PIB Headquarters
ଏକ ଉଜ୍ଜ୍ୱଳ ସ୍ୱୀକୃତି
ଦୀପାବଳି ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ
प्रविष्टि तिथि:
10 DEC 2025 1:58PM by PIB Bhubaneshwar
ଆଲୋକର ପର୍ବର ଦୀପାବଳିକୁ ୟୁନେସ୍କୋର ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲାରେ ୨୦୨୫ ଡିସେମ୍ବର ୮ରୁ ୧୩ ମଧ୍ୟରେ ହୋଇଥିବା ବିଂଶତମ ୟୁନେସ୍କୋ ଅନ୍ତଃସରକାରୀ କମିଟି ଅଧିବେଶନରେ ଏହି ଘୋଷଣା କରାଯାଇଛି। ଏହି ତାଲିକାରେ ଏହା ହେଉଛି ଭାରତର ଷୋଡ଼ଶ ତତ୍ତ୍ୱ। ୟୁନେସ୍କୋର ୧୯୪ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି, ଅନ୍ତର୍ଜାତୀୟ ବିଶେଷଜ୍ଞ ଓ ୟୁନେସ୍କୋର ଗ୍ଲୋବାଲ ନେଟଓ୍ୱର୍କର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଆଲୋକର ପର୍ବ ଦୀପାବଳି ହେଉଛି ଏକ ଜୀବନ୍ତ ପରମ୍ପରା ଯାହାକି ବିଭିନ୍ନ ସଂପ୍ରଦାୟ ଦ୍ୱାରା ଆଗେଇ ନିଆଯାଇଛି, ଲଗାତର ଭାବେ ପୀଢ଼ି ପରେ ପୀଢ଼ି ଏହି ପର୍ବ ପାଳନ କରି ଆସୁଛନ୍ତି। ଏହାର ପରିଣାମ ସ୍ୱରୂପ ସାମାଜିକ ଘନିଷ୍ଠତା ହେବା ସହିତ ଓ ବିକାଶ ମଧ୍ୟ ହୋଇପାରୁଛି।

ଦୀପାବଳି ପ୍ରତି ୟୁନେସ୍କୋର ଏହି ସ୍ୱୀକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରି କହିଛନ୍ତି, ଭାରତର ସଂସ୍କୃତି, ପରମ୍ପରା ସହିତ ଓତଃପ୍ରୋତ ଭାବେ ଜଡ଼ିତ ଦୀପାବଳି। ଏହା ଆମ ସଭ୍ୟତାର ଆତ୍ମକୁ ପ୍ରଦର୍ଶିତ କରିଥାଏ।

ୟୁନେସ୍କୋର ଆଇସିଏଚ୍ ପ୍ରତିନିଧି ତାଲିକାରେ କୌଣସି ତତ୍ତ୍ୱକୁ ସାମିଲ କରିବା ପାଇଁ ମୂଲ୍ୟାୟନ ସକାଶେ ରାଷ୍ଟ୍ରଗୁଡ଼ିକୁ ଏକ ନାମାଙ୍କନ ନଥିପତ୍ର ଦାଖଲ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ଦେଶ ପ୍ରତି ୨ ବର୍ଷରେ ଗୋଟିଏ ତତ୍ତ୍ୱ ମନୋନୀତ କରିପାରିବେ। ୨୦୨୪-୨୫ ଚକ୍ରରେ ଭାରତ ‘ଦୀପାବଳି’କୁ ମନୋନୀତ କରିଥିଲା।
ଭାରତ ପାଇଁ ଦୀପାବଳି ବର୍ଷକୁ ଥରେ ପାଳନ କରାଯାଉଥିବା କେବଳ ଏକ ପର୍ବ ନୁହେଁ। ଏହା ହେଉଛି ଏକ କୋଟି କୋଟି ଲୋକଙ୍କର ଭାବପ୍ରବଣତା ଓ ସାଂସ୍କୃତିକ ମନୋଭାବକୁ ନେଇ ପାଳନ କରାଯାଉଥିବା ଏକ ଜୀବନ୍ତ ପରମ୍ପରା। ପ୍ରତ୍ୟେକ ବର୍ଷ ଯେତେବେଳେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏପରିକି ବିଦେଶରେ ରହୁଥିବା ପ୍ରବାସୀମାନେ ମଧ୍ୟ ଦୀପ ଜାଳନ୍ତି, ଦୀପାବଳି ଆଣିଥାଏ ଏକ ପରିଚିତ ଆନନ୍ଦ, ପୁଣି ଥରେ ସଂପର୍କକୁ ଆହୁରି ମଜଭୁତ କରିବାର ଆପଣାପଣ। ବ୍ୟସ୍ତବହୁଳ ଜଞ୍ଜାଳରୁ ଟିକେ ବିରାମ ନେଇ ଆତ୍ମୀୟ ସ୍ୱଜନଙ୍କୁ ମନେ ପକାବାକୁ ଓ ଏକାଠି ହେବାକୁ ନିମନ୍ତ୍ରଣ କରିଥାଏ। ଏହା ସହିତ ସମସ୍ତଙ୍କୁ ମନେ ପକାଇ ଦିଏ ଯେ, କାହିଁକି ଏହି ପର୍ବ ମାନବତାର ସାଂସ୍କୃତିକ ପରମ୍ପରା ମଧ୍ୟରେ ସ୍ଥାନ ପାଇବାକୁ ଏହା ଯୋଗ୍ୟ ।

ସ୍ପର୍ଶହୀନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ୧୭ ସେପ୍ଟେମ୍ୱର ୨୦୦୩ରେ ପ୍ୟାରିସରେ ହୋଇଥିବା ୩୨ତମ ସାଧାରଣ ପରିଷଦ ବୈଠକରେ ୟୁନେସ୍କୋ ୨୦୦୩ ଚୁକ୍ତିକୁ ପାରିତ କରିଥିଲା। ଚାଲି ଆସିଥିବା ସାଂସ୍କୃତିକ ପରମ୍ପରା, କିମ୍ୱଦନ୍ତୀ, ପ୍ରଦର୍ଶନ କଳା, ସାମାଜିକ ପ୍ରଥା, ରୀତିନୀତି, ପ୍ରାଚୀନ ପାରମ୍ପରିକ ଜ୍ଞାନ ଓ କାରିଗରୀ ପ୍ରତି ବିଶ୍ୱାୟନ, ସାମାଜିକ ପରିବର୍ତ୍ତନ ଓ ସୀମିକ ସମ୍ୱଳ ଯୋଗୁଁ ବିପଦ ସୃଷ୍ଟି ହୋଇଥିବା ହୃଦବୋଧ କରିଥିଲା ୟୁନେସ୍କୋ। ଏସବୁକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଥିବା ୟୁନେସ୍କୋ ଅନୁଭବ କରିଥିଲା।
ଏଠାରେ ଆଇଜିସି ୨୦.କମ୍ ରେ ଆମର ଆଲୋକପର୍ବ ଦୀପାବଳି ୟୁନେସ୍କୋ ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ଆମ ପାଇଁ ବହୁତ ଗର୍ବର କଥା। ଏହି ସମ୍ମାନ ହେଉଛି ପ୍ରତ୍ୟେକ ଘରର ଯେଉଁମାନେ ଦୀପାବଳି ଅବସରରେ ଦୀପ ଜାଳିଛନ୍ତି ଏବଂ ନବୀକରଣର ଓ ଆଶାର ମନୋଭାବକୁ ଜୀବନ୍ତ ରଖିଛନ୍ତି। ୟୁନେସ୍କୋର ତାଲିକାରେ ଦୀପାବଳି ଆଜି ସାମିଲ ହେବା ଏକ ବିଶ୍ୱସ୍ତରୀୟ ସ୍ୱୀକୃତି ଯାହାର ବାର୍ତ୍ତା ଦେଶର ସୀମା ଡେଇଁ ବାହାରେ ମଧ୍ୟ ପ୍ରତିଧ୍ୱନିତ୍ୱ ହୋଇଥାଏ ଓ ମାନବତାର ସମନ୍ୱୟ ପାଇଁ ଏହା ସମାନ ଆକାଂକ୍ଷା ପରିପ୍ରକାଶ କରିଥାଏ। ଏହା କେବଳ ଏକ ସ୍ୱୀକୃତି ନୁହେଁ, ଏହା ମଧ୍ୟ ଏକ ଦାୟିତ୍ୱ। ଭାଗ ଭାଗ ହୋଇଥିବା ଓ ଅନିଶ୍ଚିତାର ଏକ ବିଶ୍ୱରେ ଦୀପାବଳିର ସରଳ ଅଥଚ ଦୃଢ଼ ଗୁରୁତ୍ୱ ଜାରି ରହିବ : ଦୀପ ଗୋଟିଏ ହୋଇଥାଇପାରେ, କିନ୍ତୁ ଏହାର ଆଲୋକ ସମସ୍ତଙ୍କର ।
ଗଜେନ୍ଦ୍ର ସିଂହ ଶେଖାଓ୍ୱତ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ୟୁନେସ୍କୋର ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଏହା ଦ୍ୱାରା ଭାରତର ସ୍ପର୍ଶହୀନ ସାଂସ୍କୃତିକ ଐତିହ୍ୟ ସଂପର୍କରେ ବିଶ୍ୱସ୍ତରରେ ପ୍ରଚାରର ହେବ ଓ ଆଗାମୀ ପୀଢ଼ି ପାଇଁ ଗୋଷ୍ଠୀଭିତ୍ତିକ ପରମ୍ପରାକୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରଚେଷ୍ଟା କରିବ।
ଦୀପାବଳି ଯାହାକୁ ଦୀଓ୍ୱାଲି ମଧ୍ୟ କୁହାଯାଏ, କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଏ। ସାଧାରଣତଃ ଏହା ଅକ୍ଟୋବର କିମ୍ବା ନଭେମ୍ବରରେ ପଡ଼ିଥାଏ। ଦୀପାବଳିର ମୂଳ ଦର୍ଶନ ହେଲା ସମସ୍ତଙ୍କ ପାଇଁ ସମୃଦ୍ଧି, ନବୀକରଣ ଏବଂ ଧନଧାନ୍ୟରରେ ପରିପୂର୍ଣ୍ଣ ହୁଅନ୍ତୁ।

ଏହାର ସାମଗ୍ରିକ ଗୁଣ ପରସ୍ପର ମଧ୍ୟରେ ସମ୍ମାନକୁ ପ୍ରୋତ୍ସାହିତ କରେ ଏବଂ ବିଭିନ୍ନ ବ୍ୟକ୍ତି ଓ ସମ୍ପ୍ରଦାୟ ମଧ୍ୟରେ ବିବିଧତା ଭିତରେ ଏକତାକୁ ପ୍ରୋତ୍ସାହିତ କରେ; ଫଳସ୍ୱରୂପ, ଉତ୍ସବର କୌଣସି ଦିଗ ସାମାଜିକ ସଂହତି ଏବଂ ସାଂସ୍କୃତିକ ବହୁଳତା ପ୍ରତି ସମ୍ମାନର ନୀତିକୁ ବିରୋଧ କରେ ନାହିଁ। ଘର ହେଉ କି ରାସ୍ତା ଅବା ମନ୍ଦିର, ଦୀପାବଳି ଦିନ ତେଲ ଦୀପରେ ଚାରି ଦିଗ ଆଲୋକିତ ହୁଏ। ଏହା ଏକ ଉଷ୍ଣ ସୁବର୍ଣ୍ଣ ଆଭା ନିର୍ଗତ କରେ ଯାହା ଅନ୍ଧକାରକୁ ପରାସ୍ତ କରୁଥିବା ଆଲୋକ ଏବଂ ଅଧର୍ମ ଉପରେ ଧର୍ମର ବିଜୟକୁ ପ୍ରଦର୍ଶିତ କରିଥାଏ। ବଜାରରେ ମିଳିଥାଏ ଭଳିକି ଭଳି ସୁନ୍ଦର ବସ୍ତ୍ର ପରିଧାନ ଓ କାରୁକାର୍ଯ୍ୟପୂର୍ଣ୍ଣ ହସ୍ତଶିଳ୍ପରେ ଚାରି ଦିଗ ଝଲସି ଉଠେ। ଏସବୁ ଉତ୍ସବର ପରିବେଶକୁ ଆହୁରି ମନୋରମ କରିଥାଏ। ସନ୍ଧ୍ୟା ହେବା ମାତ୍ରେ, ଆତସବାଜିର ଚମତ୍କାର ପ୍ରଦର୍ଶନ ଦ୍ୱାରା ଆକାଶ ଆଲୋକିତ ହୁଏ।
ଦୀପାବଳିର ଲୋକପ୍ରିୟ କିମ୍ୱଦନ୍ତୀ
- ରାମାୟଣ ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀରାମ, ସୀତା ଓ ଲକ୍ଷ୍ମଣ ଅଯୋଧ୍ୟାକୁ ଫେରିଥିଲେ। ୧୪ ବର୍ଷର ବନବାସ ଓ ରାବଣର ବଧ ପରେ ସେମାନେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସେମାନଙ୍କ ସ୍ୱାଗତ କରିବା ପାଇଁ ସାରା ଅଯୋଧ୍ୟାରେ ମାଟି ଦୀପ ଜାଳି ସ୍ୱାଗତ କରାଯାଇଥିଲା। ସେପଟେ ମହାଭାରତ ଅନୁସାରେ ଦୀପାବଳିରେ ବନବାସ ସାରି ପାଣ୍ଡବମାନେ ଘରକୁ ଫେରିଥିଲେ। ସେହିପରି ନରକ ଚତୁର୍ଦ୍ଦଶୀ ମନେପକାଇ ଦିଏ ଯେ, ନରକାସୁର ଉପରେ ବିଜୟଲାଭ କରିଥିଲେ ଶ୍ରୀକୃଷ୍ଣ । ଏହା ହେଉଛି ମନ୍ଦର ଅନ୍ତର ପ୍ରତୀକ।
- ବିଶ୍ୱାସ କରାଯାଏ ଯେ, ଧନ୍ୟଧାନ୍ୟର ଦେବୀ ଲକ୍ଷ୍ମୀ ଦୀପାବଳି ରାତିରେ ସେହି ଘରେ ପାଦ ପକାନ୍ତି, ଯେଉଁ ଘରେ ଦୀପ ଜଳୁଥାଏ।
- ଇତିହାସ ଅନୁସାରେ ଚତୁର୍ବିଂଶ ତୀର୍ଥଙ୍କର ଭଗବାନ ମହାବୀର ପାଭାପୁରୀରେ ଦୀପାବଳି ଦିନ ନିର୍ବାଣ ପ୍ରାପ୍ତି ହୋଇଥିଲେ। ଶୋକରେ ମିୟମାଣ ହୋଇଥିବା ତାଙ୍କର ଶିଷ୍ୟମାନେ ମହାବୀରଙ୍କୁ ବିନୀତ କରିଥିଲେ ଛାଡ଼ି କରି ଯାଆନ୍ତୁ ନାହିଁ। ମହାବୀର ତାଙ୍କର ଶିଷ୍ୟମାନଙ୍କୁ ପରାମର୍ଶ ଦେଇଥିଲେ, ନିଜ ଭିତରେ ଦୀପ ଜାଳନ୍ତୁ ଓ ଅନ୍ଧକାର ଦୂର କରନ୍ତୁ। ନିର୍ବାଣ ଦିବସ ଭାବେ ବେଶ୍ ଉତ୍ସାହର ସହିତ ଦୀପାବଳି ପାଳନ କରନ୍ତି ଜୈନମାନେ।
- ହିନ୍ଦୁମାନଙ୍କ ପୌରାଣିକ ଆଖ୍ୟା ଅନୁସାରେ ରାକ୍ଷସ ତାରକାସୁରର ପୁଅ ତ୍ରିପୁରାସୁର ଏକ ବର ପାଇଥିଲା ଯେ, ସେ କେବଳ ଗୋଟିଏ ତୀରେ ନିହତ ହେବ। ଏହି ବରରେ ବଳିୟାନ ହୋଇ ସେମାନେ ଚାରିଆଡ଼େ ଉତପାତ କଲେ, ମୁନି ଋଷିଙ୍କୁ ହଇରାଣ କଲେ। ଶେଷରେ ଶିବଙ୍କର ଏକମାତ୍ର ତୀରରେ ସେମାନଙ୍କର ବଧ ହୋଇଥିଲା। ସେହି ଦିନ ଥିଲା ଦୀପାବଳି ବା ଦେବ ଦୀପାବଳି। ରାକ୍ଷକଙ୍କ କବଳରୁ ରକ୍ଷା କରିଥିବାରୁ ଭକ୍ତମାନେ ଗଙ୍ଗା ନଦୀରେ ସ୍ନାନ କରି ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥିଲେ।
- ବାଳୀ ରାଜାଙ୍କ ପ୍ରତ୍ୟାବର୍ତ୍ତନ:ମହାରାଷ୍ଟ୍ରରେ ବାଳିଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବେଶ୍ ଉତ୍ସାହର ସହିତ ଦୀପାବଳି ପାଳନ କରାଯାଏ। ଏହା ହେଉଛି ନ୍ୟାୟ ଓ ମହାନତାର ପ୍ରତୀକ।
- କାଳୀ ପୂଜା:ଦୀପାବଳି ଦିନରୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମରେ କାଳୀପୂଜା ଆରମ୍ଭ ହୁଏ। ସୁରକ୍ଷା ଓ ଅନ୍ତଃଶକ୍ତି ପାଇଁ କାଳୀପୂଜା କରାଯାଏ।
- ଗୋବର୍ଦ୍ଧନ/ ଅନ୍ନକୁଟ :କେତେକ ଅଞ୍ଚଳରେ ଗୋବର୍ଦ୍ଧନ ପାହାଡ଼କୁ ଶ୍ରୀକୃଷ୍ଣ ନିଜ ଆଙ୍ଗଠିରେ ଟେକି ଧରି ଲୋକଙ୍କୁ ବର୍ଷାରୁ ରକ୍ଷା କରିଥିବାରୁ କୃତଜ୍ଞତା ସ୍ୱରୂପ ଦୀପାବଳି ପାଳନ କରାଯାଏ।

ଦୀପାବଳିରେ ଦୀପ ଜାଳିବା ସହିତ ଅନେକ ପରମ୍ପରା ରହିଛି। ସେହି ଦିନ ସୁନ୍ଦର ରଙ୍ଗୋଲି ତିଆରି କରିବା, ମିଠା ପ୍ରସ୍ତୁତ କରିବା, ଘର ସଜାଇବା, ପୂଜାର୍ଚ୍ଚନା କରିବା, ଉପହାର ଆଦାନପ୍ରଦାନ କରିବା ଏବଂ ସମସ୍ତେ ଏକାଠି ହେବା ଭଳି ପରମ୍ପରା ରହିଛି। ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କଥାକୁ ନେଇ ଫସଲ ଅମଳ, ସଂସ୍କୃତି ଓ ପୌରାଣିକ ଆଖ୍ୟା ଆଧାରରେ ଦୀପାବଳି ପାଳନ କରାଯାଏ। ଏହା ଦର୍ଶାଇ ଥାଏ ବିବିଧତା। ଏହି ପର୍ବ ଆଶା, ସମୃଦ୍ଧି ଏବଂ ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ନବୀକରଣ, ନୂତନ ଆରମ୍ଭ ଏବଂ ସାମାଜିକ ଏକତାକୁ ପ୍ରତଫଳିତ କରିଥାଏ। ଦୀପାବଳି ପାଞ୍ଚ ଦିନ ଧରି ପାଳନ କରାଯାଏ। ପ୍ରତ୍ୟେକ ଦିନ ପାଳନ କରାଯାଉଥିବା ପରମ୍ପରାର ନିଜସ୍ୱ ଆକର୍ଷଣ ଏବଂ ଅର୍ଥ ରହିଛି।
ଧନତେରସ୍ରୁ ଆରମ୍ଭ ହୋଇଥାଏ ଦୀପାବଳି ପର୍ବ ପାଳନ। ସମୃଦ୍ଧିର ପ୍ରତୀକ ଭାବେ ଏହି ପବିତ୍ର ଦିନରେ ଲୋକେ ବିଭିନ୍ନ ଧାତୁର ପାତ୍ର ଓ ଆବଶ୍ୟକ ସାମଗ୍ରୀ କିଣିଥାନ୍ତି। ତା ପର ଦିନ ହେଉଛି ନରକ ଚତୁର୍ଦ୍ଦଶୀ। ଏହି ଦିନ ମଧ୍ୟ ବିଭିନ୍ନ ପୂଜାପାଠ କରାଯାଏ ଓ ଦୀପ ଜଳା ଯାଏ। ଘରେ ସକରାତ୍ମକ ଶକ୍ତିକୁ ଆବାହନ କରିବା ସହିତ ନକରାତ୍ମକ ଶକ୍ତିକୁ ଦୂର କରିବା ଏହାର ଉଦ୍ଦେଶ୍ୟ।
ଦୀପାବଳି ପାଳନର ତୃତୀୟ ଦିନ ହେଉଛି ମୁଖ୍ୟ। ଏହି ଦିନ ପବିତ୍ର ଲକ୍ଷ୍ମୀ-ଗଣେଶ ପଜା କରାଯାଏ। ଘରେ ଘରେ ତିଆରି ହୁଏ ବିଭିନ୍ନ ରଙ୍ଗକୁ ନେଇ ସୁନ୍ଦର ସୁନ୍ଦର ରଙ୍ଗୋଲି,ବିଭିନ୍ନ ପ୍ରକାର ମିଠାର ବାସ୍ନାରେ ଚତୁର୍ଦ୍ଦିଗ ମହକି ଯାଏ ଓ ସବୁଆଡ଼େ ଶୋଭାପାଏ ଅସଂଖ୍ୟ ଦୀପ।
ଚତୁର୍ଥ ଦିନରେ ଲୋକେ ନିଜ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ଘରକୁ ଯାଆନ୍ତି, ଭେଟଘାଟ ହୁଅନ୍ତି, ଉପହାର ଦିଆନିଆ ହୁଏ, ସମସ୍ତେ ଏକାଠି ହୁଅନ୍ତି। ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ସଂପର୍କ ସୁଦୃଢ଼ ହୋଇଥାଏ ଓ ଖୁସି ମଧ୍ୟ ବଢ଼ିଥାଏ। ଭାଇଦୁଜ୍ ସହିତ ଦୀପାବଳି ପାଳନ ଶେଷ ହୋଇଥାଏ। ଏହି ଦିନ ଭାଇର ଶୁଭ ମନାସି ଭଉଣୀ ପୂଜା କରିଥାଏ। ଏହା ହେଉଛି ଭାଇ-ଭଉଣୀ ସଂପର୍କରେ ଏକ ନିଆରା ଉଦାହରଣ।

ଦୀପାବଳି ସାରା ଦେଶର ଅନେକ ଲୋକଙ୍କୁ ଜୀବିକା ପ୍ରଦାନ କରିଥାଏ ଓ ପାରମ୍ପରିକ କୌଶଳକୁ ସହଯୋଗ କରିଥାଏ। ଗାଁ ଗହଳିର ଲୋକେ ଏମିତି ପର୍ବ ପାଳନ କରନ୍ତି ଯାହା କି ପ୍ରକୃତିକୁ ସମ୍ମାନ ଦେଇଥାଏ। ଏହି ସହିତ ଚାଷର ବିଭିନ୍ନ ପର୍ଯ୍ୟାୟ ସହିତ ତାଳ ଦେଇ ବିଭିନ୍ନ ପର୍ବ ପାଳନ କରାଯାଏ। କାରିଗର ବିଶେଷ କରି - କୁମ୍ଭାର, ଲଣ୍ଠନ ତିଆରିକର୍ତ୍ତା, ସାଜସଜ୍ଜାକାରୀ, ଫୁଲ ବିକ୍ରେତା, ଗୁଡ଼ିଆ ଦୋକାନୀ, ଅଳଙ୍କାର ବ୍ୟବସାୟୀ, ବୁଣାକାର ଓ ଛୋଟମୋଟ ବେପାର କରୁଥିବା ଲୋକଙ୍କ ଭଲ ରୋଜଗାର ହୋଇଥାଏ ଏହି ସମୟରେ। କାରଣ ଦୀପାବଳି ସମୟରେ କିଣାବିକା ଅଧିକ ହୋଇଥାଏ। ଭାରତର ଅର୍ଥନୀତି ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।
ଦାନଧର୍ମର ମହତ୍ୱ ମଧ୍ୟ ପ୍ରତିପାଦନ କରିଥାଏ ଦୀପାବଳି। ଲୋକେ ଉଦାର ମନରେ ଏହି ସମୟରେ ଗରିବ ଲୋକଙ୍କୁ ଦାନ ଦେଇଥାନ୍ତି। ବୃଦ୍ଧ, ଦୃଷ୍ଟିହୀନ, ବନ୍ଦୀ ଓ ଭିନ୍ନକ୍ଷମ ଲୋକଙ୍କୁ ଦାନ ଦେବା ସହିତ ମାଗଣାରେ ଖାଦ୍ୟ ପ୍ରଦାନ କରନ୍ତି। ଏପରିକି ସେମାନଙ୍କ ସ୍ୱତନ୍ତ୍ର ଭାବେ ଭୋଜିଭାତର ଆୟୋଜନ କରାଯାଏ।
କିଛି ବର୍ଷ ହେଲା ଦୀପାବଳିରେ ପ୍ରବଳ ପରିମାଣର ବାଣ ଫୁଟାଯାଉଥିବାରୁ ବାୟୁପ୍ରଦୂରଣକୁ ନେଇ ସବୁଆଡ଼େ ଉଦବେଗ ପ୍ରକାଶ ପାଇଛି। ଏଥିପାଇଁ ସରକାର ମଧ୍ୟ ହସ୍ତକ୍ଷେପ କରି ଅନେକ ପଦକ୍ଷେପ ନେଇଛନ୍ତି। ଏବେ CSIR-NEERI ଦ୍ୱାରା "ସବୁଜ ବାଣ " ପ୍ରସ୍ତୁତ କରାଗଲାଣି। ଏହା ସହିତ ସ୍ୱଚ୍ଛ ଦିଓ୍ୱାଲି ଶୁଭ ଦିଓ୍ୱାଲି ପରି ପରିବେଶ ଅନୂକୁଳ ଅଭିଯାନ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଉତ୍ସବ ପାଳନ ସାଙ୍ଗକୁ ଉତ୍ସବ ପାଳନ ହେବ କିନ୍ତୁ ପରିବେଶ ପ୍ରଦୂଷଣ ହେବ ନାହିଁ। ଏହା ଦ୍ୱାରା ପର୍ବ ପାଳନ କରିବାର ମଜା ବଜାୟ ରହିବ। ସେହିପରି ଦୀପାବଳି ଅବସରରେ ଘର, ଦୋକାନ ବଜାର ଏବଂ ସାର୍ବଜନୀନ ସ୍ଥାନ ସଫା କରି ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବାର ଭାବନାକୁ ପ୍ରୋତ୍ସାହିତ କରୁଛି। ଏହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଛି। ତା ସହିତ ପରିବାର ଏବଂ ବନ୍ଧୁମାନଙ୍କୁ ଏକାଠି କରି ସାମାଜିକ ଏବଂ ମାନସିକ ଭାବେ ସୁସ୍ଥ ରହିବାର ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି।
ଦୀପାବଳିର ସାଂସ୍କୃତିକ ପରିବେଶ ଅନେକ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) କୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ରହିଛି ଯେଉଁଥିରେ ରୋଜଗାର ପ୍ରଦାନ ଜରିଆରେ ଦାରିଦ୍ର୍ୟ ଦୂରୀକରଣ, ସମସ୍ତଙ୍କର ଅଂଶଗ୍ରହଣ ଏବଂ ହସ୍ତଶିଳ୍ପ ପରମ୍ପରା ମାଧ୍ୟମରେ ଲିଙ୍ଗଗତ ସମାନତା, ସାମ୍ପ୍ରଦାୟିକ ବନ୍ଧନ ଏବଂ ସ୍ୱଚ୍ଛତା ଅଭ୍ୟାସ ମାଧ୍ୟମରେ କଲ୍ୟାଣ ଏବଂ ସାଂସ୍କୃତିକ ପ୍ରସାରଣ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ।
ୟୁନେସ୍କୋର ମାନବତାର ସ୍ପର୍ଶହୀନ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳିର ମନୋନୟନ ପ୍ରକ୍ରିୟା ଏକ ସାମଗ୍ରିକ, ଗୋଷ୍ଠୀ ପରିଚାଳିତ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ସାରା ଦେଶରେ ବିଜ୍ଞବ୍ୟକ୍ତି, କଳାକାର, ଲେଖକ ଏବଂ ବିଶେଷଜ୍ଞଙ୍କୁ ନେଇ ଏକ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା। ସାରା ଦେଶର ସବୁ ବର୍ଗର ଲୋକଙ୍କସହିତ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ଏଥିରେ ରହିଛନ୍ତି ଭାରତର ସବୁ ସଂପ୍ରଦାୟର ଲୋକ, ହିମାଳୟରୁ କନ୍ୟାକୁମାରୀ, ସହରରୁ ଦୂରବର୍ତ୍ତୀ ଗ୍ରାମ ପର୍ଯ୍ୟନ୍ତ, ପ୍ରବାସୀ, ଆଦିବାସୀ ଗୋଷ୍ଠୀ, ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏବଂ କାରିଗର, କୃଷକ ଏବଂ ଧାର୍ମିକ ଗୋଷ୍ଠୀ ସମେତ ସବୁ ସମ୍ପ୍ରଦାୟ। ବିଭିନ୍ନ ଫର୍ମାଟରେ ଲୋକଙ୍କମାନଙ୍କଠାରୁ ସଂଗ୍ରହ କରାଯାଇଥିଲା ବ୍ୟକ୍ତିଗତ ଅଭିଜ୍ଞତା ଏବଂ ଦୀପାବଳିର ସାଂସ୍କୃତିକ ଗୁରୁତ୍ୱ ସଂପର୍କରେ ସେମାନଙ୍କର ମତାମତ। ଏହା ବିଭିନ୍ନ ଗୋଷ୍ଠୀର ସମ୍ମତିର ପରିପ୍ରକାଶ କରିଥିଲା । ତା ସହିତ ବିବିଧତା ମଧ୍ୟରେ କାହିଁ କେତେ କାଳରୁ ଚାଲିଆସିଥିବା ଜୀବନ୍ତ ପରମ୍ପରା ଭାବେ ଏହାର ସ୍ଥିରତା ପ୍ରଦର୍ଶନ କରିଥିଲା।
ୟୁନେସ୍କୋର ସ୍ପର୍ଶହୀନ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବା ହେଉଛି କୋଟି କୋଟି ଲୋକଙ୍କ ପ୍ରତି କୃତଜ୍ଞତା ଯେଉଁମାନେ ଭକ୍ତିଭାବର ସହିତ ଏହି ପର୍ବ ପାଳନ କରନ୍ତି। ସେହିପରି ଏହି ପରମ୍ପରାକୁ ବଞ୍ଚାଇ ରଖିଥିବା କାରିଗରଙ୍କ ପ୍ରତି, କାଳକାଳ ଧରି ବଜାୟ ରଖିଥିବା ଆଦର୍ଶ ପ୍ରତି ମଧ୍ୟ ଏହା ଏକ କୃତଜ୍ଞତା। ସାରା ବିଶ୍ୱକୁ ଏହା କହିଥାଏ ଯେ, ଭାରତର ସାଂସ୍କୃତିକ ଐତିହ୍ୟ କେବଳ ମନେରଖାଯାଏ ନାହିଁ, ଏହା ଲୋକଙ୍କ ମଧ୍ୟରେ ବଞ୍ଚି ରହେ, ଏହାକୁ ଲୋକେ ଭଲ ପାଆନ୍ତି ଓ ଏହାକୁ ଗୋଟିଏ ପିଢି ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିଥାଏ। ।
References
https://www.incredibleindia.gov.in/en/festivals-and-events/diwali
https://utsav.gov.in/major-festival/diwali
https://magazines.odisha.gov.in/Orissareview/2013/nov/engpdf/19-20.pdf
https://www.tamilnadutourism.tn.gov.in/events/deepavali
https://maharashtratourism.gov.in/festivals/diwali/
https://utsavapp.in/gyan/g/dev-deepavali-history-significance--rituals
BSP
(रिलीज़ आईडी: 2202198)
आगंतुक पटल : 5