ସଂସ୍କୃତି ମନ୍ତ୍ରଣାଳୟ
ଯୋଗ ଓ ଐତିହ୍ୟର ମିଳନ : ଏଏସଆଇ ଐତିହ୍ୟସ୍ଥଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
Posted On:
21 JUN 2025 12:01PM by PIB Bhubaneshwar
ଶନିବାର ଦେଶବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତତ୍ତ୍ବାବଧାନରେ ଥିବା ୮୧ଟି ଐତିହ୍ୟସ୍ଥଳରେ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ। ଯୋଗର ଅନ୍ତର୍ଭୁକ୍ତିମୂଳକ ପ୍ରକୃତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ "ଯୋଗ ସମସ୍ତଙ୍କ ପାଇଁ, ଏହା ସୀମା, ପୃଷ୍ଠଭୂମି, ବୟସ କିମ୍ବା କ୍ଷମତାର ବନ୍ଧନରୁ ଉର୍ଦ୍ଧ୍ବରେ।" ସେ ଆହୁରି ମଧ୍ୟ କହିଛନ୍ତି ଯେ "ଏହି ଯୋଗ ଦିବସ ମାନବତା ପାଇଁ ଯୋଗ ୨.୦ର ଆୟମାରମ୍ଭ ହେଉ, ଯେଉଁଠାରେ ଅନ୍ତରର ଶାନ୍ତି ହେବ ବିଶ୍ୱର ଆଭିମୁଖ୍ୟ ।"
'ଏକ ପୃଥିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟ' ବିଷୟବସ୍ତୁ, ବିଶ୍ୱରେ ଶାରୀରିକ ସୁସ୍ଥତାକୁ ସଚେତନ ଜୀବନ ସହିତ ସଂଯୁକ୍ତ କରିବାରେ ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଏ, ଏବଂ ଏହାଦ୍ବାରା ବିଶ୍ବରେ ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ।
ଗୁଜରାଟର ଆଡାଲଜ୍ କୀ ଭାଭ ଠାରୁ କୋଣାର୍କର ସୂର୍ଯ୍ୟ ମନ୍ଦିର ପର୍ଯ୍ୟନ୍ତ, ଏସବୁ ଚମତ୍କାର ସ୍ଥାପତ୍ୟସ୍ଥଳୀରେ ସବୁ ବୟସ ବର୍ଗର ଲୋକମାନେ ଯୋଗ କରିଥିଲେ । ଏହି ସମାରୋହର ଏକ ଅଂଶ ଭାବରେ, ଅନେକ କେନ୍ଦ୍ର ମନ୍ତ୍ରୀ ଏସବୁ ଏଏସଆଇ ସଂରକ୍ଷିତ ସ୍ମାରକୀଗୁଡ଼ିକରେ ଆୟୋଜିତ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହା ଏକ ଜାତୀୟ ଆନ୍ଦୋଳନ ଭାବରେ ଯୋଗର ଗୁରୁତ୍ୱକୁ ପ୍ରତିଫଳିତ କରେ।
ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ରାଜସ୍ଥାନର ଯୋଧପୁରର ମେହରାନଗଡ଼ ଦୁର୍ଗରେ ଯୋଗ ପ୍ରଦର୍ଶନ କରିଥିଲେ; ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଦିଲ୍ଲୀର ଜନ୍ତର ମନ୍ତରରେ ଯୋଗ ପ୍ରଦର୍ଶନ କରିଥିଲେ; ଶ୍ରୀ ପ୍ରହଲ୍ଲାଦ ଜୋଶୀ ପଟ୍ଟାଦକାଲ ସ୍ମାରକୀରେ ଯୋଗ ପ୍ରଦର୍ଶନ କରିଥିଲେ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଦେଶର ବିଭିନ୍ନ ସ୍ଥାନରେ ଯୋଗ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଂଶଗ୍ରହଣ ଏକତା ଏବଂ ସାଂସ୍କୃତିକ ଗୌରବର ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇଥିଲା। ଏହା ସାରା ଦେଶର ନାଗରିକମାନଙ୍କୁ ଯୋଗକୁ ଜୀବନର ଏକ ଉପାୟ ଭାବରେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲା।
ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମ ସମସ୍ତ ୮୧ଟି ଏଏସଆଇ ସ୍ଥାନରେ ସିଧା ପ୍ରସାରଣ କରାଯାଇଥିଲା ଯେଉଁଠାରେ ଅଂଶଗ୍ରହଣକାରୀମାନେ ଏହାକୁ ଏକକାଳୀନ ଭାବରେ ଅନୁସରଣ କରିଥିଲେ।
ଯୋଗ ଭାରତ ପକ୍ଷରୁ ବିଶ୍ୱକୁ ଏକ ଅମୂଲ୍ୟ ଉପହାର ଯାହା ସମଗ୍ର ମାନବଜାତିକୁ ସାମଗ୍ରୀକ ଲାଭ ପ୍ରଦାନ କରେ।
TKM
(Release ID: 2138633)