ଜାତୀୟ ମାନବାଧିକାର ଆୟୋଗ
azadi ka amrit mahotsav

ଥାଇଲାଣ୍ଡର ବ୍ୟାଂକକରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି


ଗତ ଛଅ ମାସ ଧରି ବିନା ବେତନ ଏବଂ ଉଚିତ୍‌ ଖାଦ୍ୟ ନଦେଇ ଶ୍ରମିକଙ୍କୁ ଅଟକ ରଖିଛି ସେମାନଙ୍କ ନିଯୁକ୍ତିଦାତା

ମାନସିକ ନିର୍ଯାତନା, ପାସପୋର୍ଟ ଜବତ ଏବଂ ପାରିଶ୍ରମିକ ଦେଉନଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରମିକମାନେ ଏକ ଭିଡ଼ିଓ ବାର୍ତ୍ତାରେ ଆଣିଛନ୍ତି ଅଭିଯୋଗ

ପୀଡ଼ିତ ପରିବାରକୁ କୌଣସି ସହାୟତା ପ୍ରଦାନ କରିପାରିବେ କି ନାହିଁ ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ଲାଗି ବିଦେଶ ମନ୍ତ୍ରଣାଳୟକୁ କହିଲେ ଏନଏଚଆରସି

ପୋଷ୍ଟ କରାଯିବା ଦିନାଙ୍କ: 23 FEB 2026 2:31PM by PIB Bhubaneshwar

କେନ୍ଦ୍ରାପଡ଼ା ଜିଲ୍ଲାର ଅତି କମରେ ଛଅ ଜଣ ଶ୍ରମିକଙ୍କୁ ଥାଇଲ୍ୟାଣ୍ଡର ବ୍ୟାଂକକ ନିକଟସ୍ଥ ଏକ ଇଲାକାରେ ବେଆଇନ ଭାବେ ଅଟକ ରଖାଯାଇଛି। ସେମାନଙ୍କର ନିଯୁକ୍ତିଦାତା ଦୀର୍ଘ ଛଅ ମାସ ଧରି ବିନା ବେତନ ଓ ଉପଯୁକ୍ତ ଖାଦ୍ୟ ନଦେଇ ଅଟକ ରଖିଛି। ଗଣମାଧ୍ୟମରେ ଏ ସମ୍ପର୍କରେ ପ୍ରକାଶିତ ଖବରକୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଘଟଣା ୧୭ ଫେବୃଆରୀ ୨୦୨୬ରେ ସାମ୍ନାକୁ ଆସିଥିଲା ଯେତେବେଳେ ପୀଡ଼ିତମାନେ ନିଜର ତିକ୍ତ ଅନୁଭୂତିକୁ ନେଇ ଏକ ଭିଡ଼ିଓ ରେକର୍ଡ କରିଥିଲେ। ନିଯୁକ୍ତିଦାତା ସେମାନଙ୍କୁ କାରଖାନା ଭିତରେ ବନ୍ଦୀ କରି ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ ଆଣିଥିଲେ।

ଆୟୋଗ କହିଛନ୍ତି ଯେ ଯଦି ପ୍ରକାଶିତ ଖବରରେ ଦିଆଯାଇଥିବା ସୂଚନା ସତ୍ୟ ହୋଇଥାଏ ତେବେ ଏହା ପୀଡ଼ିତଙ୍କ ମାନବାଧିକାରର ଗମ୍ଭୀର ଉଲ୍ଲଙ୍ଘନ। ପୀଡ଼ିତ ପରିବାରକୁ କୌଣସି ପ୍ରକାରର ସହାୟତା ପ୍ରଦାନ କରିପାରିବେ କି ନାହିଁ ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ଲାଗି ବିଦେଶ ମନ୍ତ୍ରଣାଳୟକୁ କହିଛନ୍ତି ଜାତୀୟ ମାନବାଧିକାର ଆୟୋଗ। 

୧୯ ଫେବୃଆରୀ ୨୦୨୬ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ମୁତାବକ ପୀଡ଼ିତମାନେ ଗତ ବର୍ଷ ଅଗଷ୍ଟ ମାସରେ ଜଣେ ଶ୍ରମିକ ଠିକାଦାରଙ୍କ ଜରିଆରେ ଥାଇଲ୍ୟାଣ୍ଡ ଯାଇଥିଲେ। ସେଠାରେ ସେମାନଙ୍କୁ ଭଲ ବେତନ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଶ୍ରମିକମାନଙ୍କୁ ଗୋଟିଏ ପ୍ଲାଇଉଡ୍‌ କାରଖାନାରେ ବିନା ବେତନ ଓ ଉଚିତ୍‌ ଭୋଜନରେ ଦୈନିକ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଛି। ନିଯୁକ୍ତିଦାତା ସେମାନଙ୍କର ପାସପୋର୍ଟ ଜବତ କରି ନେଇଛି। ସେମାନଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତର ସରକାରୀ ଏଜେନ୍ସିଗୁଡ଼ିକୁ ସେମାନେ ନିବେଦନ କରି ଅଛନ୍ତି।

*****

PS


(ରିଲିଜ ଆଡି: 2231904) ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Gujarati , Tamil