ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଆଇଆଇଏମ୍‌ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ

Posted On: 05 MAR 2025 3:57PM by PIB Bhubaneshwar

ଭୁବନେଶ୍ୱର, ୦୫/୦୩/୨୦୨୫: ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ଠାରେ  ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବର୍ଷିକିଆ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତା, ଗଣମାଧ୍ୟମ ଲିଖନ, ରିପୋର୍ଟିଂ, ସମ୍ପାଦନା, ଡିଜିଟାଲ ଯୋଗାଯୋଗ ଓ ଲୋକସମ୍ପର୍କ ଆଦି ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯିବ ।

ଏନେଇ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନ କହିଛନ୍ତି, ୨୦୨୫ ମାର୍ଚ୍ଚ ୩ ତାରିଖଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ଛାତ୍ରଛାତ୍ରୀ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ । ଆବେଦନ ଫର୍ମ ପହଞ୍ଚିବାର ଶେଷ ତାରିଖ ହେଉଛି ଏପ୍ରିଲ ୩୦ ତାରିଖ। ପ୍ରବେଶିକା ପରୀକ୍ଷା ମେ’ ୧୮ ତାରିଖ ଦିନ ଭୁବନେଶ୍ୱର, ଢେଙ୍କାନାଳ, ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ପ୍ରବେଶିକା ପରୀକ୍ଷାରେ ଶିକ୍ଷାର୍ଥୀଙ୍କ ଓଡ଼ିଆ ଭାଷାରେ ବ୍ୟବହାରିକ ପାରଦର୍ଶିତା, ଲିଖନ ଦକ୍ଷତା, ସାଧାରଣ ଜ୍ଞାନ ଓ ସାମ୍ବାଦିକତା ପ୍ରତି ଆଗ୍ରହ ଆଦିର ମୂଲ୍ୟାୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଡ. ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ୨୫ ବର୍ଷରେ ପହଞ୍ଚିଛି । ଏହି ସମୟରେ ସଂସ୍ଥାନରୁ ଶତାଧିକ ଶିକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, କର୍ପୋରେଟ୍ ସଂସ୍ଥା ଏବଂ ସରକାରୀ ସଂସ୍ଥାନର ବିଭିନ୍ନ ପଦପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଆଗାମୀ ଦିନରେ ମଧ୍ୟ ସାମ୍ବାଦିକତା ଓ ଗଣଯୋଗାଯୋଗ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ପାଠ୍ୟକ୍ରମ ପାଇଁ ମୋଟ ୩୦ଟି ଆସନ ରହିଛି । ଏଥିମଧ୍ୟରୁ ଭାରତ ସରକାରଙ୍କ ନିୟମାନୁସାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ବର୍ଗ, ଦିବ୍ୟାଙ୍ଗ ବର୍ଗ ପାଇଁ ଆସନ ସଂରକ୍ଷିତ ରହିଛି । ଯେଉଁ ଆଶାୟୀ ଛାତ୍ରଛାତ୍ରୀ ସ୍ନାତକ ସମାପ୍ତ କରିସାରିଥିବେ କିମ୍ବା ସ୍ନାତକ ଶେଷ ବର୍ଷରେ ଅଧ୍ୟୟନରତ ରହିଛନ୍ତି ସେମାନେ ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ ।

ଆବେଦନକାରୀ ଆଇଆଇଏମ୍‌ସିର ୱେବ୍‌ସାଇଟ୍ https://iimc.gov.in/language-courses-25-26 ରୁ ନାମଲେଖା ଫର୍ମ ଡାଉନ୍‌ଲୋଡ୍ କରିପାରିବେ କିମ୍ବା ୱେବ୍‌ସାଇଟ୍‌ରେ ଦିଆଯାଇଥିବା ଗୁଗୁଲ୍ ଫର୍ମ ଲିଙ୍କ୍ https://forms.gle/ZzU1Ftf7UCe9kFr37 କୁ କ୍ଲିକ୍‍ କରି ଫର୍ମରେ ନିଜର ବିବରଣୀ ଦାଖଲ କରିପାରିବେ।  ଏହାସହ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ଢେଙ୍କାନାଳ କ୍ୟାମ୍ପସ୍ କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ରେଳସଦନ ପଛପଟେ ଥିବା ଏନଏବିଏମ-ପ୍ରସାର ଭାରତୀ (ତୃତୀୟ ମହଲା) ଏବଂ କଟକ, ବକ୍ସି ବଜାର ଚଳଚ୍ଚିତ୍ର ଭବନରେ ଥିବା ସିବିଏଫ୍‌ସି ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ଫର୍ମ  ଉପଲବ୍ଧ ହେଉଛି । ଶିକ୍ଷାର୍ଥୀମାନେ ସିଧାସଳଖ ଉପରୋକ୍ତ ସ୍ଥାନକୁ ଆସି ଫର୍ମ ନେଇପାରିବେ । ପାଠ୍ୟକ୍ରମ ସମ୍ପର୍କରେ ଯଦି କିଛି ଦ୍ୱନ୍ଦ୍ୱ ବା ପ୍ରଶ୍ନଥାଏ, ତେବେ ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତିଙ୍କୁ ୯୪୩୭୪୪୪୨୦୦ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ ।

HP/Swadhin/Manoj

 

 


(Release ID: 2108463) Visitor Counter : 31


Read this release in: English , Urdu , Hindi , Tamil