ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ୨୦୨୩

Posted On: 06 JAN 2023 7:14PM by PIB Bhubaneshwar

ପ୍ରବାସୀ ଭାରତୀୟ ଦିବସ (ପିବିଡି) ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହା ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା ତଥା ପରସ୍ପର ସହ ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ । ମଧ୍ୟପ୍ରଦେଶ ସରକାରଙ୍କ ସହଭାଗିତାରେ ଜାନୁୟାରୀ ୮ରୁ ୧୦, ୨୦୨୩ ପର୍ଯ୍ୟନ୍ତ ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜିତ ହେବ । ଏହି ପିବିଡି ସମ୍ମିଳନୀର ବିଷୟବସ୍ତୁ ରହିଛି “ପ୍ରବାସୀ: ଅମୃତ କାଳରେ ଭାରତର ପ୍ରଗତିରେ ବିଶ୍ୱସନୀୟ ଭାଗିଦାର ।” ପ୍ରାୟ ୭୦ଟି ଦେଶରୁ ୩୫୦୦ରୁ ଅଧିକ ପ୍ରବାସୀ ଭାରତୀୟ ପିବିଡି ସମ୍ମିଳନୀରେ ଭାଗ ନେବାକୁ ପଞ୍ଜିକରଣ କରାଇଛନ୍ତି । 

ପିବିଡି ସମ୍ମିଳନୀରେ ତିନିଟି ଭାଗ ରହିଛି । ଜାନୁୟାରୀ ୮, ୨୦୨୩ରେ ଯୁବ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ ଯୁବ ବ୍ୟାପାର ଓ କ୍ରାଡୀ ମନ୍ତ୍ରଣାଳୟ ସହଭାଗିତାରେ ଆୟୋଜିତ ହେବ । ଯୁବ ପ୍ରବାସୀ ଭାରତୀୟ ଦିବସ ଅବସରରେ ଅଷ୍ଟ୍ରେଲୀୟ ସାଂସଦ ମହାମହିମ ସୁଶ୍ରୀ ଜନେତା ମାସ୍କରେନହାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । 

ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୦୯,୨୦୨୩ରେ ପିବିଡି ସମ୍ମିଳନୀ ଉଦଘାଟନ କରିବେ ଓ ଗାଏନା ସମବାୟ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଇରଫାନ ଅଲ୍ଲୀ ମୁଖ୍ୟ ଅତିଥି ଓ ସୁରିନାମର ମାନନୀୟ ରାଷ୍ଟ୍ରପତି ମହାମହିମ ଶ୍ରୀ ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ସମ୍ମାନିତ ଅତିଥି ଭାବେ ସମ୍ମିଳନୀକୁ ସମ୍ବୋଧନ କରିବେ । 

ଏକ ସ୍ମାରକ ଡାକଟିକଟ “ସୁରକ୍ଷିତ ଯାଏଁ, ପ୍ରଶିକ୍ଷିତ ଯାଏଁ” ଜାରି କରାଯିବ, ଯାହା ସୁରକ୍ଷିତ, ବୈଧ, ବ୍ୟବସ୍ଥିତ ଓ କୁଶଳୀ ପ୍ରବାସନକୁ ରେଖାଙ୍କିତ କରିବ । ଭାରତର ସ୍ୱାଧୀନତାରେ ପ୍ରବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋକପାତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜାଦୀ କା ଅମୃତ ମହୋତ୍ସବ- ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରବାସୀ ଭାରତୀୟଙ୍କ ଯୋଗ ଦାନ ସମ୍ପର୍କରେ ପ୍ରଥମ ଥର ପାଇଁ ଡିଜିଟାଲ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରିବେ । ଜି- ୨୦ରେ ଭାରତର ଅଧ୍ୟକ୍ଷତାକୁ ଦୃଷ୍ଟିରେ ରଖି ଜାନୁୟାରୀ ଜାନୁୟାରୀ, ୦୯ରେ ଟାଉନ ହଲ ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ । 

ଜାନୁୟାରୀ ୧୦,୨୦୨୩ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ୨୦୨୩ ପ୍ରଦାନ କରିବେ ଓ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ । ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ଭାରତୀୟ ପ୍ରବାସୀ ସଦସ୍ୟମାନଙ୍କ ସଫଳତାକୁ ସ୍ୱୀକୃତି ଜଣାଇ ପ୍ରଦାନ କରାଯାଇଥାଏ । ଉଭୟ ଭାରତ ଓ ବିଦେଶରେ ବିଭିନ୍ନ କ୍ଷେତ୍ର ପ୍ରତି ସେମାନଙ୍କ ଅବଦାନକୁ ସମ୍ମାନ ପ୍ରଦାନ କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।   

ପିବିଡି ସମ୍ମିଳନୀରେ ପାଞ୍ଚଟି ବିଷୟବସ୍ତୁକୁ ନେଇ ଅଧିବେଶନ ଆୟୋଜିତ ହେବ- 

• ପ୍ରଥମ ସମ୍ପୂର୍ଣ୍ଣ ଅଧିବେଶନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ନବାଚାର ଓ ନୂଆ ପ୍ରଯୁକ୍ତିରେ ପ୍ରବାସୀ ଯୁବପୀଢିଙ୍କ ଭୂମିକା ସମ୍ପର୍କରେ ହେବ ।

• ଦ୍ୱିତୀୟ ସମ୍ପୂର୍ଣ୍ଣ ଅଧିବେଶନ “ଅମୃତ କାଳରେ ଭାରତୀୟ ସ୍ୱାସ୍ଥ୍ୟ ସେବା ଇକୋ ସିଷ୍ଟମକୁ ପ୍ରୋତ୍ସାହିତ କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା: ଭିଜନ @2047” ସମ୍ପର୍କରେ ହେବ । ଏହାର ଅଧ୍ୟକ୍ଷତା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟ କରିବେ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଡଃ ରାଜକୁମାର ରଂଜନ ସିଂହ ସହ-ଅଧ୍ୟକ୍ଷତା କରିବେ । 

• ତୃତୀୟ ସମ୍ପୂର୍ଣ୍ଣ ଅଧିବେଶନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖିଙ୍କ ଅଧ୍ୟକ୍ଷତାରେ ହେବ । ଏହି ଅଧିବେଶନ ବିଷୟବସ୍ତୁ ରହିଛି “ଭାରତର ନମନୀୟ ଶକ୍ତିର ଲାଭ ଉଠାଇବା- ଶିଳ୍ପ, ବ୍ୟଞ୍ଜନ ଓ ସୃଜନଶୀଳତା ମାଧ୍ୟମରେ ସଦଭାବନା ବଜାୟ ରଖିବା । 

• ଚତୁର୍ଥ ସମ୍ପୂର୍ଣ୍ଣ ଅଧିବେଶନରେ ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭାରତୀୟ କାର୍ଯ୍ୟବଳର ବୈଶିକ ଗତିଶୀଳତା ସକ୍ଷମ କରିବା- ଭାରତୀୟ ଡାଏସ୍ପୋରାର ଭୂମିକା ସମ୍ପର୍କରେ ହେବ ।

• ପଞ୍ଚମ ସମ୍ପୂର୍ଣ୍ଣ ଅଧିବେଶନ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ର ନିର୍ମାଣ ପାଇଁ ଏକ ସମାବେଶୀ ଦୃଷ୍ଟିକୋଣ ହାସଲ ପାଇଁ ଦକ୍ଷତା ନିର୍ମାଣ ସମ୍ପର୍କରେ ଆଲୋଚନାଚକ୍ର ଆୟୋଜିତ ହେବ । 

ସମସ୍ତ ପୂର୍ଣ୍ଣ ଅଧିବେଶନରେ ବିଶିଷ୍ଟ ପ୍ରବାସୀ ବିଶେଷଜ୍ଞଙ୍କୁ ଆମନ୍ତ୍ରିତ କରି ପ୍ୟାନେଲ ଆଲୋଚନା ହେବ ।

କୋଭିଡ- ୧୯ ମହାମାରୀ ଯୋଗୁଁ ଚାରି ବର୍ଷ ବ୍ୟବଧାନ ପରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜିତ ହେଉଥିବାରୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ବେଳେ ୨୦୨୧ରେ ଗତ ପିବିଡି ସମ୍ମିଳନୀ ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା । 

ଏହି କାର୍ଯ୍ୟକ୍ରମ ପିବିଡି ୱେବସାଇଟ http://www.pbdindia.gov.in ଓ  https://www.youtube.com/user/MEAIndiaରେ ସିଧାପ୍ରସାରିତ ହେବ ।

 

SR



(Release ID: 1889425) Visitor Counter : 176