ଜାତୀୟ ମାନବାଧିକାର ଆୟୋଗ
azadi ka amrit mahotsav

ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟକୁ ନେଇ ନିଜଆଡ଼ୁ ମାମଲା ରୁଜୁ କଲେ ଏନ୍‍ଏଚ୍‍ଆର୍‍ସି


ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି, ୨ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Posted On: 02 JUL 2025 1:39PM by PIB Bhubaneshwar

ନୂଆଦିଲ୍ଲୀ: ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ ( ଏନ୍‍ଏଚ୍‍ଆର୍‍ସି)ଙ୍କ ପକ୍ଷରୁ ନିଜଆଡ଼ୁ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି କମିଶନ ୨ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି।

ଜୁନ୍‍ ୨୬ ତାରିଖରେ ପ୍ରକାଶିତ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଦୁଇଜଣ ଅନୁସୂଚିତ ଜାତି ବର୍ଗର ଯୁବକଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ମାଡ଼ ମାରିବା, ଘାସ ଖୁଆଇବା ଏବଂ ନାଳ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା।  ଏହି ରିପୋର୍ଟ ଅନୁଯାୟୀ, ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଥିଲା ଏବଂ ସେମାନଙ୍କ ମୁଣ୍ଡକୁ ମଧ୍ୟ ଜୋରଜବରଦସ୍ତି ଲଣ୍ଡା କରାଯାଇଥିଲା।

କମିଶନଙ୍କ ନଜରରେ ପ୍ରକାଶ ପାଇଥିବା ଏହି ରିପୋର୍ଟର ବିଷୟବସ୍ତୁ, ଯଦି ସତ୍ୟ ହୋଇଥାଏ ତେବେ ତାହା  ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ପ୍ରସଙ୍ଗ ।  ଏଣୁ କମିଶନ ରାଜ୍ୟର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି।

ନିଜ ରିପୋର୍ଟରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ ଅପରାଧୀଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଉଭୟ ପୀଡ଼ିତଙ୍କୁ ଯଦି କିଛି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ସେ ବିଷୟରେ ଉଲ୍ଲେଖ କରିବାକୁ କହିଛନ୍ତି।

***

Release ID 2141475

/HP


(Release ID: 2141572)