ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav

ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର


ଜମାଖୋର ଏବଂ ଅସାଧୁ ବ୍ୟବସାୟୀ ଗଚ୍ଛିତ ରଖିଥିବା ଡାଲି ଷ୍ଟକ ଯାଞ୍ଚ କରାଯିବ

ଆଗାମୀ ଦିନରେ ଦରବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପର ପଦକ୍ଷେପ

Posted On: 27 MAR 2023 3:50PM by PIB Bhubaneshwar

କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ ସରକାରଙ୍କ ସହିତ ନିବିଡ଼ ସମନ୍ୱୟ ସ୍ଥାପନ କରି ରପ୍ତାନିକାରୀ, ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ ପ୍ରମୁଖଙ୍କ ପାଖରେ ଗଚ୍ଛିତ ରହିଥିବା ହରଡ଼ ଡାଲି ଷ୍ଟକ ଅନୁଧ୍ୟାନ କରିବେ । ଯଥେଷ୍ଟ ପରିମାଣରେ ହରଡ଼ ଡାଲି ଆମଦାନୀ କରାଯାଉଥିଲେ ମଧ୍ୟରେ କିଛି ଅସାଧୁ ବ୍ୟବସାୟୀ ସେସବୁକୁ ଖୋଲା ବଜାରକୁ ଛାଡ଼ିବା ପରିବର୍ତ୍ତେ ଗଚ୍ଛିତ ରଖୁଛନ୍ତି । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଜାରରେ ଜମାଖୋର ଏବଂ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଗଚ୍ଛିତ ରଖିଥିବା ହରଡ଼ ଡାଲି ଷ୍ଟକକୁ ଯାଞ୍ଚ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର କମିଟି ଗଠନ କରିଛନ୍ତି । ଏହା ଆଗାମୀ ମାସଗୁଡ଼ିକରେ ହରଡ଼ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି । ସରକାର ଘରୋଇ ବଜାରରେ ଅନ୍ୟ ଡାଲିର ଗଚ୍ଛିତ ପରିମାଣ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି, ଯଦ୍ଦ୍ୱାରା ଆଗାମୀ ମାସଗୁଡ଼ିକରେ ଅହେତୁକ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅଧୀନରେ ଗଚ୍ଛିତ ହରଡ଼ ଡାଲିର ଷ୍ଟକ୍‌ ପରିମାଣ ପ୍ରକାଶ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଗତ ବର୍ଷ ଅଗଷ୍ଟ ୧୨ ତାରିଖରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାର୍ଗଦର୍ଶିକା ଜାରି କରିଥିଲେ । ଆହୁରି ହରଡ଼ ଡାଲି ଆମଦାନୀକୁ ସୁଗମ ଓ ବାଧାମୁକ୍ତ କରିବା ଲାଗି ସରକାର ଅଣ-ଏଲଡିସି ଦେଶରୁ ଏହି ଡାଲି ଆମଦାନୀ ଉପରେ ଲାଗୁ ହେଉଥିବା ୧୦ ପ୍ରତିଶତ ଶୁଳ୍କକୁ ଉଚ୍ଛେଦ କରିଥିଲେ, କାରଣ ଏଲଡିସି ଦେଶରୁ ନିଃଶୁଳ୍କ ଆବଦାନୀ କ୍ଷେତ୍ରରେ ମଧ୍ୟ ଏହି ଶୁଳ୍କ ପ୍ରକ୍ରିୟାଗତ ବାଧା ଉତ୍ପନ୍ନ କରୁଥିଲା ।

****

P.S.


(Release ID: 1911246) Visitor Counter : 147