ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-୭ ଅବସରରେ ଜର୍ମାନୀ ଚାନ୍ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Posted On:
17 JUN 2025 11:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନାଡାର କାନାନସ୍କିସଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନୀର ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡ୍ରିକ୍ ମର୍ଜଙ୍କୁ ଭେଟିଛନ୍ତି। ମେ ୨୦୨୫ରେ ଚାନ୍ସେଲର ମର୍ଜ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା। ନିର୍ବାଚନରେ ବିଜୟ ଏବଂ ଦାୟିତ୍ୱ ଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ଚାନ୍ସେଲରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଗତ ସପ୍ତାହରେ ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ପାଇଁ ଜର୍ମାନ ସରକାର ଶୋକ ପ୍ରକାଶ କରିଥିବାରୁ ସେ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ।
ଦ୍ୱିପାକ୍ଷିକ ସମ୍ପର୍କରେ ନିରନ୍ତର ପ୍ରଗତିକୁ ନେଇ ଉଭୟ ନେତା ଖୁସି ପ୍ରକାଶ କରିଥିଲେ ଏବଂ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ସବୁଜ ଓ ଦୀର୍ଘସ୍ଥାୟୀ ବିକାଶ ସହଭାଗୀତା, ସବୁଜ ଶକ୍ତି, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଶିକ୍ଷା ଓ ପରିବହନ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ। ଉଭୟ ପକ୍ଷ ୨୫ ବର୍ଷ ପୂରଣ କରିବାକୁ ଯାଉଥିବା ଭାରତ-ଜର୍ମାନୀ ରଣନୀତିକ ସହଭାଗୀତାକୁ ଆହୁରି ଗଭୀର ଓ ବିବିଧ କରିବାକୁ ସହମତ ହୋଇଥିଲେ।
ଦୁଇ ନେତା ସହମତ ହୋଇଥିଲେ ଯେ ଆତଙ୍କବାଦ ବିଶ୍ୱର ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ପ୍ରମୁଖ ବିପଦ। ଏହି ପରିପ୍ରେକ୍ଷୀରେ, ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତର କାର୍ଯ୍ୟାନୁଷ୍ଠାନ ପ୍ରତି ଜର୍ମାନୀ ପକ୍ଷରୁ ସମର୍ଥନର ଦୃଢ଼ ଅଭିବ୍ୟକ୍ତି ପାଇଁ ଚାନ୍ସେଲର ମର୍ଜଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ଦୁଇ ନେତା ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଘଟଣାକ୍ରମ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତରେ ଆସିବା ଲାଗି ଚାନ୍ସେଲର ମର୍ଜଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇବା ସହିତ ତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଥିବା କହିଥିଲେ।
***
PS
(Release ID: 2158868)
Visitor Counter : 2
Read this release in:
Gujarati
,
English
,
Urdu
,
Marathi
,
Hindi
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam