ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଖାଇବା ତେଲ କିଣିବାକୁ ଖାଉଟିଙ୍କୁ ଏବେ କମ୍ ଅର୍ଥ ଖର୍ଚ୍ଚ କରିବାକୁ ପଡିବ


ରିଫାଇନ୍‌ଡ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୫% କମିଲା

ଆଜିଠାରୁ ରିଫାଇନ ହୋଇଥିବା ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୧୭.୫%ରୁ ୧୨. ୫ ଶତାଂଶକୁ ହ୍ରାସ ପାଇଲା

ଘରୋଇ ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି

Posted On: 15 JUN 2023 1:34PM by PIB Bhubaneshwar

ଦେଶର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି (ନଂ.୩୯/୨୦୨୩) ୨୦୨୩ ଜୁନ ୧୪ତାରିଖରେ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ରିଫାଇନ୍ ହୋଇଥିବା ସୋୟାବିନ୍ ତେଲ (ଏଚ୍‌ଏସ୍ କୋଡ-୧୫୦୭୯୦୧୦) ଓ ରିଫାଇନ ହୋଇଥିବା ସୂର୍ଯ୍ୟମୁଖୀ ତେଲ (ଏଚ୍‌ଏସ୍ କୋଡ ୧୫୧୨୧୯୧୦)ଉପରୁ ମୌଳିକ ଆମଦାନୀ ଶୁଳ୍କକୁ ୧୭.୫% ଶତାଂଶରୁ ୧୨. ୫ ଶତାଂଶକୁ ହ୍ରାସ କରାଯାଇଛି । ଏହି ଆଦେଶ ତତ୍‌କାଳ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ୨୦୨୪ ମାର୍ଚ୍ଚ ୩୧ ଯାଏ ଏହା ବଳବତ୍ତର ରହିବ । 

ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ ଏହି ଶୁଳ୍କ ହ୍ରାସ ତାହାକୁ ଆହୁରି ସୁଦୃଢ କରିବ । ମୌଳିକ ଆମଦାନୀ ଶୁଳ୍କ ଏପରି ଏକ ଟିକସ ଯାହା ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ମହଙ୍ଗା କରେ । ଫଳରେ ଖାଉଟିଙ୍କୁ ଅଧିକ ଅର୍ଥ ଦେଇ ଖାଇବା ତେଲ କିଣିବାକୁ ହୋଇଥାଏ । ରିଫାଇନଡ୍ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହି ଦୁଇ ତେଲର ଖୁଚୁରା ମୂଲ୍ୟ କମିବ। ଏହା ଫଳରେ ଖାଉଟି ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ ରିଫାଇନ୍ ହୋଇଥିବା ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସରକାର ଏହା ପୂର୍ବରୁ ୨୦୨୧ ଅକ୍ଟୋବରରେ ମୌଳିକ ଆମଦାନୀ ଶୁଳ୍କ ୩୨.୫ ଶତାଂଶରୁ ୧୭.୫ ଶତାଂଶକୁ ହ୍ରାସ କରିଥିଲେ । ସେତେବେଳେ ଏହି ଦୁଇ ତେଲର ଆର୍ନ୍ତଜାତିକ ମୂଲ୍ୟ ଅତି ଅଧିକ ଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ । ସେତେବେଳେ ଉଚ୍ଚା ମୌଳିକ ଆମଦାନୀ ଶୁଳ୍ପ ଯୋଗୁଁ ଘରେଇ ବଜାରରେ ଏହି ତେଲର ଦାମ ବହୁ ଅଧିକ ଥିଲା । 

ଦେଶରେ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଓ ଏହାର ବିଭାଗ ସବୁ ତୀକ୍ଷ୍‌ଣ ନଜର ରଖିଛି । ଖାଇବା ତେଲର ମୂଲ୍ୟକୁ ନିୟମିତଭାବେ ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ହସ୍ତକ୍ଷେପ ମାଧ୍ୟମରେ ଏହାର ମୂଲ୍ୟକୁ ସ୍ଥିର ରଖିବାକୁ ଉଦ୍ୟମ କରାଯାଉଛି । ଘରୋଇ ବଜାରରେ ଖାଇବା ତେଲର ଅଭାବ ଯେପରି ନ ରହେ ତା’ ଉପରେ ମଧ୍ୟ କେନ୍ଦ୍ର ସରକାର ବିଶେଷ ଧ୍ୟାନ ରଖିଛନ୍ତି ।

*****

TKM/SLP



(Release ID: 1932668) Visitor Counter : 119