ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୁମ୍ବାଇରେ ଭାରତ-ଫ୍ରାନ୍ସ ନବସୃଜନ ଫୋରମ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 18 FEB 2026 12:07PM by PIB Bhubaneswar

ମହାମହିମ, ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ମାକ୍ରୋନ୍, ଉଭୟ ଦେଶର ଉଦ୍ଭାବକ, ଆପଣମାନଙ୍କୁ ଶୁଭେଚ୍ଛା! ବୋଞ୍ଜୁର୍!

 

ଆଜି, ବିଶ୍ୱର ଦୁଇଟି ମହାନ ନବସୃଜନ କେନ୍ଦ୍ର ଏକତ୍ରିତ ହେଉଛି। ଯେତେବେଳେ ଆମେ ଭାରତ ଓ ଫ୍ରାନ୍ସ ବିଷୟରେ କଥା ହେଉଛୁ, ଆମର ସମ୍ପର୍କ କେବଳ ନବସୃଜନ ବିଷୟରେ ସୀମିତ ନୁହେଁ, ବରଂ ଏହା ବିଶ୍ୱାସ ଓ ସାଧାରଣ ମୂଲ୍ୟବୋଧ ଉପରେ ଆଧାରିତ। ଏହି ଭାବନା ସହିତ, ରାଷ୍ଟ୍ରପତି ମାକ୍ରୋନ୍ ଏବଂ ମୁଁ ୨୦୨୬ ବର୍ଷକୁ ଭାରତ-ଫ୍ରାନ୍ସ ନବସୃଜନ ବର୍ଷ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା କେବଳ ଏକ ଉତ୍ସବ ନୁହେଁ; ଏହା ଆମର ସାଧାରଣ ପ୍ରତିବଦ୍ଧତା - ନବସୃଜନ ପାଇଁ ପ୍ରତିବଦ୍ଧତା ଓ ନେତୃତ୍ୱ ନେବାର ପ୍ରତିବଦ୍ଧତା।

 

ବନ୍ଧୁଗଣ,

ଭାରତ ଏବଂ ଫ୍ରାନ୍ସ ଅନେକ ରଣନୈତିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକାଠି କାମ କରିଛନ୍ତି। ଏହି ସହଯୋଗ ମାଧ୍ୟମରେ ଗଢିଉଠିଥିବା ବିଶ୍ୱାସ ଆମର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିଛି। ଆଗାମୀ ବର୍ଷଗୁଡ଼ିକରେ, ପ୍ରତ୍ୟେକ କ୍ଷେତ୍ରରେ ଆମର ସାମୂହିକ ସୃଜନଶୀଳତା ସମଗ୍ର ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁରକ୍ଷିତ କରିବାରେ ସାହାଯ୍ୟ କରିବ।

 

ବନ୍ଧୁଗଣ,

ଭାରତ ତାହାର ହଜାର ହଜାର ବର୍ଷର ଯାତ୍ରାରେ ଗଣିତ, ଚିକିତ୍ସା, ଧାତୁ ବିଜ୍ଞାନ ଏବଂ ସ୍ଥାପତ୍ୟକଳା ପରି ଅନେକ କ୍ଷେତ୍ରରେ ମାନବ କଳ୍ୟାଣ ପାଇଁ ସଦା ନବ ଉଦ୍ଭାବନ କରିଆସୁଛି। ଏକବିଂଶ ଶତାବ୍ଦୀରେ, ଭାରତର ଯୁବପିଢ଼ି "ବିଶ୍ୱ ମଙ୍ଗଳ ପାଇଁ ଉଦ୍ଭାବନ କରନ୍ତୁ" ଏହି ମୂଳମନ୍ତ୍ର ସହିତ ଏହି ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି। ଆପଣ ଦେଖନ୍ତୁ, ଭାରତର ସ୍ପନ୍ଦନଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମରୁ ଆରମ୍ଭ କରି ଆମର ବିଶ୍ୱସ୍ତରୀୟ ଗବେଷଣା ପରୀକ୍ଷାଗାର ପର୍ଯ୍ୟନ୍ତ, ଏକ ନୂତନ କ୍ୟାନ୍-ଡୁ (ଆମେ କରିପାରିବା) ଆଶାବାଦ ଉଭା ହେଉଛି। ମାତ୍ର ଏକ ଦଶନ୍ଧି ମଧ୍ୟରେ, ‘ଷ୍ଟାର୍ଟଅପ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଭାରତକୁ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛି। ୨୦୧୪ ମସିହାରେ, ଭାରତରେ କେବଳ ଚାରୋଟି ୟୁନିକର୍ଣ୍ଣ ଥିଲା; ଆଜି ଭାରତରେ ୧୨୦ ରୁ ଅଧିକ ୟୁନିକର୍ଣ୍ଣ ଅଛି। ଏଗୁଡ଼ିକର ସମୁଦାୟ ମୂଲ୍ୟ ୩୫୦ ବିଲିୟନ ଡଲାରରୁ ଅଧିକ, ପ୍ରାୟ ୩୦୦ ବିଲିୟନ ୟୁରୋ ଅଟେ। ଆଜି ବିଶ୍ୱର ପ୍ରାୟ ପ୍ରତ୍ୟେକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭାରତର ଷ୍ଟାର୍ଟଅପ୍ ଏବଂ ଉଦ୍ଭାବନ ସହିତ କୌଣସି ନା କୌଣସି ଭାବରେ ଜଡିତ।

 

ବନ୍ଧୁଗଣ,

ଗତ ଏକ ଦଶକରେ ଆମେ ସ୍କୁଲ୍‌ରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ନବସୃଜନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛୁ। ସ୍କୁଲ୍‌ଗୁଡ଼ିକରେ ଅଟଳ ଟିଙ୍କରିଂ ଲାବ୍‌ସ୍‌ରୁ ଆରମ୍ଭ କରି ମେଣ୍ଟରଶିପ୍, ସ୍କଲାରଶିପ୍ ଏବଂ ଷ୍ଟାର୍ଟଅପ୍ କ୍ୟାପିଟାଲ୍ ପର୍ଯ୍ୟନ୍ତ ଆଜି ଏକ ସଶକ୍ତ ନେଟୱର୍କ ଉପଲବ୍ଧ ରହିଛି। ଭାରତ ଆଜି ବିଶ୍ୱର ସର୍ବବୃହତ ହାକାଥନ୍ ଇକୋସିଷ୍ଟମ ମଧ୍ୟରୁ ଗୋଟିଏ। ଏଠାରେ ଘରୋଇ କ୍ଷେତ୍ର ଗବେଷଣା ନବସୃଜନ ଯୋଜନାଗୁଡ଼ିକ ସିଧାସଳଖ ସହାୟତା ପ୍ରଦାନ କରୁଛି। ଷ୍ଟାର୍ଟଅପ୍ ଇଣ୍ଡିଆ ୨.୦’ ମାଧ୍ୟମରେ ଡିପ୍-ଟେକ୍ ଉଦ୍ଭାବନ ପାଇଁ ପୁଞ୍ଜି ସଂଗ୍ରହ କରାଯାଉଛି।

 

ବନ୍ଧୁଗଣ,

ଆମର ଅଟଳ ଇନୋଭେସନ୍ ମିଶନ ୨୪ ଫେବୃଆରୀରେ ଏକ ଦଶନ୍ଧି ପୂରଣ କରିବ। ଏହି ଅଳ୍ପ ସମୟ ମଧ୍ୟରେ, ଏହା ବିଶ୍ୱର ସର୍ବବୃହତ ତ୍ରୂଣମୂଳସ୍ତରୀୟ ନବସୃଜନ ମିଶନ ମଧ୍ୟରୁ ଗୋଟିଏ ହୋଇପାରିଛି। ଆମର ୧୦,୦୦୦ ରୁ ଅଧିକ ଟିଙ୍କରିଂ ଲ୍ୟାବସ୍‌ ଆଜି ୧ କୋଟିରୁ ଅଧିକ ଛାତ୍ରଛାତ୍ରୀ ଓ ନବସୃଜନକାରୀଙ୍କ ସହିତ କାମ କରୁଛି। ଏହି ମିଶନ ସହିତ ୧୦୦ ରୁ ଅଧିକ ଇନକ୍ୟୁବେଟର ଏବଂ ଅନେକ ଡିପ୍-ଟେକ୍ ଷ୍ଟାର୍ଟଅପ୍ ମଧ୍ୟ ଜଡିତ ଅଛନ୍ତି। ମୁଁ ଆଜି ଏଠାରେ ଉପସ୍ଥିତ ସମସ୍ତ ଶିଳ୍ପ ନେତାଙ୍କୁ ବିଶେଷ ଅନୁରୋଧ କରୁଛି ଯେ, ଆପଣମାନେ ନିଶ୍ଚିତ ଭାବେ ଅଟଳ ଇନୋଭେସନ୍ ମିଶନ୍‌ ସହ ସାମିଲ ହୁଅନ୍ତୁ।

 

ବନ୍ଧୁଗଣ,

ବିକଶିତ ଭାରତ ଯାତ୍ରା ପାଇଁ ନବସୃଜନର ଏକ ଶକ୍ତିଶାଳୀ ଇଞ୍ଜିନ୍ ଆବଶ୍ୟକ। ସେଥପାଇଁ ଏହି ବର୍ଷର ବଜେଟ୍‌ରେ ମଧ୍ୟ ନବସୃଜନ ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କଣ୍ଟେଣ୍ଟ ସୃଷ୍ଟିକୁ ଶକ୍ତିଶାଳୀ କରିବା ପାଇଁ ୧୫,୦୦୦ ସ୍କୁଲ୍ ଏବଂ ୫୦୦ କଲେଜ୍‌ରେ କଣ୍ଟେଣ୍ଟ କ୍ରିଏଟର୍ ପ୍ରୟୋଗଶାଳା ସ୍ଥାପନ କରାଯିବ। ଆମେ ଏଆଇ, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜୀ, ସେମିକଣ୍ଡକ୍ଟର ଏବଂ ସ୍ୱଚ୍ଛ ଶକ୍ତି ଭଳି କ୍ଷେତ୍ରରେ ମିଶନ ମୋଡରେ କାର୍ଯ୍ୟ କରୁଛୁ। ଏହା ସହିତ, ଆମେ ପ୍ରତ୍ୟେକ କ୍ଷେତ୍ରରେ ବୟନ, ରାସାୟନିକ ପଦାର୍ଥ, କ୍ରୀଡା ସାମଗ୍ରୀ, ସଠିକ୍ ଉପକରଣ, ଇଲେକ୍ଟ୍ରୋନିକ୍ସ, ଭିତ୍ତିଭୂମିରେ ନବସୃଜନକୁ ପ୍ରୋତ୍ସାହନ ଦେବୁ।

 

ବନ୍ଧୁଗଣ,

ଆମେ ଏଥିରେ ବହୁତ ଗର୍ବ ଅନୁଭବ କରୁଛୁ ଯେ, ଭାରତ ମହିଳାମାନଙ୍କ ନେତୃତ୍ୱରେ ଗବେଷଣା ଏବଂ ନବସୃଜନର ଏକ ଉତ୍କୃଷ୍ଟ ଉଦାହରଣ ହୋଇପାରୁଛି। ଆଜି, ପ୍ରାୟ ୫୦ ପ୍ରତିଶତ ଷ୍ଟାର୍ଟଅପ୍‌ରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ଅଛନ୍ତି। STEM କ୍ଷେତ୍ରରେ ବହୁ ସଂଖ୍ୟକ ଯୁବତୀ ସ୍ନାତକ ହେଉଛନ୍ତି। କୃଷି, ସ୍ୱାସ୍ଥ୍ୟସେବା କିମ୍ବା ମହାକାଶ ମିଶନ ସମସ୍ତ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି।

 

ବନ୍ଧୁଗଣ,

ଯେତେବେଳେ ଭାରତର ଗତି ଏବଂ ପରିମାଣ ଫ୍ରାନ୍ସର ଶକ୍ତି ସହିତ ମିଶିଯାଏ, ସେତେବେଳେ ବିଶ୍ୱ ପାଇଁ ନୂତନ ପଥ ସୃଷ୍ଟି ହୁଏ। ଆଜି ମଧ୍ୟ ଉଭୟ ଦେଶର ଶ୍ରେଷ୍ଠ ମେଧାବୀମାନେ ଏକତ୍ର ହୋଇଛନ୍ତି। ଉଭୟ ଦେଶ ଆଜି ଖୋଲା ହୃଦୟରେ ପରସ୍ପରର ପ୍ରତିଭାକୁ ସ୍ୱାଗତ କରୁଛନ୍ତି। ଫ୍ରାନ୍ସ ୨୦୩୦ ସୁଦ୍ଧା ୩୦,୦୦୦ ଭାରତୀୟ ଛାତ୍ରଙ୍କୁ ଆତିଥ୍ୟ ଦେବାର ଲକ୍ଷ୍ୟ ରଖିଛି। ଏହା ଯୁବ ଶକ୍ତି ଏବଂ ଯୁବ ମେଧାବୀମାନଙ୍କ ମଧ୍ୟରେ ସମନ୍ୱୟକୁ ଉପଯୋଗ କରିବା ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ।

 

ବନ୍ଧୁଗଣ,

୨୦୨୬ ମସିହା ଭାରତ-ଫ୍ରାନ୍ସ ସମ୍ପର୍କ ପାଇଁ ଏକ ଅତ୍ୟନ୍ତ ବିଶେଷ ବର୍ଷ ଅଟେ। ଏହି ବର୍ଷରେ ଜନସମ୍ପର୍କ  ଆଦାନ-ପ୍ରଦାନ ଆହୁରି ଗଭୀର ହେବ ଏବଂ ଶିଳ୍ପ-ରୁ-ଶିଳ୍ପ ସହଭାଗିତାର ବିସ୍ତାର ହେବ। ଆଜି ଯେପରି ଆମେ ଭାରତରେ ଏକତ୍ରିତ ହୋଇଛୁ, ସେହିପରି ୨୦୨୬ ମସିହାର ଜୁନ୍‌ ମାସରେ ଫ୍ରାନ୍ସରେ ଇଣ୍ଡିଆ ଇନୋଭେଟ୍‌ସ ୨୦୨୬ଅଧୀନରେ ଆମେ ଭାରତର ଶ୍ରେଷ୍ଠ ଟେକ୍ ଷ୍ଟାର୍ଟଅପ୍‌ମାନଙ୍କୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବୁ, ଯେଉଁମାନେ ସ୍ୱାସ୍ଥ୍ୟ, ଜଳବାୟୁ ଏବଂ ସୁରକ୍ଷା ପରି ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ‌ଗୁଡ଼ିକ ପାଇଁ ସମାଧାନର ପନ୍ଥା ବାହାର କରୁଛନ୍ତି।

 

ବନ୍ଧୁଗଣ,

ମୁଁ ଫ୍ରାନ୍ସ ଏବଂ ବିଶ୍ୱର ନେତା, ସିଇଓ, ନିବେଶକ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରୁଛି। ଆସନ୍ତୁ, ଆମେ ଭାରତ ସହିତ ହାତ ମିଳାଇ ଏକ ଭବିଷ୍ୟତ ନିର୍ମାଣ କରିବା ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ମାନବତାର ସେବା କରିବ ଏବଂ ପ୍ରଗତି ସମାବେଶୀ ହେବ। ଏହି ଭାବନା ​​ସହିତ, ମୁଁ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମୋର ବନ୍ଧୁ ଦେଇଥିବା ତାଙ୍କ ସମୟ ପାଇଁ, ଦେଇଥିବା ତାଙ୍କ ଚିନ୍ତାଶୀଳ ଶବ୍ଦ ପାଇଁ ଏବଂ ଭାରତ-ଫ୍ରାନ୍ସ ସମ୍ପର୍କ ଉପରେ ପ୍ରକାଶ କରିଥିବା ତାଙ୍କର ଅଗାଧ ବିଶ୍ୱାସ ପାଇଁ ମୁଁ ମୋର ବନ୍ଧୁଙ୍କ ନିକଟରେ ଗଭୀର କୃତଜ୍ଞତା ପ୍ରକାଶ କରୁଛି। ଜଣେ ପ୍ରକୃତ ବନ୍ଧୁ ଭାବରେ ଏବଂ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦୃଢ଼ ବନ୍ଧୁତାର ପ୍ରତୀକ ଭାବରେ, ମୁଁ ତାଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

*****

MT


(रिलीज़ आईडी: 2249730) आगंतुक पटल : 29
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Telugu , Kannada , Malayalam