣେ 'ବିଶେଷ ଭାବରେ ଚିହ୍ନିତ ବିଶ୍ୱ ଆତଙ୍କବାଦୀ' ଭାବେ ଘୋଷଣା କରିଛି।
୧୭. ମହମ୍ମଦ ୟାକୁବ୍ (ଛଦ୍ମନାମ ଆବୁ ସୁମାମା, ସୁମାମା ଇଲ୍ୟାସ୍, ୱାରିସ୍ ଅଲି) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଲସ୍କର-ଇ-ତୋଏବା ସହିତ ଜଡ଼ିତ । ସେ ସମ୍ପ୍ରତି ଇସଲାମାବାଦରେ ରହି ଲସ୍କରର ଜଣେ ଅପରେସନାଲ କମାଣ୍ଡର ଭାବରେ କାର୍ଯ୍ୟ କରୁଛି। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ କାଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ଅନ୍ୟ ଲସ୍କର କ୍ୟାଡରମାନଙ୍କୁ ଆର୍ଥିକ ଏବଂ ଲଜିଷ୍ଟିକ୍ସ ସହାୟତା ଯୋଗାଇବାରେ ସେ ସମନ୍ୱୟ ରକ୍ଷା କରେ।
୧୮. ମୌଲାନା ୟୁସୁଫ୍ ତଇବି (ଛଦ୍ମନାମ ମହମ୍ମଦ ୟୁସୁଫ୍) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଲସ୍କର-ଇ-ତୋଏବା ଓ ଜମାତ-ଉଦ-ଦାୱା ସହିତ ଜଡ଼ିତ ଅଛି। ସମ୍ପ୍ରତି, ସେ ଲାହୋରସ୍ଥିତ 'ଅଲ୍-କାଦସିଆ ଇସଲାମିକ୍ ସେଣ୍ଟର' ସହିତ ଜଡ଼ିତ ଅଛନ୍ତି ଏବଂ ପଞ୍ଜାବର ସରଗୋଧା ମର୍କଜ୍ ଠାରେ ଶୁକ୍ରବାରର ଧାର୍ମିକ ପ୍ରବଚନ (ଖୁତବା) ପ୍ରଦାନ କରନ୍ତି।
୧୯. ଓୱେସ୍ ଫାରୁଜ୍ (ଛଦ୍ମନାମ ଓୱେସ୍ ଅହମ୍ମଦ ମୀର / ଓୱେସ୍ ଫାରୁଜ୍ ମୀର) ଜଣେ ଭାରତୀୟ ନାଗରିକ ଏବଂ ସେ ଲସ୍କର-ଇ-ତୋଏବା ସହିତ ଜଡ଼ିତ ଅଛି। ସେ ଏପ୍ରିଲ ୨୦୧୮ରେ ଏକ ବୈଧ ଭାରତୀୟ ପାସପୋର୍ଟ ସହ ୱାଘା ସୀମା ଦେଇ ପାକିସ୍ତାନ ଯାତ୍ରା କରିଥିଲା ଏବଂ ସେଠାରେ ଲସ୍କରର ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ଜାନୁଆରୀ ୨୦୨୩ରେ, ତା ଭାଇ ଫରଜାନ୍ ଫେରୋଜକୁ ଶ୍ରୀନଗର ପୋଲିସ ପ୍ରାୟ ୪୫୦ ଗ୍ରାମ ହେରୋଇନ୍ (ଯାହାର ଆନୁମାନିକ ମୂଲ୍ୟ ୯.୯୫ ଲକ୍ଷ ଟଙ୍କା) ଏବଂ ଏକ ଲସ୍କର ଲେଟରହେଡ୍ ସହିତ ଗିରଫ କରିଥିଲା।
୨୦. କାରୀ ୟାକୁବ୍ ଶେଖ୍ (କାରୀ ମହମ୍ମଦ ୟାକୁବ୍ ଶେଖ୍, ୟାକୁବ୍ ଶେଖ୍, କାରୀ ଶେଖ୍ ମହମ୍ମଦ ୟାକୁବ୍ ଏବଂ ମହମ୍ମଦ ୟାକୁବ୍ ନାମରେ ମଧ୍ୟ ଜଣାଶୁଣା) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ପାକିସ୍ତାନ ମର୍କଜି ମୁସଲିମ୍ ଲିଗ୍ ଓ ଜମାତ-ଉଦ-ଦାୱା ସହିତ ଜଡ଼ିତ ଅଛି। ସେ ଜମାତ-ଉଦ-ଦାୱାର ଜଣେ କେନ୍ଦ୍ରୀୟ ନେତା ଏବଂ ଏହାର କେନ୍ଦ୍ରୀୟ 'ଦାୱାତୀ ଟିମ୍' (ଧର୍ମ ପ୍ରଚାରକ ଦଳ) ର ଜଣେ ସଦସ୍ୟ। ଅଗଷ୍ଟ ୨୦୧୨ରେ ଆମେରିକା ତାଙ୍କୁ ଜଣେ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଛି।
୨୧. ରାଣା ଇଫତିଖାର (ରାଣା ୱାଲିଦ୍ ଆତିଫ୍, ରାଣା ଇଫତିଖାର ହାଇଦର, ରାଣା ଇଫ୍ତିଖାର ଅହମ୍ମଦ କିମ୍ବା ହାଇଦର ଖାନ ନାମରେ ମଧ୍ୟ ଜଣାଶୁଣା) ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଲସ୍କର-ଇ-ତୋଏବା ଓ ଜମାତ-ଉଦ-ଦାୱା ସହିତ ଜଡ଼ିତ ଅଛି। ସେ ଲସ୍କର ମୁଖ୍ୟ ହାଫିଜ୍ ସୟିଦର ଜଣେ ଅତି ନିକଟତମ ସହଯୋଗୀ ଏବଂ ଏହି ସଂଗଠନର କାଶ୍ମୀର କାର୍ଯ୍ୟକଳାପ ପାଇଁ ଆର୍ଥିକ ବ୍ୟବସ୍ଥାର ମୁଖ୍ୟ ପରିଚାଳକ ଭାବରେ କାର୍ଯ୍ୟ କରେ। ଜାମ୍ମୁ ଓ କାଶ୍ମୀରର ମେଣ୍ଢର ସେକ୍ଟରରେ ଏକ ଏନକାଉଣ୍ଟର ସମୟରେ ଆହତ ହେବା ପରେ ୧୯୯୩ ମସିହାରେ ତାକୁ ଗିରଫ କରାଯାଇଥିଲା ଏବଂ ସେ ୨୦୦୪ ପର୍ଯ୍ୟନ୍ତ ଏକ ଭାରତୀୟ ଜେଲରେ ବନ୍ଦୀ ଥିଲା।
୨୨. ୱାସିମ୍ ନୂର ଜାଟ୍ (ଛଦ୍ମନାମ କାରୀ ୱାସିମ୍) ଜୈଶ-ଇ-ମହମ୍ମଦ ସହିତ ଜଡ଼ିତ ଜଣେ ପାକିସ୍ତାନୀ ନାଗରିକ। ସେ କୋଟଲି ଅଞ୍ଚଳରେ କାର୍ଯ୍ୟକଳାପ ପାଇଁ ଦାୟିତ୍ୱ ପ୍ରାପ୍ତ ଜୈଶର ଜଣେ 'ଲଞ୍ଚିଂ କମାଣ୍ଡର' ଅଟେ। ୨୦୨୧-୨୨ ମସିହା ମଧ୍ୟରେ, ସେ ଡ୍ରୋନ୍ ସାହାଯ୍ୟରେ ଭାରତୀୟ ସୀମା ମଧ୍ୟକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଚାଲାଣ କରିବା କାର୍ଯ୍ୟକଳାପରେ ସଂପୃକ୍ତ ଥିଲା।
୨୩. ମହମ୍ମଦ ଶାହିଦ୍ ଫୈଜଲ (ଛଦ୍ମନାମ ଉସ୍ତାଦ୍, ମୁହାନ୍ଦିସ୍, ଜାକିର) ପାକିସ୍ତାନୀ ନାଗରିକତ୍ୱ ଗ୍ରହଣ କରିଥିବା ଜଣେ ଭାରତୀୟ ଏବଂ ସେ ଲସ୍କର-ଇ-ତୋଏବା, ଅଲ୍-କାଏଦା ଓ ଆଇସିସ୍ ସହିତ ଜଡ଼ିତ ଅଛି। ସେ ୨୦୧୨ର ବେଙ୍ଗାଲୁରୁ ଏଲଇଟି ଷଡ଼ଯନ୍ତ୍ର ମାମଲା ଏବଂ ୨୦୧୩ର ନାନ୍ଦେଡ୍ ଏଲଇଟି ମାମଲାର ମୁଖ୍ୟ ମାଷ୍ଟରମାଇଣ୍ଡ ଏବଂ ହ୍ୟାଣ୍ଡଲର ଥିଲା, ଯେଉଁଥିରେ ଦକ୍ଷିଣପନ୍ଥୀ ରାଜନେତା ଏବଂ ସାମ୍ବାଦିକମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରିବାର ଯୋଜନା କରାଯାଇଥିଲା। ସେ ଆତଙ୍କବାଦୀ ଫରହାତୁଲ୍ଲା ଘୋରୀ ସହାୟତାରେ ୨୦୧୩ରେ ପାକିସ୍ତାନକୁ ପଳାଇ ଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ସେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା (୨୦୨୪), ମାଙ୍ଗାଲୁରୁ କୁକର୍ ବିସ୍ଫୋରଣ ଏବଂ ଅଲ୍-ହିନ୍ଦ୍ ଆଇସିସ୍ ମଡ୍ୟୁଲ୍ ମାମଲାରେ ଜଣେ ଅନଲାଇନ୍ ହ୍ୟାଣ୍ଡଲର ଭାବରେ ସଂପୃକ୍ତ ଥିଲା।
TKM
(रिलीज़ आईडी: 2281162)
आगंतुक पटल : 7