ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
13 JUL 2025 10:47AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମନୋନୀତ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି ।
ଆଇନଗତ ବୃତ୍ତି ପ୍ରତି ତାଙ୍କର ଅନୁକରଣୀୟ ନିଷ୍ଠା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଅଟଳ ପ୍ରତିବଦ୍ଧତା ପାଇଁ ଶ୍ରୀ ଉଜ୍ଜ୍ୱଳ ନିକମଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଶ୍ରୀ ନିକମ ଜଣେ ସଫଳ ଓକିଲ । ସେ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମାମଲାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସାଧାରଣ ନାଗରିକଙ୍କ ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି । ଶ୍ରୀ ମୋଦୀ ରାଜ୍ୟସଭାକୁ ତାଙ୍କର ମନୋନୟନକୁ ସ୍ୱାଗତ କରିବା ସହ ତାଙ୍କର ସଂସଦୀୟ ଭୂମିକାର ସଫଳତା କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଇନ କ୍ଷେତ୍ର ଏବଂ ଆମ ସମ୍ବିଧାନ ପ୍ରତି ଶ୍ରୀ ଉଜ୍ଜ୍ୱଳ ନିକମଙ୍କ ନିଷ୍ଠା ଅନୁକରଣୀୟ । ସେ କେବଳ ଜଣେ ସଫଳ ଓକିଲ ନୁହନ୍ତି ବରଂ ମହତ୍ୱପୂର୍ଣ୍ଣ ମାମଲାରେ ନ୍ୟାୟ ପାଇବାରେ ମଧ୍ୟ ଆଗଧାଡିରେ ରହିଆସିଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଆଇନ କ୍ୟାରିଅରରେ ସେ ସର୍ବଦା ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଏବଂ ସାଧାରଣ ନାଗରିକଙ୍କ ନିମନ୍ତେ ସମ୍ମାନ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ଏହା ଖୁସିର କଥା ଯେ, ଭାରତର ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ତାଙ୍କର ସଂସଦୀୟ ଇନିଂସ ପାଇଁ ମୋର ଶୁଭକାମନା ।”
ପ୍ରଧାନମନ୍ତ୍ରୀ ଶ୍ରୀ ସି. ସଦାନନ୍ଦନ ମାଷ୍ଟରଙ୍କ ଜୀବନକୁ ସାହସ ଏବଂ ଅନ୍ୟାୟର ପ୍ରତିରୋଧର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ହିଂସା ଏବଂ ଧମକର ସମ୍ମୁଖୀନ ହେବା ସତ୍ତ୍ୱେ, ଶ୍ରୀ ସଦାନନ୍ଦ ମାଷ୍ଟର ଜାତୀୟ ବିକାଶ ପାଇଁ ପ୍ରତିବଦ୍ଧ ଥିଲେ । ଜଣେ ଶିକ୍ଷକ ଏବଂ ସମାଜସେବୀ ଭାବରେ ତାଙ୍କର ଅବଦାନକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଯୁବ ଶକ୍ତି ପ୍ରତି ତାଙ୍କର ଆଗ୍ରହ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭା ପାଇଁ ମନୋନୀତ କରାଯାଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ନୂତନ ଦାୟିତ୍ୱ ପାେଇଁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ସି. ସଦାନନ୍ଦନ ମାଷ୍ଟରଙ୍କ ଜୀବନ ସାହସର ଏକ ପ୍ରତୀକ, ଯିଏ ଅନ୍ୟାୟ ଆଗରେ ମୁଣ୍ଡ ନୁଁଆଇବାକୁ ମନା କରିଥିଲେ । ହିଂସା ଏବଂ ଭୟଭୀତ କରିବା ଜାତୀୟ ବିକାଶ ପ୍ରତି ତାଙ୍କର ମନୋବଳକୁ ରୋକିପାରି ନାହିଁ । ଜଣେ ଶିକ୍ଷକ ଏବଂ ସମାଜସେବୀ ଭାବରେ ତାଙ୍କର ପ୍ରୟାସ ମଧ୍ୟ ପ୍ରଶଂସନୀୟ । ସେ ଯୁବ ସଶକ୍ତିକରଣ ପ୍ରତି ଅତ୍ୟନ୍ତ ଉତ୍ସାହୀ । ରାଷ୍ଟ୍ରପତିଙ୍କ ଦ୍ୱାରା ରାଜସଭାକୁ ମନୋନୀତ ହେବା ପାଇଁ ତାଙ୍କୁ ଅଭିନନ୍ଦନ । ସାଂସଦ ଭାବରେ ତାଙ୍କର ଭୂମିକା ପାଇଁ ଶୁଭେଚ୍ଛା ”
ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ନାମାଙ୍କନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ କୂଟନୀତିଜ୍ଞ, ବୁଦ୍ଧିଜୀବୀ ଏବଂ ରଣନୀତିକ ବିଚାରକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭାରତର ବୈଦେଶିକ ନୀତିରେ ଶ୍ରୀ ଶ୍ରୀଙ୍ଗଲାଙ୍କ ଅବଦାନ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ତାଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟସଭାକୁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଖୁସି ଏବଂ ତାଙ୍କର ଅନ୍ତର୍ଦୃଷ୍ଟି ସଂସଦୀୟ ବିତର୍କକୁ ସମୃଦ୍ଧ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଜଣେ କୂଟନୀତିଜ୍ଞ, ବୌଦ୍ଧିକ ଏବଂ ରଣନୀତିକ ବିଚାରକ ଭାବରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ବର୍ଷ ବର୍ଷ ଧରି ସେ ଭାରତର ବୈଦେଶିକ ନୀତିରେ ପ୍ରମୁଖ ଅବଦାନ ଦେଇଛନ୍ତି । ଏହାଛଡା ଆମର ଜି୨୦ ଅଧ୍ୟକ୍ଷତା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇଛନ୍ତି । ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିବାରୁ ମୁଁ ଖୁସି । ତାଙ୍କର ଅନନ୍ୟ ଦୃଷ୍ଟିକୋଣ ସଂସଦୀୟ କାର୍ଯ୍ୟକୁ ସମୃଦ୍ଧ କରିବ ।
@harshvshringla”
ଡକ୍ଟର ମୀନାକ୍ଷୀ ଜୈନଙ୍କ ମନୋନୟନ ଉପରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ଜଣେ ବିଦ୍ୱାନ, ଗବେଷକ ଏବଂ ଐତିହାସିକ ଭାବରେ ତାଙ୍କର ବିଶିଷ୍ଟ କାର୍ଯ୍ୟକୁ ପ୍ରଶଂସା କରିବା ସହ ଶିକ୍ଷା, ସାହିତ୍ୟ, ଇତିହାସ ଓ ରାଜନୀତି ବିଜ୍ଞାନରେ ତାଙ୍କର ଅବଦାନକୁ ସେ ଉଲ୍ଲେଖ କରିଛନ୍ତି । ରାଜ୍ୟସଭାରେ ତାଙ୍କର କାର୍ଯ୍ୟ ପାଇଁ ସେ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ, ଡକ୍ଟର ମୀନାକ୍ଷୀ ଜୈନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜସଭାକୁ ମନୋନୀତ କରାଯାଇଛି । ଜଣେ ବିଦ୍ୱାନ, ଗବେଷକ ଏବଂ ଐତିହାସିକ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଶିକ୍ଷା, ସାହିତ୍ୟ, ଇତିହାସ ଏବଂ ରାଜନୀତି ବିଜ୍ଞାନ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଶୈକ୍ଷିକ ଆଲୋଚନାକୁ ଯଥେଷ୍ଟ ସମୃଦ୍ଧ କରିଛି । ତାଙ୍କର ସଂସଦୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା ।
@IndicMeenakshi”
SR
(Release ID: 2144402)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam