ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ତମାଣ୍ଡୋ ଦଶବାଟିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍‌ ଲାଇଟ୍‌ ହାଉସ୍‌’’ ପାଇଁ ଶିଳାନ୍ୟାସ କଲେ ରାଷ୍ଟ୍ରପତି


ରାଷ୍ଟ୍ରପତିଙ୍କ ଦ୍ୱାରା ଚଳିତ ବର୍ଷର ବିଷୟବସ୍ତୁ ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୋଷ୍ଟ କରାଯିବା ଦିନାଙ୍କ: 27 JUL 2023 1:37PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ 27, 2023)ରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଦଶବାଟିଆ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍‌ ଲାଇଟ୍‌ ହାଉସ’’ ବା ଦୈବିକ ଆଲୋକ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ସେମିନାର ଓ ସମ୍ମିଳନୀ ଆୟୋଜନ କରିବା ଲାଗି ଚଳିତ ବର୍ଷର ବିଷୟବସ୍ତୁ ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।

ରାଷ୍ଟ୍ରପତି କାର୍ଯ୍ୟକ୍ରମ ଅବସରରେ ଉଦବୋଧନ ଦେଇ କହିଥିଲେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ ବରଂ ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ। ମାନବ ଜଗତ ପାଇଁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ବିକାଶ ଜରୁରୀ । ସେ ଆହୁରି କହିଥିଲେ ଯେ, ପ୍ରଯୁକ୍ତି ପରିବର୍ତ୍ତନର ବାହକ ଏବଂ ସେହି ପରିବର୍ତ୍ତନକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ବିକାଶ ପାଇଁ ଏହା ଜରୁରୀ । ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭୌତିକ ପରିବର୍ତ୍ତନ ଆମକୁ ଖୁସି ଦେଇପାରେ କିନ୍ତୁ ଆଧ୍ୟାତ୍ମିକ ମାର୍ଗରେ ଚାଲିଲେ ମାନସିକ ଶାନ୍ତି ମିଳିଥାଏ। ଧ୍ୟାନ ଏବଂ ଏକ ଶୃଙ୍ଖଳିତ ଜୀବନଶୈଳୀ ଜରିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଧ୍ୟତ୍ମିକତାର ମାର୍ଗ ଦେଖାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ବିଭିନ୍ନ ସମୟରେ ଅନେକ ନକାରାତ୍ମକ ଚିନ୍ତାଧାରା ଆମ ମାନସିକତାକୁ ପ୍ରଭାବିତ କରିଥାଏ। କିନ୍ତୁ ଆତ୍ମସମୀକ୍ଷା ନକରିବା କାରଣରୁ, ଆମେ ନକାରାତ୍ମକ ବିଚାରର ଶିକାର ହୋଇଥାଉ ବୋଲି ସେ କହିଥିଲେ। ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ, ଆମ ଭିତରେ ଈର୍ଷା ଓ ଘୃଣା ଭାବନା ବଢ଼ିଚାଲିଛି । ‘‘ଆଜି ଆମ ଆଗରେ ସବୁଠୁ ବଡ଼ ଆହ୍ୱାନ ହେଉଛି, ନକାରାତ୍ମକ ଚିନ୍ତାଧାରାର ମୁକାବିଲା କରିବା ଏବଂ ସକାରାତ୍ମକତା ଦିଗରେ ଅଗ୍ରସର ହେବା,’’ ରାଷ୍ଟ୍ରପତି କହିଥିଲେ । ମାନବ ଜାତିକୁ ସଚେତନ କରିବା ଏବଂ ସକାରାତ୍ମକ ଦିଗରେ ଅଗ୍ରସର ହେବା ଲାଗି ଲୋକମାନଙ୍କୁ ସହାୟତା କରିବା ଲାଗି ସେ ବ୍ରହ୍ମାକୁମାରୀ ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ ।

 

******

P.S.


(ରିଲିଜ ଆଡି: 1943180) ପରିଦର୍ଶକ କାଉଣ୍ଟର : 196
ଏହି ରିଲିଜ ପଢନ୍ତୁ : Telugu , English , Urdu , हिन्दी , Punjabi , Tamil , Kannada