ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
“ମହିଳାଙ୍କ ଆର୍ଥିକ ସଶକ୍ତିକରଣ” ନେଇ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
“୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଦେଶ ଚଳିତ ବର୍ଷର ବଜେଟକୁ ଶୁଭ ବିବେଚନା କରୁଛି”
“ମହିଳା ନେତୃତ୍ୱାଧୀନ ବିକାଶକୁ ଚଳିତ ବର୍ଷର ବଜେଟ ନୂତନ ଗତି ପ୍ରଦାନ କରିବ”
“ମହିଳା ସଶକ୍ତିକରଣ
ଉଦ୍ୟମର ଫଳାଫଳ ବେଶ ଆଖିଦୃଶିଆ ଓ ଆମେ ଦେଶର ସାମାଜିକ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଅନୁଭବ କରୁଛୁ”
“ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକ ବିଦ୍ୟା ଓ ଗଣିତରେ ଦେଶର ମହିଳାଙ୍କ ଉପସ୍ଥାନ ଶତକଡ଼ା ୪୩ ଭାଗ ଯାହାକି ଆମେରିକା, ଯୁକ୍ତରାଜ୍ୟ ଓ ଜର୍ମାନୀ ଭଳି ଦେଶଙ୍କ
ତୁଳନାରେ ମଧ୍ୟ ଅଧିକ”
“ପରିବାରର ଆର୍ଥିକ ନିଷ୍ପତ୍ତିରେ ମହିଳାଙ୍କ ନୂତନ ସ୍ୱର ପିଏମ ଆବାସ ଯୋଗୁ ବେଶ ଦୃଢ଼ ହୋଇଛି”
“ଗତ ନଅ ବର୍ଷ ମଧ୍ୟରେ ସାତ କୋଟିରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି”
“ମହିଳାମାନଙ୍କ ସମ୍ମାନ ଓ ସମାନତା ଜ୍ଞାନର ସ୍ତରକୁ ଉନ୍ନୀତ କରି ଭାରତ ଆଗକୁ ବଢ଼ିପାରିବ”
“ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମହିଳା ଦିବସ ପ୍ରବନ୍ଧରୁ ଉଦ୍ଦୃତ କରି ସେ ତାଙ୍କ ବକ୍ତବ୍ୟ ସମାପନ କରିଥିଲ”
ପୋଷ୍ଟ କରାଯିବା ଦିନାଙ୍କ:
10 MAR 2023 10:25AM by PIB Bhubaneswar
ମହିଳା ସଶକ୍ତିକରଣ ସମ୍ପର୍କିତ ଏକ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀ ଆଜି (୧୦.୦୩.୨୦୨୩) ସମ୍ବୋଧନ କରିଛନ୍ତି । କେନ୍ଦ୍ରୀୟ ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପ ତଥା ଏହା ତ୍ୱରାନ୍ୱିତ କରିବା ନିମନ୍ତେ ଜନସାଧାରଣଙ୍କ ମତାମତ ଓ ପ୍ରସ୍ତାବ ଦେବା ପରିପ୍ରେକ୍ଷୀରେ ସରକାର ଆୟୋଜନ କରିଥିବା ୧୨ଟି ୱେବିନାର ମଧ୍ୟରୁ ଏହା ଏକାଦଶତମ ୱେବିନାର ।
୨୦୪୭ ବିକଶିତ ଭାରତର ଲକ୍ଷ୍ୟ ହାସଲ ନିମନ୍ତେ ଦେଶ ଚଳିତ ବର୍ଷର ବଜେଟକୁ ଦେଶ ଏକ ଶୁଭ ଅବସର ବିବେଚନା କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଭବିଷ୍ୟତର ଅମୃତ କାଳ ଦୃଷ୍ଟିରୁ ଏହି ବଜେଟକୁ ଦେଖାଯିବା ସହ ପରୀକ୍ଷା କରାଯାଇଛି । ଏହା ଏକ ଶୁଭ ସଙ୍କେତ ଯେ ଦେଶର ନାଗରିକଗଣ ଏହିସବୁ ଲକ୍ଷ୍ୟ ସହ ସଂଯୋଗ କରି ନିଜର ଆଗାମୀ ୨୫ ବର୍ଷ ଉପରେ ନଜର ରଖୁଛନ୍ତି ବୋଲି ସେ କହିଥିଲେ ।
ଗତ ନଅ ବର୍ଷ ମଧ୍ୟରେ ଦେଶ ମହିଳା ନେତୃତ୍ୱରେ ବିକାଶ ଦିଗରେ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଥିଲେ । ଭାରତ ଜି-୨୦ ବୈଠକରେ ଅଧ୍ୟକ୍ଷତା କରୁଥିବା ବେଳେ, ଦେଶ ଏହି ଉଦ୍ୟମକୁ ବୈଶ୍ୱିକ ସ୍ତର ପର୍ଯ୍ୟନ୍ତ ନେଇଛି । ମହିଳା ନେତୃତ୍ୱାଧୀନ ବିକାଶକୁ ଏହି ବଜେଟ ନୂତନ ଗତି ପ୍ରଦାନ କରିବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ନାରୀ ଶକ୍ତିର ସଂକଳ୍ପ, ଇଚ୍ଛା ଶକ୍ତି, କଳ୍ପନା, ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ ସାମର୍ଥ୍ୟ ଓ ଅତ୍ୟନ୍ତ କଠିନ ପରିସ୍ଥିତିରେ କାର୍ଯ୍ୟ ହେଉଛି ମାତୃଶକ୍ତିର ପ୍ରତିଫଳନ । ଏହି ଶତାବ୍ଦୀରେ ଏସବୁ ଗୁଣ ଦେଶର ମାନ ଓ ଗତି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମହିଳା ସଶକ୍ତିକରଣ ଉଦ୍ୟମ ଜଳଜଳ ଦିଶୁଥିବା ବେଳେ, ଆମେ ଦେଶର ସାମାଜିକ ଜୀବନର ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରୁଛୁ । ପୁରୁଷଙ୍କ ତୁଳନାରେ ମହିଳା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ହାଇସ୍କୁଲ ଓ ତା’ ଠାରୁ ଅଧିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ବାଳିକାମାନଙ୍କ ସଂଖ୍ୟା ଗତ ନଅରୁ ଦଶ ବର୍ଷ ମଧ୍ୟରେ ତିନିଗୁଣ ବୃଦ୍ଧି ପାଇଛି । ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକ ବିଦ୍ୟା ଓ ଗଣିତ କ୍ଷେତ୍ରରେ ମଧ୍ୟ ବର୍ତ୍ତମାନ ବାଳିକାଙ୍କ ଉପସ୍ଥାନ ଶତକଡ଼ା ୪୩ ଭାଗ ଯାହାକି ଆମେରିକା, ଯୁକ୍ତରାଜ୍ୟ ଓ ଜର୍ମାନୀ ଦେଶ ତୁଳନାରେ ମଧ୍ୟ ଅଧିକ । ମେଡିକାଲ, କ୍ରୀଡ଼ା, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ସେମାନଙ୍କ ଭାଗୀଦରିତା କେବଳ ବୃଦ୍ଧି ପାଉନାହିଁ, ବରଂ ସେମାନେ ଆଗରେ ରହି ନେତୃତ୍ୱ ନେଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ମୁଦ୍ରା ଋଣ ଗ୍ରହୀତାଙ୍କ ମଧ୍ୟରୁ ଶତକଡ଼ା ୭୦ ଭାଗ ହିତାଧିକାରୀ ହେଉଛନ୍ତି ମହିଳା । ସେହିପରି ମହିଳାମାନେ ମଧ୍ୟ ସ୍ୱନିଧି ଯୋଜନା, ପଶୁପାଳନ, ମତ୍ସ୍ୟଚାଷ, ଗ୍ରାମଦ୍ୟୋଗ, ଏଫପିଓ ଓ କ୍ରୀଡ଼ା ଯୋଜନା ଦ୍ୱାରା ମଧ୍ୟ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଦେଶର ଅଧାଧିକ ଜନସଂଖ୍ୟାଙ୍କ ସାହାଯ୍ୟରେ ଆମେ କିପରି ଆଗକୁ ନେବା ଓ ନାରୀ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରିବା ନେଇ ସମସ୍ତ ପଦକ୍ଷେପ ଏହି ବଜେଟରେ ପ୍ରତିଫଳିତ ହୋଇଛି ।” ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନାରେ ଜଣେ ମହିଳା ଶତକଡ଼ା ୭.୫ ଭାଗ ସୁଧ ପାଇବା ବିଷୟରେ ଉଲ୍ଲେଖ କରିଥିଲେ । “ପିଏମ ଆବାସ ଯୋଜନାରେ ୮୦ ହଜାର କୋଟି ବ୍ୟୟ ଅଟକଳ ଓ ତିନି କୋଟି ଘରରୁ ଅଧିକ ଗୃହ ମହିଳାଙ୍କ ନାମରେ ହେଉଥିବାରୁ ଏହା ମହିଳା ସଶକ୍ତିକରଣର ଏକ ପ୍ରମାଣ” ବୋଲି ଶ୍ରୀ ମୋଦୀ କହିଥିଲେ । ପାରମ୍ପରିକ ଭାବେ ମହିଳାଙ୍କ ନାମରେ କୌଣସି ସମ୍ପତ୍ତି ନ ଥିବା ବେଳେ ପିଏମ ଆବାସରେ ମହିଳାଙ୍କୁ ସଶକ୍ତ କରିବାର ଏକ ପ୍ରମୁଖ ଦିଗ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ । “ପିଏମ ଆବାସ ମହିଳାମାନଙ୍କୁ ପରିବାରର ଆର୍ଥିକ ନିଷ୍ପତ୍ତି କ୍ଷେତ୍ରରେ ଏକ ନୂତନ ସ୍ୱର ଉତ୍ତୋଳନ ପାଇଁ କ୍ଷମତା ପ୍ରଦାନ କରିଛି” ବୋଲି ସେ କହିଥିଲେ ।
ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ନୂତନ ୟୁନିକର୍ଣ୍ଣ ଗଠନ ପାଇଁ ସମର୍ଥନ ସଂକ୍ରାନ୍ତରେ ଘୋଷଣା ହୋଇଛି । ପରିବର୍ତ୍ତିତ ପରିପ୍ରେକ୍ଷୀରେ ମହିଳା ସଶକ୍ତିକରଣ ନେଇ ଦେଶର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି । ଆଜି ପାଞ୍ଚଟି ଅଣ-ଫାର୍ମ ବ୍ୟବସାୟରୁ ଗୋଟିଏ ମହିଳାଙ୍କ ଦ୍ୱାରା ଚାଲୁଛି । ଗତ ନଅ ବର୍ଷ ମଧ୍ୟରେ ସାତ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ୬.୨୫ ଲକ୍ଷ କୋଟି ଟଙ୍କା ଋଣ ଦେଇଛନ୍ତି ଓ ସେମାନଙ୍କ ମୂଳଧନ ଆବଶ୍ୟକତା ଠାରୁ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମୂଲ୍ୟକୁ ଆକଳନ କରାଯାଇପାରେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମହିଳାଗଣ କେବଳ ଛୋଟ ଉଦ୍ୟୋଗୀ ହେଉନାହାନ୍ତି ବରଂ ସମର୍ଥ ଥିବା ମାନବ ସମ୍ବଳ ଭାବେ ଉଭା ହେଉଛନ୍ତି । ବ୍ୟାଙ୍କ ସାକ୍ଷୀ, କୃଷି ସାକ୍ଷୀ ଓ ପଶୁ ସାକ୍ଷୀ ଭଳି କାର୍ଯ୍ୟକ୍ରମ ନିମନ୍ତେ ଗ୍ରାମ୍ୟ ବିକାଶ ଏକ ନୂତନ ଗତି ପାଇଛି ।
ପ୍ରଧାନମନ୍ତ୍ରୀ ସମବାୟ କ୍ଷେତ୍ରରେ ଅବସ୍ଥାନ୍ତର ସହ ସେ କ୍ଷେତ୍ରରେ ମହିଳାମାନଙ୍କ ଭୂମିକାର ଅବତାରଣ କରିଥିଲେ । “ନିକଟ ଭବିଷ୍ୟତରେ ଦୁଇ ଲକ୍ଷରୁ ଅଧିକ ବହୁଉଦେଶ୍ୟ ପୂରଣକାରୀ ସମବାୟ ସମିତି, ଦୁଗ୍ଧ ସମବାୟ ସମିତି, ମତ୍ସ୍ୟ ସମବାୟ ସମିତିମାନ ତିଆରି ହେବା ପ୍ରାକୃତିକ କୃଷି ସହ ଏକ କୋଟି କୃଷକଙ୍କୁ ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମହିଳା ଚାଷୀ ଓ ଉତ୍ପାଦନକାରୀ ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଶ୍ରୀ ଅନ୍ନର ବିକାଶ ଦିଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଏକ କୋଟିରୁ ଅଧିକ ଆଦିବାସୀ ମହିଳା ଯେଉଁମାନଙ୍କ ଶ୍ରୀ ଅନ୍ନ ଉପରେ ଅଭିଜ୍ଞତା ଅଛି ସେମାନେ ଏହି ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଛନ୍ତି । “ଆମକୁ ଶ୍ରୀ ଅନ୍ନର ବଜାର ବ୍ୟବସ୍ଥା ସହ ପ୍ରକ୍ରିୟାକୃତ ଖାଦ୍ୟ ପ୍ରର୍ଯ୍ୟନ୍ତ ସୁଯୋଗ ଆମକୁ ଖୋଜିବାକୁ ହେବ । ଆଜି ଦୂର ଦୂରାନ୍ତରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଛି ଓ ଆମେ ସେମାନଙ୍କୁ ଆହୁରି ଉଚ୍ଚ ସ୍ତରକୁ ନେବା ଉଚିତ” ବୋଲି ଶ୍ରୀ ମୋଦୀ କହିଥିଲେ ।
କୌଶଳ ବିକାଶ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟରେ ବିଶ୍ୱକର୍ମା ଯୋଜନା ଅଣାଯାଇଛି ଓ ଏହା ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବ । ସେହିପରି ମହିଳାମାନଙ୍କ ନିମନ୍ତେ ବ୍ୟାବସାୟିକ ସୁଯୋଗ ବୃଦ୍ଧି ପାଇଁ ଜିଇଏମ ଓ ଇ-କମର୍ସ ଆଜିକାଲି ଅନେକ ସୁଯୋଗ ଆଣିଛି । ସେଥିପାଇଁ ତାଲିମରେ ପ୍ରଯୁକ୍ତିବିଦ୍ୟାକୁ ଅଗ୍ରାଧିକାର ଦେଇ ତାହା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବା ଦର୍କାର ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶ ଏବେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସର ପ୍ରେରଣା ନେଇ ଆଗେଇ ଚାଲିଛି । ସେ କହିଥିଲେ ଯେ ଦେଶର ଝିଅମାନେ ଜାତୀୟ ସୁରକ୍ଷା ଭୂମିକାରେ ରହିବା ଓ ରାଫେଲ ବିମାନ ଚାଳନା କରିବେ ଓ ରିକ୍ସ ନେଇ ନିଷ୍ପତ୍ତି ନେବା ସହ ଉଦ୍ୟୋଗୀ ହେବେ, ସେତେବେଳେ ସେମାନଙ୍କୁ ନେଇ ରହିଥିବା ଧାରଣା ମଧ୍ୟ ବଦଳିଯିବ । ସେ ନିକଟରେ ନାଗାଲାଣ୍ଡରୁ ଦୁଇଜଣ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ଭାବେ ଶପଥ ନେଇଥିବା କହିଥିଲେ । ଭାରତ ମହିଳାଙ୍କୁ ସମ୍ମାନ ଦେବା ସହ ସମାନତା ପ୍ରଦାନ କଲେ ଯାଇ ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ । ମହିଳା, ଭଉଣୀ, ଝିଅମାନଙ୍କ ସାମ୍ନାରେ ଆସୁଥିବା ବାଧାବିଘ୍ନ ଘୁଞ୍ଚାଇବା ପାଇଁ ଦୃଢ଼ ପ୍ରତିଜ୍ଞ ହୋଇ ଆଗେଇ ଆସିବାକୁ ମୁଁ ଆପଣମାନଙ୍କୁ ଆହ୍ୱାନ ଦେଉଛି” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ମହିଳା ଦିବସରେ ଲେଖିଥିବା ଏକ ପ୍ରବନ୍ଧକୁ ଉଦ୍ଦୃତ କରି ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ରାଷ୍ଟ୍ରପତି ଲେଖିଛନ୍ତି ଯେ “ଆମକୁ ଓ ଆମ ଭଳି ପ୍ରତ୍ୟେକଙ୍କୁ ପ୍ରଗତିକୁ ଆଗେଇ ନେବା ପାଇଁ ଦେଖିବାକୁ ହେବ । ମୁଁ ଆଜି ସମସ୍ତଙ୍କ ଠାରୁ ଆଶା କରୁଛି ଯେ ସେମାନେ ଅଙ୍ଗୀକାରବଦ୍ଧ ହୋଇ ଗୋଟିଏ ପରିବର୍ତ୍ତନ ନିଜର ପରିବାରରେ, ପଡ଼ୋଶୀରେ କିମ୍ବା କର୍ମ କ୍ଷେତ୍ରରେ ଆଣନ୍ତୁ- ଆଉ ତାହା ହେଲା ଯେ କୌଣସି ପରିବର୍ତ୍ତନ ଯାହା ଗୋଟିଏ ଝିଅର ମୁହଁରେ ହସ ଆଣିବ, ତାକୁ ଜୀବନରେ ଆଗଭର ହେବା ପାଇଁ ସୁଯୋଗ ଦେବ । ସେହି ଗୋଟିଏ ଅନୁରୋଧ ଯାହା ମୁଁ ଆଗରୁ କହିଛି, ମୋ ହୃଦୟ ଭିତରୁ କହିଛି ।
SM/MB
(ରିଲିଜ ଆଡି: 1905687)
ପରିଦର୍ଶକ କାଉଣ୍ଟର : 219
ଏହି ରିଲିଜ ପଢନ୍ତୁ :
Marathi
,
Kannada
,
Malayalam
,
Telugu
,
Bengali
,
Manipuri
,
Assamese
,
Tamil
,
English
,
Urdu
,
हिन्दी
,
Punjabi
,
Gujarati