ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ’ ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ
प्रविष्टि तिथि:
09 JAN 2026 5:12PM by PIB Bhubaneshwar
- ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିତ୍ତିକ’ ଏବଂ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରାଯିବ- ଧର୍ମେନ୍ଦ୍ର ପ୍ରଧାନ
- ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗଦେଲେ
- ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ
- ବ୍ୟବସ୍ଥା ଏବଂ ଦରମା ସରକାର ନିଅନ୍ତୁ, କିନ୍ତୁ ବିଦ୍ୟାଳୟ ପରିଚାଳନାର ଦାୟିତ୍ୱ ସମାଜର ହେଉ
- ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶତ ପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ଲକ୍ଷ୍ୟ
- ଶିକ୍ଷା କ୍ଷେତ୍ରରେ ଥିବା ପାର୍ଥକ୍ୟକୁ ଦୂର କରିବା, ଡ୍ରପ୍-ଆଉଟ୍ ହାର କମାଇବା, ଅପପୁଷ୍ଟି ସମସ୍ୟା ହ୍ରାସ କରିବା ଏବଂ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି କରିବା ଆମର ମିଳିତ ଦାୟିତ୍ୱ
- ଭାରତର 'ଅମୃତ ପିଢ଼ି'କୁ ପୁରାତନ ମାକାଉଲେ ଶିକ୍ଷା ପଦ୍ଧତିରୁ ମୁକ୍ତ କରିବା
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୦୯ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ମିଳିତ ଅଧ୍ୟକ୍ଷତାରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ 'ସମଗ୍ର ଶିକ୍ଷା ୩.୦' ଉପରେ 'ସମଗ୍ର ଶିକ୍ଷାର ନୂତନ ରୂପରେଖ’ ପାଇଁ ଏକ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇ ସ୍କୁଲ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଏହି ମିଳିତ ପ୍ରୟାସ ଏବଂ ଏହି ବୈଠକରୁ ନିଷ୍କର୍ସ ହେଉଥିବା ଅଭିନବ ଚିନ୍ତାଧାରା ଆମ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସାମଗ୍ରିକ ଭାବେ ସଦୃଢ଼ କରିବା ପାଇଁ ଏକ ସ୍ପଷ୍ଟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟକ ହେବ । ଏହା ସହିତ ସମଗ୍ର ଶିକ୍ଷା ଯୋଜନାକୁ ପୁନଃକଳ୍ପନା କରି ‘ବିକଶିତ ଭାରତ’ର ଲକ୍ଷ୍ୟ ସହିତ ସମାନ କରିବା ସହ ଏକ ଶିକ୍ଷା ବ୍ୟବସ୍ଥା ଗଠନ କରିବ, ଯାହା ଫଳାଫଳ ଭିତ୍ତିକ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ, ଭାରତୀୟତା ସହ ଜଡ଼ିତ । ଆମର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଏକ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପରିକଳ୍ପନା ସେତେବେଳେ ବାସ୍ତବରେ ରୂପାନ୍ତରିତ ହେବ, ଯେତେବେଳେ ଭାରତର ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ଆମେ ଯୁକ୍ତ ୨ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷାରେ ଶତପ୍ରତିଶତ ନାମଲେଖା ହାସଲ କରିପାରିବା । ପାଠପଢ଼ାରେ ରହୁଥିବା ବ୍ୟବଧାନକୁ କମାଇବା, ଡ୍ରପ୍-ଆଉଟ୍ ହାର ହ୍ରାସ କରିବା, ଗୁଣାତ୍ମକ ଶିକ୍ଷାଦାନ ସହ ଅପପୁଷ୍ଟି ସମସ୍ୟାର ସମାଧାନ କରିବା ଆମର ମିଳିତ ଦାୟିତ୍ୱ ହେବା ଉଚିତ୍ । ସେହିପରି ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି କରିବା, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଡିଜାଇନ ଥିଙ୍କିଙ୍ଗ୍, କ୍ରିଟିକାଲ ଥିଙ୍କିଂ ବିକଶିତ କରିବା, ଆମର 'ଅମୃତ ପିଢ଼ି'କୁ ମାକାଉଲେ ମାନସିକତାରୁ ବାହାର କରି ଆଣିବା ଏବଂ ବିକଶିତ ଭାରତ ପାଇଁ ଏକ ମାନବ ସମ୍ବଳ ଗଠନ କରିବା ପାଇଁ ମଧ୍ୟ ସମସ୍ତେ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ।
ସେ କହିଛନ୍ତି, ଆମକୁ ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିତ୍ତିକ’ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରିବାକୁ ହେବ, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ର ଉଦ୍ଦେଶ୍ୟ ସହିତ ଜଡ଼ିତ । ଶ୍ରୀ ପ୍ରଧାନ ସମସ୍ତ ଏକାଡେମିକ ବିଶେଷଜ୍ଞ, ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୦୨୬-୨୦୨୭ ଶିକ୍ଷା ବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେବା ଉଚିତ୍ । ଯେତେବେଳେ ଆମର ‘ବିଚାର’ ଗୁଡ଼ିକ ଏକାଠି ହେବ, ସେତେବେଳେ ଆମର ‘ଦକ୍ଷତା’ ମଧ୍ୟ ବୃଦ୍ଧିପାଇବ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, "ଆମକୁ ବିଦ୍ୟାଳୟଗୁଡ଼ିକୁ ସମାଜକୁ ଫେରାଇବାକୁ ହେବ।" ସରକାର ବ୍ୟବସ୍ଥା ଏବଂ ଦରମା ପାଇଁ ଦାୟିତ୍ୱ ନେବେ, କିନ୍ତୁ ବିଦ୍ୟାଳୟର ପରିଚାଳନା ଦାୟିତ୍ୱରେ ସମାଜର ସକ୍ରିୟ ଅଂଶଗ୍ରହଣ ରହିବା ଆବଶ୍ୟକ । ଏହାବ୍ୟତୀତ ଟେକ୍ନୋଲୋଜି ଏବଂ ଡିଜିଟାଇଜେସନର ସଠିକ୍ ବ୍ୟବହାର ଦ୍ୱାରା ପରୀକ୍ଷା ବୋଝ କମାଇ ଶିକ୍ଷାକୁ ସହଜ କରିବା ପାଇଁ ସେ ସମସ୍ତ ରାଜ୍ୟଙ୍କୁ ସେମାନଙ୍କର ‘ଶ୍ରେଷ୍ଠ ଅଭ୍ୟାସ’ ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ।
***
(रिलीज़ आईडी: 2213048)
आगंतुक पटल : 7