ରାଷ୍ଟ୍ରପତିଙ୍କ ସଚିବାଳୟ
ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Posted On:
20 NOV 2023 2:50PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷା ଏବଂ ସାହିତ୍ୟକୁ ସମୃଦ୍ଧ କରିଥିବା ଲେଖକ ତଥା ଗବେଷକଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ୧୯୮୮ରେ ପ୍ରତିଷ୍ଠା ହେବା କାଳରୁ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘ ସାନ୍ତାଳୀ ଭାଷାର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି ଏବଂ ଏଭଳି ଉଦ୍ୟମ ଧନ୍ୟବାଦା ଯୋଗ୍ୟ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସାନ୍ତାଳୀ ଭାଷାର ବ୍ୟବହାର ବଢିଛି । ୨୦୦୩ ଡିସେମ୍ବର ୨୨ରେ ଏହି ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେବା ପରେ ଏହାର ବ୍ୟବହାର ଏବଂ ଗୁରୁତ୍ୱ ବୃଦ୍ଧି ପାଇଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଥିଲା ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି ଅଟଳ ଜୀଙ୍କୁ ସ୍ମରଣ କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ ଅଧିକାଂଶ ସାନ୍ତାଳୀ ସାହିତ୍ୟ ଦୀର୍ଘକାଳ ଧରି ମୌଖିକ ପରମ୍ପରା ମଧ୍ୟରେ ବଂଚି ରହିଥିଲା । ପଣ୍ଡିତ ରଘୁନାଥ ମୁର୍ମୁ କେବଳ ଏହି ଭାଷାର ଲିପି “ଓଲ୍ ଚିକି”କୁ ଉଦ୍ଭାବନ କରି ନ ଥିଲେ । ସେ ମଧ୍ୟ ଅନେକ ସାନ୍ତାଳୀ ସାହିତ୍ୟ ରଚନା କରି ଏହି ଭାଷାକୁ ସମୃଦ୍ଧ କରିଥିଲେ । ତାଙ୍କ ରଚିତ ନାଟକ, ‘ବିଦୁ ଚନ୍ଦନ’, ‘ଖେରୱାଲ ବୀର’, ଦାରେଗେ ଧନ,’ ‘ ସିଦୁ-କାହ୍ନୁ-ସାନ୍ତାଳ ହୁଳ’ ଆଦି ସାନ୍ତାଳୀ ସାହିତ୍ୟର ଅମୂଲ୍ୟ କୃତି । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଅନେକ ସାହିତ୍ୟିଙ୍କର ଅବଦାନ ରହିଛି । ଦମୟନ୍ତୀ ବେଶ୍ରା ଓ କାଳୀପଦ ସରେନ (ଖେରୱାଲ ସରେନ)ଙ୍କୁ ଯଥାକ୍ରମେ ୨୦୨୦ ଓ ୨୦୨୨ରେ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିବା ଗର୍ବ ଓ ଗୌରବର ବିଷୟ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ ଲେଖକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଜର ଲେଖା ମାଧ୍ୟମରେ ସମାଜକୁ ସଚେତନ କରିବା ସହିତ ବାଟ କଢାଇଥାନ୍ତି । ସ୍ୱାଧୀନତା ସଂଗ୍ରାମ କାଳରେ ଅନେକ ସାହିତ୍ୟିକ ଓ ଲେଖକ ତାଙ୍କ ଲେଖା ମାଧ୍ୟମରେ ଦେଶର ମୁକ୍ତି ପାଇଁ ଲଢେଇ କରିବାକୁ ମାର୍ଗ ଦେଖାଇଥିଲେ ଓ ଲୋକଙ୍କୁ ଅନୁପ୍ରାଣିତ କରିଥିଲେ । ଲେଖକମାନେ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ସମାଜରେ ସଚେତନତା ସୃଷ୍ଟି କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ନିରନ୍ତର ସଚେତନତା ସୃଷ୍ଟି ମାଧ୍ୟମରେ ହିଁ ଏକ ସତର୍କ ଓ ସୁଦୃଢ ସମାଜ ଗଠିତ ହୋଇପାରିବ । ସାହିତ୍ୟ ଏକ ସମୁଦାୟର ସଂସ୍କୃତିର ଦର୍ପଣ ସଦୃଶ । ଆଦିବାସୀ ଜୀବନଧାରାରେ ପ୍ରକୃତି ସହିତ ମଣିଷ ନିବିଡ ଭାବେ ବଂଚି ରହିବାର କଳା ନିହିତ ଏବଂ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଆଦିବାସୀ ସମୁଦାୟର ବିଶ୍ୱାସ ଯେ ଜଙ୍ଗଲ ସେମାନଙ୍କର ନୁହେଁ, ବରଂ ସେମାନେ ଜଙ୍ଗଲର । ଏବେକାର ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ ସମସ୍ୟା ଏବଂ ଏହାର ମୁକାବିଲା ପାଇଁ ପରିବେଶ ଅନୁକୂଳ ଜୀବନଯାପନ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଦିବାସୀ ସମ୍ପ୍ରଦାୟଙ୍କ ଜୀବନ ଶୈଳୀ ବିଷୟରେ ଲେଖିବାକୁ ସେ ଲେଖକ, ସାହିତ୍ୟିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହା ଦ୍ୱାରା ଅନ୍ୟମାନେ ଆଦିବାସୀ ସମାଜର ଜୀବନାଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ଜାଣିପାରିବେ ବୋଲି ସେ କହିଛନ୍ତି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଭାରତ ବିଭିନ୍ନ ଭାଷା ଓ ସାହିତ୍ୟର ଏକ ସୁନ୍ଦର ବଗିଚା । ଭାଷା ଓ ସାହିତ୍ୟ ରୂପି ସୂକ୍ଷ୍ମ ସୂତ୍ରରେ ଆମ ଦେଶ ବାନ୍ଧି ହୋଇ ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଆଦାନ ପ୍ରଦାନ ଦ୍ୱାରା ସାହିତ୍ୟ ସାମଗ୍ରିକ ଭାବେ ଋଦ୍ଧିମନ୍ତ ହୋଇଥାଏ । ଏଥି ପାଇଁ ଅନୁବାଦ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଅନୁବାଦ ଦ୍ୱାରା ଏହି କାର୍ଯ୍ୟଟି କରି ହେବ । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ଭାଷାର ପାଠକମାନଙ୍କୁ ଅନୁବାଦ ମାଧ୍ୟମରେ ଅନ୍ୟ ଭାଷାର ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରିବାର ଆବଶ୍ୟକତା ରହିଛି । ସମାନ ପ୍ରକ୍ରିୟାରେ ଅନୁବାଦ ମାଧ୍ୟମରେ ସାନ୍ତାଳୀ ସାହିତ୍ୟକୁ ଅନ୍ୟ ଭାଷାଭାଷୀଙ୍କ ମଧ୍ୟରେ ଲୋକପ୍ରିୟ କରିବାକୁ ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ ପିଲାମାନଙ୍କୁ ଆରମ୍ଭରୁ ଆତ୍ମ ଅଧ୍ୟୟନରେ ଅଭ୍ୟସ୍ତ ରଖାଯିବା ଆବଶ୍ୟକ । ପିଲାଦିନରୁ ନିଜେ ପଢି ଲେଖି ଶିଖିଲେ ଓ ସେଥିପ୍ରତି ଆଗ୍ରହୀ ହେଲେ ଯେ କୌଣସି ଲୋକ ଜଣେ ଭଲ ପାଠକ ହୋଇପାରିବ । ଆମୋଦଦାୟକ ଏବଂ ସରଳ ଶିଶୁ ସାହିତ୍ୟ ବ୍ୟାପକଭାବେ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ସରଳ, ସାବଲୀଳ ଏବଂ ଆମୋଦଦାୟକ ଶିଶୁ ସାହିତ୍ୟ କେବଳ ସାନ୍ତାଳୀ ଭାଷାରେ ନୁହେଁ ସବୁ ଭାରତୀୟ ଭାଷାରେ ବ୍ୟାପକ ଭାବେ ସୃଷ୍ଟି ହେବାର ଆବଶ୍ୟକତା ରହିଛି । ଏଥି ପ୍ରତି ଆମ ଲେଖକ ଓ ସାହିତ୍ୟିକମାନେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ।
*****
TKM/SLP
(Release ID: 1978303)
Visitor Counter : 96