ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ, ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ ତାଳଚେର ସାର କାରଖାନା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ତାଳଚେର ସାର କାରଖାନା ପ୍ରକଳ୍ପ ଭାରତର ସର୍ବବୃହତ ତଥା ପ୍ରଥମ କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ କାରଖାନା ହେବ: ଡକ୍ଟର ମନସୁଖ ମାଣ୍ଡଭିୟ
କାରଖାନା ସଠିକ୍ ସମୟରେ କାର୍ଯ୍ୟକ୍ଷମ ହେବା ପାଇଁ ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ
“ଚାରିଟି ନୂତନ ୟୁରିଆ ଉତ୍ପାଦନ କାରଖାନା କାର୍ଯ୍ୟକ୍ଷମ ଥିବାବେଳେ ଅକ୍ଟୋବର 2024 ରୁ ତାଳଚେର କାରଖାନା କାର୍ଯ୍ୟକାରୀ ହେବା ଦ୍ବାରା, ଭାରତର ୟୁରିଆ ଆମଦାନୀ ର୍ନିଭରଶୀଳତା ଯଥେଷ୍ଟ ହ୍ରାସ ପାଇବ “
Posted On:
07 JAN 2023 3:26PM by PIB Bhubaneshwar
ଭାରତର କୃଷି କ୍ଷେତ୍ରର ଉନ୍ନତି ପାଇଁ ସାର ଆବଶ୍ୟକ ଏବଂ ଦେଶ ଆମଦାନୀ ତଥା ସାରର ଘରୋଇ ଉତ୍ପାଦନ ଉପରେ ର୍ନିଭରଶୀଳ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ମଧ୍ୟ ଏହି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତରେ ପାଞ୍ଚଟି ନୂତନ ସାର କାରଖାନା ପ୍ରତିଷ୍ଠା ସହିତ ଘରୋଇ ୟୁରିଆ ଉତ୍ପାଦନରେ ଏକ ବୃହତ୍ ଅଭିବୃଦ୍ଧି ହେବ। ଏହି ଚାରୋଟି କାରଖାନା ପୂର୍ବରୁ କାର୍ଯ୍ୟକ୍ଷମ ଥିବାବେଳେ ତାଳଚେର ହେଉଛି ଏକ କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ କାରଖାନା ଯାହା ଅକ୍ଟୋବର 2024 ସୁଦ୍ଧା କାର୍ଯ୍ୟକ୍ଷମ ହେବ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏଫସିଆଇଏଲ ତାଳଚେର ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏହା କହିଛନ୍ତି । ଏଫସିଆଇଏଲ୍ ତାଳଚେରର ପୁନରୁଦ୍ଧାର କାର୍ଯ୍ୟ ଗେଲ ଇଣ୍ଡିଆ ଲିମିଟେଡ (ଗେଲ୍) ଦ୍ୱାରା ପ୍ରୋତ୍ସାହିତ କମ୍ପାନୀ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍), ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ୍), କୋଲ ଇଣ୍ଡିଆ ଲମିଟେଡ (ସିଆଇଏଲ) ଏବଂ ଫର୍ଟିଲାଇଜର୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ୍) ଦ୍ୱାରା କରାଯାଉଛି ।
ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଦେଶକୁ ଆତ୍ମନିର୍ଭର କରିବାପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ସାର ହେଉଛି ଏହି କ୍ଷେତ୍ର ମଧ୍ୟରୁ ଗୋଟିଏ । ଆମର ସାର କାରଖାନାରେ କୋଇଲା ଗ୍ୟାସିଫିକେସନ୍ ଭଳି ନୂତନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଏବଂ କୋଇଲା ପରି ଆମର ସମ୍ପଦ (ସମ୍ବଳ) ବ୍ୟବହାର କରି ଭାରତ ୟୁରିଆ କ୍ଷେତ୍ରରେ ଆତ୍ମର୍ନିଭରଶୀଳତା ଆଡକୁ ଗତି କରୁଛି । ଏହି ଦୃଷ୍ଟିକୋଣରୁ ଭାରତ ସରକାର ତାଳଚେର ୟୁନିଟର ଅଗ୍ରଗତିର ସମୀକ୍ଷା କରୁଛନ୍ତି ଯାହା ଭାରତର ସର୍ବବୃହତ ତଥା ପ୍ରଥମ କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ ୟୁରିଆ କାରଖାନା ହେବ ।
ଡକ୍ଟର ମାଣ୍ଡଭିୟ ଏହା ମଧ୍ୟ କହିଛନ୍ତି ଯେ ଦେଶର ବିପୁଳ କୋଇଲା ଭଣ୍ଡାରକୁ ବ୍ୟବହାର କରି ଦେଶର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଏହି ପ୍ରୟାସ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ଯାହା ସିଧାସଳଖ କୋଇଲା ଦହନ ପ୍ରକଳ୍ପ ଅପେକ୍ଷା ପରିବେଶ ଅନୁକୂଳ ଅଟେ ।
କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବାବେଳେ ଡକ୍ଟର ମାଣ୍ଡଭିୟ ଏବଂ ଶ୍ରୀ ପ୍ରଧାନଙ୍କୁ ମଡେଲ ରୁମରେ ପ୍ରକଳ୍ପର ଏକ ସମୀକ୍ଷା ପ୍ରଦାନ କରାଯାଇଥିଲା ଏବଂ ଏହା ପରେ କାରଖାନା ଅଞ୍ଚଳ ପରିଦର୍ଶନ କରିଥିଲେ ଯେଉଁଠାରେ ପ୍ରକଳ୍ପର ର୍ନିମାଣ ଏବଂ ଆଗଉଥିବା କାର୍ଯ୍ୟଗୁଡ଼ିକ ଯତ୍ନର ସହ ସମୀକ୍ଷା କରାଯାଇଥିଲା । ମାନ୍ୟବର ମନ୍ତ୍ରୀମାନେ ମଧ୍ୟ ପ୍ରକଳ୍ପ ସ୍ଥିତିର ଅଂଶ ଗ୍ରହଣ କରିଥିଲେ ଏବଂ ଟିଏଫ୍ଏଲ୍, ପିଡିଆଇଏଲ୍ (ପ୍ରକଳ୍ପର ପରାମର୍ଶଦାତା) ଏବଂ ଟିଏଫ୍ଏଲ୍ ର ସହଯୋଗୀ ପ୍ରତିନିଧୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ମାନ୍ୟବର ମନ୍ତ୍ରୀମାନେ ଜାତୀୟ ପ୍ରସଙ୍ଗରେ କାରଖାନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଧାର୍ଯ୍ୟ ସମୟରେ କାରଖାନାର ନିର୍ମାଣ କାର୍ଯ୍ୟ ସାରିବାକୁ ଟିଏଫ୍ଏଲ ଏବଂ ପିଡିଆଇଏଲ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାରଖାନାର ସଠିକ ସମୟରେ କାର୍ଯ୍ୟକ୍ଷମ ହେବା ପାଇଁ ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ଡକ୍ଟର ମାଣ୍ଡଭିୟ ଗୁରୁତ୍ୱାରୋପ କରିଥିଲେ ।
ବାର୍ଷିକ 12.7 ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟିପିଏ) କ୍ଷମତା ବିଶିଷ୍ଟ ଏକ ନୂତନ କୋଇଲା ଗ୍ୟାସିଫିକେସନ୍ ଆଧାରିତ ୟୁରିଆ କାରଖାନା ସ୍ଥାପନ କରି ଏଫ୍ସିଆଇଏଲ ର ତାଳଚେର କାରଖାନାକୁ ପୁନରୁଦ୍ଧାର କରିବାକୁ ସରକାର ଟିଏଫ୍ଏଲ କୁ ନିର୍ଦ୍ଦେଶ ଦେଇଛନ୍ତି ।
ଯେହେତୁ ଏହି ପ୍ରକଳ୍ପ କୋଇଲା ଗ୍ୟାସିଫିକେସନ୍ କୁ ପ୍ରୋତ୍ସାହିତ କରୁଛି, ଏହା ମଧ୍ୟ 2030 ସୁଦ୍ଧା 100 ମେଟ୍ରିକ ଟନ୍ କୋଇଲା ଗ୍ୟାସୀକରଣ କରିବାର ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ । ଏହି ପ୍ରକଳ୍ପ ବିଶେଷ ଭାବରେ ଓଡିଶାର ଅର୍ଥନୀତି ବିଶେଷଭାବରେ ପୂର୍ବ ଭାରତର ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇବ ଯାହା ଦ୍ୱାରା ମଧ୍ୟ ଭାରତ ଆତ୍ମ ନିର୍ଭରତା (ଆତ୍ମନିର୍ଭରଶୀଳ) ଆଡକୁ ଗତି କରିବ ।
କୋଇଲା ଗ୍ୟାସିଫିକେସନ୍ କାରଖାନାଗୁଡିକ କୌଶଳଗତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କାରଣ କୋଇଲା ମୂଲ୍ୟ ଅସ୍ଥିର ନୁହେଁ ଏବଂ ଘରୋଇ କୋଇଲା ବହୁଳ ଭାବରେ ଉପଲବ୍ଧ । ତାଳଚେର କାରଖାନା ମଧ୍ୟ ୟୁରିଆ ଉତ୍ପାଦନ ପାଇଁ ଆମଦାନୀ ହୋଇଥିବା ପ୍ରାକୃତିକ ଗ୍ୟାସ ଉପରେ ର୍ନିଭରଶୀଳତା ହ୍ରାସ କରିବ ଯାହା ପ୍ରାକୃତିକ ଗ୍ୟାସ ଆମଦାନୀ ବିଲ୍ରେ ହ୍ରାସ ଘଟାଇବ । ର୍ନିମାଣାଧୀନ ତାଳଚେର ୟୁନିଟ୍ରେ ଗ୍ରହଣ କରାଯାଇଥିବା ଗ୍ୟାସିଫିକେସନ୍ ପ୍ରକ୍ରିୟା ସିଧାସଳଖ କୋଇଲା ଦହନ ପ୍ରକ୍ରିୟା ତୁଳନାରେ ଅଧିକ ପରିବେଶ ଅନୁକୂଳ ଅଟେ ଯାହା ଦ୍ୱାରା କନଫରେନ୍ସ ଅଫ୍ ପାର୍ଟିସ୍ (ସିଓପି) ଅଧୀନରେ ଭାରତ ଦେଇଥିବା ପ୍ରତିଶ୍ରୁତିକୁ ସମର୍ଥନ କରେ ।
ଘରୋଇ ଉତ୍ପାଦିତ ୟୁରିଆର ଉପଲବ୍ଧତାକୁ ବଢାଇବା ପାଇଁ ମୋଦୀ ସରକାରଙ୍କ ଏଫସିଆଇଏଲ ଏବଂ ଏଚଏଫସିଏଲର ବନ୍ଦ ୟୁନିଟଗୁଡ଼ିକର ପୁନରୁଦ୍ଧାର ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଥିଲା । ଏଫସିଆଇଏଲ୍ / ଏଚଏଫ୍ସିଏଲ୍ର ସମସ୍ତ ପାଞ୍ଚଟି କାରଖାନା କାର୍ଯ୍ୟକ୍ଷମ ହେଲେ ଦେଶରେ 63.5 ଏଲଏମପିଟିଏ ସ୍ୱଦେଶୀ ୟୁରିଆ ଉତ୍ପାଦନ କ୍ଷମତା ଯୋଗ କରିବ । ପାଞ୍ଚଟି ମଧ୍ୟରୁ ଚାରିଟି କାରଖାନା ଯଥା ରାମଗୁଣ୍ଡମ୍, ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ସାର କାରଖାନା ଦେଶରେ ୟୁରିଆ ଉତ୍ପାଦନ ଆରମ୍ଭ କରିସାରିଛି ଏବଂ ତାଳଚେର କାରଖାନା ସେପ୍ଟେମ୍ବର 2024 ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଟୁଇଟ୍ ମାଧ୍ୟମରେ ପରିଦର୍ଶନର ଝଲକ ଦେଖା ଯାଇ ପାରିବ
HS/BS
(Release ID: 1889427)
Visitor Counter : 161