ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନଭି ମୁମ୍ବାଇରେ ଇସ୍କନର ଶ୍ରୀ ଶ୍ରୀ ରାଧା ମଦନମୋହନଜୀ ମନ୍ଦିରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
15 JAN 2025 6:30PM by PIB Bhubaneshwar
ହରେ କୃଷ୍ଣ, ହରେକୃଷ୍ଣ ।
ମହାରାଷ୍ଟ୍ରର ରାଜ୍ୟପାଳ ସି.ପି.ରାଧାକୃଷ୍ଣଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବାଭାଓ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଜୀ, ଶ୍ରଦ୍ଧେୟ ଗୁରୁପ୍ରସାଦ ସ୍ୱାମିଜୀ, ହେମାମାଳିନୀଜୀ, ସମସ୍ତ ସମ୍ମାନିତ ଅତିଥି, ଭକ୍ତ, ଭାଇ ଓ ଭଉଣୀ ।
ଜ୍ଞାନ ଓ ଭକ୍ତିର ଏହି ପବିତ୍ର ପୃଥିବୀରେ ଇସ୍କନର ପ୍ରୟାସକ୍ରମେ ଶ୍ରୀ ଶ୍ରୀ ରାଧା ମଦନମୋହନଜୀ ମନ୍ଦିରର ଉଦଘାଟନ ହେଉଅଛି । ମୋର ସୌଭାଗ୍ୟ ଯେ, ଏପ୍ରକାର ଅଲୌକିକ ଅନୁଷ୍ଠାନରେ ନିଜର ଭୂମିକା ନିର୍ବାହନରେ ମୋତେ ପୁଣ୍ୟ ପ୍ରାପ୍ତି ହେଉଛି । ଏହା ଇସ୍କନର ସନ୍ଥମାନଙ୍କର ଅପାର ସ୍ନେହ ଓ ଭଲ ପାଇବା ଅଟେ । ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କର ଏହା ଆଶୀର୍ବାଦ ଅଟେ । ସମସ୍ତ ପୂଜ୍ୟ ସନ୍ଥମାନଙ୍କ ନିକଟରେ ମୁଁ କୃତଜ୍ଞ ଓ ସେମାନଙ୍କର ପାଦପଦ୍ମରେ ପ୍ରଣତି ଜ୍ଞାପନ କରୁଛି । ମୁଁ ଏବେ ଦେଖୁଛି ଯେ, ଶ୍ରୀ ରାଧା ମଦନମୋହନଜୀ ମନ୍ଦିର ପରିସରର ଯେଉଁ ରୂପରେଖ ରହିଛି, ଏହି ମନ୍ଦିର ପଛରେ ଯେଉଁ ବିଚାରବୋଧ ରହିଛି, ଏହାର ଯେଉଁ ସ୍ୱରୂପ ରହିଛି ଏଥିରେ ଆଧ୍ୟାତ୍ମ ଓ ଜ୍ଞାନର ସମ୍ପୂର୍ଣ୍ଣ ପରମ୍ପରାଗତ ଦର୍ଶନ ନିହିତ ରହିଛି । ମନ୍ଦିରରେ ଈଶ୍ୱରଙ୍କର ବିବିଧ ସ୍ୱରୂପର ଦର୍ଶନ ହୋଇଥାଏ । ଏହା ଏକୋହମ ବହୁଶ୍ୟାମ ଭାବଧାରାର ପରିଚାୟକ । ନୂଆ ପିଢିର ଋଚି ଓ ଆକର୍ଷଣ ଅନୁରୂପ ଏଠାରେ ରାମାୟଣ, ମହାଭାରତ ବିଷୟବସ୍ତୁ ଉପରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉଛି । ଏଠାରେ ବୃନ୍ଦାବନର ବାରଟି ଜଙ୍ଗଲ ଉପରେ ଏକ ସୁଶୋଭିତ ଉଦ୍ୟାନର ବିକାଶ କରାଯାଉଛି । ମୋର ବିଶ୍ୱାସ ରହିଛି ଯେ, ଏହି ମନ୍ଦିର ପରିସର ଆସ୍ଥା ଓ ଭାରତୀୟ ଚେତନାର ଏକ ପୁଣ୍ୟ ମନ୍ଦିରରେ ରୂପାନ୍ତରିତ ହେବ । ଏଭଳି ପୁଣ୍ୟ କାର୍ଯ୍ୟ ପାଇଁ ଇସ୍କନର ସବୁ ସନ୍ଥ, ସଦସ୍ୟ ଓ ମହାରାଷ୍ଟ୍ରର ସବୁ ନାଗରିକଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।
ବନ୍ଧୁମାନେ !
ଏହି ଅବସରରେ ପୂଜ୍ୟ ଶ୍ରଦ୍ଧେୟ ଗୋପାଳକୃଷ୍ଣ ଗୋସ୍ୱାମୀ ମହାରାଜାଙ୍କର ସ୍ମୃତି ମନକୁ ଆସୁଛି । ଏହି ପ୍ରକଳ୍ପରେ ତାଙ୍କର ଅନ୍ତର୍ଦୃଷ୍ଟି ରହିଛି । ଭଗବାନ ଶ୍ରୀକୃଷ୍ଣ ପ୍ରତି ତାଙ୍କର ଅଗାଧ ଭକ୍ତି ଓ ଆଶୀର୍ବାଦ ଜଡିତ ରହିଛି । ଆଜି ସେ ସଶରୀରରେ ନାହାନ୍ତି ସତ ହେଲେ ତାଙ୍କର ଆଧ୍ୟାତ୍ମିକ ଉପସ୍ଥିତି ଆମେ ସମସ୍ତେ ଅନୁଭବ କରିପାରୁଛୁ । ମୋର ଜୀବନରେ ତାଙ୍କର ଅଯାଚିତ ସ୍ନେହ ଓ ସ୍ମୃତିର ଏକ ଅଲିଭା ସ୍ୱାକ୍ଷର ରହିଛି । ବିଶ୍ୱର ସବୁଠାରୁ ବଡ ଗୀତ ଗ୍ରନ୍ଥ ପୁସ୍ତକର ଯେବେ ସେ ଲୋକାର୍ପଣ କଲେ ସେବେ ମୋତେ ଆମନ୍ତ୍ରିତ କରାଯାଇ ତାଙ୍କର ପୁଣ୍ୟ ପ୍ରସାଦ ଲାଭ କରିବାର ସୁଯୋଗ ମିଳିଥିଲା । ଶ୍ରୀଲ ପ୍ରଭୁପାଦଜୀଙ୍କର ୧୨୫ତମ ଜନ୍ମଜୟନ୍ତୀରେ ମୋତେ ତାଙ୍କର ସାନ୍ନିଧ୍ୟ ପ୍ରାପ୍ତ ହୋଇଥିଲା । ମୋତେ ସନ୍ତୋଷ ମିଳିଛି ଯେ, ତାଙ୍କର ଆଉ ଏକ ସ୍ୱପ୍ନ ଏବେ ଚରିତାର୍ଥ ହେବାକୁ ଯାଉଛି ।
ବନ୍ଧୁମାନେ !
ସାରା ବିଶ୍ୱର ଇସ୍କନ ଅନୁଯାୟୀମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତିର ଭାବଧାରାରେ ବନ୍ଧା ହୋଇଛନ୍ତି । ଏ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର କଳା ପ୍ରତି ଭକ୍ତକୁ ଚବିଶ ଘଂଟା ମାର୍ଗ ଦେଖାଇ ଆସୁଛି । ଏହା ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ବିଚାରର ଆଉ ଏକ ସୂତ୍ର । ଯେତେବେଳେ ଦେଶ ପରାଧୀନତାର ଶୃଙ୍ଖଳାରେ ଆବଦ୍ଧ ରହିଥିଲା ସେବେ ସିଏ ବେଦ ବେଦାନ୍ତ ଏବଂ ଗୀତାର ମହତ୍ୱକୁ ଆଗକୁ ବଢାଇବାରେ ବ୍ରତୀ ହୋଇଥିଲେ । ସିଏ ଭକ୍ତି ବେଦାନ୍ତକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବାକୁ ଲକ୍ଷ୍ୟ ରଖି କାମ କରିଥିଲେ । ୭୦ ବର୍ଷ ବୟସରେ ଯେତେବେଳେ ଲୋକେ ନିଜର କର୍ତବ୍ୟବୋଧ ସରିଥିବା କଥା ଚିନ୍ତା କରିଥାନ୍ତି ସେବେ ସିଏ ଇସ୍କନ ଭଳି ମିଶନ ଆରମ୍ଭ କରିଥିଲେ । ଏହା ପରେ ସେ ସାରା ଦେଶରେ ପରିଭ୍ରମଣ କରିଥିଲେ । ଶ୍ରୀକୃଷ୍ଣଙ୍କର ସନ୍ଦେଶକୁ ବିଶ୍ୱର କୋଣ ଅନୁକୋଣରେ ପହଂଚାଇବାକୁ ସେ ଲକ୍ଷ୍ୟ ରଖିଥିଲେ । ଆଜି ବିଶ୍ୱର ପ୍ରତିଟି କୋଣରେ କୋଟି କୋଟି ଲୋକଙ୍କ ପାଖରେ ତାଙ୍କର ତପସ୍ୟାର ଫଳ ମିଳୁଛି । ଶ୍ରୀଲ ପ୍ରଭୁପାଦଙ୍କ ସ୍ୱାମୀଙ୍କର ସକ୍ରିୟତା ଓ ପ୍ରୟାସ ଆଜି ଆମକୁ ପ୍ରାପ୍ତି ହେଉଛି ।
ବନ୍ଧୁମାନେ !
ଆମ ଦେଶ ଭାରତ ଏକ ଅସାଧାରଣ ଓ ଅଦଭୂତ ଭୂମି ଅଟେ । ଭୌଗୋଳିକ ସୀମାରେ ଆବଦ୍ଧ ଭାରତ କେବଳ ଏକ ଭୂମିଖଣ୍ଡ ନୁହେଁ, ବରଂ ଭାରତ ଏକ ଜୀବନ୍ତ ବିଶ୍ୱ, ଜୀବନ୍ତ ସଂସ୍କୃତି ଓ ଜୀବନ୍ତ ପରମ୍ପରା ଅଟେ । ଏହାର ଆଧ୍ୟାତ୍ମ ଏହାର ଜୀବନ୍ତ ସଂସ୍କୃତି । ଯଦି ଭାରତକୁ ବୁଝିବାର ରହିଛି ତେବେ ଆଧ୍ୟାତ୍ମକୁ ଆତ୍ମସାତ କରିବାର ଆବଶ୍ୟକତା ରହିଛି । ଯେଉଁ ଲୋକେ ଭାରତକୁ କେବଳ ଭୌତିକ ଦୃଷ୍ଟିରୁ ଦେଖନ୍ତି ସେମାନଙ୍କୁ ଭାରତ ଅଲଗା ଅଲଗା ଭାଷା ଓ ପ୍ରାନ୍ତର ଏକ ସମୂହ ରୂପେ ଦୃଷ୍ଟି ଗୋଚର ହୋଇଥାଏ । ଯଦି ଏପରି ସାଂସ୍କୃତିକ ଚେତନାରେ ଆପଣ ନିଜର ଆତ୍ମାକୁ ଯୋଡିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଭାରତର ବିରାଟ ଆତ୍ମାର ରୂପ ସନ୍ଦର୍ଶନ ହେବ । ପୂର୍ବ ଭାରତର ବଙ୍ଗ ପ୍ରଦେଶରେ ଚୈତନ୍ୟ ମହାପ୍ରଭୁଙ୍କ ପରି ସନ୍ଥଙ୍କ ଆବିର୍ଭାବ ହୋଇଥିବା ଆପଣ ଜାଣିଛନ୍ତି । ପଶ୍ଚିମ ଭାରତର ମହାରାଷ୍ଟ୍ରରେ ସନ୍ଥ ନାମଦେବ, ତୁକାରାମ, ଜ୍ଞାନଦେବଙ୍କ ପରି ସନ୍ଥ ମହାତ୍ମାମାନଙ୍କ ଜନ୍ମ ହୋଇଥିଲା । ସାଧାରଣ ଲୋକଙ୍କ ପାଖରେ ଚୈତନ୍ୟ ମହାପ୍ରଭୁ ମହାବାକ୍ୟ ମନ୍ତ୍ର ପହଂଚାଇଥିଲେ । ମହାରାଷ୍ଟ୍ରର ସନ୍ଥ ରାମକୃଷ୍ଣ ହରି ମନ୍ତ୍ରର ପ୍ରଚାର କରି ଆଧ୍ୟାତ୍ମିକତାର ଅମୃତ ବଂଟନ କରିଥିଲେ । ସନ୍ଥ ଜ୍ଞାନେଶ୍ୱର ଜ୍ଞାନେଶ୍ୱରୀ ଗୀତା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣଙ୍କର ଗୂଢ ଜ୍ଞାନତତ୍ୱକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇଥିଲେ । ଏପରି ଭାବରେ ଶ୍ରୀଲ ପ୍ରଭୁପାଦଜୀ ଇସ୍କନ ମାଧ୍ୟମରେ ଗୀତାକୁ ଲୋକପ୍ରିୟ କରାଇପାରିଥିଲେ । ଗୀତାର ଟୀକାକରଣ କରି ଏହାର ଭାବାର୍ଥକୁ ଲୋକଙ୍କ ପାଖରେ ପହଂଚାଇ ପାରିଥିଲେ । ଅଲଗା ଅଲଗା ସ୍ଥାନରେ ଜନ୍ମ ନେଇଥିବା ଏହି ସନ୍ଥମାନେ ଭିନ୍ନ ଭିନ୍ନ ଉପାୟରେ କୃଷ୍ଣ ଭାବ ଭକ୍ତିର ପ୍ରଚାର ପ୍ରସାର କରିଥିଲେ । ଏସବୁ ସନ୍ଥମାନଙ୍କର ଭିନ୍ନ ଭିନ୍ନ ସମୟରେ ଜନ୍ମ ହୋଇଛି ।ଏମାନଙ୍କର ଭାଷା ଓ ପଦ୍ଧତି ଅଲଗା ଅଲଗା ରହିଥିବା ବେଳେ ଏକ ଭାବ, ବିଚାର ଓ ଚେତନା ରହିଛି । ସମସ୍ତେ ଭକ୍ତିର ପ୍ରକାଶ କରି ସମାଜକୁ ଏକ ନୂଆ ମନ୍ତ୍ର, ନୂଆ ମାର୍ଗ ଓ ନୂଆ ଊର୍ଜା ଦେଇଛନ୍ତି ।
ବନ୍ଧୁମାନେ !
ଆପଣ ସମସ୍ତେ ଅବଗତ ଅଛନ୍ତି ଯେ, ସେବା ହେଉଛି ଆମ ଆଧ୍ୟାତ୍ମିକ ସଂସ୍କୃତିର ପ୍ରମୁଖ ଆଧାର । ଆଧ୍ୟାତ୍ମିକତାରେ ଜନତା ଓ ଜନାର୍ଦ୍ଦନଙ୍କ ସେବା ଏକ ହୋଇଥାଏ । ଆମର ଆଧ୍ୟାତ୍ମିକ ସଂସ୍କୃତି ସାଧକମାନଙ୍କୁ ସମାଜ ସହ ଯୋଡିଥାଏ । ସେମାନଙ୍କ ଭିତରେ କରୁଣାର ଭାବ ଉତ୍ପନ୍ନ କରିଥାଏ । ଏହି ଭକ୍ତି ଭାବ ସେମାନଙ୍କୁ ସେବା ଭାବ ଆଡକୁ ଅଗ୍ରସର କରାଇଥାଏ ।
ଦାତବ୍ୟମ ଇତି ଯତ ଦାନମ୍ ଦିୟତେ ଅନୁପକାରିଣେ ଦେଶେ କାଳେ ଚ ପାତ୍ରେ ଚ ତତ ଦାନଂ ସାତ୍ୱିକଂ ସ୍ମୃତମ ।
ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ସେବାର ଅର୍ଥ ବୁଝାଇଛନ୍ତି । ପ୍ରକୃତ ସେବାରେ କୌଣସି ସ୍ୱାର୍ଥ ନିହିତ ନଥାଏ ବୋଲି ଅତ୍ୟନ୍ତ ସୁନ୍ଦର ଭାବରେ ସେ ଅବତାରଣା କରିଛନ୍ତି । ଆମର ସମସ୍ତ ଧାର୍ମିକ ଗ୍ରନ୍ଥ ଓ ଶାସ୍ତ୍ରର ମୂଳ ଭାବଧାରା ହେଉଛି ସେବା ଭାବନା । ଇସ୍କନ ଭଳି ଏକ ବିରାଟ ସଂସ୍ଥା ମଧ୍ୟ ଏହି ସେବା ଭାବଧାରାରେ କାମ କରୁଛି । ଆପଣଙ୍କ ପ୍ରୟାସରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟାବରଣ ପରି ଅନେକ କାମ ସମ୍ପାଦିତ ହେଉଛି । କୁମ୍ଭ ମେଳାରେ ବି ଇସ୍କନ ବହୁତ ସେବା କାର୍ଯ୍ୟ କରୁଛି ।
ବନ୍ଧୁମାନେ !
ତେବେ ଏଭଳି ଭାବଧାରାରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ ଦେଶବାସୀଙ୍କ ସେବା ଆମ ସରକାର ମଧ୍ୟ କରୁଛି । ପ୍ରତିଟି ଘରେ ଶୌଚାଳୟ ନିର୍ମାଣ, ପ୍ରତି ଗରିବ ମହିଳାଙ୍କ ଘରେ ଉଜ୍ୱଳା ଗ୍ୟାସ ସଂଯୋଗ, ପ୍ରତି ଘର ପର୍ଯ୍ୟନ୍ତ ପାଇପ ମାଧ୍ୟମରେ ପାଣି ଯୋଗାଇବା, ପ୍ରତି ଗରିବକୁ ପାଂଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇବା, ସତୁରୀ ବର୍ଷରୁ ଅଧିକା ବୟସ୍କ ଲୋକଙ୍କୁ ଏହି ବୀମାରେ ଅନ୍ତର୍ଭୁକ୍ତ କରାଇବା, ପ୍ରତି ପରିବାରକୁ ପକ୍କା ଘର ଯୋଗାଇବା ପରି ବିଭିନ୍ନ କାର୍ଯ୍ୟ ସେବା ଓ ସମର୍ପଣର ଭାବ ସହ ଆମ ସରକାର କରିଆସୁଛି । ସେବାର ଏହି ଭାବନା ସଚ୍ଚା ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ସହ ସଚ୍ଚା ଧର୍ମନିରପେକ୍ଷତାର ବାର୍ତା ପ୍ରଚାର କରୁଛି ।
ବନ୍ଧୁମାନେ !
ଦେଶର ଅଲଗା ଅଲଗା ତୀର୍ଥ ଓ ଧାର୍ମିକ ସ୍ଥାନକୁ କୃଷ୍ଣ ସର୍କିଟ ମାଧ୍ୟମରେ ଆମ ସରକାର ଯୋଡୁଛି । ଏହି ସର୍କିଟର ବିସ୍ତାର ଗୁଜରାଟ, ରାଜସ୍ଥାନ, ହରିୟାଣା, ଉତରପ୍ରଦେଶ, ଓଡିଶା ପର୍ଯ୍ୟନ୍ତ ରହିଛି । ସ୍ୱଦେଶ ଦର୍ଶନ, ପ୍ରସାଦ ଯୋଜନା ଦ୍ୱାରା ଏହି ସ୍ଥାନଗୁଡିକର ବିକାଶ କରାଯାଉଛି । ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କର ଅଲଗା ଅଲଗା ରୂପର ସନ୍ଦର୍ଶନ ହୋଇପାରୁଛି । କେଉଁଠି ଭଗବାନ ଶ୍ରୀକୃଷ୍ଣ ବାଳକ ରୂପରେ ଦର୍ଶନ ଦେଉଛନ୍ତି ତ ଆଉ କେଉଁଠି ତାଙ୍କ ସହ ରାଧାରାଣୀ ପୂଜା ପାଉଛନ୍ତି । କେଉଁ ମନ୍ଦିରରେ ଭଗବାନଙ୍କ କର୍ମ ଯୋଗର ଅବତାରଣା କରାଯାଇଛି ତ ଆଉ କେଉଁଠି ରାଜା ରୂପରେ ତାଙ୍କୁ ପୂଜା କରାଯାଉଛି । ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡିତ ବିଭିନ୍ନସ୍ଥାନରେ ପହଂଚିବା ସହ ତାଙ୍କ ମନ୍ଦିରର ଦର୍ଶନ କରିବା ପ୍ରକ୍ରିୟାକୁ ସହଜ କରିବାକୁ ଆମର ପ୍ରୟାସ ଜାରି ରହିଛି । ଏଥିପାଇଁ ବିଭିନ୍ନ ଟ୍ରେନର ସୁବିଧା ବି କରାଯାଇଛି । କୃଷ୍ଣ ସର୍କିଟ ସହ ଜଡିତ ଏସବୁ ସ୍ଥାନରେ ଶ୍ରଦ୍ଧାଳୁମାନଙ୍କୁ ପହଂଚାଇବା ଦିଗରେ ଇସ୍କନ ବି ସହଯୋଗ କରିବାର ଆବଶ୍ୟକତା ରହିଛି । ଆପଣମାନଙ୍କ ସେଟଂର ସହ ଯୋଡି ହେଉଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦେଶର ଅତିକମରେ ଏପରି ପାଂଚଟି ସ୍ଥାନ ପରିଭ୍ରମଣ କରାଇବାକୁ ଆପଣମାନଙ୍କୁ ମୋର ନିବେଦନ ।
ବନ୍ଧୁମାନେ !
ଗତ ଦଶନ୍ଧି ଭିତରେ ଦେଶର ପରମ୍ପରା ସହ ବିକାଶ ଯୋଡି ହୋଇ ରହିଛି । ବିକାଶର ଏହି ଧାରାକୁ ଇସ୍କନ ପରି ସଂସ୍ଥାର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଶତାବ୍ଦୀ ଶତାବ୍ଦୀ ଧରି ସାମାଜିକ ଚେତନାର ପ୍ରାଣକେନ୍ଦ୍ର ଭାବେ ଆମ ମନ୍ଦିର ଓ ଧାର୍ମିକସ୍ଥଳଗୁଡିକର ଭୂମିକା ରହିଆସିଛି । ଆମ ଗୁରୁକୂଳ ଶିକ୍ଷା ଓ କୌଶଳ ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ଆମର ଉଲ୍ଲେଖନୀୟ ଭୂମିକା ରହିଆସିଛି । ଆଧ୍ୟାତ୍ମିକତାକୁ ଜୀବନରେ ଆପଣେଇବା ପାଇଁ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ସବୁବେଳେ ଇସ୍କନ ପ୍ରେରଣା ଯୋଗାଇ ଆସୁଛି । ଆଧୁନିକ ଟେକ୍ନୋଲଜିକୁ ଇସ୍କନ ସାଧକମାନେ କିପରି ଆତ୍ମସାତ କରିଛନ୍ତି ତାହା ଦେଖିଲେ ଅଭିଭୂତ ଲାଗେ । ଆପଣଙ୍କ ସୂଚନା ନେଟବାର୍କ ଅନ୍ୟମାନଙ୍କ ଲାଗି ପ୍ରେରଣାର ସ୍ରୋତ ପାଲଟିଛି । ଇସ୍କନର ସାନ୍ନିଧ୍ୟରେ ସେବା ଓ ସମର୍ପଣ ଭାବରେ ଯୁବକମାନେ ରାଷ୍ଟ୍ର ହିତରେ କାମ କରିବେ ବୋଲି ମୋର ଆଶା । ଏହି ପରିସରରେ ଭକ୍ତି ବେଦାନ୍ତ ଆୟୁର୍ବେଦୀୟ ଉପଚାର କେନ୍ଦ୍ରର ସୁବିଧା ବି ଉପଲବ୍ଧ ହେବାର ରହିଛି । ସାରା ବିଶ୍ୱକୁ ହିଲ ଇନ ଇଣ୍ଡିଆର ବାର୍ତା ମୁଁ ଦେଉଛି । ଏଠାରେ ଭକ୍ତି ବେଦାନ୍ତ କଲେଜ ଫର ବୈଦିକ ଏଜୁକେସନର ସ୍ଥାପନା ବି କରାଯାଇଛି । ଏହାର ଲାଭ ସାରା ଦେଶ ଓ ସମାଜ ପାଇବ ବୋଲି ମୋକ ଆଶା ଓ ବିଶ୍ୱାସ ।
ବନ୍ଧୁମାନେ !
ସମାଜ ଯେତେ ଯେତେ ଆଧୁନିକ ହେବାରେ ଲାଗିଛି ସେତେ ସେତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି । ଆମକୁ ସମ୍ବେଦନଶୀଳ ସମାଜ ନିର୍ମାଣର ଆବଶ୍ୟକତା ରହିଛି । ମାନବୀୟ ଗୁଣାବଳୀ ସହ ଆଗକୁ ବଢିପାରୁଥିବା ସମାଜ ନିର୍ମାଣର ଆବଶ୍ୟକତା ରହିଛି । ଆପଣାରଭାବ ବିସ୍ତାର କରିପାରୁଥିବା ସମାଜର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ । ଭକ୍ତି ବେଦାନ୍ତ ସିଦ୍ଧାନ୍ତ ମାଧ୍ୟମରେ ଇସ୍କନ ଭଳି ସଂସ୍ଥା ସମାଜରେ ଏପରି ସମ୍ବେଦନଶୀଳତାର ବୀଜ ବପନ କରିପାରିବେ । ନିଜର ପୂର୍ଣ୍ଣ କ୍ଷମତାର ବିକାଶ କରି ଆପଣଙ୍କ ଭଳି ସଂସ୍ଥା ସାରା ବିଶ୍ୱରେ ସମ୍ବେଦନଶୀଳତାର ବାର୍ତା ପ୍ରଚାର କରିପାରିବେ । ଶ୍ରୀଲ ପ୍ରଭୁପାଦଙ୍କ ପରି ମହାନୁଭବଙ୍କ ଆଦର୍ଶକୁ ପାଥେୟ କରି ଇସ୍କନ ପରି ସଂସ୍ଥା ଆଗାମୀ ଦିନରେ ତତ୍ପର ହେବେ ବୋଲି ମୋର ବିଶ୍ୱାସ । ରାଧା ମଦନମୋହନଜୀ ମନ୍ଦିରର ପୂରା ଇସ୍କନ ପରିବାର ସହ ସାରା ଦେଶବାସୀଙ୍କୁ ମୁଁ ଏହି ଅବସରରେ ଧନ୍ୟବାଦ ଜଣାଉଛି ।
ହରେ କୃଷ୍ଣ
ହରେ କୃଷ୍ଣ
ହରେକୃଷ୍ଣ
PBD
(ରିଲିଜ ଆଡି: 2093610)
ପରିଦର୍ଶକ କାଉଣ୍ଟର : 64
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam