ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜସ୍ଥାନର ବିକାନେରରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
08 JUL 2023 8:12PM by PIB Bhubaneshwar
ମଞ୍ଚ ଉପରେ ଉପସ୍ଥିତ ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କଲରାଜ ମିଶ୍ର ମହୋଦୟ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ମହାଶୟ, ଅର୍ଜୁନ ମେଘୱାଲ ମହାଶୟ, ଗଜେନ୍ଦ୍ର ଶେଖାୱତ ମହାଶୟ, କୈଲାଶ ଚୌଧରୀ ମହାଶୟ, ସଂସଦରେ ମୋର ସାଥୀଗଣ, ବିଧାୟକ-ଗଣ, ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ !
ବୀରଙ୍କ ମାଟି ରାଜସ୍ଥାନକୁ ମୋର କୋଟି- କୋଟି ପ୍ରଣାମ! ଏହି ମାଟି ବାରମ୍ବାର ଯେଉଁମାନେ ବିକାଶ ପାଇଁ ସମର୍ପିତ ଲୋକ ଅଛନ୍ତି ସେମାନଙ୍କର ପ୍ରତୀକ୍ଷା କରିଥାଏ, ଆମନ୍ତ୍ରଣ ମଧ୍ୟ ପଠାଇଥାଏ । ଆଉ ମୁଁ ଦେଶ ତରଫରୁ ବିକାଶର ନୂଆ- ନୂଆ ଉପହାର, ଏହି ବୀର ମାଟିକୁ ତାହାର ଚରଣରେ ସମର୍ପିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛି । ଆଜି ଏଠାରେ ବିକାନେର ଏବଂ ରାଜସ୍ଥାନ ପାଇଁ 24 ହଜାର କୋଟି ଟଙ୍କାର ବିକାଶ ମୂଳକ ପ୍ରକଳ୍ପ ଗୁଡିକର ଲୋକାର୍ପଣ ହୋଇଛି । ରାଜସ୍ଥାନକୁ ମାତ୍ର କିଛି ମାସ ମଧ୍ୟରେ ହିଁ ଦୁଇ- ଦୁଇଟି ଆଧୁନିକ ଛଅ ଧାଡିଆ(ସିକ୍ସ ଲେନ) ଏକ୍ସପ୍ରେସ ମିଳିଛି । ଫେବୃୟାରୀ ମାସରେ ମୁଁ ଦିଲ୍ଲୀ- ମୁମ୍ବଇ ଏକ୍ସପ୍ରେସ କରିଡରର ଦିଲ୍ଲୀ- ଦୌସା- ଲାଲସୋଟ ସେକ୍ସନର ଲୋକାର୍ପଣ କରିଥିଲି । ଆଉ ଆଜି, ଏଠାରେ ଅମୃତସର- ଜାମନଗର ଏକ୍ସପ୍ରେସ-ୱେର 500 କିଲୋମିଟର ସେକ୍ସନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବାର ସୌଭାଗ୍ୟ ମିଳିଛି । ଅର୍ଥାତ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଜସ୍ଥାନ ଏକ୍ସପ୍ରେସ ବାବଦରେ ଦୁଇ ଶତକ ମାରି ଦେଇଛି ।
ସାଥୀଗଣ,
ଆଜି ନବୀକରଣୀୟ ଶକ୍ତି କ୍ଷେତ୍ରରେ ରାଜସ୍ଥାନକୁ ଆଗକୁ ନେଇଯିବା ପାଇଁ ସବୁଜ ଶକ୍ତି କରିଡରର ମଧ୍ୟ ଲୋକାର୍ପଣ ହୋଇଛି । ବିକାନେରରେ ଇଏସଆଇସି ହାସ୍ପାତାଳର କାର୍ଯ୍ୟ ମଧ୍ୟ ସଂମ୍ପୂର୍ଣ୍ଣ ହୋଇଯାଇଛି । ମୁଁ ଏହି ସମସ୍ତ ବିକାଶ କାର୍ଯ୍ୟ ପାଇଁ ବିକାନେର ଏବଂ ରାଜସ୍ଥାନର ଲୋକଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।
ସାଥୀଗଣ,
ଯେ କୌଣସି ରାଜ୍ୟ ବିକାଶର ଦୌଡରେ ସେତେବେଳେ ଆଗକୁ ଚାଲି ଯାଇଥାଏ, ଯେତେବେଳେ ତାହାର ସାମର୍ଥ୍ୟର, ତାହାର ସମ୍ଭାବନାର ସଠିକ ଆକଳନ କରାଯାଏ । ରାଜସ୍ଥାନରେ ତ’ ଅପାର ସାମର୍ଥ୍ୟ ଏବଂ ସମ୍ଭାବନାର କେନ୍ଦ୍ର ରହିଛି । ରାଜସ୍ଥାନରେ ବିକାଶକୁ ଦ୍ରୁତ ଗତି ଦେବାର ଶକ୍ତି ଅଛି, ଏଥିପାଇଁ ଆମେ ଏଠାରେ ରେକର୍ଡ ପରିମାଣରେ ନିବେଶ କରୁଛୁ । ରାଜସ୍ଥାନରେ ଶିଳ୍ପ ବିକାଶର ଅପାର ସମ୍ଭାବନାମାନ ରହିଛି, ଏଥିପାଇଁ ଆମେ ଏଠାରେ ଯୋଗାଯୋଗକୁ, ଭିତିଭୁମିକୁ ହାଇଟେକର ରୂପ ଦେଉଛୁ । ଦ୍ରୁତ ଗତିର ଏକ୍ସପ୍ରେସ-ୱେ ଏବଂ ରେଳପଥ ସହିତ ସମଗ୍ର ରାଜସ୍ଥାନରେ ପର୍ଯ୍ୟଟନ ସହିତ ଜଡିତ ସୁଯୋଗର ମଧ୍ୟ ସଂପ୍ରସାରଣ ହେବ । ଏହାର ସବୁଠାରୁ ବଡ଼ ଲାଭ ଏଠାକାର ଯୁବକମାନଙ୍କୁ ମିଳିବ, ରାଜସ୍ଥାନର ପୁଅ- ଝିଅମାନଙ୍କୁ ମିଳିବ ।
ସାଥୀଗଣ,
ଆଜି ଯେଉଁ ଗ୍ରୀନ ଫିଲ୍ଡ ଏକ୍ସପ୍ରେସ-ୱେର ଲୋକାର୍ପଣ ହେଲା, ଏହି କରିଡର ରାଜସ୍ଥାନକୁ ହରିୟାଣା, ପଞ୍ଜାବ, ଗୁଜରାଟ ଏବଂ ଜମ୍ମୁ- କଶ୍ମୀର ସହିତ ଯୋଡିବ । ଜାମନଗର ଏବଂ କାଣ୍ଡଲା ଭଳି ବଡ଼ ବାଣିଜ୍ୟିକ ସାମୁଦ୍ରିକ ବନ୍ଦର ମଧ୍ୟ ଏହା ଦ୍ୱାରା ରାଜସ୍ଥାନ ଏବଂ ବିକାନେର ସହିତ ସିଧାସଳଖ ଯୋଡି ହୋଇ ଯିବ । ଗୋଟିଏ ପଟେ ଯେତେବେଳେ ବିକାନେର ସହିତ ଅମୃତସର ଏବଂ ଯୋଧପୁରର ଦୂରତା ହ୍ରାସ ପାଇବ ସେତେବେଳେ ଅନ୍ୟପକ୍ଷରେ ଯୋଧପୁରରରୁ ଜାଲୌର ଓ ଗୁଜରାଟର ଦୂରତା ମଧ୍ୟ କମ୍ ହୋଇଯିବ । ଏହାର ଲାଭ ଏହି ସମଗ୍ର ଅଂଚଳର କୃଷକ ଏବଂ ବ୍ୟବସାୟୀମାନଙ୍କୁ ବ୍ୟାପକ ସ୍ତରରେ ମିଳିବ । ଅର୍ଥାତ ଅନ୍ୟ ପକ୍ଷରେ ଏହି ଏକ୍ସପ୍ରେସ-ୱେ ସମଗ୍ର ପଶ୍ଚିମ ଭାରତକୁ ତାହର ଔଦ୍ୟୋଗିକ କାର୍ଯ୍ୟକଳାପକୁ ନୂତନ ଶକ୍ତି ଦେବ । ବିଶେଷକରି, ଦେଶର ତୈଳ କ୍ଷେତ୍ର ବିଶୋଧନାଗାର ଗୁଡିକ ଏହା ସହିତ ଯୋଡି ହେବେ, ଯୋଗାଣ ଶୃଙ୍ଖଳ ସୁଦୃଢ ହେବ, ଏବଂ ଦେଶକୁ ଏକ ଆର୍ଥିକ ଗତି ମିଳିବ ।
ସାଥୀଗଣ,
ଆଜି ଯେତେବେଳେ ବିକାନେର ରତନଗଡ଼ ରେଳ ଲାଇନର ଦୋହରୀକରଣର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଆମେ ରାଜସ୍ଥାନରେ ରେଳବାଇର ବିକାଶକୁ ମଧ୍ୟ ନିଜର ପ୍ରାଥମିକତାରେ ରଖିଛୁ । 2004ରୁ 20014 ମଧ୍ୟରେ ରାଜସ୍ଥାନକୁ ରେଳବାଇ ପାଇଁ ପ୍ରତ୍ୟେକ ବର୍ଷ ହାରାହାରି ଏକ ହଜାର କୋଟି ଟଙ୍କାରୁ ମଧ୍ୟ କମ୍ ମିଳୁଥିଲା । ଯେତେବେଳେ କି ଆମ ସରକାର ରାଜସ୍ଥାନରେ ରେଳବାଇର ବିକାଶ ପାଇଁ ପ୍ରତ୍ୟେକ ବର୍ଷ ହାରାହାରି ପାଖାପାଖି 10 ହଜାର କୋଟି ଟଙ୍କା ଦେଇଛନ୍ତି । ଆଜି ଏଠାରେ ଦ୍ରୁତ ଗତିରେ ନୂତନ ରେଳ ଲାଇନଗୁଡିକ ବିଛା ଯାଉଛି, ଦ୍ରୁତ ଗତିରେ ରେଳ ଟ୍ରାକର ବିଦ୍ୟୁତୀକରଣ ହେଉଛି ।
ସାଥୀଗଣ,
ଭିତିଭୁମିର ଏହି ବିକାଶର ସବୁଠାରୁ ଅଧିକ ଲାଭ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଏବଂ କୁଟୀର ଶିଳ୍ପକୁ ମିଳିଥାଏ । ବିକାନେର ତ’ ଆଚାର, ପାମ୍ପଡ, ନମକିନ୍, ଏବଂ ଏଭଳି ସମସ୍ତ ଉତ୍ପାଦଗୁଡିକ ପାଇଁ ହେଉଛି ସାରା ଦେଶରେ ପ୍ରସିଦ୍ଧ । ଯୋଗାଯୋଗ ଆହୁରି ଭଲ ହେବ, ତେବେ ଯାଇଁ ଏଠାକାର କୁଟୀର ଶିଳ୍ପ କମ୍ ଖର୍ଚ୍ଚରେ ନିଜର ସାମଗ୍ରୀ ଦେଶର କୋଣ- ଅନୁକୋଣ ପର୍ଯ୍ୟନ୍ତ ପହଂଚାଇ ପାରିବେ । ଦେଶବାସୀଙ୍କୁ ମଧ୍ୟ ବିକାନେରର ସ୍ୱାଦିଷ୍ଟ ଉତ୍ପାଦର ଆନନ୍ଦ ଅଧିକ ସହଜରେ ମିଳି ପାରିବ ।
ସାଥୀଗଣ,
ବିଗତ 9 ବର୍ଷରେ ଆମେ ରାଜସ୍ଥାନର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରିଛୁ । ଯେଉଁ ସୀମାନ୍ତ ଅଞ୍ଚଳ ଦଶକ ଦଶକ ଧରି ବିକାଶରୁ ବଂଚିତ ରହିଥିଲା, ତହାର ବିକାଶ ପାଇଁ ଆମେ ଜୀବନ୍ତ ବା ଭାଇବ୍ରେଂଟ ଗ୍ରାମ ଯୋଜନା ଆରମ୍ଭ କରିଛୁ । ଆମେ ସୀମାନ୍ତ ଗ୍ରାମଗୁଡିକୁ ଦେଶର ପ୍ରଥମ ଗ୍ରାମ ଭାବେ ଘୋଷଣା କରିଛୁ । ଏହାଦ୍ୱାରା ଏଇ ଅଞ୍ଚଳରେ ବିକାଶ ହେଉଛି, ଦେଶର ଲୋକମାନଙ୍କୁ ମଧ୍ୟ ସୀମାନ୍ତ ଅଞ୍ଚଳକୁ ଯିବାପାଇଁ ଆଗ୍ରହ ବୃଦ୍ଧି ପାଉଛି । ଏହାଦ୍ୱାରା ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ମଧ୍ୟ ବିକାଶର ନୂତନ ଉର୍ଜ୍ଜା ପହଂଚିଛି ।
ସାଥୀଗଣ,
ଆମର ରାଜସ୍ଥାନକୁ ସାଲାସର ବାଲାଜୀ ଏବଂ କରଣୀ ମାତା ଏତେ କିଛି ଦେଇଛନ୍ତି । ଏଥିପାଇଁ ତ’ ବିକାଶ କ୍ଷେତ୍ରରେ ମଧ୍ୟ ସବୁଠାରୁ ଉପରେ ରହିବା ଆବଶ୍ୟକ । ଆଜି ଭାରତ ସରକାର ଏହି ଭାବନା ସହିତ କ୍ରମାଗତ ଭାବେ ବିକାଶର କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି, ସମ୍ପୁର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି । ମୋର ବିଶ୍ୱାସ ଯେ, ଆମେ ସମସ୍ତେ ଏକାଠି ମିଳିମିଶି ରାଜସ୍ଥାନର ବିକାଶକୁ ଆହୁରି ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢାଇବା । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି । ବହୁତ- ବହୁତ ଧନ୍ୟବାଦ !
*****
AH
(Release ID: 1938302)
Visitor Counter : 130
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam