ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା
କନ୍ୟା ଶିଶୁଙ୍କ ଅଧିକାର, ଶିକ୍ଷା ଓ ସମ୍ମାନ ପାଇଁ ଦେଶବ୍ୟାପୀ ଜନଆନ୍ଦୋଳନ ସାଜିଛି ‘ବେଟି ବଚାଓ, ବେଟି ପଢାଓ’
प्रविष्टि तिथि:
13 JUN 2026 11:10AM by PIB Bhubaneswar
ଜନ୍ମ ସମୟରେ ଯତ୍ନ ଶିଶୁର ଜୀବନ ଏବଂ ମା'ର ସ୍ୱାସ୍ଥ୍ୟ ପାଇଁ ମୂଳଦୁଆ ସ୍ଥାପନ କରେ। ବର୍ଷ ବର୍ଷ ଧରି, ଭାରତ ସ୍ୱାସ୍ଥ୍ୟସେବା, ପୁଷ୍ଟିକର ସହାୟତା ଏବଂ ସଂସ୍ଥାଗତ ପ୍ରସବ ବ୍ୟବସ୍ଥାର ମିଶ୍ରଣ ମାଧ୍ୟମରେ ମା' ଏବଂ ଶିଶୁ ଯତ୍ନକୁ ସୁଦୃଢ଼ କରିଛି।
ଭାରତ ସରକାରଙ୍କ ପ୍ରମୁଖ ପଦକ୍ଷେପ, ‘ବେଟି ବଚାଓ, ବେଟି ପଢ଼ାଓ’ (ବିବିବିପି), ସାରା ଦେଶରେ କନ୍ୟା ସନ୍ତାନମାନଙ୍କ ବଞ୍ଚିବା, ସୁରକ୍ଷା ଏବଂ ସଶକ୍ତୀକରଣ ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଜାନୁଆରୀ ୨୨, ୨୦୧୫ ରେ ଆରମ୍ଭ ହୋଇଥିବା, ବିବିବିପି ଯୋଜନା ହ୍ରାସ ପାଉଥିବା ଶିଶୁ ଲିଙ୍ଗ ଅନୁପାତ ଏବଂ ବ୍ୟାପକ ଲିଙ୍ଗ-ଭିତ୍ତିକ ବୈଷମ୍ୟକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିଲା। ଏହା ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଶିକ୍ଷା ମନ୍ତ୍ରଣାଳୟର ଏକ ମିଳିତ ପଦକ୍ଷେପ।
ଗତ ଏଗାର ବର୍ଷ ଧରି, ‘ବେଟି ବଚାଓ, ବେଟି ପଢ଼ାଓ’ ଏକ ଲକ୍ଷ୍ୟଭିତ୍ତିକ ନୀତିଗତ ପଦକ୍ଷେପରୁ ଏକ ଦେଶବ୍ୟାପୀ ଗଣ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସରକାର, ଗଣମାଧ୍ୟମ, ନାଗରିକ ସମାଜ ଏବଂ ସମ୍ପ୍ରଦାୟ ସମେତ ବିଭିନ୍ନ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ସାମିଲ କରିଛି। ଏହି ଅଭିଯାନ କନ୍ୟା ସନ୍ତାନର ଜନ୍ମ ସମୟରେ ସମ୍ମାନ ଓ ସୁରକ୍ଷା ଏବଂ ପ୍ରାରମ୍ଭିକ ଶୈଶବ ଅବସ୍ଥାର ଯତ୍ନ ଓ ଶିକ୍ଷା ପାଇବାର ଅଧିକାର ଉପରେ ବିଶେଷ ଗୁରୁତ୍ୱାରୋପ କରେ; ଯାହାଦ୍ୱାରା ତା’ର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ।
ଏହି ଯୋଜନା ପ୍ରମୁଖ ଲିଙ୍ଗ ସୂଚକାଙ୍କଗୁଡ଼ିକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ପରିଚାଳନା ସୂଚନା ପ୍ରଣାଳୀ (ଏଚଏମଆଇଏସ) ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜନ୍ମ ସମୟରେ ଜାତୀୟ ଲିଙ୍ଗ ଅନୁପାତ (ଏସଆରବି) ୨୦୧୪-୧୫ ରେ ୯୧୮ ରୁ ବୃଦ୍ଧି ପାଇ ୨୦୨୪-୨୫ ରେ ୯୨୯ ହୋଇଛି। ଏହା ପକ୍ଷପାତପୂର୍ଣ୍ଣ ଭ୍ରୁଣ ଲିଙ୍ଗ ଚୟନକୁ ରୋକିବା ଏବଂ ଅନୁଷ୍ଠାନିକ ପ୍ରସବକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।
ଶିକ୍ଷା କ୍ଷେତ୍ରରେ, ଝିଅମାନଙ୍କ ଲାଗି ବିଦ୍ୟାଳୟ ଶିକ୍ଷାର ସୁଯୋଗ ବୃଦ୍ଧି କରିବାରେ ଉଲ୍ଲେଖନୀୟ ପ୍ରଗତି ହାସଲ କରାଯାଇଛି।ଶିକ୍ଷା ମନ୍ତ୍ରଣାଳୟର ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ୍ ସିଷ୍ଟମ୍ ଫର ଏଜୁକେସନ୍ (ୟୁଡିଆଇଏସଇ) ରୁ ମିଳିଥିବା ତଥ୍ୟ ସୂଚିତ କରେ ଯେ ମାଧ୍ୟମିକ ସ୍ତରରେ ଝିଅମାନଙ୍କ ନାମଲେଖା ୨୦୧୪-୧୫ ରେ ୭୫.୫୧% ଥିବାବେଳେ ୨୦୨୪-୨୫ ରେ ୮୦.୨% କୁ ବୃଦ୍ଧି ପାଇଛି। ଏହା ବିଦ୍ୟାଳୟରେ ସେମାନଙ୍କର ସ୍ଥାୟୀତ୍ୱ ଏବଂ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ହାରରେ ଆସିଥିବା ସୁଧାରକୁ ସୂଚାଉଛି ।
‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା ଏକ ଜୀବନଚକ୍ର ପଦ୍ଧତି ଉପରେ ଗୁରୁତ୍ୱାରୋପ କରେ, ଯାହା ଏକ ସୁରକ୍ଷିତ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜନ୍ମ ଏବଂ ପ୍ରାରମ୍ଭିକ ଶୈଶବ ଯତ୍ନ ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ଝିଅମାନଙ୍କ ଶିକ୍ଷା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ଗୁରୁତ୍ବ ଆରୋପ କରେ। ଏହି ଯୋଜନା ମନ୍ତ୍ରଣାଳୟ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ନିରନ୍ତର ସମର୍ଥନ, ସମ୍ପ୍ରଦାୟ ସମ୍ପୃକ୍ତି ଏବଂ ସମନ୍ୱୟ ମାଧ୍ୟମରେ ଆଚରଣଗତ ପରିବର୍ତ୍ତନକୁ ସୁଦୃଢ଼ କରେ।
ଭାରତର ପ୍ରତ୍ୟେକ କନ୍ୟା ସନ୍ତାନ ଯେପରି ସୁରକ୍ଷିତ, ଶିକ୍ଷିତ ଏବଂ ସଶକ୍ତ ହୋଇପାରିବେ, ତାହା ସୁନିଶ୍ଚିତ କରିବା ସହ 'ବେଟି ବଚାଓ ବେଟି ପଢ଼ାଓ'ର ଢାଞ୍ଚାକୁ ଅଧିକ ସୁଦୃଢ଼ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି; ଯାହାଦ୍ୱାରା ମହିଳା-ନେତୃତ୍ୱାଧୀନ ବିକାଶର ସଂକଳ୍ପକୁ ସାକାର କରାଯାଇପାରିବ।
***
TKM
(रिलीज़ आईडी: 2272585)
आगंतुक पटल : 7