ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତା
Posted On:
17 NOV 2025 7:08PM by PIB Bhubaneshwar
- ଦିଲ୍ଲୀ ବିସ୍ଫୋରଣ ଏବଂ ଜାମ୍ମୁ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ମୂଳପୋଛ କରିବା ହେଉଛି ଆମର ସାମୂହିକ ପ୍ରତିବଦ୍ଧତା
- ଆମେ ଦିଲ୍ଲୀ ବୋମା ବିସ୍ଫୋରଣର ଅପରାଧୀମାନଙ୍କୁ ନେଦର୍ୱାଲ୍ଡ (ପାତାଳ)ର ଗଭୀରତାରୁ ମଧ୍ୟ ଖୋଜିବୁ ଏବଂ ନିଶ୍ଚିତ କରିବୁ ଯେ ସେମାନେ ଯେଭଳି ଯଥାସମ୍ଭବ କଠୋର ଦଣ୍ଡ ପାଇବେ
- ଆଲୋଚନା, ସହଯୋଗ, ସମନ୍ୱୟ ଏବଂ 'ନୀତି ସମନ୍ୱୟ' ପାଇଁ କ୍ଷେତ୍ରୀୟ ପରିଷଦଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'କେବଳ ଶକ୍ତିଶାଳୀ ରାଜ୍ୟ ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ର ସୃଷ୍ଟି କରିବ’ ଲକ୍ଷ୍ୟକୁ ବାସ୍ତବ ରୂପ ଦେବାରେ କ୍ଷେତ୍ରୀୟ ପରିଷଦଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା
- ଆମର ଲକ୍ଷ୍ୟ ହେଉଛି ଜାତୀୟ ପ୍ରଗତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଭାରତର ବୈଶ୍ୱିକ ନେତୃତ୍ୱ ସହିତ ଆଞ୍ଚଳିକ ଶକ୍ତି
- ୨୦୦୪-୧୪ ଅବଧି ତୁଳନାରେ, ୨୦୧୪ ରୁ ୨୦୨୫ ମଧ୍ୟରେ ଆଞ୍ଚଳିକ ପରିଷଦ ବୈଠକ ସଂଖ୍ୟାରେ ପ୍ରାୟ ଅଢେଇ ଗୁଣ ବୃଦ୍ଧି
- ଏ ପର୍ଯ୍ୟନ୍ତ, କ୍ଷେତ୍ରୀୟ ପରିଷଦଗୁଡ଼ିକର ବୈଠକରେ ୧୬୦୦ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି, ଏବଂ ସେଥିମଧ୍ୟରୁ ୧୩୦୩ - ଅର୍ଥାତ୍ ୮୧.୪୩ ପ୍ରତିଶତର ସମାଧାନ କରାଯାଇଛି
- ମହିଳା ଏବଂ ପିଲାମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା, ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ (ଏଫଟିଏସସି) ର ସଂଖ୍ୟା ବୃଦ୍ଧି କରାଯିବା ଉଚିତ
- ଦାରିଦ୍ର୍ୟ ଦୂରୀକରଣ ତଥା ସମବାୟ, କୃଷି ଏବଂ ମତ୍ସ୍ୟଚାଷ ମାଧ୍ୟମରେ ନିଯୁକ୍ତି ବୃଦ୍ଧି ପାଉଛି
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ହରିୟାଣାର ଫରିଦାବାଦଠାରେ ଉତ୍ତର କ୍ଷେତ୍ରୀୟ ପରିଷଦ (ଏନଜେଡସି)ର ୩୨ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନଇବ ସିଂହ ସାଇନି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ଭଗବନ୍ତ ମାନ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖବିନ୍ଦର ସିଂହ ସୁଖୁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ପ୍ରଶାସକ ଶ୍ରୀ ଗୁଲାବ ଚାନ୍ଦ କଟାରିଆ, ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସକ୍ସେନା ଏବଂ ଲଦାଖର ଉପରାଜ୍ୟପାଳ ଶ୍ରୀ କବିନ୍ଦର ଗୁପ୍ତାଙ୍କ ସମେତ ଏହି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ସଚିବ, ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ/ପରାମର୍ଶଦାତା ଏବଂ ରାଜ୍ୟ ସରକାର ତଥା ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ବୈଠକ ଆରମ୍ଭରେ ନିକଟରେ ଦିଲ୍ଲୀରେ କାର ବୋମା ବିସ୍ଫୋରଣ ଏବଂ ଜାମ୍ମୁ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ସମୂଳେ ମୂଳପୋଛ କରିବା ହେଉଛି ଆମର ସାମୂହିକ ପ୍ରତିବଦ୍ଧତା। ମୋଦୀ ସରକାରଙ୍କ ଏପର୍ଯ୍ୟନ୍ତ ଟ୍ରାକ୍ ରେକର୍ଡ ଅନୁଯାୟୀ, ଦିଲ୍ଲୀ ବୋମା ବିସ୍ଫୋରଣର ଦୋଷୀମାନଙ୍କୁ ପାତାଳରୁ ମଧ୍ୟ ଠାବ କରାଯିବ, ଦେଶର ନ୍ୟାୟିକ ବ୍ୟବସ୍ଥା ସମ୍ମୁଖକୁ ଅଣାଯିବ ଏବଂ ଯଥାସମ୍ଭବ କଠୋର ଦଣ୍ଡ ଦିଆଯିବ।
ଶ୍ରୀ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ହେଉଛି ଶକ୍ତିଶାଳୀ ରାଜ୍ୟଗୁଡ଼ିକ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରନ୍ତୁ ଏବଂ ଏହାକୁ ବାସ୍ତବ ରୂପ ଦେବାରେ କ୍ଷେତ୍ରୀୟ ପରିଷଦଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆଲୋଚନା, ସହଯୋଗ, ସମନ୍ୱୟ ଏବଂ 'ନୀତି ସମନ୍ୱୟ' ପାଇଁ କ୍ଷେତ୍ରୀୟ ପରିଷଦଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିଷଦଗୁଡ଼ିକ ମାଧ୍ୟମରେ ଅନେକ ପ୍ରକାରର ସମସ୍ୟାର ସମାଧାନ କରାଯାଇଛି। ବର୍ତ୍ତମାନ ମଧ୍ୟ ଅନେକ ପ୍ରସଙ୍ଗ ରହିଛି, ଯେପରିକି ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧରେ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବାରେ ବିଳମ୍ବ, ଅପପୁଷ୍ଟି ଏବଂ ମାନ୍ଦାବସ୍ଥା, ଯେଉଁଥିରୁ ଦେଶକୁ ମୁକ୍ତ କରିବାର ଆବଶ୍ୟକତା ରହିଛି। ମହିଳା ଏବଂ ପିଲାମାନଙ୍କ ବିରୋଧରେ ଅପରାଧ ଏବଂ ପକସୋ ଅଧିନିୟମ ଅନୁଯାୟୀ ତ୍ୱରିତ ତଦନ୍ତ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶାହ କହିଛନ୍ତି ଯେ, କୌଣସି ସଭ୍ୟ ସମାଜ ଏଭଳି ଘୃଣ୍ୟ ଅପରାଧକୁ ଗ୍ରହଣ କରିପାରିବ ନାହିଁ। ସେ କହିଥିଲେ ଯେ ମହିଳା ଏବଂ ପିଲାମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା, ଏଥିପାଇଁ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ (ଏଫଟିଏସସି)ର ସଂଖ୍ୟା ବୃଦ୍ଧି କରାଯିବା ଉଚିତ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ସମବାୟ, କୃଷି ଏବଂ ମତ୍ସ୍ୟଚାଷ କ୍ଷେତ୍ର ଦାରିଦ୍ର୍ୟ ଦୂରୀକରଣ ଏବଂ ନିଯୁକ୍ତି ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ଦାରିଦ୍ର୍ୟ ଦୂରୀକରଣ ତଥା ସମବାୟ, କୃଷି ଏବଂ ମତ୍ସ୍ୟଚାଷ ମାଧ୍ୟମରେ ନିଯୁକ୍ତି ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର "ସହକାର ସେ ସମୃଦ୍ଧି" (ସମବାୟ ମାଧ୍ୟମରେ ସମୃଦ୍ଧି) ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ସମବାୟ କ୍ଷେତ୍ରରେ ନିଯୁକ୍ତି ପାଇଁ ଅପାର ସମ୍ଭାବନା ରହିଛି। କେବଳ ମୋଟ ଘରୋଇ ଉତ୍ପାଦ ସହିତ ନିଯୁକ୍ତି, ବିଶେଷ କରି ଆତ୍ମନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଦ୍ୱାରା ଆମେ ଏକ ବିକଶିତ ଭାରତର ସ୍ୱପ୍ନ ସାକାର କରିପାରିବା। ଜିଡିପି କେବଳ କୌଣସି ଦେଶର ସମୃଦ୍ଧିର ସୂଚକ ନୁହେଁ; ପ୍ରକୃତ ସମୃଦ୍ଧି ସେତେବେଳେ ହାସଲ ହୋଇଥାଏ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥାନ୍ତି। ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ସାରା ଦେଶରେ ୫୭ଟି ପଦକ୍ଷେପ ଗ୍ରହଣ କରିଛି। ଏଥିରେ ପ୍ରାଥମିକ କୃଷି ଋଣ ସମିତି (ପାକସ୍) ଗୁଡ଼ିକର କମ୍ପ୍ୟୁଟରୀକରଣ, ତିନୋଟି ନୂତନ ଜାତୀୟ ସ୍ତରୀୟ ସମବାୟ ସମିତି ପ୍ରତିଷ୍ଠା ଏବଂ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଅନ୍ତର୍ଭୁକ୍ତ।
ଶ୍ରୀ ଶାହ କହିଥିଲେ ଯେ, ଆଞ୍ଚଳିକ ପରିଷଦଗୁଡ଼ିକର ମୂଳ ଭାବନା ଏବଂ ଭୂମିକା ହେଉଛି ପରାମର୍ଶ, କିନ୍ତୁ ଗତ ଦଶନ୍ଧିରେ ସେଗୁଡ଼ିକୁ କାର୍ଯ୍ୟ-ଭିତ୍ତିକ ମଞ୍ଚ ଭାବେ ଗ୍ରହଣ କରାଯାଇଛି ଏବଂ ଫଳପ୍ରଦ ହୋଇଛି। ପରବର୍ତ୍ତୀ ପଦକ୍ଷେପ ସହିତ, ଆମେ କେବଳ ରାଜ୍ୟଗୁଡ଼ିକ ମଧ୍ୟରେ, ଅଞ୍ଚଳ ଓ ରାଜ୍ୟଗୁଡ଼ିକ ମଧ୍ୟରେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ସମସ୍ୟାଗୁଡ଼ିକୁ ସ୍ୱୀକାର କରିନାହୁଁ, ବରଂ ସେଗୁଡ଼ିକର ସମାଧାନ ପାଇଁ ଦୃଢ଼ ମାର୍ଗ ମଧ୍ୟ ସୃଷ୍ଟି କରିଛୁ। ଆମର ଲକ୍ଷ୍ୟ ସ୍ପଷ୍ଟ-ଜାତୀୟ ପ୍ରଗତି ସହିତ ଆଞ୍ଚଳିକ ଶକ୍ତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଭାରତର ବୈଶ୍ୱିକ ନେତୃତ୍ୱ, ଯାହା ଆମକୁ ଏକ ମହାନ ଭାରତ ଗଠନ ଦିଗରେ ଆଗେଇ ନେବ। ଜଳ ସମ୍ପଦ ପରିଚାଳନା ଏବଂ ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସମସ୍ତ ରାଜ୍ୟ ପାରସ୍ପରିକ ସମନ୍ୱୟରେ କାର୍ଯ୍ୟ କରିବା ଉଚିତ ବୋଲି ଗୃହମନ୍ତ୍ରୀ କହିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, '୨୦୦୪-୨୦୧୪ ତୁଳନାରେ ୨୦୧୪ରୁ ୨୦୨୫ ମଧ୍ୟରେ ଆଞ୍ଚଳିକ ପରିଷଦ ବୈଠକ ସଂଖ୍ୟା ପାଖାପାଖି ଅଢେଇ ଗୁଣ ବୃଦ୍ଧି ପାଇଛି ଏବଂ ଆମେ ଏହି ବୈଠକଗୁଡ଼ିକୁ ଅର୍ଥପୂର୍ଣ୍ଣ କରିଛୁ। ୨୦୦୪ରୁ ୨୦୧୪ ମଧ୍ୟରେ କ୍ଷେତ୍ରୀୟ ପରିଷଦ ଏବଂ ସ୍ଥାୟୀ କମିଟିର ମୋଟ ୨୫ଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ୨୦୧୪ରୁ ୨୦୨୫ ମଧ୍ୟରେ ଏପର୍ଯ୍ୟନ୍ତ ୬୪ଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ସଂଖ୍ୟା ଦ୍ୱିଗୁଣିତ ହେବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦଳଗତ ଭାରତର ଧାରଣାକୁ ପ୍ରତିଫଳିତ କରୁଛି। ଏହି ବୈଠକଗୁଡ଼ିକରେ ୧୬୦୦ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ୧୩୦୩ଟି ପ୍ରସଙ୍ଗ (୮୧.୪୩ ପ୍ରତିଶତ)ର ସମାଧାନ କରାଯାଇଥିଲା। ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ସକ୍ରିୟ ଭୂମିକା ସହିତ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକର ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ଶ୍ରୀ ଶାହ କହିଥିଲେ, ଚଳିତ ବର୍ଷ ବନ୍ଦେ ମାତରମ୍ ସୃଷ୍ଟିର ୧୫୦ତମ ବାର୍ଷିକୀ ପାଳନ କରାଯାଉଛି। ଏକ ସମୟରେ, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ମହାନ ରଚନା ବନ୍ଦେ ମାତରମ୍ ଆମ ଦେଶର ସ୍ୱାଧୀନତା ପାଇଁ ସ୍ପଷ୍ଟ ଆହ୍ୱାନ ପାଲଟିଥିଲା। ଆଜି ଭାରତ ସରକାର ଏବଂ ସମସ୍ତ ରାଜ୍ୟ ଏହାକୁ ପୁଣି ଥରେ ଏକ ମହାନ ଭାରତ ନିର୍ମାଣର ସ୍ପଷ୍ଟ ଆହ୍ୱାନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ଭାରତର ଯୁବ ପିଢ଼ି ମଧ୍ୟରେ ଦେଶପ୍ରେମର ମୂଲ୍ୟବୋଧ ଜାଗ୍ରତ କରିବାର ଏକ ପ୍ରୟାସ। ବନ୍ଦେ ମାତରମ୍ ଗୀତ ମାଧ୍ୟମରେ ଦେଶର ଯୁବକମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପୁନର୍ବାର ଜାଗ୍ରତ କରିବାକୁ ଶ୍ରୀ ଶାହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିବେଦନ କରିଥିଲେ।
ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ବିଷୟରେ ଉଲ୍ଲେଖ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ସେଗୁଡ଼ିକର କାର୍ଯ୍ୟକାରିତା ଅତ୍ୟନ୍ତ ସକାରାତ୍ମକ ଫଳାଫଳ ଦେଇଛି। ନୂତନ ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହାର ପ୍ରାୟ ୨୫ ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଦୋଷୀମାନେ ସମୟୋଚିତ ଦଣ୍ଡ ପାଉଛନ୍ତି। ଏହି ଆଇନଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରମାନଙ୍କୁ ଅଧିକ ପ୍ରୟାସ କରିବାର ଆବଶ୍ୟକତା ରହିଛି। ଏଥି ସହିତ, ଗୃହମନ୍ତ୍ରୀ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁସନ୍ଧାନ ଏବଂ ଫରେନସିକ୍ ବିଶ୍ଳେଷଣରୁ ନ୍ୟାୟାଳୟର ଅନଲାଇନ୍ ସଂଯୋଗ ପର୍ଯ୍ୟନ୍ତ ଜ୍ଞାନକୌଶଳର ଉନ୍ନତିକରଣ କରିବାକୁ ଅନୁରୋଧ କରିଥିଲେ।
ଶ୍ରୀ ଅମିତ ଶାହ ମିଲେଟକୁ ପ୍ରୋତ୍ସାହିତ କରିବା ଅଭିଯାନରେ ରାଜସ୍ଥାନର ଯୋଗଦାନକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସମସ୍ତ ରାଜ୍ୟ ମିଲେଟ ଉତ୍ପାଦନ ଏବଂ ବ୍ୟବହାର ବୃଦ୍ଧି କରିବା ଉଚିତ। ଗରିବ ଲୋକଙ୍କୁ ପ୍ରତି ମାସରେ ୫ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ଯୋଜନାରେ ମିଲେଟକୁ ସାମିଲ କରିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଏହାଦ୍ୱାରା ମିଲେଟ ଉତ୍ପାଦନ ବୃଦ୍ଧି ପାଇବ, ନୂଆ ପିଢ଼ି ମିଲେଟ ଖାଇବା ଅଭ୍ୟାସ ବିକଶିତ କରିବେ ଏବଂ ଲୋକଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସିବ।
ଆଜିର ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ପ୍ରସଙ୍ଗ ସହିତ ଅନେକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା, ଯେଉଁଥିରେ ମହିଳା ଏବଂ ପିଲାମାନଙ୍କ ବିରୋଧରେ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ଏବଂ ତ୍ୱରିତ ସମାଧାନ ପାଇଁ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ (ଏଫଟିଏସସି)ର କାର୍ଯ୍ୟକାରିତା, ପ୍ରତ୍ୟେକ ଗାଁର ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ନିଜସ୍ବ ଶାଖା ଥିବା ବ୍ୟାଙ୍କିଙ୍ଗ ସେବାର ଉପଲବ୍ଧତା, ଜଳ ବଣ୍ଟନ, ପରିବେଶ, ଉଚ୍ଚ ଶିକ୍ଷା ଇତ୍ୟାଦି ସମ୍ବନ୍ଧୀୟ ପ୍ରସଙ୍ଗ, ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସଏସ-୧୧୨) ଏବଂ ଆଞ୍ଚଳିକ ସ୍ତରରେ ସାଧାରଣ ସ୍ୱାର୍ଥର ଅନ୍ୟାନ୍ୟ ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।
ଏହାବ୍ୟତୀତ, ଜାତୀୟ ଗୁରୁତ୍ୱ ବହନ କରୁଥିବା ଛଅଟି ପ୍ରସଙ୍ଗକୁ ଏଜେଣ୍ଡାରେ ସାମିଲ କରାଯାଇଥିଲା, ଯେପରିକି-ସହରାଞ୍ଚଳ ମାଷ୍ଟର ପ୍ଲାନିଂ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପ୍ରାଥମିକ କୃଷି ଋଣ ସମିତି (ପାକସ୍) ଗୁଡ଼ିକର ସୁଦୃଢ଼ୀକରଣ, 'ପୋଷଣ ଅଭିଯାନ' ଜରିଆରେ ପିଲାମାନଙ୍କ ମଧ୍ୟରେ ଥିବା ଅପପୁଷ୍ଟି ଦୂର କରିବା, ଅଧାରୁ ପାଠପଢା ଛାଡ଼ିବାର ହାର ହ୍ରାସ କରିବା ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସରକାରୀ ଡାକ୍ତରଖାନାଗୁଡ଼ିକର ଅଂଶଗ୍ରହଣ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ସୁରଜକୁଣ୍ଡର ଉର୍ବର ଭୂମି କେବଳ ଐତିହାସିକ ନୁହେଁ, ଏହା ସମୃଦ୍ଧ ସାଂସ୍କୃତିକ ଏବଂ କଳାତ୍ମକ ଐତିହ୍ୟ ଏବଂ ଅର୍ଥନୈତିକ ଚେତନାର ଜୀବନ୍ତ ପ୍ରମାଣ। ସୁରଜକୁଣ୍ଡର ଭୂମି ଏବଂ ଭଗବାନ ସୂର୍ଯ୍ୟନାରାୟଣଙ୍କ ଭଗିରଥ ଭଳି ପ୍ରୟାସର ଉଦାହରଣ ଆମକୁ ପ୍ରେରଣା ଦେଇଥାଏ। ଏଠାରେ ହିଁ ଭଗବାନ କୃଷ୍ଣ ନିଜେ ପ୍ରଥମେ ତାଙ୍କ ଦିବ୍ୟ ମୁଖରୁ ଶ୍ରୀମଦ ଭଗବଦ୍ ଗୀତା ଉଚ୍ଚାରଣ କରିଥିଲେ ଏବଂ ସିନ୍ଧୁ ଉପତ୍ୟକାର ପ୍ରାଚୀନ ସଭ୍ୟତାର ପ୍ରମାଣ ମଧ୍ୟ ଏଠାରେ ମିଳିଛି। ହରିୟାଣା ଏବଂ ପଞ୍ଜାବ ହେଉଛି ମହାନ ଶିଖ୍ ଗୁରୁମାନଙ୍କ ଭୂମି, ଯେଉଁମାନେ କେବଳ ଦେଶର ଆଧ୍ୟାତ୍ମିକ ଚେତନାକୁ ସୁଦୃଢ଼ କରିବାରେ ଯୋଗଦାନ ଦେଇନାହାନ୍ତି, ବରଂ ଦେଶର ସମ୍ମାନ ଏବଂ ସ୍ୱାଧୀନତା ପାଇଁ ଅପାର ବଳିଦାନ ମଧ୍ୟ ଦେଇଛନ୍ତି। ଆଜି ଆମ ଦେଶ ନିଜର ମୂଳ ପରମ୍ପରା ଆଧାରରେ ଆଗକୁ ବଢ଼ୁଛି, କିନ୍ତୁ ଗୁରୁ ତେଗ ବାହାଦୂର ଜୀ ନଥିଲେ ଦେଶ ଆଜି ନିଜର ମୂଳ ପରମ୍ପରା ଆଧାରରେ ଆଗକୁ ବଢ଼ି ପାରିନଥାନ୍ତା। ଗୁରୁ ତେଗ ବାହାଦୂର ଜୀଙ୍କ ମହାନ ବଳିଦାନ ଏବଂ ଦଶମ ଗୁରୁଙ୍କ ବଳିଦାନ ଦେଶକୁ ବହୁତ ଶକ୍ତି ଦେଇଥିଲା ଏବଂ ସଂଘର୍ଷର ପଥ ଦେଖାଇଥିଲା।
HS
(Release ID: 2191032)
Visitor Counter : 4