କ୍ୟାବିନେଟ
azadi ka amrit mahotsav

ଜୟପୁର ମେଟ୍ରୋ ପର୍ଯ୍ୟାୟ-୨କୁ କ୍ୟାବିନେଟ୍‌ ମଞ୍ଜୁରୀ

ପୋଷ୍ଟ କରାଯିବା ଦିନାଙ୍କ: 08 APR 2026 4:24PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଜୟପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛନ୍ତି। ଏହି ପର୍ଯ୍ୟାୟରେ, ୧୩,୦୩୭.୬୬ କୋଟି ଟଙ୍କା ବ୍ୟୟରେ ୪୧ କିଲୋମିଟର ଲମ୍ବ ଉତ୍ତର-ଦକ୍ଷିଣ ମେଟ୍ରୋ କରିଡର ନିର୍ମାଣ କରାଯିବ। ପ୍ରହଲ୍ଲାଦପୁରାରୁ ତୋଡ଼ି ମୋଡ ପର୍ଯ୍ୟନ୍ତ ବିସ୍ତୃତ ଏହି ରୁଟରେ ୩୬ଟି ଷ୍ଟେସନ ରହିବ। ଏହି ପ୍ରକଳ୍ପ - ଭାରତ ସରକାର ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ୫୦:୫୦ ପୁଞ୍ଜି ସହଭାଗୀତା ସହିତ ଏକ ଯୌଥ ଉଦ୍ୟମ - ରାଜସ୍ଥାନ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ (ଆରଏମଆରସିଏଲ୍) ଦ୍ୱାରା କାର୍ଯ୍ୟକାରୀ କରାଯିବ।

ଜୟପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ରୁଟ୍ ସୀତାପୁରା ଶିଳ୍ପ କ୍ଷେତ୍ର, ଭିକେଆଇଏ, ଜୟପୁର ବିମାନବନ୍ଦର, ଟୋଙ୍କ ରୋଡ୍, ଏସଏମଏସ୍ ହସ୍ପିଟାଲ ଏବଂ ଷ୍ଟାଡିୟମ୍, ଅମ୍ବାବାରୀ ଏବଂ ବିଦ୍ୟାଧର ନଗର ଭଳି ପ୍ରମୁଖ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିବ। ଏଥିରେ ବିମାନବନ୍ଦର କ୍ଷେତ୍ର ମଧ୍ୟରେ ଅବସ୍ଥିତ ଭୂତଳ ଷ୍ଟେସନ୍ ଅନ୍ତର୍ଭୁକ୍ତ ଏବଂ ଏହା ଯୋଜନାବଦ୍ଧ ଇଣ୍ଟରଚେଞ୍ଜ ଏବଂ ଫିଡର ସେବା ମାଧ୍ୟମରେ, ବର୍ତ୍ତମାନ କାର୍ଯ୍ୟକ୍ଷମ ପର୍ଯ୍ୟାୟ-୧ ରୁଟ୍ ସହିତ ସଂଯୋଗ ହେବ, ଏହାଦ୍ୱାରା ସମଗ୍ର ସହରରେ ଏକ ସମନ୍ୱିତ ଏବଂ ସୁଗମ ମେଟ୍ରୋ ନେଟୱାର୍କ ପ୍ରତିଷ୍ଠା ହେଇପାରିବ।

ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପ୍ରଥମ ପର୍ଯ୍ୟାୟ ଜୟପୁର ମେଟ୍ରୋ ଦ୍ବାରା ପ୍ରତିଦିନ ପ୍ରାୟ ୬୦,୦୦୦ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଏହି ସୀମିତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କରିଡର ୧୧.୬୪ କିଲୋମିଟର ଲମ୍ବା। ଦ୍ୱିତୀୟ ପର୍ଯ୍ୟାୟ ପାଇଁ କାର୍ଯ୍ୟ ଆରମ୍ଭ ହେବା ସହିତ, ମେଟ୍ରୋ ନେଟୱାର୍କ ବ୍ୟବହାର କରୁଥିବା ଯାତ୍ରୀଙ୍କ ସଂଖ୍ୟା ବହୁଗୁଣିତ ହେବ ବୋଲି ଆକଳନ କରାଯାଇଛି। ଏହା ଜୟପୁରର ସାର୍ବଜନୀନ ପରିବହନ କ୍ଷେତ୍ରରେ ମେଟ୍ରୋର ଅଂଶକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭରଶୀଳତା ହ୍ରାସ କରିବ।

ଜୟପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ଲାଗି ଆନ୍ତଃ-ମନ୍ତ୍ରଣାଳୟ ପରାମର୍ଶ, ନେଟୱାର୍କ ଯୋଜନା ଗୋଷ୍ଠୀ ଦ୍ୱାରା ସମୀକ୍ଷା ଏବଂ ସାର୍ବଜନୀନ ନିବେଶ ବୋର୍ଡ ଦ୍ୱାରା ମୂଲ୍ୟାଙ୍କନ ସମେତ ଅନେକ ପର୍ଯ୍ୟାୟରେ ଏକ ବ୍ୟାପକ ମୂଲ୍ୟାଙ୍କନ କରାଯାଇଛି। ପ୍ରକଳ୍ପର ଆର୍ଥିକ ଅନ୍ତରୀଣ ଆୟ ହାର (ଆଇଆରଆର୍) ୧୪ ପ୍ରତିଶତରୁ ଅଧିକ ରହିଛି - ଯାହା ଦ୍ଵାରା ଏହାର ଦୃଢ଼ ସାମାଜିକ-ଆର୍ଥିକ ଲାଭଦାୟକତା ପ୍ରଦର୍ଶନ କରୁଛି। ମେଟ୍ରୋ ରେଳ ନୀତି, ୨୦୧୭ ଅନୁଯାୟୀ, ପ୍ରକଳ୍ପ ଲାଗି ପାଣ୍ଠି ଭାରତ ସରକାର ଏବଂ ରାଜସ୍ଥାନ ସରକାରଙ୍କ ପୁଞ୍ଜିନିବେଶ, ଋଣ ଏବଂ ବହୁପାକ୍ଷିକ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ।

ଏହି ପ୍ରକଳ୍ପଟି ରାଜସ୍ଥାନର ସାର୍ବଜନୀନ ପରିବହନ-କୈନ୍ଦ୍ରିକ ବିକାଶ ନୀତି-୨୦୨୫ (ଟିଓଡି ୨୦୨୫), ପ୍ରସ୍ତାବିତ ୟୁଏମଟିଏ ସଂସ୍କାର ଏବଂ ଜାତୀୟ ସ୍ଥାୟୀ ସହରାଞ୍ଚଳ ପରିବହନ ପରକଳ୍ପନା ସହିତ ସମନ୍ୱିତ। ଏହି ପ୍ରକଳ୍ପ ସେପ୍ଟେମ୍ବର ୨୦୩୧ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି ଓ ଏହା ସମ୍ପୂର୍ଣ୍ଣ ହେବା ପରେ ସହରରେ ଟ୍ରାଫିକ୍ ଭିଡ଼, ଯାନବାହାନ ପ୍ରଦୂଷଣ ହ୍ରାସ ପାଇବ ଏବଂ ସ୍ଥାନୀୟ ବାସିନ୍ଦା, କାର୍ଯ୍ୟରତ ପେସାଦାର ଏବଂ ପର୍ଯ୍ୟଟକଙ୍କ ଯାତାୟାତରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଏହା ଏକ ଆଧୁନିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ଭାବରେ ଜୟପୁରର ସ୍ଥିତିକୁ ସୁଦୃଢ଼ କରିବ, ଯାହା ଏକ ବିକଶିତ ଭାରତ ଏବଂ ଏକ ବିକଶିତ ରାଜସ୍ଥାନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଜୟପୁର ମେଟ୍ରୋ ସିଷ୍ଟମର ପ୍ରଥମ ପର୍ଯ୍ୟାୟ ଏବେ କାର୍ଯ୍ୟକ୍ଷମ ରହିଛି। ଏହା ମାନସରୋବରରୁ ବାଡି ଚୌପର ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ କରିଡର ସହ ସମାନ୍ତରାଳଭାବେ ପ୍ରାୟ ୧୧.୬୪ କିଲୋମିଟର ପରିବ୍ୟାପ୍ତ ଓ ଏଥିରେ ୧୧ଟି ଷ୍ଟେସନ ରହିଛି। ଏହା ଜୟପୁରର ପ୍ରମୁଖ ଆବାସିକ ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ କେନ୍ଦ୍ରୀୟ ବ୍ୟବସାୟିକ ଅଞ୍ଚଳ - ହେରିଟେଜ୍‌ ଓ୍ବାଲ୍‌ ସିଟି ସହିତ ସଂଯୋଗ କରେ। ଜୟପୁର ମେଟ୍ରୋର ୨ୟ ପର୍ଯ୍ୟାୟ ସହରର ଉତ୍ତରରୁ ଦକ୍ଷିଣକୁ ପରିବ୍ୟାପ୍ତ ହେବ ଓ ଏହା ବର୍ତ୍ତମାନର ମେଟ୍ରୋରର ଏକ ପରିପୂରକ ହେବ ଯାହାକି ସାରା ସହରରେ ମେଟ୍ରୋ ସଂଯୋଗ ପ୍ରଦାନ କରିବାରେ ସହାୟକ ହେବ, ଟ୍ରାଫିକ୍ ଭିଡ଼ ହ୍ରାସ ପାଇବ ଓ ସହରାଞ୍ଚଳ ଗମନାଗମନରେ ଉନ୍ନତି ଆସିବ।  

****

TKM


(ରିଲିଜ ଆଡି: 2250301) ପରିଦର୍ଶକ କାଉଣ୍ଟର : 7