ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଲିମ୍ଫାଟିକ ଫାଇଲେରିଆ ନିରାକରଣର ବାଟ ବାହାର କରିବା ସଂକ୍ରାନ୍ତ ଜାତୀୟ ଆଲୋଚନାଚକ୍ରକେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ


ଭାରତ ପାଇଁ ଲିମ୍ଫାଟିକ୍ ଫାଇଲେରିଆ ଏକ ଅବହେଳିତ ରୋଗ ନୁହେଁ; ବରଂ ଏକ ଅଗ୍ରାଧିକାର ବ୍ୟାଧି ଯାହାର ସମ୍ପୂର୍ଣ୍ଣ ବିଲୋପ ସରକାର ଚାହାନ୍ତି: ଡକ୍ଟର ମାଣ୍ଡଭିୟ

“ଆସନ୍ତୁ ୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆର ମୂଳ ଉତ୍ପାଟନ କରିବାର ଲକ୍ଷ୍ୟ ରଖିବା ଏବଂ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ତିନିବର୍ଷ ଆଗରୁ ଆମେ ଏହା ହାସଲ କରିବା”

Posted On: 13 JAN 2023 1:49PM by PIB Bhubaneshwar

ଲିମ୍ଫାଟିକ୍ ଫାଇଲେରିଆସିସ୍ ବା ଗୋଦର ଅନ୍ୟ ଦେଶ ପରି ଭାରତରେ ଏକ ଅବହେଳିତ ରୋଗ ନୁହେଁ । ଏହା ବରଂ ଏକ ଅଗ୍ରାଧିକାର ପର୍ଯ୍ୟାୟର ରୋଗ ଏବଂ ଭାରତ ସରକାର ଅଗ୍ରାଧିକାର ଭିତ୍ତିରେ ସମୟବଦ୍ଧ ନୀତିରେ ଏହାର ଅବସାନ ଘଟାଇବାକୁ ଚାହାନ୍ତି । ଲିମ୍ଫାଟିକ୍ ଫାଇଲେରିଆର ଅବସାନ ୨୦୨୭ ସୁଦ୍ଧା ଘଟାଇବାକୁ ଭାରତ ଅଙ୍ଗୀକାରବଦ୍ଧ । ଏଥିପାଇଁ ବୈଶ୍ୱିକ ସ୍ତରରେ ଯେଉଁ ସମୟ ସୀମା ଧାର୍ଯ୍ୟ କରାଯାଇଛି ତାହାର ତିନିବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୭ସୁଦ୍ଧା ଭାରତ ଗୋଦର ରୋଗର ଅବସାନ ଘଟାଇବାକୁ ଚାହେଁ । ଏଥିପାଇଁ ଏକ ପଂଚସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି । 

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଲିମ୍ଫାଟିକ୍ ଫାଇଲେରିଆର ଅବସାନ ପାଇଁ ଆୟୋଜିତ ଏକ ଜାତୀୟ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଏଥିପାଇଁ ଆମେ କାର୍ଯ୍ୟସୂଚୀ ଓ ମାର୍ଗ ଚୂଡାନ୍ତ କରିଛୁ । ମିଶନ ମୋଡ୍‌ରେ ବହୁପାକ୍ଷିକ ଅଂଶୀଦାରୀ ଭିତ୍ତିରେ ସମୟବଦ୍ଧ ନୀତିରେ ଆମେ ଏହି ଲକ୍ଷ୍ୟ ପୂରଣ କରିବୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ ମଧ୍ୟ ଉପସ୍ଥିତ ଥିଲେ । 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆହୁରି କହିଥିଲେ ଯେ ଅନେକ ବ୍ୟାଧିର ମୂଳୋତ୍ପାଟନ କାର୍ଯ୍ୟରୁ ଭାରତ ଯଥେଷ୍ଟ ଅଭିଜ୍ଞତା ଅର୍ଜନ କରିଛି । ସେହି ଅଭିଜ୍ଞତା ଭିତ୍ତିରେ ଲିମ୍ଫାଟିକ୍ ଫାଇଲେରିଆର ନିରାକରଣ ପାଇଁ ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଚୂଡାନ୍ତ କରିଛୁ । ସେଗୁଡିକ ହେଲା-

ବର୍ଷରେ ଦୁଇଥର ବହୁବିଧ ଔଷଧ (ଏମ୍‌ଡିଏ) ପ୍ରଦାନ ଅଭିଯାନ ହାତକୁ ନେବା ସହିତ ତାହାକୁ ଜାତୀୟ କୃମିନାଶକ ଦିବସ ୧୦ଫେବୃୟାରୀ ଓ ୧୦ ଅଗଷ୍ଟ ସହିତ ଯୋଡିବା । 

ଫାଇଲେରିଆର ସହଜ ଠାବ (ନିଦାନ) ଏବଂ ଚିକିତ୍ସା । ଏମ୍‌ଏମ୍‌ଡିପି ସେବାକୁୁ ସୁଦୃଢ କରିବାକୁ ମେଡିକାଲ କଲେଜଗୁଡିକୁ ସମ୍ପୃକ୍ତ କରିବା । 

ବହୁପାକ୍ଷିକ ସମନ୍ୱିତ ବ୍ୟବସ୍ଥା ଦ୍ୱାରା ଭେକ୍ଟର(ପରଜୀବୀ) ନିୟନ୍ତ୍ରଣ ବ୍ୟବସ୍ଥାକୁ କାର୍ଯ୍ୟକାରିବା । 

ସମ୍ପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ ସହିତ ଆନ୍ତଃ ସମନ୍ୱୟ ପ୍ରତିଷ୍ଠା କରି ଅଭିଯାନକୁ ଆଗକୁ ବଢାଇବା । 

ଲିମ୍ଫାଟିକ ଫାଇଲେରିଆ ପାଇଁ ବର୍ତ୍ତମାନ ଉପଲବ୍ଧ ଡିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରିବା ଏବଂ ବିକଳ୍ପ ନିଦାନ ବ୍ୟବସ୍ଥାର ସନ୍ଧାନ କରିବା ।

 ସମୟବଦ୍ଧ ନୀତିରେ ଫାଇଲେରିଆର ନିରାକରଣ ପାଇଁ ଭାରତ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦୋହରାଇ ଡକ୍ଟର ମାଣ୍ଡବୀୟ କହିଥିଲେ ଯେ ଦେଶର ବିବିଧ ଭୌଗୋଳିକ ଓ ସାମାଜିକ ଅର୍ଥନୀତିକ ସ୍ଥିତି ସତ୍ୱେ ପ୍ରତ୍ୟେକ ଅଞ୍ଚଳ ଓ ଜନ ସମୁଦାୟର ସ୍ୱତନ୍ତ୍ର ସାମର୍ଥ୍ୟ ଏବଂ ଶକ୍ତି ରହିଛି । ତେଣୁ ଫାଇଲେରିଆ ବ୍ୟାଧିର ଅବସାନ ପାଇଁ ଆମେ ସମସ୍ତଙ୍କ ସାହାଯ୍ୟ ସହଯୋଗ ଲୋଡିବୁ । ଜନଭାଗିଦାରୀ ଦ୍ୱାରା ପୋଲିଓର ଅବସାନ କିପରି ସମ୍ଭବ ହେଲା ଭାରତ ତାହା ସମଗ୍ର ବିଶ୍ୱକୁ ଦେଖାଇଛି । ତେଣୁ ସେହି ସମାନ ଆଭିମୁଖ୍ୟ ନେଇ ଭାରତରୁ ଫାଇଲେରିଆର ଅବସାନ ଘଟାଇବୁ । ଏଥିରେ କେନ୍ଦ୍ରର ମନ୍ତ୍ରଣାଳୟ ଓ ବିଭାଗ, ରାଜ୍ୟ ସରକାରମାନଙ୍କ ସବୁ ବିଭାଗ, ସମସ୍ତ ସରକାରୀ ସଂସ୍ଥା, ଏନ୍‌ଜିଓ, ଘରୋଇକ୍ଷେତ୍ର, ବିଭିନ୍ନ ଧାର୍ମିକ ସାମ୍ପ୍ରଦାୟର ନେତା, ନାନା ଗୋଷ୍ଠୀର ନେତୃ ସ୍ଥାନୀୟ ବ୍ୟକ୍ତି ଓ ସବୁ ପକ୍ଷଙ୍କୁ ସାଙ୍ଗରେ ନେଇ ସେବା ଓ ସହଯୋଗର ଭାବନାରେ ଫାଇଲେରିଆ ବିରୋଧରେ ଲଢେଇ ହେବ । ଏହି କାର୍ଯ୍ୟରେ ଆମେ ‘ଭାରତ-ମଡେଲ’ର ପ୍ରୟୋଗ କରିବୁ । ଏଥିରେ ଆମ ଅଗ୍ରାଧିକାର ଓ କାମର ସାମର୍ଥ୍ୟ ଗୁରୁତ୍ୱ ପାଇବ । 

ଭାରତର ଅନ୍ତ୍ୟୋଦୟ ଦର୍ଶନର ଅବତାରଣା କରି ନିିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ କହିଲେ ଯେ ଫାଇଲେରିଆ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳରେ ଗରିବ ଓ ଅବହେଳିତ ଲୋକଙ୍କୁ ଅଧିକ ଆକ୍ରାନ୍ତ କରିଥାଏ । ଅତଏବ ଏହାର ଅବସାନ ପାଇଁ ଭାରତ ସରକାର ଯେଉଁ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ସେ ସ୍ୱାଗତ କରିଥିଲେ । ଫାଇଲେରିଆ ନିରାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ଗଣ ଅଭିଯାନ, ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ । ଜାତୀୟ, ପ୍ରାଦେଶିକ, ଜିଲ୍ଲା ଉପଜିଲ୍ଲା ସେ ବ୍ଲକସ୍ତରରେ ଏହି ସଚେତନତାର ବାର୍ତ୍ତା ପହଞ୍ôଚଲେ ଏବଂ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ଔଷଧ ବିତରଣ କାର୍ଯ୍ୟ ଠିକ୍ ଭାବେ ହେଲେ ଏହି ବ୍ୟାଧିର ନିରାକରଣ ସମ୍ଭବ ବୋଲି ସେ କହିଥିଲେ । 

ଚାରିଟି ରାଜ୍ୟ, ଓଡିଶା, ଉତ୍ତରପ୍ରଦେଶ, ବିହାର ଓ ତେଲଙ୍ଗାନାରେ ଦେଶର ୬୦ଭାଗରୁ ଅଧିକ ଫାଇଲେରିଆ ରୋଗୀ ଅଛନ୍ତି । ସେହିଭଳି ଓଡିଶା, ଝାଡଖଣ୍ଡ, ଉତ୍ତରପ୍ରଦେଶ ଓ ବିହାର ଏହି ଚାରୋଟି ରାଜ୍ୟରେ ଫାଇଲେରିଆଜନିତ ଅଣ୍ଡକୋଷକୁ ବୃଦ୍ଧି ରୋଗୀଙ୍କ ସଂଖ୍ୟା ୮୦%ରୁ ଅଧିକ । 

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏହି କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥାରେ ଯୋଗଦେଇଥିଲେ । ଅତିରିକ୍ତ ସଚିବ ତଥା ଏନ୍‌ଏଚ୍‌ଏମ୍ ମିଶନ ନିର୍ଦ୍ଦେଶକ ରୋଲି ସିଂହ, ଯୁଗ୍ମ ସଚିବ ରାଜୀବ ମାଂଝି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଆଲୋଚନାଚକ୍ରରେ ଅନେକ ନୀତି ନିର୍ମାତା, ବରିଷ୍ଠ ସରକାରୀ ପ୍ରତିନିଧି, ଉନ୍ନୟନ ବିଶେଷଜ୍ଞ ଓ ଗବେଷକ ଭାଗ ନେଇଥିଲେ । 

ଏହି ଜାତୀୟ ଆଲୋଚନାଚକ୍ରରେ ଫାଇଲେରିଆ ନିରାକରଣ କାର୍ଯ୍ୟର ପ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ପଞ୍ଚସୂତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାର ସବୁ ସମ୍ଭାବ୍ୟ ଦିଗ ଉପରେ ବକ୍ତାମାନେ କହିଥିଲେ ।

 

*****

TKM/SLP



(Release ID: 1891119) Visitor Counter : 161