ଜାହାଜ ଚଳାଚଳ ମନ୍ତ୍ରଣାଳୟ

କେନ୍ଦ୍ର ସରକାର ଖୁବ୍ ଶୀଘ୍ର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ: ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ


କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ଦ୍ୱାରା ବନ୍ଦର ସମୂହର ବାର୍ଷିକ କାରବାର ଦକ୍ଷତା ୨୦୪୭ ସୁଦ୍ଧା ୧୦ହଜାର ନିୟୁତ ମେଟ୍ରିକ ଟନ୍ (ଏମଟିପିଏ) ଅତିକ୍ରମ କରିବାର ପୂର୍ଣ୍ଣାଙ୍ଗ ଯୋଜନା ଘୋଷଣା

ବୃହତ୍ ପୁଞ୍ଜିନିବେଶ ଓ ଘରୋଇ କ୍ଷେତ୍ରରେ ଅଂଶୀଦାର ବୃଦ୍ଧି ସମ୍ପର୍କରେ ମନ୍ତ୍ରୀଦେଲେ ସୂଚନା: ନିବେଶ ପରିମାଣ ୧୦ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ

କେଉଁ କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ ରହିଛି ତାହା ଚିହ୍ନଟ ହୋଇଛି : ୨୦୪୭ ସୁଦ୍ଧା ଜାତୀୟ ଜଳପଥରେ ପଣ୍ୟ ପରିବହନ ବାର୍ଷିକ ୫୦୦ ନିୟୁତ ମେଟ୍ରିକ ଟନ୍ (ଏମ୍‌ଟିପିଏ)ରେ ପହଞ୍ଚିବ

ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବନ୍ଦର ନିଜ ନିଜର ହାଇଡ୍ରୋଜନ ହବ୍ ପ୍ରତିଷ୍ଠା କରିବା ସମ୍ଭାବନାକୁ ଅଗ୍ରାଧିକାର ଦେବେ

Posted On: 19 AUG 2023 5:38PM by PIB Bhubaneshwar

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧିର ଏକ ବୃହତ ଯୋଜନା ସମ୍ପର୍କରେ ଆଜି ଘୋଷଣା କରିଛନ୍ତି । ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ ଉନବିଂଶ ସମୁଦ୍ରତଟବର୍ତ୍ତୀ ରାଜ୍ୟ ବିକାଶ ପରିଷଦର ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ଦ୍ୱାରା ବନ୍ଦର ସମୂହର ଦକ୍ଷତା ବୃଦ୍ଧି ଓ ଏସବୁର ବିକାଶ ପାଇଁ ପୁଞ୍ଜିନିବେଶ ସଂକ୍ରାନ୍ତ ବ୍ୟାପକ ଭବିଷ୍ୟବାଦୀ ଯୋଜନା ଘୋଷଣା କରାଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ । ଏହା ଫଳରେ ସବୁ ବନ୍ଦରର ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ ହେବ । ୨୦୪୭ ସୁଦ୍ଧା ଦେଶର ବନ୍ଦର ସମୂହର କାରବାର ବୃଦ୍ଧି କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରିର ି ରହିଛି । ଏହା ଫଳରେ ଧାର୍ଯ୍ୟ ସମୟ ସୁଦ୍ଧା ଭାରତର ବନ୍ଦର ସମୂହର ବାର୍ଷିକ ସାମଗ୍ରୀ କାରବାର କ୍ଷମତା ୧୦ହଜାର ନିୟୁତ ମେଟ୍ରିକ ଟନ୍ (ଏମ୍‌ଟିପିଏ)କୁ ଅତିକ୍ରମ କରିବ । ଏହି ବନ୍ଦର ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ । ଘରୋଇ କ୍ଷେତ୍ରକୁ ବନ୍ଦର ନିର୍ମାଣ ଓ ଏହାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବ । ସେମାନେ ଯଥାର୍ଥ ଅଂଶୀଦାରୀ ଯୋଗାଇ ଏହି ସୁଯୋଗ ନେଇପାରିବେ ।

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବନ୍ଦର ବିକାଶ ଏବଂ ଜଳପଥରେ ସାମଗ୍ରୀ ପରିବହନ ବୃଦ୍ଧି ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥ ô ନିମନ୍ତେ ପୁଞ୍ଜିନିବେଶର ସମ୍ଭାବ୍ୟ କ୍ଷେତ୍ରଗୁଡିକୁ ଚିହ୍ନଟ କରାଯାଇଛି । ସେହିଭଳି ୨୦୪୭ ସୁଦ୍ଧା ଦେଶର ଜାତୀୟ ଜଳପଥଗୁଡିକ ମାଧ୍ୟମରେ ବାର୍ଷିକ ୫୦୦ ନିୟୁତ ମେଟ୍ରିକ ଟନ୍ ମାଲ ପରିବହନର ଲକ୍ଷ୍ୟ ରଖାଯାଇଛି । ଏହାଛଡା ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବନ୍ଦରରେ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠାକୁ ଅଧିକାର ଦିଆଯିବ । 

ଅମୃତକାଳର ଯାତ୍ରା ସହିତ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି ସେଥିରେ ବନ୍ଦରର ଏକ ବଡ ଭୂମିକା ରହିବ । ଏବେ ଦେଶର ମୋଟ ବନ୍ଦର କାରବାର କ୍ଷମତା ୨୬୦୦ ଏମ୍‌ପିଟିଏ ରହିଛି । ଏହାକୁ ୧୦ହଜାର ଏମ୍‌ପିଟିଏରୁ ଅଧିକ କରାଯିବ । ରାଜ୍ୟ ସରକାରମାନଙ୍କୁ ନିଜସ୍ୱ ବନ୍ଦର ପ୍ରତିଷ୍ଠା ଏବଂ ନିଜ ବନ୍ଦରର ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ । ଏହା ଛଡା ଭାରତମାଳା ଯୋଜନାରେ ଦେଶର ବୃହତ୍ ବନ୍ଦର ସବୁକୁ ସଂଯୁକ୍ତ କରିବା କାମ ଆଗେଇ ଚାଲିଛି । ଏହା ଫଳରେ ଦେଶର ସାମୁଦ୍ରିକ ବାଣିଜ୍ୟ କରବାର ବଢିବା ଦ୍ୱାରା ଲୋକେ ଅଧିକ ଉପକୃତ ହେବେ । ତେବେ ବନ୍ଦର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଗୁଡିକର ସାହାଯ୍ୟ ସହଯୋଗ ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ । ଚଳିତବର୍ଷ ଭାରତରେ ହେବାକୁ ଥିବା ବିଶ୍ୱ ସାମୁଦ୍ରିକ ବାଣିଜିକ ଶିଖର ସମ୍ମିଳନୀ ଆମ ଦେଶକୁ ଏକ ନୂଆ ମର୍ଯ୍ୟାଦା ଦେବ ।ଏହା ହେବ ସବୁଠୁ ବଡ ଶିଖର ସମ୍ମିଳନୀ । ଏହି ସମ୍ମିଳନୀ ଆମର ସାମୁଦ୍ରିକ ଶକ୍ତିକୁ ପ୍ରମାଣିତ କରିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି । ଏହି ଶିଖର ସମ୍ମିଳନୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅକ୍ଟୋବର ୧୭ରୁ ୧୯ଯାଏ ଅନୁଷ୍ଠିତ ହେବ । ବନ୍ଦର ବିକାଶ କ୍ଷେତ୍ରରେ ଯେଉଁ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ ତାହା ଦ୍ୱାରା ୧୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ବୋଲି ସେ କହିଛନ୍ତି ।

 ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପାଦ ନାଏକ କହିଥିଲେ ଯେ ନୂଆ ଯୁଗର ଟେକ୍‌ନୋଲୋଜି, ବନ୍ଦରାଞ୍ଚଳ ସନ୍ନିକଟ ଲୋକଙ୍କ ପାଇଁ ନିରନ୍ତର ଜୀବିକା ସୁଯୋଗ ସୃଷ୍ଟି ଓ ପରିବେଶ ସୁରକ୍ଷା-ଏହି ତିନିଟି ବିଷୟ ସାମୁଦ୍ରିକ ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ମୌଳିକ ଭିତ୍ତିଭୂମି ବିକାଶ ସହିତ ଏହା ଉପରେ ଗୁରୁତ୍ୱ ଦେବାକୁ ପଡିବ । ଅନ୍ୟତମ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତୁନୁ ଠାକୁର ମଧ୍ୟ ବନ୍ଦର ବିକାଶ ଓ ନୌବାଣିଜ୍ୟ ବୃଦ୍ଧିର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଗୁଜରାଟ ସରକାରଙ୍କ କୃଷିମନ୍ତ୍ରୀ ଶ୍ରୀ ରାଘବଜୀ ପଟେଲ ଓ କର୍ଣ୍ଣାଟକର ମତ୍ସ୍ୟ ବିଭାଗ ରାଷ୍ଟ୍ର ମନ୍ତ୍ରୀ ମନକଲ ବୈଦ୍ୟ ମଧ୍ୟ ଏଥିରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟାନ୍ୟ ରାଜ୍ୟର ବନ୍ଦର ବିଭାଗ ମନ୍ତ୍ରୀମାନେ ମଧ୍ୟ ଏଥିରେ ଉଦ୍‌ବୋଧନ ଦେଇଥିଲେ ।

ଏହି ଦୁଇଦିନିଆ ବୈଠକ ଆଜି ଉଦ୍‌ଯାପିତ ହୋଇଛି । ସାଗରମାଳା, ଏନ୍‌ଏମ୍‌ଏଚ୍‌ସି ଜାତୀୟ ଜଳପଥର ବିକାଶ, ରୋପାକ୍ସ /ଫେରି ସମସ୍ୟା, ସହରଞ୍ଚଳ ଜଳଯାତ୍ରୀ ସେବା, ବନ୍ଦରକୁ ସଡକ ଓ ରେଳ ସଂଯୋଗ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡିକର ସଫଳତା କାହାଣୀ, ରାଜ୍ୟ ମାରିଟାଇମ ବୋର୍ଡ ଓ ଅନ୍ୟାନ୍ୟ ବିଷୟରେ ଏଥିରେ ଆଲୋଚନା କରାଯାଇଥିଲା ।

 

*****

TKM/SLP



(Release ID: 1950543) Visitor Counter : 94