କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ

ସାରା ଭାରତର ୧୯୭ଟି ଜିଲ୍ଲାରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶ ମେଳା

Posted On: 10 DEC 2022 10:04AM by PIB Bhubaneshwar

ଏହି ମେଳା ୨୫ ଟି ରାଜ୍ୟର ୧୯୭ ଜିଲ୍ଲାରେ ଆୟୋଜିତ ହେବ

ମେଳାର ଅଂଶ ହେବାକୁ ଏବଂ ଯୁବକ ମାନଙ୍କୁ ଶିକ୍ଷାଦାନ ସୁଯୋଗ ପ୍ରଦାନ କରିବାକୁ ଅନେକ ସ୍ଥାନୀୟ ବ୍ୟବସାୟ ସଂସ୍ଥାକୁ ନିମନ୍ତ୍ରଣ କରା ଯାଇଛି ।

ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଭାରତର ଯୁବକ ମାନଙ୍କ ପାଇଁ କ୍ୟାରିୟର ସୁଯୋଗ ବୃଦ୍ଧି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣର ଏକ ଅଂଶ ଭାବରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସ୍‌ଡିଇ) ଚଳିତ ବର୍ଷ ଡିସେମ୍ବର ୧୨ ରେ ୨୫ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୯୭ ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶ ମେଳା (ପିଏମ୍‌ଏନ୍‌ଏଏମ୍‌) ଆୟୋଜନ କରିବ ।

ଶିକ୍ଷାନବୀଶ (ଆପ୍ରେଂଟିସ୍‌ସିପ୍‌) ତାଲିମ୍ ମାଧ୍ୟମରେ ସ୍ଥାନୀୟ ଯୁବକ ମାନଙ୍କୁ ସେମାନଙ୍କ କ୍ୟାରିୟର ଗଠନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଅନେକ ସ୍ଥାନୀୟ ବ୍ୟବସାୟ ସଂସ୍ଥାକୁ ମେଳାର ଅଂଶ ବିଶେଷ ହେବାକୁ ନିମନ୍ତ୍ରଣ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଭିନ୍ନ କମ୍ପାନୀ ଅଂଶ ଗ୍ରହଣ କରିବେ । ଅଂଶଗ୍ରହଣକାରୀ କମ୍ପାନୀ ଗୁଡିକ ଗୋଟିଏ ମଂଚରେ ସମ୍ଭାବ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଭେଟିବାର ସୁଯୋଗ ପାଇବେ ଏବଂ ସେହି ସ୍ଥାନରେ ଆବେଦନକାରୀ ମାନଙ୍କୁ ଚୟନ କରିବେ ଏବଂ ସେମାନଙ୍କୁ ସେମାନଙ୍କର ସଂଗଠନର ଏକ ଅଂଶ ହେବାର ସୁଯୋଗ ପ୍ରଦାନ କରିବେ ।

ବ୍ୟକ୍ତିମାନେ https://www.apprenticeshipindia.gov.in/ ମାଧ୍ୟମରେ ମେଳା ପାଇଁ ପଞ୍ଜୀକୃତ କରି ପାରିବେ ଏବଂ ମେଳାର ନିକଟତମ ସ୍ଥାନ ସମ୍ପର୍କରେ ଜାଣି ପାରିବେ । ଯେଉଁ ପ୍ରାର୍ଥୀମାନେ ପଂଚମରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଏବଂ ଯେଉଁ ମାନଙ୍କ ପାଖରେ ଦକ୍ଷତା ତାଲିମ ପ୍ରମାଣପତ୍ର ଅଛି କିମ୍ବା ଆଇଟିଆଇ ଡିପ୍ଲୋମା ଧାରକ କିମ୍ବା ସ୍ନାତକମାନେ ଏହି ଶିକ୍ଷାନବୀଶ ମେଳା ସମୟରେ ଆବେଦନ କରି ପାରିବେ । ପ୍ରାର୍ଥୀମାନେ ସେମାନଙ୍କ ରିଜ୍ୟୁମର ତିନୋଟି କପି, ସମସ୍ତ ମାର୍କସିଟ୍ ଏବଂ ସାର୍ଟିଫିକେଟ୍‌ର ତିନୋଟି କପି, ଫଟୋ ପ୍ରମାଣ ପତ୍ର (ଆଧାର କାର୍ଡ / ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି) ଏବଂ ତିନୋଟି ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ସଂପୃକ୍ତ ସ୍ଥାନକୁ ନେବା ଜରୁରୀ ।

ଯେଉଁ ବ୍ୟକ୍ତିମାନେ ପୂର୍ବରୁ ସୂଚୀବଦ୍ଧ ହୋଇ ଯାଇଛନ୍ତି, ସେମାନଙ୍କୁ ସମସ୍ତ ସମ୍ବନ୍ଧିତ ଦଲିଲ ଗୁଡିକ ସହିତ କାର୍ଯ୍ୟକ୍ରମ ସ୍ଥଳରେ ପହଂଚିବାକୁ ଅନୁରୋଧ କରା ଯାଇଛି । ଏହି ମେଳା ମାଧ୍ୟମରେ , ପ୍ରାର୍ଥୀମାନେ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ / ନ୍ୟାସନାଲ କାଉନସିଲ୍ ଫର ଭୋକେସନାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଏନ୍‌ସିଭିଇଟି) ମାନ୍ୟତା ପ୍ରାପ୍ତ ପ୍ରମାଣପତ୍ର ମଧ୍ୟ ପାଇବେ, ଯେଉଁଥିରେ ତାଲିମ୍ ଅଧିବେଶନ ପରେ ସେମାନଙ୍କ ନିଯୁକ୍ତି ହାରରେ ସୁଧାର ଆସି ପାରିବ ।

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶ ମେଳା ଉପରେ ନିଜର ମତ ରଖି କହିଛନ୍ତି ଯେ, “ଆଜିର ଯୁବପିଢ଼ି ମାନଙ୍କ ପାଇଁ ଶିକ୍ଷାନବୀଶତା ସୁଯୋଗ ଦୃଷ୍ଟିକୋଣରୁ ଭାରତକୁ ଅନ୍ୟ ବିକଶିତ ଅର୍ଥନୀତି ସହିତ ତୁଳନା କରା ଯାଇଥାଏ । ଏହି ବ୍ୟବଧାନକୁ ଦୂର କରିବା ପାଇଁ, ଆମେ ପ୍ରଶିକ୍ଷାର୍ଥୀ ଏବଂ ଛାତ୍ର ମାନଙ୍କ ପାଇଁ ଶିକ୍ଷାନବୀଶତାର ସୁଯୋଗ ପହଂଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛୁ । ଗତ ମାସରେ ଅନୁଷ୍ଠିତ ହୋଇଥିବା ଶିକ୍ଷାନବୀଶ ମେଳା ସମୟରେ ଆମେ ସମ୍ଭାବ୍ୟ ଯୁବପିଢ଼ି ମାନଙ୍କ ଠାରୁ ଏକ ଭଲ ପ୍ରତିକ୍ରିୟା ପାଇଲୁ, ଯେଉଁମାନେ କଠିନ ପରିଶ୍ରମ କରିବାକୁ, ଆମ ଅର୍ଥନୀତିରେ ସହଯୋଗ କରିବାକୁ ଏବଂ ଆମ ଦେଶର ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିବାକୁ ଆଗ୍ରହୀ ଅଟନ୍ତି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି କମ୍ପାନୀ ମାନଙ୍କୁ ଅଧିକ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଉତ୍ସାହିତ କରିବା ସହିତ ସଠିକ୍ ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ଏବଂ ତାଲିମ୍ ଏବଂ ବ୍ୟବହାରିକ ଅଭିଜ୍ଞତା ମାଧ୍ୟମରେ ସେମାନଙ୍କ ସାମର୍ଥ୍ୟର ବିକାଶରେ ନିଯୁକ୍ତି ଦାତାଙ୍କୁ ସାହାଯ୍ୟ କରିବା । ଶିକ୍ଷାନବୀଶତାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବିଶ୍ୱସନୀୟ ପଥ ନିର୍ମାଣ ବ୍ୟତୀତ ଶିକ୍ଷାଗତ ପାରବେଶିକ ବ୍ୟବସ୍ଥାରେ ଶିକ୍ଷାନବୀଶତାକୁ ସାମିଲ୍ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମର ନିରନ୍ତର ପ୍ରୟାସ ସହିତ, ଆମର ଲକ୍ଷ୍ୟ ହେଉଛି ୨୦୨୨ ଶେଷ ସୁଦ୍ଧା ଭାରତରେ ଶିକ୍ଷାନବୀଶତାର ସୁଯୋଗକୁ ୧୦ ଲକ୍ଷକୁ ଏବଂ ୨୦୨୬ ସୁଦ୍ଧା ୬୦ ଲକ୍ଷକୁ ବୃଦ୍ଧି କରିବା ” ।

ଦେଶରେ ପ୍ରତି ମାସରେ ଶିକ୍ଷାନବୀଶ ମେଳା ଗୁଡିକ ଆୟୋଜିତ ହୋଇଥାଏ, ଯେଉଁଠାରେ ମନୋନୀତ ବ୍ୟକ୍ତିମାନେ ନୂତନ ଦକ୍ଷତା ହାସଲ ପାଇଁ ସରକାରୀ ମାନଦଣ୍ଡ ଅନୁଯାୟୀ ମାସିକ ଷ୍ଟାଇପେଣ୍ଡ ପାଇଥାନ୍ତି । ଦକ୍ଷତା ବିକାଶର ସବୁଠାରୁ ସ୍ଥାୟୀ ମଡେଲ ଭାବରେ ଶକ୍ଷାନବୀଶତାକୁ ବିବେଚନା କରାଯାଏ ଏବଂ ସ୍କିଲ୍ ଇଣ୍ଡିଆ ମିଶନ୍ ଅଧୀନରେ ଏହାକୁ ବହୁତ ପ୍ରୋତ୍ସାହନ ମିଳିଥାଏ ।

ଶିକ୍ଷାନବୀଶ ଟ୍ରେନିଂ ମାଧ୍ୟମରେ ବାର୍ଷିକ ଏକ ନିୟୁତ ଯୁବକଙ୍କୁ ତାଲିମ୍ ଦେବା ଏବଂ ଏହି ମିଶନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି, ପ୍ରତିଷ୍ଠାନ ଏବଂ ଛାତ୍ର ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପିଏମ୍‌ଏନ୍‌ଏଏମ୍ ଏକ ମଂଚ ଭାବରେ ବ୍ୟବହୃତ ହେଉଛି । ଏହା ମଧ୍ୟ ଅଂଶଗ୍ରହଣକାରୀ କମ୍ପାନୀ ଗୁଡିକରେ ପୂର୍ବରୁ ରହିଥିବା ବିଭିନ୍ନ ସୁଯୋଗ ଗୁଡିକ ବିଷୟରେ ଯୁବକ ମାନଙ୍କୁ ସଚେତନତା ପ୍ରଦାନ କରୁଛି ।

****

SSP

 

 



(Release ID: 1882399) Visitor Counter : 109