ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକଳନକୁ ଟପିଲା ପ୍ରତ୍ୟକ୍ଷ ଟିକସ ସଂଗ୍ରହ


ବଜେଟ ପୂର୍ବାନୁମାନ ଠାରୁ ୧୬.୯୭ ପ୍ରତିଶତ ଅଧିକ ଅର୍ଥାତ୍‌ ୨.୪୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଟିକସ ଆଦାୟ

୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ଅସ୍ଥାୟୀ) ସଂଶୋଧିତ ପୂର୍ବାନୁମାନ ଠାରୁ ୦.୬୯% ଅଧିକ

୨୦୨୨-୨୩ ଆର୍ଥିକ ବର୍ଷରେ ୧୯.୬୮ ଲକ୍ଷ କୋଟି ଟଙ୍କାର ସକଳ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ଅସ୍ଥାୟୀ); ପୂର୍ବବର୍ଷ ତୁଳନାରେ ୨୦.୩୩% ବୃଦ୍ଧି

୨୦୨୨-୨୩ ଆର୍ଥିକ ବର୍ଷରେ ଶୁଦ୍ଧ (ନିଟ୍‌) ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ଅସ୍ଥାୟୀ) ୧୭.୬୩% ବୃଦ୍ଧି ପାଇ ୧୬.୬୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା

୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ୍‌ ୩,୦୭,୩୫୨ କୋଟି ଟଙ୍କାର ରିଫଣ୍ଡ ଜାରି

Posted On: 03 APR 2023 7:02PM by PIB Bhubaneshwar

୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକଳନ ଠାରୁ ଅଧିକ ଅସ୍ଥାୟୀ (ପ୍ରୋଭିଜନାଲ) ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି । ଚଳିତ ବର୍ଷ ୧୬.୬୧ ଲକ୍ଷ କୋଟି ଟଙ୍କାର ଶୁଦ୍ଧ (ଟିକସ) ସଂଗ୍ରହ କରାଯାଇଛି ଯାହାକି ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୧-୨୨ ତୁଳନାରେ ୧୭.୬୩% ଅଧିକ । ଗତ ବର୍ଷ ୧୪.୧୨ ଲକ୍ଷ କୋଟି ଟଙ୍କାର ଶୁଦ୍ଧ ଟିକସ ସଂଗ୍ରହ କରାଯାଇଥିଲା।

୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ୧୪.୨୦ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ କରାଯାଇ ସଂଶୋଧିତ ଆକଳନ ଅନୁଯାୟୀ ୧୬.୫୦ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଆଦାୟ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ବଜେଟ ଆକଳନ ଠାରୁ ୧୬.୯୭% ଅଧିକ ଏବଂ ସଂଶୋଧିତ ଆକଳନ ଠାରୁ ୦.୬୯ ପ୍ରତିଶତ ଅଧିକ ଅସ୍ଥାୟୀ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ରିଫଣ୍ଡଗୁଡ଼ିକର ଶୁଦ୍ଧ ବା ନିଟ୍‌ ଅଫ୍‌ ଦ ରିଫଣ୍ଡ) କରାଯାଇଛି ।

ରିଫଣ୍ଡ ପରିଶୋଧ କରିବା ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସର ସକଳ ସଂଗ୍ରହ (ଅସ୍ଥାୟୀ) ପରିମାଣ ୧୯.୬୮ ଲକ୍ଷ କୋଟି ଟଙ୍କା ରହିଛି ଯାହାକି ୨୦୨୧-୨୨ ଆର୍ଥିକ ବର୍ଷରେ ସଂଗୃହିତ ଟିକସ ପରିମାଣ ୧୬.୩୬ ଲକ୍ଷ କୋଟି ଟଙ୍କା ଠାରୁ ୨୦.୩୩% ଅଧିକ ।

୨୦୨୨-୨୩ ଆର୍ଥିକ ବର୍ଷରେ ସକଳ କର୍ପୋରେଟ ଟିକସ ସଂଗ୍ରହ (ଅସ୍ଥାୟୀ) ୧୦,୦୪,୧୧୮ କୋଟି ଟଙ୍କା ରହିଛି ଏବଂ ଏହା ପୂର୍ବ ଆର୍ଥିକ ବର୍ଷରେ ସଂଗୃହିତ ସକଳ କର୍ପୋରେଟ୍‌ ଟିକସ ପରିମାଣ ୮,୫୮,୮୪୯ କୋଟି ଟଙ୍କା ଠାରୁ ୧୬.୯୧% ଅଧିକ ।

୨୦୨୨-୨୩ ଆର୍ଥିକ ବର୍ଷରେ ଏସଟିଟି ସମେତ ସକଳ ବ୍ୟକ୍ତିଗତ ଆୟକର ଆଦାୟ (ଅସ୍ଥାୟୀ) ୯,୬୦,୭୬୪ କୋଟି ଟଙ୍କା ରହିଛି ଏବଂ ଏହା ପୂର୍ବବର୍ଷ ସଂଗୃହିତ ବ୍ୟକ୍ତିଗତ ଆୟକର (ଏସଟିଟି ସମେତ) ପରିମାଣ ୭,୭୩,୩୮୯ ଠାରୁ ୨୪.୨୩% ଅଧିକ ।

୨୦୨୨-୨୩ ଆର୍ଥିକ ବର୍ଷରେ ୩,୦୭,୩୫୨ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି ଏବଂ ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ଜାରି ହୋଇଥିବା ରିଫଣ୍ଡ ପରିମାଣ ୨,୨୩,୬୫୮ କୋଟି ଟଙ୍କା ଠାରୁ ୩୭.୪୨% ଅଧିକ ।

 

******

P.S.



(Release ID: 1913450) Visitor Counter : 153