ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭିନବତାକୁ ତ୍ୱରାନ୍ୱିତ କରି ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ୧୦୦ ଦିନିଆ ପଦକ୍ଷେପର ସଫଳ ରୂପାୟନ ସମ୍ପର୍କରେ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେପି ନଡ୍ଡା


ବିକଶିତ ଭାରତ ୨୦୪୭ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭିନବତା, ମହାମାରୀ ପାଇଁ ପ୍ରସ୍ତୁତି ଏବଂ ସ୍ୱଦେଶୀ ଚିକିତ୍ସା ପ୍ରଯୁକ୍ତିର ବିକାଶ ଲାଗି ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି : ଶ୍ରୀ ଜେପି ନଡ୍ଡା

Posted On: 23 SEP 2024 1:16PM by PIB Bhubaneshwar

୨୦୪୭ ସୁଦ୍ଧା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଉଲ୍ଳେଖ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେପି ନଡ୍ଡା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ଗବେଷଣା ବିଭାଗ (ଡିଏଚଆର)ର ୧୦୦ ଦିନିଆ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ  ଘୋଷଣା କରିଛନ୍ତି । ସେ କହିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭିନବତା, ମହାମାରୀ ପ୍ରସ୍ତୁତି ଏବଂ ସ୍ୱଦେଶୀ ଚିକିତ୍ସା ସମାଧାନର ବିକାଶରେ ପରିବର୍ତ୍ତନମୂଳକ ପଦକ୍ଷେପକୁ ପ୍ରତିନିଧିତ୍ୱ କରେ, ଯାହା ଏକ ସୁସ୍ଥ, ଅଧିକ ସ୍ଥିର ଏବଂ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ।

ଗତ ୧୦୦ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଦ୍ୱାରା ନିଆଯାଇଥିବା କେତେକ ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଗୁଡ଼ିକ ନିମ୍ନ ପ୍ରକାରର :

୧.        ମେଡ୍ ଟେକ୍ ମିତ୍ର: ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର) ଏବଂ ଳେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ   (ସିଡିଏସସିଓ)ର ମିଳିତ ଉଦ୍ୟମରେ ଏହା କରାଯାଇଛି । ଏହି ମଂଚ ମାଧ୍ୟମରେ ୨୫୦ ରୁ ଅଧିକ ଉଦ୍ଭାବକ, ଷ୍ଟାର୍ଟଅପ୍ ଏବଂ ଶିଳ୍ପ ଅଂଶୀଦାର ନିୟୋଜିତ ହୋଇଛନ୍ତି , ଯାହା ସେମାନଙ୍କୁ ନିୟନ୍ତ୍ରଣ ଅନୁପାଳନକାରୀ ଉତ୍ପାଦ, ସେମାନଙ୍କର ନୈଦାନିକ ବୈଧତା ଏବଂ ସ୍କେଲିଂ-ଅପ୍ କୁ ବିକଶିତ କରିବା ପ୍ରକ୍ରିୟାରେ ଆହ୍ୱାନକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

୨.        ମହାମାରୀ ପ୍ରସ୍ତୁତି ପାଇଁ ଜାତୀୟ ଏକ ସ୍ୱାସ୍ଥ୍ୟ ମିଶନ (ଏନଓଏଚଏମ) : ମାନବ, ପଶୁ ଏବଂ ପରିବେଶ ସ୍ୱାସ୍ଥ୍ୟର ସଂଯୋଗରେ ରୋଗର ମୁକାବିଲା ପାଇଁ ଏନଓଏଚଏମ ହେଉଛି ଏକ ସମନ୍ୱିତ ଆଭିମୁଖ୍ୟ । ଜୁନୋଟିକ୍ ରୋଗ ଏବଂ ମହାମାରୀର ପରିଚାଳନା ପାଇଁ ଭାରତର ସାମର୍ଥ୍ୟ ବୃଦ୍ଧି ଦିଗରେ ଏହି ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରି ଭାରତର ଦୀର୍ଘମିଆଦୀ ସ୍ୱାସ୍ଥ୍ୟ ସୁରକ୍ଷାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସରକାରଙ୍କ ପ୍ରଥମ ୧୦୦ ଦିନରେ ଏହି ମିଶନ ଅଧୀନରେ 'ଏକ ସ୍ୱାସ୍ଥ୍ୟ' ଆଭିମୁଖ୍ୟ ସହିତ ବିଭିନ୍ନ କାର୍ଯ୍ୟକଳାପ ହାତକୁ ନିଆଯାଇଛି, ଯାହା ନିମ୍ନରେ ତାଲିକାଭୁକ୍ତ ହୋଇଛି :

କ. ବିଏସ୍‌ଏଲ୍ - ୩ ଲାବୋରେଟୋରିର ନ୍ୟାସନାଲ ନେଟୱାର୍କ ପ୍ରତିଷ୍ଠା କରାଯାଇଛି ଯେଉଁଥିରେ ବିଭିନ୍ନ ମନ୍ତ୍ରଣାଳୟର ୨୦ରୁ ଅଧିକ ଲ୍ୟାବ୍ ନେଟୱାର୍କଂ ହୋଇଛି ।

ଖ. ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି) ଏବଂ ଆଇସିଏଆର୍ - ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ (ଏନ୍‌ଆଇଏଚ୍‌ଏସ୍‌ଏଡି), ଭୋପାଳରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ।

ଗ. ଭବିଷ୍ୟତର ମହାମାରୀ ପାଇଁ ଦେଶର ପ୍ରସ୍ତୁତିକୁ ସୁଦୃଢ଼ କରି ରାଜସ୍ଥାନର ଆଜମେର ଜିଲ୍ଲାରେ ଅଗଷ୍ଟ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏକାଧିକ ଅଂଶୀଦାରଙ୍କ ସହ ଏଚ୍‌୫ଏନ୍‌୧ 'ବିଷାଣୁ ଯୁଦ୍ଧ ଅଭ୍ୟାସ' ର ମକ୍ ଡ୍ରିଲ୍ ସଫଳ ଭାବେ ଅନୁଷ୍ଠିତ ହୋଇଥିଲା ।

ଘ. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଡିଓଏଚ୍‌ଏଫଡବ୍ଲ୍ୟୁ) ପକ୍ଷରୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ପ୍ରତିକ୍ରିୟା ଦଳକୁ ଅବଗତ କରାଯାଇଛି । ଏହା ଦ୍ୱାରା ସଂକ୍ରମଣର ମୁଣ୍ଡ ଟେକୁଥିବା ହଟସ୍ପଟ୍ ଚିହ୍ନଟକୁ ସୁଦୃଢ଼ କରିବା ସହ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ଠିକ୍ ସମୟରେ ତଦନ୍ତ କରାଯିବ ।

ଙ. ବର୍ଜ୍ୟବସ୍ତୁ ଜଳ ନିରୀକ୍ଷଣ ଉପକରଣ ଆଇସିଏମଆର ଦ୍ୱାରା ବିକଶିତ କରାଯାଇଥିଲା ଏବଂ କଂସେଇଖାନା ପାଇଁ ଏକ ସର୍ଭିଲାନ୍ସ ମଡେଲ ମଧ୍ୟ ନିର୍ମାଣ କରାଯାଇଛି ।

ଚ. ଏଭିଆନ୍ ଫ୍ଲୁ, କ୍ୟାସାନୁର ଫରେଷ୍ଟ ଡିଜିଜ୍ (କେଏଫଡି) ଏବଂ ଏମ୍ ପକ୍ସ ଟିକା ବିକାଶ ଘରୋଇ କ୍ଷେତ୍ର ଏବଂ ଶିଳ୍ପ ଅଂଶୀଦାରଙ୍କ ସହଯୋଗରେ ଆରମ୍ଭ ହୋଇଛି । ନିପା ମୋନୋକ୍ଲୋନାଲ ଆଣ୍ଟିବଡି ମଧ୍ୟ ବିକଶିତ ହେଉଛି ।

ଛ. ମିଶନର କାର୍ଯ୍ୟନିର୍ବାହୀ ଏବଂ ବୈଜ୍ଞାନିକ ସଂଚାଳନ କମିଟି ସେମାନଙ୍କ ବୈଠକ କରି ଦେଶର ମହାମାରୀ ପ୍ରସ୍ତୁତିର ସମୀକ୍ଷା କରିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ପରାମର୍ଶ ଦେଇଥିଲେ ।

ଜ. ଜୈବ ସୁରକ୍ଷା ସ୍ତର (ବିଏସ୍‌ଏଲ୍ - ୩) ଲ୍ୟାବ୍ ପ୍ରତିଷ୍ଠା ଓ ପ୍ରମାଣନ ପାଇଁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର) ଏବଂ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ନିର୍ଦ୍ଦେଶାବଳୀକୁ ଏକ ଜାତୀୟ ଦସ୍ତାବିଜରେ ପରିଣତ କରାଯାଇଛି ।

୩.        ସମନ୍ୱିତ ଗବେଷଣା ଓ ନୈଦାନିକ ପ୍ରୟୋଗଶାଳା (ଆଇଆରଡିଏଲ୍‌): ପାଣ୍ଠି ସହାୟତା ମାଧ୍ୟମରେ ସୁଦୃଢ଼ କରିବା ପାଇଁ ସାରା ଦେଶରେ ଭାଇରାଲ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରିଜ୍ (ଭିଆରଡିଏଲ୍‌) ହାତକୁ ନିଆଯାଇଛି । ଏଥି ମଧ୍ୟରୁ ୬ଟି ଭିଆରଡିଏଲକୁ ସଂକ୍ରାମକ ରୋଗର ବୃହତ୍ତର କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ସମନ୍ୱିତ ଗବେଷଣା ଏବଂ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରି (ଆଇଆରଡିଏଲ୍‌) ରେ ପରିଣତ କରାଯାଉଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି)ର ଜୋନାଲ ଲାବୋରେଟୋରି ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । 

୪.        ବିରଳ ରୋଗ ପାଇଁ ସ୍ୱଦେଶୀ ଔଷଧର ବିକାଶ କାର୍ଯ୍ୟକ୍ରମ : ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା ଦିଗରେ ଭାରତର ଅଭିଯାନର ଏକ ଅଂଶ ଭାବରେ, ଡିଏଚଆର ୮ଟି ବିରଳ ରୋଗ ପାଇଁ ୧୨ଟି ସ୍ୱଦେଶୀ ଔଷଧ ବିକଶିତ କରିବାକୁ ଯାଉଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ମସ୍କୁଲାର ଡାୟଷ୍ଟ୍ରୋଫି ଏବଂ ଗୌଚର ରୋଗ ଭଳି ରୋଗର ଚିକିତ୍ସା ଖର୍ଚ୍ଚକୁ ବ୍ୟାପକ ଭାବରେ ହ୍ରାସ କରିବା ଏବଂ ଜୀବନ ରକ୍ଷାକାରୀ ଚିକିତ୍ସାକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ ଏବଂ ସୁଲଭ କରିବା ।

୫.        'ଫାଷ୍ଟ ଇନ୍ ଦି ୱାର୍ଲ୍ଡ' ଚ୍ୟାଲେଞ୍ଜ’ : ଭାରତର ଐତିହାସିକ ଚନ୍ଦ୍ରାୟନ - ୩ ଅଭିଯାନ ଦ୍ୱାରା ଅନୁପ୍ରାଣିତ, ହୋଇ ‘ଫାଷ୍ଟ ଇନ୍ ଦି ୱାର୍ଲ୍ଡ' ଚ୍ୟାଲେଞ୍ଜ “ବାୟୋମେଡିକାଲ  ଗବେଷଣା କ୍ଷେତ୍ରରେ ୫୦ଟି ଉଚ୍ଚ ବିପଦପୂର୍ଣ୍ଣ, ଉଚ୍ଚ ପୁରସ୍କାର ଉଦ୍ଭାବନକୁ ପାଣ୍ଠି ଯୋଗାଇବ । ଏହି ପଦକ୍ଷେପ ଭାରତର ଉଦ୍ଭାବନ ଏବଂ ଉତ୍କର୍ଷତାର ଭାବନାକୁ ପ୍ରତିଫଳିତ କରୁଛି ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସମାଧାନରେ ଅଗ୍ରଣୀ ହେବା ଦିଗରେ ଏହାର ଯାତ୍ରାକୁ ତ୍ୱରାନ୍ୱିତ କରୁଛି ।

୬.        ପ୍ରମାଣ ଭିତ୍ତିକ ମାର୍ଗଦର୍ଶିକା କେନ୍ଦ୍ର: ଉଦଘାଟନ ପାଇଁ ପ୍ରସ୍ତୁତ ସେଣ୍ଟର ଫର ଏଭିଡେନ୍ସ ଫର ଗାଇଡଲାଇନ (ପ୍ରମାଣ ଆଧାରିତ ନିର୍ଦ୍ଦେଶାବଳୀ କେନ୍ଦ୍ର) ଦେଶବ୍ୟାପୀ ଚିକିତ୍ସା ଅଭ୍ୟାସକୁ ମାନକୀକରଣ କରିବାରେ ସହାୟକ ହେବ ଏବଂ ସର୍ବୋଚ୍ଚ ମାନର ଯତ୍ନ ସୁନିଶ୍ଚିତ କରିବ । ବିଶ୍ୱସ୍ତରୀୟ ପ୍ରମାଣ ଭିତ୍ତିକ ଜାତୀୟ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ପ୍ରସ୍ତୁତ କରିବାରେ ଏହି କେନ୍ଦ୍ର ସହାୟକ ହେବ । ଏହାକୁ ଦେଶର ବିଭିନ୍ନ ସ୍ଥାନରେ ଥିବା ସିଷ୍ଟେମେଟିକ୍ ରିଭ୍ୟୁ ସେଣ୍ଟର ଗୁଡ଼ିକ ସମର୍ଥନ କରିବେ ।

୭.        ରିସର୍ଚ୍ଚ ଟୁ ଆକ୍ସନ ଭର୍ଟିକାଲ: ଡିଏଚଆରରେ "ରିସର୍ଚ୍ଚ ଟୁ ଆକ୍ସନ" ଭର୍ଟିକାଲ ପ୍ରତିଷ୍ଠା ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଗବେଷଣାକୁ ନୀତି ଏବଂ ଅଭ୍ୟାସରେ ନିରବଚ୍ଛିନ୍ନ ଭାବରେ କିପରି ସମନ୍ୱିତ କରାଯିବ ତାହା ସୁନିଶ୍ଚିତ କରିବ । ଏହା ବିଭିନ୍ନ ରାଜ୍ୟରେ ଗବେଷଣା ଫଳାଫଳକୁ କାର୍ଯ୍ୟକ୍ଷମ ନୀତିରେ ପରିଣତ କରିବାରେ ସହାୟକ ହେବ, ଯାହା ଜନସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣିବ ।

୮.        ଗବେଷଣା କ୍ଷମତା ନିର୍ମାଣ : ମେଡିକାଲ ରିସର୍ଚ୍ଚ ଫାକଲ୍ଟି (ଏଫ୍‌ଏମ୍‌ଆର) ର ପ୍ରଥମ ବ୍ୟାଚରେ ବିଭିନ୍ନ ଆଇସିଏମ୍‌ଆର୍ ଇନଷ୍ଟିଚ୍ୟୁଟ୍ର  ଚିକିତ୍ସା ଗବେଷଣାରେ ପିଏଚ୍ ଡି ପାଇଁ ଏପର୍ଯ୍ୟନ୍ତ ମୋଟ ୯୩ ଜଣ ନାମ ଲେଖାଇଛନ୍ତି । ଏହା ବ୍ୟତୀତ ୬୩ ଜଣ ଯୁବ ମେଡିକାଲ କଲେଜ ଅଧ୍ୟାପକଙ୍କୁ ପିଏଚ ଡି କାର୍ଯ୍ୟକ୍ରମ ପାଇଁ ଫେଲୋସିପ୍ ପ୍ରଦାନ କରାଯାଇଛି । ଦେଶରେ ଚିକିତ୍ସକ ବୈଜ୍ଞାନିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହାବ୍ୟତୀତ ୫୮ ଜଣ ମହିଳା ବୈଜ୍ଞାନିକଙ୍କୁ ସ୍ୱାସ୍ଥ୍ୟ ଗବେଷଣା ପାଇଁ ଫେଲୋସିପ୍ ପ୍ରଦାନ କରାଯାଇଛି ।

୨୦୨୪ ଅକ୍ଟୋବରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉପରୋକ୍ତ ପଦକ୍ଷେପର ଶୁଭାରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି । ଡିଏଚଆରର ସଚିବ ତଥା ଆଇସିଏମଆରର ଡିଜି ଡକ୍ଟର ରାଜୀବ ବହଲ କହିଛନ୍ତି ଯେ ଏହି ପ୍ରୟାସ ଏବଂ ସାମ୍ପ୍ରତିକ ସଫଳତା ଉଦ୍ଭାବନ ଏବଂ ଗବେଷଣା ମାଧ୍ୟମରେ ସ୍ୱାସ୍ଥ୍ୟସେବାକୁ ଆଗେଇ ନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏବଂ ଭବିଷ୍ୟତ ପାଇଁ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

***

SSP

 

 


(Release ID: 2057938) Visitor Counter : 56