ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଦେଶରେ ଜନଜାତିଙ୍କ ବିକାଶ ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ

Posted On: 27 MAY 2025 8:57AM by PIB Bhubaneshwar

 

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଲ ଓରାମ କହିଛନ୍ତି ଯେ ଦେଶରେ ଜନଜାତିଙ୍କ ବିକାଶ ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ। ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ଦେଶର ବିଭିନ୍ନ ଜନଜାତିଙ୍କ ବିକାଶରେ ଥିବା ପାର୍ଥକ୍ୟକୁ ପୂରଣ କରିବା ପାଇଁ ସବୁପ୍ରକାରର ପଦକ୍ଷେପ ନେଉଛି। ଶ୍ରୀ ଓରାମ କହିଛନ୍ତି ଯେ ସରକାର ୧୫ ନଭେମ୍ବର, ୨୦୨୪ ରୁ ୧୫ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ଜନଜାତି ଗୌରବ ବର୍ଷ ଭାବରେ ପାଳନ କରିବାକୁ ଅନୁମୋଦନ କରିଛନ୍ତି। ମନ୍ତ୍ରଣାଳୟ ସାରା ଦେଶରେ ଜନଜାତି ଗବେଷଣା ପ୍ରତିଷ୍ଠାନ (ଟିଆରଆଇ) ମାଧ୍ୟମରେ ଜାତୀୟ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସହିତ ଏକ ବର୍ଷବ୍ୟାପୀ ଉତ୍ସବର ରୂପରେଖ ପ୍ରସ୍ତୁତ କରିଛି। ଏହି ବାର୍ଷିକ ଉତ୍ସବ ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ର ନିର୍ମାଣରେ ଜନଜାତି ନେତା ଏବଂ ସମ୍ପ୍ରଦାୟର ଅବଦାନକୁ ସମ୍ମାନ ଜଣାଇଥାଏ। ଶ୍ରୀ ଓରାମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ-ଜନମନ ଏକ ପରିବର୍ତ୍ତନକାରୀ ନୀତି ସ୍ତରୀୟ ପଦକ୍ଷେପ ଯାହାର ଲକ୍ଷ୍ୟ ୧୮ଟି ରାଜ୍ୟ ଏବଂ ୧ କେନ୍ଦ୍ର ଶାସିତ ଅଞ୍ଚଳର ୭୫ଟି ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା। ସେ ସୂଚନା ଦେଇଥିଲେ ଯେ ୨୪,୧୦୪ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ: ୧୫,୩୩୬ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ: ୮,୭୬୮ କୋଟି ଟଙ୍କା) ବଜେଟ୍ ବ୍ୟୟ ସହିତ, ପିଏମ-ଜନମନ ପିଭିଟିଜି ସମ୍ପ୍ରଦାୟଗୁଡ଼ିକୁ ଅତ୍ୟାବଶ୍ୟକ ସେବାଗୁଡ଼ିକର ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କ ବାସସ୍ଥାନକୁ ଉନ୍ନତ କରିବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ପ୍ରଗତିକୁ ସହଜ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତିନି ବର୍ଷ ମଧ୍ୟରେ ସୁରକ୍ଷିତ ବାସସ୍ଥାନ, ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟସେବା, ପୁଷ୍ଟିସାର, ସଡ଼କ ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବା। ଏଥିରେ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁର୍ଗା ଦାସ ଉଇକେ ଯୋଗ ଦେଇଥିଲେ।

ତାଙ୍କ ମନ୍ତ୍ରଣାଳୟର ସଫଳତା ବିଷୟରେ ବିସ୍ତୃତ ସୂଚନା ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ-ଜନମନ ଯୋଜନାର ସଫଳତାକୁ ଆଧାର କରି, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଗ୍ରାମାଞ୍ଚଳରେ ଜନଜାତି ଜନସଂଖ୍ୟାର ସାମଗ୍ରିକ ଏବଂ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ପାଇଁ ଏକ ରୂପାନ୍ତରକାରୀ ବହୁ-କ୍ଷେତ୍ରୀୟ ପଦକ୍ଷେପ, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଆରମ୍ଭ କରିଛି। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଅକ୍ଟୋବର ୨୦୨୪ରେ ଝାଡ଼ଖଣ୍ଡର ହଜାରିବାଗରେ ଆରମ୍ଭ କରିଥିଲେ। ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସମେତ ୧୭ଟି ମନ୍ତ୍ରଣାଳୟର ଯୋଜନାକୁ ୨୫ଟି ଲକ୍ଷ୍ୟଭିତ୍ତିକ ହସ୍ତକ୍ଷେପ ମାଧ୍ୟମରେ ସମନ୍ୱିତ କରିଛି, ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜନଜାତି ଗ୍ରାମଗୁଡ଼ିକରେ ଅତ୍ୟାବଶ୍ୟକ ସେବା ଭିତ୍ତିଭୂମି ବିକାଶ କରିବା। ଏହି ଅଭିଯାନ ପାଞ୍ଚ ବର୍ଷରେ ୭୯୧୫୬ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ନିବେଶ ଦ୍ୱାରା ପରିଚାଳିତ, ଯେଉଁଥିରେ କେନ୍ଦ୍ରୀୟ ଅଂଶ ୫୬,୩୩୩ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ୨୨,୮୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ, ଯାହାକି ଅନୁସୂଚିତ ଜନଜାତି ପାଇଁ ବିକାଶ କାର୍ଯ୍ୟ ଯୋଜନା (ଡିଏପିଏସଟି) ମାଧ୍ୟମରେ ସଂଗଠିତ ହୋଇଛି।

ସେ କହିଛନ୍ତି ଯେ ଏହି ଅଭିଯାନ ଅନ୍ତ୍ୟୋଦୟ ମିଶନ ଗ୍ୟାପ୍ ଡାଟା (୨୦୨୨-୨୩) ଆଧାରରେ ଉଚ୍ଚ ଜନଜାତି ବହୁଳ ଗ୍ରାମ, ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକଗୁଡ଼ିକରେ ଭିତ୍ତିଭୂମି ଏବଂ ମାନବ ବିକାଶ ପାର୍ଥକ୍ୟକୁ ଦୂର କରିବା ଉପରେ ଧ୍ୟାନ ଦେଉଛି। ଏହି କାର୍ଯ୍ୟକ୍ରମ ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା ବାହାରକୁ ବିସ୍ତାରିତ ହୋଇ ୨୬ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୫୪୯ ଜିଲ୍ଲାର ୨,୯୧୧ଟି ବ୍ଲକରେ ୬୩,୮୪୩ଟି ଜନଜାତି ବହୁଳ ଗ୍ରାମରେ ବାସ କରୁଥିବା ପ୍ରାୟ ୫ କୋଟି ଜନଜାତି ଜନସଂଖ୍ୟାକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି, ଯାହାର ମୋଟ ବ୍ୟୟ ପରିମାଣ ୭୯,୧୫୬ କୋଟି ଟଙ୍କା ହେବ।

ଏହା ସହିତ ସେ ସୂଚନା ଦେଇଥିଲେ ଯେ ଜାତୀୟ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ସମାଜ (ଏନଇଏସଟିଏସ) ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣବତ୍ତା, ଭିତ୍ତିଭୂମି ଏବଂ ସାମଗ୍ରିକ ବିକାଶ ବୃଦ୍ଧି କରିବା ପାଇଁ ଅନେକ ପରିବର୍ତ୍ତନକାରୀ ପଦକ୍ଷେପ କାର୍ଯ୍ୟକାରୀ କରିଛି, ବିଶେଷକରି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ। ଏହି ପଦକ୍ଷେପଗୁଡ଼ିକ ଶୈକ୍ଷିକ ଉତ୍କର୍ଷତା, ଦକ୍ଷତା ବିକାଶ, ପାଠ୍ୟକ୍ରମିକ କାର୍ଯ୍ୟ, ଶିକ୍ଷକ ତାଲିମ, ଡିଜିଟାଲ୍ ଶିକ୍ଷା, ନେତୃତ୍ୱ ଏବଂ ଛାତ୍ର କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରେ।

 

ଶ୍ରୀ ଓରାମ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ପାଞ୍ଚଟି ଛାତ୍ରବୃତ୍ତି ଯୋଜନା କାର୍ଯ୍ୟକାରୀ କରୁଛି, ଯାହା ଦ୍ୱାରା ବାର୍ଷିକ ୩୦ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି।

ବଜେଟ୍ ବୃଦ୍ଧି: ଆର୍ଥିକ ଆବଣ୍ଟନରେ ତିନିଗୁଣ ବୃଦ୍ଧି (୯୭୮ କୋଟି ଟଙ୍କାରୁ ପ୍ରାୟ ୩୦୮୮ କୋଟି ଟଙ୍କା)।

ହିତାଧିକାରୀଙ୍କ ସଂଖ୍ୟାରେ ବୃଦ୍ଧି: ବ୍ୟାପକ କଭରେଜ୍ ବାର୍ଷିକ ପ୍ରାୟ ୧୮ ଲକ୍ଷରୁ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବୃଦ୍ଧି ପାଇଛି।

ଉଚ୍ଚଶିକ୍ଷା ପାଇଁ ସୁବିଧା:

ଏମଫିଲ/ପିଏଚଡି ଫେଲୋସିପ୍: ୯୫୦ ଟଙ୍କାରୁ ୨୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଜାତୀୟ ବୈଦେଶିକ ଛାତ୍ରବୃତ୍ତି: ୮ ରୁ ୫୮ କୁ ବୃଦ୍ଧି କରାଯାଇଛି।

ଉନ୍ନତ ଶିକ୍ଷା ଯୋଜନା: ୩,୦୦୦ ରୁ ୭,୦୦୦ ଛାତ୍ରଛାତ୍ରୀଙ୍କୁ ବୃଦ୍ଧି ।

 

ମନ୍ତ୍ରୀ କହିଛନ୍ତି ଯେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦୨୨ ମସିହାରେ ପିଏମଏଏଜିଓ୍ବାଇ ଆରମ୍ଭ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଦ୍ବାରା ଜନଜାତି ବହୁଳ ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ଏକ ସମନ୍ୱିତ ପଦ୍ଧତି ମାଧ୍ୟମରେ ସେମାନଙ୍କର ସାମାଜିକ-ଆର୍ଥିକ ବିକାଶକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୫୦ ପ୍ରତିଶତରୁ ଅଧିକ ଜନଜାତି ଜନସଂଖ୍ୟା ଥିବା ଗ୍ରାମଗୁଡ଼ିକ ଉପରେ ଧ୍ୟାନ ଦେଇ, ପିଏମଏଏଜିଓ୍ବାଇ ସାମଗ୍ରିକ ବିକାଶ ପାଇଁ ୮ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପର ଗୁରୁତ୍ବ ଦେଉଛି ଯେଉଁଥିରେ ରାସ୍ତା ଏବଂ ଟେଲିକମ୍ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ ଏବଂ ପାନୀୟ ଜଳ ଅନ୍ତର୍ଭୁକ୍ତ।

ଏହି ଯୋଜନା ନୀତି ସ୍ତରରେ ଏକ ସମନ୍ୱୟ ପଦ୍ଧତିକୁ ପ୍ରାଥମିକତା ଦିଏ, ଜନଜାତି ଗ୍ରାମଗୁଡ଼ିକର ବ୍ୟାପକ ବିକାଶ ପାଇଁ ବହୁବିଧ କ୍ଷେତ୍ରରୁ ସମ୍ବଳକୁ ସମନ୍ୱିତ କରେ। ଏହି ପଦକ୍ଷେପ ସାମଗ୍ରିକ ଜନଜାତି ସଶକ୍ତିକରଣ ଏବଂ ଉନ୍ନତି ପାଇଁ ଜାତୀୟ ଜନଜାତି ନୀତି ଏବଂ ଜନଜାତି ଉପ-ଯୋଜନା (ଟିଏସପି)କୁ ପରିପୂରକ କରେ। ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ଗ୍ରାମ ବିକାଶ ଯୋଜନାରେ (ଭିଡିପି) ଚିହ୍ନଟ ହୋଇଥିବା ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପ୍ରତି ଗ୍ରାମ ପାଇଁ ୨୦.୩୮ ଲକ୍ଷ ଟଙ୍କାର ବ୍ୟବସ୍ଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ବୈଶିଷ୍ଟ୍ୟ।

ଜାତୀୟ ଅନୁସୂଚିତ ଜନଜାତି ଆର୍ଥିକ ଏବଂ ବିକାଶ ନିଗମ ( ଏନଏସଟିଏଫଡିସି) ହେଉଛି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଏକ ଶୀର୍ଷ ସଂଗଠନ, ଯାହା ଅନୁସୂଚିତ ଜନଜାତି (ଏସଟି) ମାନଙ୍କର ଆର୍ଥିକ ବିକାଶ ପାଇଁ ଉତ୍ସର୍ଗୀକୃତ। ଗତ ଦଶନ୍ଧି (୨୦୧୪-୨୦୨୫) ମଧ୍ୟରେ, ଏନଏସଟିଏଫଡିସି ଜନଜାତି ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ରିହାତି ଦରରେ ଆର୍ଥିକ ସହାୟତା ପ୍ରଦାନ କରି ଏହାର ପରିସର ଏବଂ ପ୍ରଭାବକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି।

ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ବନ ଅଧିକାରର ମାନ୍ୟତା) ଆଇନ (ଏଫଆରଏ) ଜନଜାତି ଏବଂ ବନବାସୀ ସମ୍ପ୍ରଦାୟ ଦ୍ୱାରା ସମ୍ମୁଖୀନ ହେଉଥିବା ଅନ୍ୟାୟର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହୋଇଛି। ଏହି ଆଇନ ୧୩ଟି ଭିନ୍ନ ଭିନ୍ନ ବ୍ୟକ୍ତିଗତ ଏବଂ ସାମୁଦାୟିକ ଅଧିକାରକୁ ସ୍ୱୀକୃତି ଦିଏ ଏବଂ ଗ୍ରାମସଭାଗୁଡ଼ିକୁ ଜୈବ ବିବିଧତାକୁ ପରିଚାଳନା ଏବଂ ସଂରକ୍ଷଣ କରିବାକୁ କ୍ଷମତା ପ୍ରଦାନ କରେ, ଯାହା ଦ୍ଵାରା ସାମାଜିକ ନ୍ୟାୟ ଏବଂ ପରିବେଶ ସୁରକ୍ଷା ଉଭୟ ସୁନିଶ୍ଚିତ ହୁଏ। ଗତ ଦଶନ୍ଧି ମଧ୍ୟରେ, ଏହାର କାର୍ଯ୍ୟାନ୍ୱୟନରେ ଯଥେଷ୍ଟ ପ୍ରଗତି ହୋଇଛି, ଯାହା ଜଙ୍ଗଲ ଶାସନରେ ଜନଜାତି ସମ୍ପ୍ରଦାୟର ଭୂମିକାକୁ ସୁଦୃଢ଼ କରିଛି।

ଜନଜାତିଙ୍କ ସ୍ୱାସ୍ଥ୍ୟ ସ୍ବାସ୍ଥ୍ୟ ସେବା ପାଇଁ ମନ୍ତ୍ରାଳୟ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିବା ସେ କହିଛନ୍ତି । ମନ୍ତ୍ରଣାଳୟ ୨୦୨୩-୨୪ କେନ୍ଦ୍ରୀୟ ବଜେଟରେ ଏକ ପ୍ରମୁଖ ପଦକ୍ଷେପ ଘୋଷଣା କରିଛି ଯାହାର ଲକ୍ଷ୍ୟ ହେଉଛି ଭାରତର ଜନଜାତି ଅଞ୍ଚଳରେ ସିକଲ୍ ସେଲ୍ ଆନିମିଆ ଦ୍ୱାରା ସୃଷ୍ଟ ସ୍ୱାସ୍ଥ୍ୟ ସଙ୍କଟର ସମାଧାନ କରିବା। ଏହି ମିଶନ୨୦୪୭ ସୁଦ୍ଧା ସିକଲ୍ ସେଲ୍ ଆନିମିଆ ଦୂର କରିବା ପାଇଁ ଦେଶର ଦୃଷ୍ଟିକୋଣ ସହିତ ମେଳ ଖାଉଛି।

 

ସିକଲ୍ ସେଲ୍ ଆନିମିଆ ଦୂର କରିବା ମିଶନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧ ଜୁଲାଇ ୨୦୨୩ରେ ମଧ୍ୟପ୍ରଦେଶର ଶାହଡୋଲରୁ ଶୁଭାରମ୍ଭ କରାଯାଇଥିଲା। ସାର୍ବଜନୀନ ସ୍କ୍ରିନିଂ ଅଭିଯାନ ଅଧୀନରେ ୫ କୋଟିରୁ ଅଧିକ ଲୋକଙ୍କ ସିକଲ୍ ସେଲ୍ ଆନିମିଆ ପାଇଁ ସ୍କ୍ରିନିଂ କରାଯାଇଥିଲା।

ସଚେତନତା ଅଭିଯାନର ମୁଖ୍ୟାଂଶ: ୧୯ ଜୁନ୍ ରୁ ୩ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଦେଶବ୍ୟାପୀ ଦୁଇ ସପ୍ତାହ ଧରି ଏକ ଅଭିଯାନ କରାଯାଇଥିଲା। ଏହା ମାଧ୍ୟମରେ ୧.୬୦ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା: ୧ ଲକ୍ଷ ସ୍ୱାସ୍ଥ୍ୟ ଶିବିର; ୨୭ ଲକ୍ଷ ସ୍କ୍ରିନିଂ; ୧୩.୧୯ ଲକ୍ଷ ପରୀକ୍ଷା କାର୍ଡ ବଣ୍ଟନ ।

ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କୃଷ୍ଟ ଅଭିଯାନ ଅଧୀନରେ ଦକ୍ଷତା କେନ୍ଦ୍ର (ସିଓସି): ଜନଜାତି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ୧୪ ରାଜ୍ୟରେ ୧୫ଟି ଦକ୍ଷତା କେନ୍ଦ୍ରକୁ ମଞ୍ଜୁର କରାଯାଇଛି।

TKM


(Release ID: 2131827)