ରାଷ୍ଟ୍ରପତିଙ୍କ ସଚିବାଳୟ
ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ – କାର୍ତ୍ତିକ ଯାତ୍ରାରେ ଯୋଗ ଦେଲେ ରାଷ୍ଟ୍ରପତି
प्रविष्टि तिथि:
30 DEC 2025 3:16PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୩୦ ଡିସେମ୍ବର ୨୦୨୫) ଝାଡଖଣ୍ଡର ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ – କାର୍ତ୍ତିକ ଯାତ୍ରାରେ ଯୋଗ ଦେବା ସହ ଏହାକୁ ସମ୍ବୋଧିତ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ କହିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଏବଂ କର୍ମଭୂମି ଝାଡଖଣ୍ଡ ଗସ୍ତ କରିବା ତାଙ୍କ ପାଇଁ ଏକ ତୀର୍ଥଯାତ୍ରା ସହିତ ସମାନ । ଭଗବାନ ବିର୍ସା ମୁଣ୍ଡା ସାମାଜିକ ନ୍ୟାୟ ଏବଂ ଆଦିବାସୀ ଗୌରବର ଜଣେ ମହାନ ପ୍ରତୀକ ଭାବରେ ଆମ ସମସ୍ତଙ୍କ ଦ୍ୱାରା ସମ୍ମାନିତ । ସେ କହିଥିଲେ ଯେ, ପଙ୍ଖରାଜ ସାହେବ କାର୍ତ୍ତିକ ଓରାଓଁ ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଅନୁସାରେ ଆଦିବାସୀ ଚେତନା ଏବଂ ପରିଚୟକୁ ସୁଦୃଢ଼ କରିଥିଲେ ତଥା ନିଜ ଜୀବନ ଆଦିବାସୀ ସମ୍ପ୍ରଦାୟ ଏବଂ ରାଷ୍ଟ୍ରର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ । ସେ ଶିକ୍ଷାର ପ୍ରସାର ଏବଂ ସାମାଜିକ ଏକତାକୁ ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ । ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ଏବଂ ଦେଶର ସାମଗ୍ରିକ ବିକାଶ ନିମନ୍ତେ କାମ କରିବା ପାଇଁ ଆମେ ସଂକଳ୍ପ ନେବା ଉଚିତ ।

ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ ଯେ, ଏହି ଅଞ୍ଚଳ ଅନେକ ମହାନ ଆଦିବାସୀ ନାୟକମାନଙ୍କର ଭୂମି । ସରକାର ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ମାଧ୍ୟମରେ ଭାରତର ଲୋକମାନଙ୍କୁ ସେମାନଙ୍କର ବୀରତ୍ୱ କାହାଣୀ ସହିତ ପରିଚିତ କରାଇବାକୁ ପ୍ରୟାସ କରୁଛନ୍ତି । ତଥାପି, ଏହି ଅଞ୍ଚଳ ଏବଂ ଅନ୍ୟ ସମସ୍ତ ଅଞ୍ଚଳର ମହାନ ଆଦିବାସୀ ନାୟକଙ୍କ ଅବଦାନକୁ ଦେଶର ଯୁବପିଢ଼ି ଏବଂ ଭବିଷ୍ୟତ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ହେଉଛି ଆଦିବାସୀ ସମ୍ପ୍ରଦାୟର ଐତିହ୍ୟ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ଦାୟିତ୍ୱ ।
ରାଷ୍ଟ୍ରପତି କହିଥିଲେ ଯେ, ଯୁବପିଢ଼ି ଏବଂ ଭବିଷ୍ୟତ ପିଢ଼ିଙ୍କୁ ଆଦିବାସୀ ସମ୍ପ୍ରଦାୟର ପରମ୍ପରା ସହିତ ଜୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଯୁବପିଢ଼ିକୁ ନିଜର ଆଦିବାସୀ ଐତିହ୍ୟ ଏବଂ ପରିଚୟକୁ ସଂରକ୍ଷିତ ରଖିବା ସହିତ, ଆଧୁନିକ ବିକାଶ ପଥରେ ଦୃତ ଗତିରେ ଆଗକୁ ବଢ଼ିବାକୁ ପଡିବ । ଆଦିବାସୀ ସମ୍ପ୍ରଦାୟର ସମସ୍ତ ସଦସ୍ୟ ଆମର ଐତିହ୍ୟକୁ ସଂରକ୍ଷିତ ରଖିବା ସହ ନିରନ୍ତର ପ୍ରଗତି ପଥରେ ଆଗକୁ ବଢ଼ିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି ।
SR
(रिलीज़ आईडी: 2209951)
आगंतुक पटल : 7